Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜାଲ ସାର୍ଟିଫିକେଟ ମାମଲା: ବାଲୁଗାଁରୁ ମାଷ୍ଟରମାଇଣ୍ଡଙ୍କୁ ଧରିଲା ଗୋଶାଣି ନୂଆଗାଁ ପୋଲିସ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଜାଲ ସାର୍ଟିଫିକେଟ ଦେଉଥିବା ମାମଲାରେ ବାଲୁଗାଁ ଥାନା ଅଞ୍ଚଳରୁ ମାଷ୍ଟରମାଇଣ୍ଡଙ୍କୁ ପୋଲିସ କରିଛି। ଗତକାଲି ବାଲୁଗାଁ ଥାନା ଅଞ୍ଚଳରୁ ମାଷ୍ଟରମାଇଣ୍ଡଙ୍କୁ ବ୍ରହ୍ମପୁର ଗୋଶାଣି ନୂଆଗାଁ ପୋଲିସ ଉଠାଇନେଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଦୈତାରୀ ବେହେରା। ପେଶାରେ ଦୈତାରୀ ଲଙ୍ଗଳେଶ୍ୱର ୟୁପି ସ୍କୁଲରେ ସରକାରୀ ଶିକ୍ଷକ ଥିବାବେଳେ ସେ ବାଲୁଗାଁ ଗାନ୍ଧୀନଗରରେ ଏକ ଭଡ଼ା ଘରେ ରହୁଥିଲେ।

ଗୋଶାଣୀ ନୂଆଗାଁ ଆଇଆଇସି ସ୍ମୃତିପ୍ରଭା ପ୍ରଧାନଙ୍କ ସୂଚନା ମୁତାବକ ଉକ୍ତ ଥାନା ଅଞ୍ଚଳର ଜଣେ ଘରୋଇ ସ୍କୁଲ ଶିକ୍ଷକ ମନୋରଞ୍ଜନ ଗୌଡ଼ ଜାଲ ସାର୍ଟିଫିକେଟ ପ୍ରସ୍ତୁତ ହେଉଥିବା ନେଇ ଅଭିଯୋଗ କରିଥିଲେ। ତେବେ ଏହାକୁ ଗୁରୁତର ସହ ନେଇଥିଲେ ବ୍ରହ୍ମପୁର ଏସପି।  ଏକ ସ୍ୱତନ୍ତ୍ର ଟିମ ତିଆରି କରାଯାଇ ଘଟଣାର ଯାଞ୍ଚ ଚାଲିଥିବା ବେଳେ ଗତକାଲି ଗୋଶାଣୀ ନୂଆଗାଁ ଆଇଆଇସି ସ୍ମୃତିପ୍ରଭା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ବାଲୁଗାଁ ଗାନ୍ଧୀନଗରରୁ ମାଷ୍ଟରମାଇଣ୍ଡ ଅଭିଯୁକ୍ତ ଦୈତାରୀଙ୍କୁ ଗିରଫ କରିଥିଲେ।

ତେବେ ଉକ୍ତ ରାକେଟରେ ସମ୍ପୃକ୍ତ ଥିବା ଦୈତାରୀଙ୍କ ପୁଅଙ୍କ ସମେତ ସମୁଦାୟ ଚାରି ଜଣ ଅଭିଯୁକ୍ତ ଅଦ୍ୟାବଧି ଗିରଫ ହୋଇଥିବା ଜଣାପଡିଛି। ଜାଲ ସାର୍ଟିଫିକେଟର ଚେର ବାଲୁଗାଁ ପର୍ଯ୍ୟନ୍ତ ମାଡିଥିବା ବେଳେ ବାଣପୁର-ବାଲୁଗାଁ ଅଞ୍ଚଳରେ ନିଶ୍ଚିତ ଭାବେ ଏକାଧିକ ଦଲାଲ ଉକ୍ତ ଅପରାଧରେ ସାମିଲ ଥିବେ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କାବ୍ୟକ୍ତ କରିଛନ୍ତି।

ଖୋର୍ଦ୍ଧା ଏସପି ଉକ୍ତ ଘଟଣାର ନିରପେକ୍ଷ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଭାରତରେ ଜାଲ୍‌ ଚାଇନା ସେଲ କମ୍ପାନୀ ବିରୋଧରେ ଏମସିଏର କାର୍ଯ୍ୟାନୁଷ୍ଠାନ: ମାଷ୍ଟରମାଇଣ୍ଡ ଗିରଫ

