Categories
ଅପରାଧ ଆଜିର ଖବର ଜାତୀୟ ଖବର

ମିଥ୍ୟା ଖବର ପ୍ରସାରଣ ମାମଲା: ୬ଟି ୟୁଟ୍ୟୁବ୍ ଚ୍ୟାନେଲ ଉପରେ ହେଲା କାର୍ଯ୍ୟାନୁଷ୍ଠାନ

ଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ୍ /ସତ୍ୟତା ଯାଂଚ ୟୁନିଟ୍ (ଏଫସିୟୁ) ୬ଟି ୟୁଟ୍ୟୁବ୍ ଚ୍ୟାନେଲର ପର୍ଦ୍ଦାଫାଶ୍ କରିଛନ୍ତି, ଯେଉଁ ଗୁଡିକ ସଂଯୋଜିତ ଭାବରେ କାର୍ଯ୍ୟ କରୁଥିଲେ ଏବଂ ଭାରତରେ ମିଥ୍ୟା ଓ ତଥ୍ୟର ପ୍ରଚାର କରୁଥିଲେ। ଏହି ଚ୍ୟାନେଲ ଗୁଡିକ ଦ୍ୱାରା ପ୍ରସାରିତ ମିଥ୍ୟା ଖବରକୁ ପ୍ରତିହତ କରିବା ପାଇଁ ଫ୍ୟାକ୍ଟ ଚେକ ୟୁନିଟ୍ ୧୦୦ରୁ ଅଧିକ ସତ୍ୟତା ଯାଂଚ କରି ୬ ଟି ପୃଥକ ଟ୍ୱିଟର ସୂତ୍ରକୁ ପ୍ରକାଶ କରିଛନ୍ତି।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ଏହି ୟୁନିଟର ଏହା ହେଉଛି ଏହି ଭଳି ଦ୍ୱିତୀୟ କାର୍ଯ୍ୟାନୁଷ୍ଠାନ, ଯେଉଁଥିରେ ସବୁ ଚ୍ୟାନେଲ ଗୁଡ଼ିକ ଉପରେ ଚଢ଼ାଉ କରାଯାଇଛି।
ଏହି ୬ଟି ୟୁଟ୍ୟୁବ୍ ଚ୍ୟାନେଲ ଗୁଡିକ ଏକ ସଂଯୋଜିତ ନକଲି ସୂଚନା ନେଟୱର୍କର ଅଂଶ ଭାବରେ କାର୍ଯ୍ୟ କରୁଥିବା ଜାଣିବାକୁ ମିଳିଥିଲା, ଯାହାର ପ୍ରାୟ ୨୦ ଲକ୍ଷ ଗ୍ରାହକ ରହିଥିଲେ ଏବଂ ସେମାନଙ୍କ ଭିଡିଓ ଗୁଡିକ ୫୧ କୋଟିରୁ ଅଧିକ ଥର ଦେଖା ଯାଇଥିଲା।

ପିଆଇବି ସତ୍ୟତା ଯାଂଚ ୟୁନିଟ୍ ଦ୍ୱାରା ଚିହ୍ନଟ ହୋଇଥିବା ୟୁଟ୍ୟୁବ୍ ଚ୍ୟାନେଲ ଗୁଡିକ ନିର୍ବାଚନ, ସୁପ୍ରିମକୋର୍ଟର କାର୍ଯ୍ୟ ନିର୍ବାହ ଏବଂ ଭାରତର ସଂସଦରେ ଚାଲିଥିବା ପ୍ରକ୍ରିୟା, ଭାରତ ସରକାରଙ୍କ କାର୍ଯ୍ୟକଳାପ ଇତ୍ୟାଦି ବିଷୟରେ ମିଥ୍ୟା ଖବର ପ୍ରସାରଣ କରିଛନ୍ତି, ଉଦାହରଣ ସ୍ୱରୂପ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଉପରେ ନିଷେଧାଦେଶ ଏବଂ ମିଥ୍ୟା ବିବୃତି ପାଇଁ ଭାରତର ମାନ୍ୟବର ରାଷ୍ଟ୍ରପତି, ମାନ୍ୟବର ପ୍ରଧାନ ବିଚାରପତିଙ୍କ ସମେତ ବରିଷ୍ଠ ସାମ୍ବିଧାନିକ କାର୍ଯ୍ୟକର୍ତ୍ତାଙ୍କୁ ଦାୟୀ କରା ଯାଇଥିବା।

