Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦେଶରେ ମଦ୍ୟପାନ ଯୋଗୁଁ ପ୍ରତିବର୍ଷ ମୃତ୍ୟୁବରଣ କରନ୍ତି ୨.୬ଲକ୍ଷ ଲୋକ: ପ୍ରାୟ ୨୦୦ ରୋଗର କାରଣ

ଭୁବନେଶ୍ୱର: ମଦ୍ୟପାନ ଯୋଗୁଁ ପ୍ରତିବର୍ଷ ପୃଥିବୀରେ ପ୍ରାୟ ୩୦ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି। ଏହା ସବୁ ମୃତ୍ୟୁର ପ୍ରାୟ ୫.୩ ପ୍ରତିଶତ। ତେଣୁ ମଦ୍ୟପାନ ଅଭ୍ୟାସକୁ ହ୍ରାସ କରିବା ପାଇଁ ସମସ୍ତ ପ୍ରଚେଷ୍ଟା ଆବଶ୍ୟକ ବୋଲି ପ୍ରଖ୍ୟାତ ମାନସିକ ରୋଗ ବିଶେଷଜ୍ଞ ଡକ୍ଟର ଏନ.ଏନ.ରାଜୁ କହିଛନ୍ତି।

ଭାରତରେ ପ୍ରତିବର୍ଷ ୨.୬ଲକ୍ଷ ମଦ୍ୟପାନ ଜନିତ ମୃତ୍ୟୁ ଘଟୁଥିବାବେଳେ ଏହି ଅଭ୍ୟାସ ପ୍ରାୟ୨୦୦ ରୋଗର କାରଣ ହୋଇଥାଏ। ପୃଥିବୀର ସମସ୍ତ ମୃତ୍ୟୁରୁ ମଦ୍ୟପାନ ପାଇଁ ୭.୭ ପ୍ରତିଶତ ପୁରୁଷ ଓ ୨.୬ ପ୍ରତିଶତ ମହିଳା ମୃତ୍ୟୁବରଣ କରିଥାନ୍ତି। ଏହାଛଡା ୨୦ରୁ ୩୯ବର୍ଷ ମଧ୍ୟରେ ଥିବା ଯୁବବର୍ଗର୧୩.୫ ପ୍ରତିଶତ ମୃତ୍ୟୁ ମଦ୍ୟପାନ ଜନିତ ଅଟେ ବୋଲି ନିକଟରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲ ଓ ଇଣ୍ଡିଆନ ସାଇକ୍ରିୟାଟିଷ୍ଟସ ସୋସାଇଟି (ଆଇପିଏସ୍‌)ର ମିଳିତ ଆୟୋଜନରେ ଅନୁଷ୍ଠିତ ଏକ କଂଟିନ୍ୟୁଇଙ୍ଗ ମେଡିକାଲ ଏଜୁକେସନ (ସିଏମଇ) କାର୍ଯ୍ୟକ୍ରମରେ ଯୋଗ ଦେଇ ଡକ୍ଟର ରାଜୁ ଏହା କହିଥିଲେ।

ଡକ୍ଟର ରାଜୁ, ଯିଏ କି ଇଣ୍ଡିଆନ ସାଇକ୍ରିୟାଟିଷ୍ଟସ ସୋସାଇଟିର ସଭାପତି, କହିଥିଲେ ଯେ ପୃଥିବୀର ମଦ୍ୟ ଆବଶ୍ୟକତାର ୬୫ ପ୍ରତିଶତ ମଦ୍ୟ ଭାରତରେ ପ୍ରସ୍ତୁତ ହୋଇଥାଏ। ମଦ୍ୟପାନ ଯୋଗୁଁ ଅବସାଦ, ଉତ୍କଣ୍ଠା, ସାଇକୋସିସି ତଥା ଆକ୍ୟୁଟ ଷ୍ଟ୍ରେସ ଡିସଅର୍ଡର ଭଳି ସମସ୍ୟା ସୃଷ୍ଟି ହୁଏ ଓ ପରିଶେଷରେ ଏହା ଆତ୍ମହତ୍ୟାରେ ପରିଣତ ହୋଇଥାଏ।

ସେ କହିଥିଲେ ଯେ ମଦ୍ୟପାନ ସମସ୍ତ ଆତ୍ମହତ୍ୟାର ୨୨ପ୍ରତିଶତ ନିମନ୍ତେ ଦାୟୀ ଏବଂ ରାସ୍ତା ଦୁର୍ଘଟଣା ଛଡା ଘଟୁଥିବା ଅନ୍ୟାନ୍ୟ ଦୁର୍ଘଟଣା ଜନିତ ମୃତ୍ୟୁର ୨୦ ପ୍ରତିଶତ ଏହି କାରଣରୁ ହୁଏ। ଗତ ତିନି ବର୍ଷ ମଧ୍ୟରେ ମଦ୍ୟପାନ ଯୋଗୁଁ ୩୮,୦୦୦ ରାସ୍ତା ଦୁର୍ଘଟଣା ଘଟିଛି ବୋଲି ସେ କହିଥିଲେ।