ନୂଆଦିଲ୍ଲୀ: ଜାଲ ଚାଇନା କମ୍ପାନୀ ବିରୋଧରେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ (ଏମସିଏ) ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେପ୍ଟେମ୍ବର ୮, ୨୦୨୨ରେ ଗୁରଗାଓଁ ଠାରେ ଥିବା ଜିଲିଆନ ହଂକଂ ଲିମିଟେଡର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ଜିଲିଆନ କନସଲଟାଣ୍ଟସ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ, ପୂର୍ବରୁ ହାଇଦ୍ରାବାଦରେ ତାଲିକାଭୁକ୍ତ ହୋଇଥିବା ହ୍ୟୁସିସ କନସଲ୍ଟିଂ ଲିମିଟେଡ ଏବଂ ବାଙ୍ଗାଲୋରରେ ଥିବା ଫିନିନିଟୀ ପ୍ରାଇଭେଟ୍‌ ଲିମିଟେଡ କମ୍ପାନୀରେ ଏମସିଏ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା। ଚଢ଼ାଉ ପରେ ଗମ୍ଭୀର ଠକେଇ ତଦନ୍ତ କାର୍ଯ୍ୟାଳୟ (ଏସଏଫଆଇଓ) ପକ୍ଷରୁ ଶନିବାର ଅର୍ଥାତ୍‌ ୧୦ ସେପ୍ଟେମ୍ବର, ୨୦୨୨ରେ ଏହି ଘଟଣାର ମାଷ୍ଟରମାଇଣ୍ଡ ମିଃ ଡୋର୍ସେଙ୍କୁ ଗିରଫ କରାଯାଇଛି।

ମିଃ ଡୋର୍ସେ ଜିଲିଆନ ଇଣ୍ଡିଆ ଲିମିଟେଡର ବୋର୍ଡରେ ଅଛନ୍ତି ଏବଂ ସେ ଭାରତରେ ଚୀନ ସହ ସମ୍ପର୍କ ଥିବା ସଂଖ୍ୟାଧିକ ଜାଲ ବା ନକଲି କମ୍ପାନୀ ଖୋଲିବାର ଏକ ବଡ଼ ରାକେଟ୍‌ ଚଳାଉଥିଲେ। ଏହି ରାକେଟରେ ସେ ମାଷ୍ଟରମାଇଣ୍ଡ ଭାବେ ଜାଲ କମ୍ପାନୀର ବୋର୍ଡଗୁଡ଼ିକରେ ନକଲି ନିର୍ଦ୍ଦେଶକମାନଙ୍କୁ ନିଯୁକ୍ତି ଦେଇଥିଲେ। ରେଜିଷ୍ଟ୍ରାର ଅଫ କମ୍ପାନୀଜ୍‌ରେ ଦିଆଯାଇଥିବା ରେକର୍ଡ ଅନୁଯାୟୀ, ଗିରଫ ହୋଇଥିବା ବ୍ୟକ୍ତି ମିଃ ଡୋର୍ସେ ନିଜକୁ ହିମାଚଳ ପ୍ରଦେଶ ମଣ୍ଡିର ଜଣେ ନିବାସୀ ଭାବେ ଦର୍ଶାଇଥିଲେ।

