Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

“ମିଶନ ଶକ୍ତି କାଫେ”: ଏସଏଚଜି ମା’ଙ୍କୁ ଜୀବିକା, ସ୍ୱାସ୍ଥ୍ୟକର ପରିବେଶ ଭିତରେ ଲୋକଙ୍କୁ ମିଳୁଛି ଖାଦ୍ୟ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ବ୍ଲକ୍ ସଦରମହକୁମାଗୁଡ଼ିକୁ ପ୍ରତିଦିନ ବିଭିନ୍ନ କାମରେ ଆସୁଥିବା ଲୋକମାନଙ୍କ ସୁବିଧା ପାଇଁ ସରକାରଙ୍କ ତରଫରୁ ଖୋଲାଯାଇଛି “ମିଶନ ଶକ୍ତି କାଫେ”। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଦ୍ୱାରା ପରିଚାଳିତ ଏହି କାଫେରେ ସ୍ୱାସ୍ଥ୍ୟକର ପରିବେଶ ଭିତରେ ଉଚିତ ମୂଲ୍ୟରେ ସକାଳ ଓ ସନ୍ଧ୍ୟାରେ ଜଳଖିଆ ସହିତ ମଧ୍ୟାହ୍ନ ଭୋଜନ ମିଳୁଛି।

ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନ ଅଧୀନରେ ଏହି କାର୍ଯ୍ୟ ପରିଚାଳନା କରାଯାଉଛି। ଏଭଳି ଅଣପାରମ୍ପରିକ କାମରେ ମିଶନ ଶକ୍ତିର ମା’ମାନଙ୍କୁ ନିୟୋଜିତକରି ସେମାନଙ୍କ କାର୍ଯ୍ୟ ପରିସରକୁ ବ୍ୟାପକ କରିବା ସହ ଜୀବିକାକୁ ସୁନିଶ୍ଚିତ କରାଯାଉଛି। ଏହି “କାଫେ” ପରିଚାଳନା କରି ଏସଏଚଜି ମା’ମାନେ ଭଲ ଦି’ ପଇସା ରୋଜଗାର କରୁଛନ୍ତି।

“ଆଗରୁ ଆମେ ପାରମ୍ପରିକ କାମରେ ନିୟୋଜିତ ଥିଲୁ। କିନ୍ତୁ ଏବେ ଜିଲ୍ଲା ପ୍ରଶାସନ ସହଯୋଗରେ ମିଶନ ଶକ୍ତି କାଫେ ଚଲାଉଛୁ। ଲୋକମାନଙ୍କ ଚାହିଦା ଅନୁଯାୟୀ ଏଠାରେ ଆମେ ଖାଦ୍ୟ ପ୍ରସ୍ତୁତ କରୁଛୁ। ଘରୋଇ ପରିବେଶ ଭିତରେ ଲୋକମାନେ ଯେମିତି ଭଲ ଖାଦ୍ୟ ପାଇପାରିବେ ତା’ ଉପରେ ଆମେ ଧ୍ୟାନ ଦେଉଛୁ’, କହନ୍ତି କୁତ୍ରା ବ୍ଲକର ଜଣେ ଏସଏଚଜି ମା’ ନିଲିମା କୁଲ୍ଲୁ।

“ମିଶନ ଶକ୍ତି କାଫେ ପରିଚାଳନା ପାଇଁ ଆମକୁ ଚୟନ କରାଯିବା ପରେ ସୁନ୍ଦରଗଡ଼ଠାରେ ତାଲିମ ଦିଆଯାଇଥିଲା। “କାଫେ”କୁ ସଫା ସୁତୁରା ରଖିବା ସହ କିପରି ଖାଦ୍ୟ ପ୍ରସ୍ତୁତ କରାଯିବ ସେନେଇ ଆମେ ପ୍ରଶିକ୍ଷଣ ନେଇଥିଲୁ। ଏବେ ଏହି କାଫେ ପରିଚାଳନା କରି ଆମେ ଭଲ ରୋଜଗାର କରିପାରୁଛୁ’, କହନ୍ତି ବିଶ୍ରା ବ୍ଲକର ଆଉ ଜଣେ ଏସଏଚଜି ମହିଳା ମମିନା କୁଜୁର।

ସୁନ୍ଦରଗଡ଼ ଜିଲ୍ଲାର କୁଆରମୁଣ୍ଡା ବ୍ଲକରେ ପାଇଲଟ୍ କାର୍ଯ୍ୟକ୍ରମ ଭାବେ ୨୦୨୧ରେ “ଉତ୍କଳ କିଚେନ” ଖୋଲାଯାଇଥିଲା। ଉତ୍କଳ କିଚେନ ପାଇଁ ଓମ୍ବାଡସି ପାଣ୍ଠିରୁ ଆର୍ଥିକ ସହାୟତା ଦିଆଯାଉଛି।

ପରବର୍ତ୍ତି ସମୟରେ ଜିଲ୍ଲାର ଅନ୍ୟ ୧୬ଟି ବ୍ଲକରେ “ମିଶନ ଶକ୍ତି କାଫେ” ଖୋଲାଯାଇଛି। ଏହାର ପରିଚାଳନା ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

ମିଶନ ଶକ୍ତି କାଫେରେ ସକାଳ ଓ ଅପରାହ୍ଣ ଜଳଖିଆ ସହିତ ଦିପହରେ ମଧ୍ୟାହ୍ନ ଭୋଜନ ମିଳୁଛି। ସପ୍ତାହରେ ୬ ଦିନ (ରବିବାରକୁ ଛାଡ଼ି) ସକାଳ ୮ଟାରୁ ସନ୍ଧ୍ର‌୍ୟା ୬ଟା ପର୍ଯ୍ୟନ୍ତ ଏହି କାଫେ ଖୋଲାରହୁଛି।