ଚ୍ୟାନେଲ ଗୁଡିକ ଏକ ନକଲି ସମ୍ବାଦ ଅର୍ଥ ବ୍ୟବସ୍ଥାର ଏକ ଅଂଶ ବିଶେଷ, ଯାହା ମିଥ୍ୟା ଖବରର ପ୍ରସାରଣ କରି ଅର୍ଥ ସଂଗ୍ରହରେ ବୃଦ୍ଧି ଘଟାଇ ଥାଏ। ଚ୍ୟାନେଲ୍ ଗୁଡିକ ଜାଲ, କ୍ଲିକ୍ ବେଟ୍ ଏବଂ ସମ୍ବେଦନଶୀଳ ଥମ୍ବ ନେଲ୍ ଏବଂ ଟିଭି ଚ୍ୟାନେଲ ଗୁଡିକର ଟେଲିଭିଜନ୍ ନ୍ୟୁଜ୍ ଆଙ୍କର୍ ମାନଙ୍କର ଛବି ବ୍ୟବହାର କରି ଏହି ଖବର ସତ୍ୟ ଉପରେ ଆଧାରିତ ଅଟେ ବୋଲି ଦର୍ଶକଙ୍କୁ ବିଭ୍ରାନ୍ତ କରିବା ପାଇଁ ବ୍ୟବହାର କରୁଥିଲେ ଏବଂ ସେମାନଙ୍କ ଦ୍ୱାରା ପ୍ରକାଶିତ ଭିଡିଓ ଗୁଡିକର ମୁଦ୍ରାକରଣ କରିବା ପାଇଁ ସେମାନଙ୍କ ଚ୍ୟାନେଲରେ ଦର୍ଶକ ସଂଖ୍ୟା ବୃଦ୍ଧି କରୁଥିଲେ।

ପିଆଇବି ସତ୍ୟତା ଯାଂଚ ୟୁନିଟ୍ ଦ୍ୱାରା ଏହା ହେଉଛି ଦ୍ୱିତୀୟ କାର୍ଯ୍ୟାନୁଷ୍ଠାନ। ଏହା ପୂର୍ବରୁ ଏକ ପ୍ରମୁଖ କାର୍ଯ୍ୟାନୁଷ୍ଠାନରେ, ୨୦ ଡିସେମ୍ବର, ୨୦୨୨ ରେ, ୟୁନିଟ୍ ମିଥ୍ୟା ଖବର ପ୍ରଚାର କରୁଥିବା ତିନୋଟି ଚ୍ୟାନେଲ୍ର ପର୍ଦ୍ଦାଫାଶ କରିଥିଲା।

ପିଆଇବି ସତ୍ୟତା ଯାଂଚ ୟୁନିଟ୍ ଦ୍ୱାରା ପୋଷ୍ଟ କରା ଯାଇଥିବା ଟ୍ୱିଟର ସୂତ୍ର ଗୁଡ଼ିକର ଲିଙ୍କ୍:

୧. ନେସନ ଟିଭିର ଭିଡିଓ ଗୁଡ଼ିକରେ ସତ୍ୟତା ଯାଂଚ:
୨. ସମ୍ବାଦ ଟିଭିର ଭିଡିଓ ଗୁଡିକ ଉପରେ ସତ୍ୟତା ଯାଂଚ:
୩. ସରୋକାର ଭାରତର ଭିଡିଓ ଗୁଡିକ ଉପରେ ସତ୍ୟତା ଯାଂଚ:
୪. ନେସନ ୨୪ ଭିଡିଓ ଗୁଡ଼ିକ ଉପରେ ସତ୍ୟତା ଯାଂଚ:
୫. ସ୍ୱର୍ଣ୍ଣିମ ଭାରତ ଭିଡିଓ ଗୁଡିକ ଉପରେ ସତ୍ୟତା ଯାଂଚ:
୬. ସମ୍ବାଦ ସମାଚାର ଭିଡିଓ ଗୁଡ଼ିକ ଉପରେ ସତ୍ୟତା ଯାଂଚ:

