Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଷଷ୍ଠୀ ଓଷାରେ ଷଷ୍ଠୀଦେବୀ ଭାବରେ ପୂଜା ପାଇଲେ ମା’ ଭାଗବତୀ, ଲାଗି ହେଲା ଛଅ ପ୍ରକାର ବ୍ୟଞ୍ଜନ

ବାଣପୁର (ସୀତାରାମ ଅଗ୍ରୱାଲ): ମନ୍ଦିରଗଣକଙ୍କ ଗଣନାନୁସାରେ ଭାଦ୍ରବ ଶୁକ୍ଳ ଷଷ୍ଠୀ ତିଥି ବୁଧବାର ଶୁଭଲଗ୍ନ ଦିବା ଏକ ଘଟିକା ସମୟରେ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରରୁ ଥାଟପଟୁଆର ସହ ନିଜ ମନ୍ଦିରକୁ ବିଜେ କଲେ ମା’ ଭଗବତୀ। ପରିଛା ସାଆନ୍ତ ପ୍ରକାଶ ଚନ୍ଦ୍ର ମହାପାତ୍ର କଳସ, ଷଡ଼ ମୁଖ ଦୀପ ଧୂପ, ଗୁଆପଇତା ମଣ୍ଡଳରେ ସ୍ଥାପନ କରି ମା’ଙ୍କୁ ଷଷ୍ଠୀଦେବୀ ଭାବରେ ଆବାହନ କରି ପ୍ରଥମେ ବଲ୍ଲଭ,ଆଳତୀ ପରେ ଷୋଡଷ ଉପଚାରରେ ପୂଜାର୍ଚ୍ଚନା କରିଥିଲେ।

ମା’ଙ୍କୁ ଛଅ ପ୍ରକାର ଫଳ ସାକର, ନଡ଼ିଆ ପାତି ଛଅଟି ପଇଡରେ ପ୍ରଥମେ ଆପ୍ୟାୟିତ କରାଯାଇ ଆଳତୀ ବନ୍ଦାପନା ପରେ ଛଅ ପ୍ରକାର ଶଙ୍କୁଡ଼ି ନୈବେଦ୍ୟ ଖେଚ଼ଡ଼ି ,ଡାଲି, ମାଛମହୁର ମାଛ ଗୁଣ୍ଡି ଭଜା, ଆମ୍ବିଳ, ଶାଗ ମୁଗ, ଖିରି ଏଣ୍ଡୁରୀ ଇତ୍ୟାଦି ବାଞ୍ଜନ ଧୂପ ହୋଇଥିଲା। ପରେ ଆଳତୀ ବଢିସେବାୟତ ଓ ଶ୍ରଦ୍ଧାଳୁମାନେ ଷଠି କନା ସୂତା ଗ୍ରହଣ କରି ସଂକଳ୍ପ କରିଥିଲେ। ଅଗଣିତ ଶ୍ରଦ୍ଧାଳୁମାନେ ମା’ଙ୍କ ସହିତ ଶୋଭାଯାତ୍ରାରେ ଗଲାବେଳେ ହୁଳହୁଳି, ହରିବୋଲ ଧ୍ବନୀ ସହିତସଂକାର୍ତ୍ତନ ମଣ୍ଡଳୀ ବଡ଼ ଢୋଲବାଦ୍ୟ ମହୁରୀ ଶବ୍ଦରେ ବାଣପୁର ବଡ଼ ଦାଣ୍ଡ ଉଛୁଳି ପଡୁଥିଲା।

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ, ସଂଗଠକ ବିକ୍ରମ କେଶରୀ ଜେନା, ବାଣପୁର ଥାନାଧିକାରୀ ମନ୍ଦିର ଟ୍ରଷ୍ଟି ରମେଶ କୁମାର ଦେବତାଙ୍କ ସହଯୋଗରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଡଃ ରମାକାନ୍ତ ନାୟକ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୌଦାମିନୀ ଜେନା ଏବଂ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ଉପସ୍ଥିତ ରହି ସମସ୍ତ ପ୍ରକାର ସହଯୋଗ କରିଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ମା’ଭଗବତୀ ଓ ଦକ୍ଷେଶ୍ଵରଙ୍କ ପୀଠରେ ମକର ଉତ୍ସବ

