Categories
ଆଜିର ଖବର ରାଜ୍ୟ ଖବର

୧୨ ଜଣଙ୍କ ନାଁରେ ଥାନାରେ ଏତଲା ଦେଲେ ମୃତକ ବିଜେପି ନେତାଙ୍କ ପୁଅ

ମାହାଙ୍ଗା: ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିଲା। ଏହି ମୃତ୍ୟୁ ଘଟଣାରେ କୁଳମଣିଙ୍କ ପୁଅ ୧୨ ଜଣଙ୍କ ନାଁରେ ମାହାଙ୍ଗା ଥାନାରେ ଏତଲା ଦେଇଛନ୍ତି। ରାଜନୈତିକ କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କୁଳମଣିଙ୍କ ହତ୍ୟା ଘଟଣାକୁ ନେଇ ମାହାଙ୍ଗା ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି।

ସୂଚନା ଯୋଗ୍ୟ ଯେ, କୁଳମଣି ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବାଇକରେ ନୃତ୍ତାଙ୍ଗସ୍ଥିତ ନିଜ ଘରକୁ ଫେରୁଥିବାବେଳେ ଜଂକୋଟି ଗାଁ ପାଖରେ ତାଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ କୁଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ହସ୍ପିଟାଲରେ ଦିବ୍ୟସିଂହଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରୁଛି।

ସୁରକ୍ଷା ଦୃଷ୍ଟିରୁ ୨ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଅପରାଧିଙ୍କୁ ଧରିବା ପାଇଁ ତିନିଟି ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଥିବା କଟକ ଜିଲ୍ଲା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।