ଏଠାରେ ଜଳଖିଆରେ ବରା, ଆଳୁଚପ, ଇଡଲି ଆଦି ମିଳୁଥିବା ବେଳେ ମଧ୍ୟାହ୍ନ ଭୋଜନରେ ଭାତ, ଡାଲି, ତରକାରି, ଚିପ୍ସ, ଭଜା, ଶାଗ ସହିତ ଆମିଷ ମଧ୍ୟରେ ମାଛ, ଚିକେନ ଓ ଅଣ୍ଡାରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ମିଳୁଛି। ଅପରାହ୍ନରେ ଚା’, କଫି, ପକଡ଼ି ଓ ସିଙ୍ଗଡ଼ା ଆଦି ତିଆରି କରାଯାଉଛି।

“ଆଗରୁ ମୁଁ ବିଭିନ୍ନ ହୋଟେଲରେ ଖାଉଥିଲି। ହେଲେ ସେଠାରେ ତେଲ ମସଲା ଅଧିକ ବ୍ୟବହାର ହେଉଥିବାରୁ ଦେହ ଖରାପ ହେଉଥିଲା। ଯେବେଠୁ ମିଶନ ଶକ୍ତି କାଫେ ଖୋଲିଲାଣି ସେବେଠୁ ମୁଁ ଏଠାରେ ନିୟମିତ ଖାଉଛିୟ ଖାଇବା ଭଲ ଲାଗୁଛି’, କହନ୍ତି ବିଶ୍ରା ବ୍ଲକର ଜଣେ ଯୁବକ ବିଶ୍ୱରଞ୍ଜନ ଦାସ।

“କାଫେ ପରିଚାଳନା କରୁଥିବା ମହିଳାମାନେ ପରିବେଶକୁ ସଫା ସୁତୁରା ରଖୁଛନ୍ତି। ଫଳରେ ଏଠାରେ ବସି ଖାଇବାକୁ ଭଲ ଲାଗୁଛି। ସେମାନଙ୍କ ବ୍ୟବହାର ଭଲ ହୋଇଥିବାରୁ ଘରେ ବସି ଖାଇବା ଭଳି ଲାଗୁଛି”, କହନ୍ତି କୁତ୍ରା ବ୍ଲକର ଜଣେ ଗ୍ରାହକ ମନ୍ଦାକିନୀ ପଟେଲ।

ଏହି କାଫେ ପରିଚାଳନା ଲାଗି ମିଶନ ଶକ୍ତିର ମା’ମାନଙ୍କୁ ଆବଶ୍ୟକ ତାଲିମ ଦିଆଯାଉଛି। ଖାଦ୍ୟ ପ୍ରସ୍ତୁତି ସହିତ ଗ୍ରାହକମାନଙ୍କୁ କିପରି ସେବା ଯୋଗାଇଦେବେ ସେ ବାବଦରେ ମଧ୍ୟ ପ୍ରଶିକ୍ଷଣ ବେଳେ ଗୁରୁତ୍ୱ ଦିଆଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ସ୍ୱାବଲମ୍ବୀ କରିବାରେ “ମିଶନ ଶକ୍ତି କାଫେ” ବଡ଼ ମାଧ୍ୟମ ପାଲଟିଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି କାଫେ ଶୁଭାରମ୍ଭ: ଉପଲବ୍ଧ ହେବ ଓଡିଆ ଖାଦ୍ୟ 

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି କାଫେ ଶୁଭାରମ୍ଭ ହୋଇଛି। ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ଶ ମନୋଜ କୁମାର ପାଢୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତରାୟ ପ୍ରମୁଖ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବ୍ଲକ ସ୍ତରୀୟ ମହାସଂଘ ଅନ୍ତର୍ଗତ ସ୍ବୟଂ ସହାୟିକା ଗୋଷ୍ଠୀର କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ବାରା ଏହା ପରିଚାଳିତ ହେବ।

ଏଠାରେ ପାରମ୍ପରିକ ଓଡିଆ ଖାଦ୍ୟ ସହ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ, ଚା ଉପଲବ୍ଧ ହେବ। ଆରିଷା, ମିଠା, ଆଚାର, ପାପଡ, ବଡି, ମାଣ୍ତିଆ ଚୂନା, ମସଲା ଗୁଣ୍ତ, ସେଓ,ଗାଣ୍ଠିଆ, ମୁଢି, ଚୁଡା ମୁଆଁ ଆଦି ଖାଦ୍ୟ ସାମଗ୍ରୀ ମଧ୍ୟ ମିଳିବ। ଶୁଦ୍ଧ ଓ ପରିଷ୍କାର ପରିଚ୍ଛନ୍ନ ପରିବେଶ ମଧ୍ୟରେ ସମସ୍ତ ଖାଦ୍ୟ ସାମଗ୍ରୀ ସୁଲଭ ଦରରେ ଉପଲବ୍ଧ ହେବ। ସେହିଭଳି ଖୋର୍ଦ୍ଧା ବ୍ଲକ ପରିସରରେ ମଧ୍ୟ ଆଉ ଗୋଟିଏ ମିଶନ ଶକ୍ତି କାଫେ କାର୍ଯ୍ୟକ୍ଷମ ହୋଇଛି।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତି ଡିପିଏମ୍ ବିବେକ ରଞ୍ଜନ ବେହୁରିଆ, ଡିପିସି ପୃଥ୍ବୀରାଜ ପଟ୍ଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡଃ ଆର୍ତ୍ତବନ୍ଧୁ ନାୟକ, ବିପିସି ସ୍ବପ୍ନା ପାତ୍ର, ସୁକାନ୍ତି ସାହୁ, ଅଞ୍ଜୁମାନ ଆରା, ସିଡିପିଓ, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।