ଶିକ୍ଷା ଓ ଅନୁସନ୍ଧାନ ର କୁଳପତି ପ୍ରଫେସର (ଡ) ଅଶୋକ କୁମାର ମହାପାତ୍ର, ଆଇଏମଏସ ଓ ସମ୍ ହସ୍ପିଟାଲର ଡିନ ପ୍ରଫେସର (ଡ) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡଂଟ ପ୍ରଫେସର (ଡ) ପୁଷ୍ପରାଜ ସାମନ୍ତସିଂହାର, ଆଇପିଏସର ସର୍ବଭାରତୀୟ ସଂପାଦକ ଡ. ଅରବିନ୍ଦ ବ୍ରହ୍ମା, ଆଇପିଏସର ଓଡିଶା ଶାଖା ସଭାପତି ଡ. ପ୍ରଣବ ମହାପାତ୍ର ଓ ସଂପାଦକ ଡ. ଅଶ୍ରୁମୋଚନ ସାହୁ, ସମ ହସ୍ପିଟାଲ ମନସ୍ତତ୍ୱ ବିଭାଗର ମୁଖ୍ୟ ପ୍ରଫେସର ସୁରଜିତ ସାହୁ ଓ ପ୍ରଫେସର ଶୁଭେନ୍ଦୁ ନାରାୟଣ ମିଶ୍ର ମଧ୍ୟ ଏହି ସେମିନାରରେ ବକ୍ତବ୍ୟ ରଖିଥିଲେ।

ସରକାରୀ ସ୍ତରରେ ମଦ୍ୟପାନର ମନ୍ଦ ପ୍ରଭାବକୁ ପ୍ରତିହତ କରିବା ନିମନ୍ତେ ପଦକ୍ଷେପର ଆବଶ୍ୟକତା ଥିବାବେଳେ ସରକାର ଏହାର ପ୍ରଚଳନ ଦ୍ୱାରା ଅଧିକ ଟିକସ ଆଦାୟ କରିବାକୁ ଉଦ୍ଦେଶ୍ୟ ରଖିବା ଦ୍ୱାରା ଜନ ସ୍ୱାସ୍ଥ୍ୟ କ୍ଷତିଗ୍ରସ୍ତ ହେଉଛି ବୋଲି ଡ. ରାଜୁ କହିଥିଲେ।

ଗୁଜରାଟ, ବିହାର, ନାଗାଲ୍ୟାଣ୍ଡ ଓ ମଣିପୁର ଭଳି ୪ଟି ରାଜ୍ୟ ତଥା ଲାକ୍ଷାଦ୍ୱୀପରେ ମଦ୍ୟପାନକୁ ସଂପୂର୍ଣ୍ଣ ବା ଆଂଶିକ ଭାବେ ବନ୍ଦ କରାଯାଇଥିବା ପ୍ରକାଶ କରି ଡ.ରାଜୁ କହିଥିଲେ ଯେ ଜାତୀୟ ସ୍ତରରେ ଏକ ନିର୍ଦ୍ଦିଷ୍ଟ ପଲିସି ନଥିବାରୁ ଏ ବିଷୟରେ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡିକ ମଧ୍ୟରେ ମତଭେଦ ସୃଷ୍ଟି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଦୃଷ୍ଟି ଓ ବାକ୍‌ଶକ୍ତି ବାଧିତ ଛାତ୍ରଛାତୀଙ୍କର ନିଶା ବିରୋଧି ଅଭିଯାନରେ ସମ୍ ମାନସିକ ରୋଗ ବିଶେଷଜ୍ଞ ସାମିଲ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ଓ ବିପିନ୍ ବିହାରୀ ଚୌଧୁରୀ ବଧିର ବିଦ୍ୟାଳୟର ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ମାଧ୍ୟମରେ ନିଶା ବିରୋଧି ଅଭିଯାନରେ ସାମିଲ୍ ହୋଇଛନ୍ତି। ନିଶା ବିରୁଦ୍ଧରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ମାଧ୍ୟମରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ନିଜର ଭାବନା ପ୍ରକାଶ କରିଥିଲେ।

ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ମାନଙ୍କର ବିତର୍କର ବିଷୟ ଥିଲା,“ ନିଶା ନିବାରଣ: ଏକ ସାମାଜିକ ଆହ୍ୱାନ’’। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବାକ୍‌ଶକ୍ତି ବାଧିତ ଛାତ୍ରଛାତ୍ରୀଙ୍କର ଚିତ୍ରାଙ୍କନ ପାଇଁ ବିଷୟ ଥିଲା“ ନିଶା କବଳରୁ ମୁକ୍ତି, ସମାଜକୁ ଦିଏ ଶକ୍ତି”। “ଡ୍ରିମ୍ସ୍‌” ମିଶନ୍ , କମିଶନ୍‌ରେଟ ପୋଲିସ୍‌, ଭୁବନେଶ୍ୱରଙ୍କ ତତ୍ୱାବଧାନ ଓ ଦିଗ୍‌ଦର୍ଶନରେ ଏବଂ ଓଏମ୍‌ସି ର ଆର୍ଥିକ ସହାୟତାରେ ଉକ୍ତ କାର୍ଯ୍ୟକ୍ରମ “ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେଶନ ଆଣ୍ଡ କେୟାର( ଆଇଆଇଇସି)” ଦ୍ୱାରା ସଂଯୋଜନା କରାଯାଉଛି।

ଏହି କାର୍ଯ୍ୟକ୍ରମର ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଡ୍ରଗ୍ସ ବା ଧଳାଜହର ବିରୁଦ୍ଧରେ ସଚେତନତା ଏବଂ ନିଶାରେ କବଳିତ ବ୍ୟକ୍ତିମାନଙ୍କୁ ନିଶା ଏବଂ ଅପରାଧ ଦୁନିଆରୁ ଦୂରେଇ ରଖିବା ପାଇଁ ଉପଯୁକ୍ତ ଚିକିତ୍ସା, ପରାମର୍ଶ ଏବଂ ଆବଶ୍ୟକ ତାଲିମ ପ୍ରଦାନ କରି ସ୍ୱାବଲମ୍ବୀ କରିବା।

ଉଭୟ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଉଦ୍‌ବୋଧନ ଦେଇଥିଲେ ସମ୍ ହସ୍ପିଟାଲର ପ୍ରଫେସର ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର। ଧଳାଜହରର ମଣିଷ ଶରୀର ଉପରେ କିପରି କୁପ୍ରଭାବ ପକାଉଛି ସେ ବିଷୟରେ ସେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ଆଲୁମନି ଆସୋସିଏସନର ସଭାପତି ପ୍ରଫୁଲ୍ଲ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ର ଉଦ୍‌ଘାଟନୀ ଭାଷଣରେ ମୁଖ୍ୟ ଅତିଥି ଭୁବନେଶ୍ୱର ପୋଲିସ୍ ଉପାଯୁକ୍ତ ଡ. ଉମାଶଙ୍କର ଦାଶ ଏହି ମହାନ ଅଭିଯାନରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିବା ସହ ଡ୍ରଗ୍ସ ଭଳି ଏକ ସାମାଜିକ ବ୍ୟାଧିକୁ କେବଳ ସଚେତନତା ଦ୍ୱାରା ହିଁ ଦୂର କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ।

ସ୍ୱାଗତ ଭାଷଣରେ “ଡ୍ରିମ୍ସ”ର ସାମାଜିକ କର୍ମୀ ସୁଚିସ୍ମିତା ଦାସ ଡ୍ରିମ୍ସ ପ୍ରକଳ୍ପର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିଲେ।

ସଭାରେ ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଗୌରାଙ୍ଗ ଚନ୍ଦ୍ର ପାତ୍ର ଯୋଗ ଦେଇ ଛାତ୍ରସମାଜ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଆଶା ପ୍ରକାଶ କରିଥିଲେ ଓ ଆବଶ୍ୟକ ସମର୍ଥନର ପ୍ରତିଶୃତି ଦେଇଥିଲେ। ସଭାରେ ଛାତ୍ରଛାତ୍ରୀ ମାନଙ୍କୁ ନିଜର ଅଭିଭାଷଣରେ ପ୍ରେରଣା ଯୋଗାଇଥିଲେ ପ୍ରବୀଣ ପ୍ରଶିକ୍ଷକ ଡ. ହରପ୍ରସନ୍ନ ଦାସ।

ବିପିନ୍ ବିହାରୀ ଚୌଧୁରୀ ବଧିର ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ପୁଷ୍ପାଞ୍ଜଳୀ ମହାପାତ୍ର ଚିତ୍ରାଙ୍କନ ପ୍ରତିଯୋଗିତା ର ଉଦ୍‌ଘାଟନୀ ଉତ୍ସବରେ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ। ଉଭୟ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଓ ଉଭୟ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଆଡମିନିଷ୍ଟ୍ରେଟିଭ୍ ଅଫିସର ତଥା “ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେଶନ ଆଣ୍ଡ କେୟାର (ଆଇ.ଆଇ.ଇ .ସି)” ର ସହ ନିର୍ଦ୍ଦେଶିକା
ଲୋପାମୁଦ୍ରା ମହାନ୍ତି।