ସୀତାରାମ ଅଗ୍ରୱାଲ

ବାଣପୁର: ଶକ୍ତି କ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା’ ଭାଗବତୀଙ୍କ ପୀଠରେ ଶ୍ରୀକ୍ଷେତ୍ରପରି ବାରମାସରେ ତେର ପର୍ବ ଲାଗି ରହିଥାଏ। ଧନୁ ମାସ ଶେଷ ପରେ ମକର ପର୍ବ। ମା’ଙ୍କ ପୀଠ ଚଳଚଞ୍ଚଳ। ଭଉଣୀ ପୂର୍ବଦିଗ ରକ୍ଷାକାରିଣୀ ମା’କାଳିଜାୟୀ ଓ ଦକ୍ଷିଣ ଦିଗରକ୍ଷାକାରିଣି ମା’ନାରାୟଣୀଙ୍କ ସହିତ ମା’ ଭଗବତୀଙ୍କ ପୀଠକୁ ନେଇ ରହିଛି ତ୍ରିଶକ୍ତିପୀଠ।

ମକର ପର୍ବରେ ଏହି ତିନିପୀଠର ତ୍ରିଶକ୍ତି ତିନି ମା’ଙ୍କ ଦର୍ଶନ ପାଇଁ ଓଡିଶାର କୋଣ ଅନୁକୋଣରୁ ଛୁଟି ଆସନ୍ତି ଅଗଣିତ ଶ୍ରଦ୍ଧାଳୁ। ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ ମାଜଣା ମହାପ୍ରସାଦ ଅର୍ପଣ, ବେଶ ପରେ ବଲ୍ଲଭ ଆଳତି ହୋଇ ସର୍ବ ସାଧାରଣ ଦର୍ଶନ ବଢିଥିଲା। ମଧ୍ୟାହ୍ନରେ ଶଙ୍କୁଡ଼ି ଧୂପ ବଢି ପହୁଡ଼ ହୋଇଥିଲା। ସଂଧ୍ୟାରେ ମକର ଉତ୍ସବ।

ମନ୍ଦିର କାର୍ଯ୍ୟାଳୟ ତରଫରୁ ନୂଆ ଆଟିକାରେ ନୂଆ ଚାଉଳ ଚୁନା, ଗୁଡ଼ ଘିଅ ନଡ଼ିଆ, କ୍ଷୀର, ମହୁ, କର୍ପୁର, ଗୋଲମରିଚ, ଅଦା, ଗୁଜରାତି, କଦଳୀ, ସେଓ, ସକରକନ୍ଦ, ଆଖୁ ଇତ୍ୟାଦି ଫଳ ମୂଳ ଯୋଗାଇ ଦିଆଯାଇଥିଲା। ନିଯୋଗୀ ସୁପକାର କାଳିମହାପାତ୍ରଙ୍କ ସହିତ ନିଯୋଗୀ ପାଳିଆ ମାଳି ଶଙ୍କର ନାୟକ, ଗଣେଶ ନାୟକ, ପବିତ୍ର ନାୟକ ମିଶି ମା’ଙ୍କ ମକର ନୈବେଦ୍ୟ ସୁଦ୍ଧପୂତ ଭାବରେ ପ୍ରସ୍ତୁତ କରିବା ପରେ ଘଣ୍ଟା ଘଣ୍ଟ କାହାଳି ବାଦ୍ୟ ବାଜି ଉଠିଥିଲା। ମଶାଲତି, ଘଣ୍ଟୁଆ, କାହାଳିଆ ସେବକମାନଙ୍କ ସହିତ ସୁପକାର, ପାଳିଆ ମାଳି ସେବକମାନେ ମୁହରେ ତୁଣ୍ଡି ବାନ୍ଧି ମକର ଆଟିକାରେ ଫୁଲ ଧୁପନେଇ ଦକ୍ଷେଶ୍ଵର ମନ୍ଦିରଠାରୁ ଶୋଭାଯାତ୍ରାରେ ଆଣି ମା’ଙ୍କ ପିଣ୍ଡିରେଠା କରିବାପରେ ଧୁପ ବଢିଆଳତି ପରେ ମକର ବେଢା ହୋଇ ରଜାଙ୍କ ପ୍ରାସାଦକୁ ମକରପ୍ରସାଦ ପଠଯାଇ ନିଯୋଗୀ ସେବାୟତମାନେ ପାଇଥିଲେ।

ପରେ ସର୍ବ ସାଧାରଣଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ସଂଧ୍ୟାରେ ମା’ଙ୍କ ପୀଠରେ ସରୋଜ ଶାସମଲ୍ଲ ଓ ସାଥିଙ୍କ ଦ୍ଵାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ଅଗଣିତ ଶ୍ରଦ୍ଧାଳୁ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ମା’ଙ୍କ ମକରଚୌରାଶି ବେଶ ଦର୍ଶନ କରି ଥିଲେ। ଶୃଙ୍ଗଳା ରକ୍ଷା ପାଇଁ ମନ୍ଦିର ପ୍ରଶାସନ ତରଫରୁ ସମସ୍ଥ ପ୍ରକାର ବ୍ୟବସ୍ଥା କରାଯାଇଥିଲା।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଆଜି ପବିତ୍ର ଦଶହରା: ସିଂହବାହିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ଭଗବତୀ