Categories
ବିଶେଷ ଖବର

କେନ୍ଦ୍ର ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ମିଥ୍ୟା ସୂଚନା ପ୍ରସାରଣ କରୁଥିବା ୨୨ଟି ୟୁଟ୍ୟୁବ୍‌ ଚ୍ୟାନେଲ

ନୂଆଦିଲ୍ଲୀ: ଭାରତ ବିରୋଧରେ ମିଥ୍ୟା ଖବର ପ୍ରସାରଣ କରୁଥିବା ୨୨ଟି ୟୁଟ୍ୟୁବ୍‌ ସମାଚାର ଚ୍ୟାନେଲ, ୩ଟି ଟୁଇଟର ଆକାଉଣ୍ଟ, ଗୋଟିଏ ଫେସବୁକ ଆକାଉଣ୍ଟ ଏବଂ ଗୋଟିଏ ସମାଚାର ୱେବସାଇଟ୍‌କୁ ବ୍ଲକ୍‌ କରିବା ଲାଗି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଆଇଟି ନିୟମାବଳୀ ୨୦୨୧ ଆଧାରରେ ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବ୍ଲକ୍‌ ହୋଇଥିବା ୟୁଟ୍ୟୁବ୍‌ ଚ୍ୟାନେଲକୁ ପାଖାପାଖି ୨୬୦ କୋଟି ଦର୍ଶକ ଦେଖିଥିଲେ। ଏଗୁଡ଼ିକୁ ମିଛ ଖବର ପ୍ରସାରଣ ପାଇଁ ଉପଯୋଗ କରାଯାଉଥିଲା। ଜାତୀୟ ସୁରକ୍ଷା, ଭାରତର ବୈଦେଶିକ ସମ୍ପର୍କ ଏବଂ ସାର୍ବଜନୀନ ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ମିଛ ଖବର ପ୍ରସାରଣ କରାଯାଇ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଥିଲା।

ଭାରତୀୟ ୟୁଟ୍ୟୁବ୍‌ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ

ପ୍ରଥମ ଥର ପାଇଁ ଭାରତରୁ ପରିଚାଳିତ ୟୁଟ୍ୟୁବ ନ୍ୟୁଜ୍‌ (ସମାଚାର) ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ ବର୍ଷ ପେବୃଆରୀରେ ଆଇଟି ନିୟମାବଳୀ, ୨୦୨୧ର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରଥମ ଥର ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ନୂଆ ଆଦେଶରେ ଭାରତରୁ ପରିଚାଳିତ ହେଉଥିବା ୧୮ଟି ଏବଂ ପାକିସ୍ତାନରୁ ପରିଚାଳିତ ହେଉଥିବା ୪ଟି ୟୁଟ୍ୟୁବ୍‌ ଚ୍ୟାନେଲକୁ ବ୍ଲକ୍‌ କରାଯାଇଛି।

ବିଷୟବସ୍ତୁର ବିଶ୍ଳେଷଣ

ଭାରତୀୟ ସେନାବାହିନୀ, ଜମ୍ମୁ ଓ କଶ୍ମୀର ଭଳି ବିଭିନ୍ନ ପ୍ରସଙ୍ଗରେ ଏସବୁ ୟୁଟ୍ୟୁବ ଚ୍ୟାନେଲରେ ମିଛ ଖବର ପ୍ରସାରିତ ହେଉଥିଲା। ପାକିସ୍ତାନରୁ ସଂଯୋଜିତ ଢଙ୍ଗରେ ପରିଚାଳିତ ହେଉଥିବା ଏକାଧିକ ସୋସିଆଲ ମିଡିଆଗୁଡ଼ିକରୁ ଭାରତ ବିରୋଧୀ ବିଷୟବସ୍ତୁ ପୋଷ୍ଟ କରାଯାଉଥିଲା ଯାହାକି ଏସବୁ ୟୁଟ୍ୟୁବ୍‌ ଚ୍ୟାନେଲରେ ପ୍ରସାରିତ ହେଉଥିଲା। ଏହି କାରଣରୁ ଏସବୁ ଚ୍ୟାନେଲକୁ ବ୍ଲକ୍‌ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

