Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଠାରୁ ମାରଧାର କରି ଲୁଟ୍: କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ବାନ୍ଧିଲା ଚାନ୍ଦପୁର ପୋଲିସ

ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଅନେକ ଅସାମାଜିକ ଯୁବକଙ୍କ ପାଦୁର୍ଭାବ ଦେଖିବାକୁ ମିଳିଛି। ଉକ୍ତ ଅଞ୍ଚଳରେ ଲୁଟ, ଡକାୟତ ଭଳି ଅନେକ ଘଟଣା ସାମ୍ନାକୁ ଆସୁଥିବା ବେଳେ ସେସବୁକୁ ବ୍ରେକ ଲଗାଇବା ପାଇଁ ଚାନ୍ଦପୁର ପୋଲିସ ପ୍ରୟାସ ଜାରି ରଖିଛି। ତେବେ ଗତକାଲି ମଧ୍ୟ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଠାରୁ ଲୁଟପାଟ ଘଟଣା ଦେଖିବାକୁ ମିଳିଛି। କିନ୍ତୁ ପୋଲିସର ତ୍ଵରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଉକ୍ତ ଦିବ୍ୟାଙ୍ଗ ବ୍ୟକ୍ତିଜଣଙ୍କ ନିଜର ଟଙ୍କା ଫେରିପାଇବା ସହ ଅଭିଯୁକ୍ତକୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ଚାନ୍ଦପୁର ଥାନା ଅନ୍ତର୍ଗତ ଉପେନ୍ଦ୍ରପୁର ଗ୍ରାମର ସୁରସେନ ନାୟକ ନାମକ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ନିଜ ସାଇକେଲ ଯୋଗେ ଘରକୁ ଫେରୁଥିଲେ। ହେଲେ କବିରାଜ ପଲେଇ ନାମକ ଜଣେ ଅସାମାଜିକ ବ୍ୟକ୍ତି ସୁରସେନଙ୍କ ବାଟ ଓଗାଳିବା ସହ ତାଙ୍କୁ ମାରଧାର କରିଥିଲେ। ଏବଂ ତାଙ୍କ ପକେଟରୁ ୪ ହଜାର ୫ ଶହ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ।

ଏ ନେଇ ସୁରସେନ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କଲା ପରେ ପୋଲିସ ୧୦ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଲୁଟ ଟଙ୍କା ଜବତ କରିଛି। ପରେ ଏହି ଟଙ୍କାକୁ ପୋଲିସ ଅଭିଯୋଗକାରୀଙ୍କୁ ହସ୍ତାନ୍ତର କରିଛି। ତେବେ ଅଭିଯୁକ୍ତ କବିରାଜଙ୍କ ବିରୋଧରେ ଚାନ୍ଦପୁର ଥାନାରେ କେସ ନମ୍ବର ୧୬୨/୨୧ ରେ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଥିବାର ଆଇଆଇସି ରଶ୍ମିରଂଜନ ଦାସ ସୂଚନା ଦେଇଛନ୍ତି।

ସୂଚନା ଥାଉ କି ବିଗତ ଦିନ ମଧ୍ୟରେ ଚାନ୍ଦପୁର ଥାନା ଅଞ୍ଚଳର ପାଖାପାଖି ୮୦ ଜଣ ଦୁର୍ବୁତ୍ତ ପୋଲିସ ଦ୍ୱାରା ଗିରଫ ହୋଇ ବର୍ତ୍ତମାନ ରଣପୁର ସବ ଜେଲରେ ଅଛନ୍ତି।