ସୀତାରାମ ଅଗ୍ରୱାଲ
ବାଣପୁର: ଓଡ଼ିଶାର ଅନନ୍ୟ ଶକ୍ତିପୀଠ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ମା’ ଭଗବତୀଙ୍କ ପୀଠ ଅନ୍ୟତମ। ମା’ ଭଗବତୀଙ୍କ ଷୋଡଶ ଦିନାତ୍ମକ ପୂଜା ଶେଷରେ ବିଜୟାଦଶମୀ ପାଳନ କରାଯାଏ। ଏହି ଦିନ ମାତୃଶକ୍ତିର ଜୟ ଜୟକାରରେ ଧରାପୃଷ୍ଟ ଝଙ୍କୃତ ହୁଏ। ଅସତ୳ ଉପରେ ସତ୍ୟର ବିଜୟ। ଅଧର୍ମ ଉପରେ ଧର୍ମର ବିଜୟ। ପାପ ଉପରେ ପୁଣ୍ୟର ବିଜୟ।ଅତ୍ୟାଚାର ଉପରେ ସଦାଚାରର ବିଜୟ ଏବଂ କ୍ରୋଧ ଉପରେ ଦୟା, କ୍ଷମାର ବିଜୟ।

ମା’ ଆସୁରୀକ ଶକ୍ତିକୁ ପରାହତ କରି ସଂସାରରେ ଦୈବୀଶକ୍ତିର ପ୍ରତିଷ୍ଠା କରନ୍ତି। ଏଥିପାଇଁ ଏହାକୁ ବିଜୟାଦଶମୀ କୁହାଯାଏ। ବହୁ ପ୍ରତୀକ୍ଷିତ ଏହି ବିଜୟାଦଶମୀରେ ଆଜି ରାଜ ରାଜେଶ୍ୱରୀ ମା’ ଭଗବତୀ ସିଂହବାହିନୀ ବେଶରେ ତାଙ୍କ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। ଦଶହରା ଦିନ ଏହି ଦୁର୍ଲ୍ଲଭ ବେଶରେ ମା’ ଙ୍କର ଦର୍ଶନ ସୌଭାଗ୍ୟ ମିଳିଥିବାରୁ ଶ୍ରଦ୍ଧାଳୁମାନଙ୍କ ମନରେ ଅଶେଷ ଆନନ୍ଦ ଭରିଉଠିଛି।

ବାମ ପାଦ ସିଂହ ଉପରେ ଓ ଦକ୍ଷିଣ ପାଦ ମହିଷ ଉପରେ ମା’ ତ୍ରିଶୂଳ ଧାରଣ କରି, ମହିଷାସୁରକୁ ବଧ କରିବାର ଦୃଶ୍ୟ ଅତ୍ୟନ୍ତ ମନୋମୁଗ୍ଧକର ଓ ଆନନ୍ଦଦାୟକ। ଏହି ବେଶରେ ମା’ଙ୍କ ଦର୍ଶନ ଲାଭକଲେ ସକଳ ଦୁଃଖ ଖଣ୍ଡନ ହୁଏ ବୋଲି ଲୋକମତ ଓ ବିଶ୍ୱାସ ରହିଛି। ଆଜି ସକାଳ ୮ ଘଟିକା ଠାରୁ ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ଏହି ବେଶରେ ମା’ ଭଗବତୀ ଦର୍ଶନ ଦେବେ ବୋଲି ଦେବୋତ୍ତର କାର୍ଯ୍ୟାଳୟ ତରଫରୁ ପ୍ରକାଶ।