ୟୁକ୍ରେନ ପ୍ରସଙ୍ଗ ଏବଂ ଅନ୍ୟ ରାଷ୍ଟ୍ରମାନଙ୍କ ସହିତ ଭାରତର ବୈଦେଶିକ ସମ୍ପର୍କକୁ କ୍ଷତି ପହଞ୍ଚାଇବାର ଉଦ୍ଦେଶ୍ୟ ନେଇ ଭାରତରେ ପରିଚାଳିତ ୟୁଟ୍ୟୁବ୍‌ ଚ୍ୟାନେଲଗୁଡ଼ିକରେ ଅନେକ ମିଛ ବିଷୟବସ୍ତୁ ପ୍ରସାରଣ କରାଯାଉଥିବା ବିଶ୍ଳେଷଣରୁ ଜଣାପଡ଼ିଛି।

ଅପରାଧିକ ଉଦ୍ଦେଶ୍ୟ

ବ୍ଲକ ହୋଇଥିବା ଭାରତୀୟ ୟୁଟ୍ୟୁବ୍‌ ଚ୍ୟାନେଲଗୁଡ଼ିକ କେତେକ ଟିଭି ନ୍ୟୁଜ୍‌ ଚ୍ୟାନେଲର ନକଲି ଟେମ୍ପଲେଟ୍‌ ଏବଂ ଲୋଗୋ ବ୍ୟବହାର କରୁଥିଲେ। ଏପରିକି ମିଛ ଖବରକୁ ସତ ବୋଲି ପ୍ରମାଣିତ କରିବା ଲାଗି ନ୍ୟୁଜ୍‌ ଉପସ୍ଥାପକ (ଆଙ୍କର୍‌)ମାନଙ୍କର ଫଟୋ ମଧ୍ୟ ବ୍ୟବହାର କରୁଥିଲେ। ନକଲି ଥମ୍ବନେଲ ବ୍ୟବହାର କରିବା ସହିତ ଥମ୍ବନେଲ୍‌ ଓ ଟାଇଟଲକୁ ବାରମ୍ବାର ପରିବର୍ତ୍ତନ କରାଯାଇ ଏସବୁ ମିଛ ଖବରକୁ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ (ଭାଇରାଲ୍‌) କରିବା ପାଇଁ ଉଦ୍ୟମ କରାଯାଉଥିଲା। କେତେକ କ୍ଷେତ୍ରରେ, ଭାରତ-ବିରୋଧୀ ମିଛ ଖବରର ଉତ୍ସ ପାକିସ୍ତାନରୁ ହିଁ ସୃଷ୍ଟି ହେଉଥିବା ତଦନ୍ତରୁ ଜଣାପଡ଼ିଛି।

ଡିସେମ୍ବର ୨୦୨୧ ଠାରୁ ବର୍ତ୍ତମାନ ସୁଦ୍ଧା ଜାତୀୟ ସୁରକ୍ଷା, ଭାରତର ସାର୍ବଭୌମତ୍ବ ଓ ଅଖଣ୍ଡତା, ସାର୍ବଜନୀନ ଆଇନ ଶୃଙ୍ଖଳା ବ୍ୟବସ୍ଥା ଆଦିକୁ କ୍ଷତି ପହଞ୍ଚାଇବା ଲାଗି ଉଦ୍ୟମ କରୁଥିବା ୭୮ଟି ୟୁଟ୍ୟୁବ ନ୍ୟୁଜ୍‌ ଚ୍ୟାନେଲ ଏବଂ ଅନ୍ୟ ସାମାଜିକ ଗଣମାଧ୍ୟମ ଆକାଉଣ୍ଟକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବ୍ଲକ୍‌ କରାଯାଇଛି।

ପ୍ରାମାଣିକ, ବିଶ୍ବସନୀୟ ଏବଂ ନିରାପଦ ଅନଲାଇନ୍‌ ସମାଚାର ଗଣମାଧ୍ୟମ ପରିବେଶ ସୁନିଶ୍ଚିତ କରିବା ଦିଗରେ ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ସଂକଳ୍ପବଦ୍ଧ । ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ବ, ଜାତୀୟ ସୁରକ୍ଷା, ବିଦେଶ ସମ୍ପର୍କ ଏବଂ ଆଭ୍ୟନ୍ତରୀଣ ଆଇନ ଶୃଙ୍ଖଳା ପ୍ରତି  ବିପଦ ସୃଷ୍ଟି କରିବା ଲାଗି ହେଉଥିବା ଉଦ୍ୟମ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।