ଆରଓସି ଦିଲ୍ଲୀ ଦ୍ବାରା କରାଯାଇଥିବା ତଦନ୍ତ ଏବଂ ଏକକାଳୀନ ଚଢ଼ାଉରୁ ମିଳିଥିବା ତଥ୍ୟ ଅନୁଯାୟୀ, ନକଲି ନିର୍ଦ୍ଦେଶକମାନଙ୍କୁ ବିଭିନ୍ନ ଜାଲ କମ୍ପାନୀର ବୋର୍ଡରେ କାମ କରିବା ଲାଗି ଜିଲିଆନ ଇଣ୍ଡିଆ ଲିମିଟେଡ ଅର୍ଥ ପ୍ରଦାନ କରୁଥିଲା। ତଦନ୍ତ ସମୟରେ ଘଟଣାସ୍ଥଳରୁ କମ୍ପାନୀର ସିଲ ଏବଂ ନକଲି ନିର୍ଦ୍ଦେଶକମାନଙ୍କ ଡିଜିଟାଲ ଦସ୍ତଖତ ଥିବା ବାକ୍ସଗୁଡ଼ିକ ମିଳିଛି। ଭାରତୀୟ କର୍ମଚାରୀମାନେ ଏକ ଚାଇନା ଇନଷ୍ଟାଣ୍ଟ ମେସେଜିଂ ଆପ୍‌ ମାଧ୍ୟମରେ ସେମାନଙ୍କର ଚୀନା ସହଯୋଗୀଙ୍କ ସହିତ ସମ୍ପର୍କ ସ୍ଥାପନ କରୁଥିଲେ। ହ୍ୟୁସିସ ଲିମିଟେଡ ମଧ୍ୟ ଜିଲିଆନ ଇଣ୍ଡିଆ ଲିମିଟେଡ ପକ୍ଷରୁ କାର୍ଯ୍ୟ କରୁଥିବା ପ୍ରମାଣ ମିଳିଛି। ପ୍ରାରମ୍ଭିକ ତଦନ୍ତରୁ ସୂଚନା ମିଳିଛି ଯେ ଜିଲିଆନ ହଂକଂ ଲିମିଟେଡ ସହିତ ହ୍ୟୁସିସ ଲିମିଟେଡର ଏକ ରାଜିନାମା ହୋଇଥିଲା। ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତରୁ ଜଣାପଡ଼ିଛି ଯେ ଏହି ଜାଲ କମ୍ପାନୀମାନେ ଗମ୍ଭୀର ଆର୍ଥିକ ଅପରାଧରେ ଲିପ୍ତ ରହିଥିଲେ  ଯାହାକି ଦେଶର ଆର୍ଥିକ ସୁରକ୍ଷା ପ୍ରତି ବିପଦ ଦୃଷ୍ଟି କରୁଥିଲା।

ଜିଲିଆନ କନସଲଟାଣ୍ଟସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ ଏବଂ ଅନ୍ୟ ୩୨ଟି କମ୍ପାନୀ ବିରୋଧରେ ତଦନ୍ତ କରିବା ଲାଗି ୯ ସେପ୍ଟେମ୍ବର, ୨୦୨୨ରେ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏସଏଫଆଇଓକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲିଆନ କନସଲଟାଣ୍ଟସ୍‌ ଇଣ୍ଡିଆ ପ୍ରାଇଭେଟ ଲିମିଟେଡରେ ମିଃ ଡୋର୍ସେଙ୍କ ସମେତ ଅନ୍ୟ ଦୁଇ ଜଣ ନିର୍ଦ୍ଦେଶକ ରହିଛନ୍ତି। ତଦନ୍ତ ସମୟରେ ମିଳିଥିବା ତଥ୍ୟ ଅନୁଯାୟୀ ମିଃ ଡୋର୍ସେ ଦିଲ୍ଲୀ ଏନସିଆରରୁ ବିହାରର ଏକ ଉପାନ୍ତ ଅଞ୍ଚଳକୁ ଚାଲି ଯାଇଥିଲେ ଏବଂ ସେଠାରୁ ସଡ଼କ ମାର୍ଗରେ ଭାରତରୁ ଫେରାର ହେବାକୁ ଉଦ୍ୟମ କରୁଥିଲେ। ଏହି ସୂଚନା ମିଳିବା କ୍ଷଣି, ଏସଏଫଆଇଓ ପକ୍ଷରୁ ଏକ ସ୍ବତନ୍ତ୍ର ଦଳ ଗଠନ କରାଯାଇଥିଲା ଏବଂ ଏହି ଦଳକୁ ତୁରନ୍ତ ସେହି ଉପାନ୍ତ କ୍ଷେତ୍ରକୁ ପଠାଯାଇଥିଲା। ୧୦ ସେପ୍ଟେମ୍ବର, ୨୦୨୨ ସନ୍ଧ୍ୟାରେ ମିଃ ଡୋର୍ସେକୁ ଗିରଫ କରାଯିବା ସହ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ଏସଏଫଆଇଓ ମିଃ ଡୋର୍ସେକୁ ରିମାଣ୍ଡରେ ନେଇଛି।