Categories
DurgaPuja2021 ଆଜିର ଖବର ଧର୍ମ ବିଶେଷ ଖବର ସଂସ୍କୃତି

ଓଡିଶା ପ୍ରସିଦ୍ଧ ମା’ ଭଗବତୀଙ୍କ ନବରାତ୍ର ପୂଜା, ଜାଣନ୍ତୁ କଣ ରହିଛି ପରମ୍ପରା

ସୀତାରାମ ଅଗ୍ରୱାଲ

ବାଣପୁର: ଓଡ଼ିଶାର ଶକ୍ତିପୀଠ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର “ମା” ଭଗବତୀ ପୀଠ ଅନ୍ୟତମ। ଏଠାକାର ପାର୍ବଣ ରୀତିନୀତି ସ୍ୱତନ୍ତ୍ର ନିଆରା। ପୂଜକ ବାମନ ଚନ୍ଦ୍ର ଦାଶଙ୍କ କହିବା କଥା ଅନୁସାରେ ଏଠାରେ ଅମାବାସ୍ୟା ତିଥିରେ ଆରମ୍ଭ ହୋଇଥିବା “ନବରାତ୍ର”ପୂଜା ଅତ୍ୟନ୍ତ ଦୁର୍ଲ୍ଲଭ ଭାବରେ କରାଯାଇଥାଏ ଯଥା :- ପ୍ରଥମ ଦିନ ଦେବୀଙ୍କୁ “ଶୈଳପୁତ୍ରୀ” ଭାବରେ ବେଶ କରାଯାଇ ଷୋଡଶ ଉପଚାରରେ ପୂଜା କରାଯାଏ। ଏହି ପୂଜାର ଲକ୍ଷ ସମାଜରେ ଭକ୍ତ ମାନଙ୍କର ମନବାଞ୍ଛା ପୂର୍ଣ୍ଣ ହୋଇଥାଏ।

ଦିତୀୟ ଦିନ ଦେବୀଙ୍କୁ “ବ୍ରହ୍ମଚାରିଣୀ”ବେଶ କରାଯାଇ ୩୨ ଉପଚାର କରାଯାଇଥାଏ।ଏହାର ଉଦ୍ଦେଶ୍ୟ ବିଶ୍ୱରେ ଶାନ୍ତି ଓ ସୌମ୍ୟ ପ୍ରତିଷ୍ଠା କରିବା। ଭକ୍ତ ମାନଙ୍କର ପ୍ରୀତି ଏବଂ ସୁଖ ସ୍ଥାପନାର୍ଥେ ତୃତୀୟ ଦିନ ଦେବୀଙ୍କୁ “ଚନ୍ଦ୍ରଘଣ୍ଟା” ବେଶରେ ସଜ୍ଜିତ କରାଯାଇ ବୈଦିକ ପୂଜା କରାଯାଏ। ବିଶ୍ୱରେ ମହାମାରୀ ଆଦି ରୋଗର ନିରାକରଣାର୍ଥେ ଚତୁର୍ଥ ଦିନ ଦେବୀଙ୍କୁ “କୁଷ୍ମାଣ୍ଡା”ବେଶରେ ବେଶ କରାଯାଇ ପାଣିକଖାରୁ ରେ ପୂଜା ହୋମ କରାଯାଏ।

ବିଶ୍ୱରେ ଐକ୍ୟ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ପଞ୍ଚମ ଦିନ “ସ୍କନ୍ଦମାତା”ବେଶରେ ବେଶ କରାଯାଇ ମହାପୂଜା ଏବଂ ହୋମ କରାଯାଏ। ଭକ୍ତ ମାନଙ୍କର ଦୀର୍ଘାୟୁ କାମନା ପାଇଁ ଷଷ୍ଠ ଦିନ ଦେବୀଙ୍କୁ “କାତ୍ୟାୟନି”ରୂପରେ ବେଶ କରାଯାଇ ତ୍ରିକାଳ ପୂଜା କରାଯାଏ। ଭକ୍ତ ମାନଙ୍କର ପରିବାର ମଙ୍ଗଳ ପାଇଁ ସପ୍ତମ ଦିନ ଦେବୀଙ୍କୁ “କାଳରାତ୍ରୀ”ବେଶରେ ସଜ୍ଜାଯାଇ ଦ୍ରବ୍ୟପୂଜା ଓ ହୋମ କରାଯାଏ। ଭକ୍ତ ମାନଙ୍କର ହୃଦୟରୁ ସଡ଼ରିପୁ ନାଶନ ପାଇଁ ଅଷ୍ଟମ ଦିନ ଦେବୀଙ୍କୁ “ଗୌରୀ”ବେଶରେ ବେଶ କରାଯାଇ ଫଳ ପୂଜା ଏବଂ ହୋମ କରାଯାଏ।

ଶେଷରେ ବିଶ୍ୱର ପ୍ରତ୍ୟେକ ଜୀବର ମଙ୍ଗଳ କାମନା ପାଇଁ ନବମ ଦିବସରେ ଦେବୀଙ୍କୁ “ମହାମାୟା” ବେଶରେ ସଜ୍ଜାଯାଇ ମତ୍ସ୍ୟ, ମାଂସ, ମଦ, ମୁଦ୍ରା ଓ ମୈଥୁନ ଆଦି ପଞ୍ଚ ‘ମ’ କାରରେ ପୂଜା କରାଯାଏ।