ଭୁବନେଶ୍ବର : ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁର ଖୋଳତାଡ଼ କରୁଛି କ୍ରାଇମବ୍ରାଂଚ । ତେବେ ଏହି ମାମଲାର ମୋଡ଼ ବଦଳିବାକୁ ଯାଉଛି। ଆଦିତ୍ୟ ଦାସଙ୍କ ମୃତ୍ୟୁ ପଛରେ ଜଣେ ସାଇକୋ ଲେଡ଼ିର ହାତ ରହିଛି ବୋଲି ଆଦିତ୍ୟଙ୍କ ବାପା ଅଭିଯୋଗ କରିଛନ୍ତି । ଏନେଇ କ୍ରାଇମବ୍ରାଂଚ ତଦନ୍ତ କରୁନଥିବାରୁ ଏହାର ସିବିଆଇ ପାଇଁ ସେ ଦାବି କରିଛନ୍ତି । ଅପରପକ୍ଷରେ ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ମଧ୍ୟ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ପିଟିସନ ଦାଏର କରିଛନ୍ତି ।
ଆଦିତ୍ୟଙ୍କ ବାପା କହିଛନ୍ତିଯେ, ଜଣେ ମହିଳା ଆଦିତ୍ୟଙ୍କୁ ଏକତରଫା ଭଲ ପାଉଥିଲେ । ତାଙ୍କୁ ବିବାହ କରିବା ପାଇଁ ବ୍ଲାକମେଲିଂ କରୁଥିଲେ । ସେହି ମହିଳାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ଦରକାର । କିନ୍ତୁ କ୍ରାଇମବ୍ରାଂଚ ଏଦିଗରେ ତଦନ୍ତ କରୁନାହିଁ ବୋଲି ସେ ଅଭିଯୋଗ କରିବା ସହ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ।
ଏହି ମାମଲାର ଏବେ କ୍ରାଇମବ୍ରାଂଚ ତଦନ୍ତ କରାଯାଉଥିବାବେଳେ ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ, ସହଯୋଗୀ ପପୁ, ବିକାଶ ଓ ଦୀପୁଙ୍କୁ ଲାଇ ଡିଟେକ୍ସନ ଟେଷ୍ଟ ମଧ୍ୟ କରାଯାଇଛି ।