Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲାରେ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ମିଶନ ଶକ୍ତି ବିଭାଗ, ଓଡିଶା ସରକାରଙ୍କ ଆନୁକୁଲ୍ୟ ରେ ଆୟୋଜିତ ସଭାରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ରାଜ୍ୟରେ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି।
ଗତିଶୀଳତା ହିଁ ସଶକ୍ତିକରଣ ଆଭିମୁଖ୍ୟରେ ମିଶନ ଶକ୍ତି ମା ହିତାଧିକାରୀମାନଙ୍କୁ ସ୍କୁଟର ଯୋଜନାରେ ୧ ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ଋଣ ସହାୟତା ଏସ ଏଚ ଜି ମାନଙ୍କୁ ସୁଧ ଫେରସ୍ତ, ବି.ଏଲ.ଏଫ. ଓ ଡି.ଏଲ.ଏଫ. ନିମନ୍ତେ ଗାଡି ବ୍ୟବସ୍ଥା, ଜି.ପି.ଏଲ.ଏଫ ଅଫିସ ଗୃହର ସୁବ୍ୟବସ୍ଥା କରାଯାଇଛି।

ଏହି ପରିପ୍ରେକ୍ଷୀରେ ଆଜି ଓସୱାନ ହଲରେ ଜିଲ୍ଲାପାଳ ପି.ଅନ୍ଵେଷା ରେଡ୍ଡୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ପୌରପରିଷଦ ଅଧ୍ୟକ୍ଷା ସଞ୍ଜୁକ୍ତା ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର ପ୍ରକାଶ, ବି ସି ସି ବ୍ୟାଙ୍କ୍ ସଭାପତି ଗିରିଶ ଚନ୍ଦ୍ର ବେହେରା ପ୍ରମୁଖ ଭର୍ଚୁଆଲ ମୋଡ୍ ରେ ଯୋଡି ହୋଇଥିଲେ।

ଜିଲ୍ଲାରେ ମିଶନ ଶକ୍ତି ସ୍କୁଟର ଯୋଜନାର ଅନ୍ତର୍ଗତ ୧୩ ଟି ବ୍ଲକରୁ ୨୩୨୭ ଟି ଆବେଦନ ଗ୍ରହଣ କରାଯାଇ ୨୨୩୦ ଟି ଆବେଦନକୁ ବ୍ୟାଙ୍କ ଋଣ ପାଇଁ ସୁପାରିଶ କରଯାଇଥିଲା ଏବଂ ବର୍ତ୍ତମାନ ୭୪୬ ଟି ବ୍ୟାଙ୍କ ଦ୍ଵାରା ଅନୁମୋଦିତ ହୋଇଅଛି।

ଆଜି ଏହି ଅବସରରେ ୧୩ ଟି ବ୍ଲକରେ ୩୬୪ ଜଣ ହିତାଧିକାରୀଙ୍କୁ ନୂତନ ସ୍କୁଟର ହସ୍ତାନ୍ତର କରଯାଇଥିଲା। ଓସୱାନ ହଲ ପ୍ରାଙ୍ଗଣରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଏବଂ ଜିଲ୍ଲାପାଳ ପତାକା ଦେଖାଇ ସ୍କୁଟର ଆରୋହଣକାରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଭବାନୀପାଟଣା ଗ୍ରାମାଞ୍ଚଳରୁ ୧୧୦ ଜଣଙ୍କୁ ସ୍କୁଟର ହସ୍ତାନ୍ତର କରାଗଲା। ଏହି ସ୍କୁଟର ଦ୍ଵାରା ହିତାଧିକାରୀ ନିଜର ବ୍ୟବସାୟିକ ଦିଗକୁ ଆହୁରି ସମୃଦ୍ଧ କରିବା ସହ ମହିଳା ସଶକ୍ତିକରଣ ଦିଗରେ ସହାୟକ ହେବେ।

ଓସୱାନ ହଲରେ ଅନ୍ୟମାନଙ୍କ ମଧ୍ୟରେ, ଡି.ଆଇ.ପି.ଆର.ଓ ମନୋଜ ବେହେରା, ଏଲ.ଡି.ଏମ ଧ୍ରୁବ ପ୍ରସାଦ ସିଂହ, ଡି.ଏସ.ଡବ୍ଲୁ ଓ ପ୍ରଭାତିରାଣୀ ତ୍ରିପାଠୀ, ଡି.ପି.ସି ମିଶନ ଶକ୍ତି ଅମୃତ ପାଢୀ, ମିଶନ ଶକ୍ତି ଏମ.ବି.କେ, ସି.ଆର.ପି, ଜି.ପି.ଏଲ.ଏଫ, ଡି.ଏଲ.ଏଫ , ବି. ଏଲ.ଏଫ. ସଭ୍ୟ ବ୍ୟାଙ୍କ କର୍ମକର୍ତ୍ତା ଉପସ୍ଥିତ ଥିଲେ। ସ୍କୁଟର ହସ୍ତାନ୍ତର କାର୍ଯ୍ୟକ୍ରମରେ ଭବାନୀପାଟଣା ଗ୍ରାମାଞ୍ଚଳର 100 ରୁ ଊର୍ଦ୍ଧ୍ବ ହିତାଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ସ୍କୁଟର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ୨ ଲକ୍ଷ ମିଶନ ଶକ୍ତି ମା’ ଓ ତୃଣମୂଳ ଷ୍ଟାଫ୍ ପାଇବେ ଋଣ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି।

ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ସନ୍ ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ସ୍ୱୟଂସହାୟକ ଗୋଷ୍ଠୀର ମା’ ମାନଙ୍କୁ କହିଲେ ଯେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଆଜି ଦିନଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇ ରହିବ। ମା’ମାନଙ୍କ ସଶକ୍ତିକରଣ କ୍ଷେତ୍ରରେ ଆଜି ଆମେ ଆଉ ଏକ ପାଦ ଆଗକୁ ଆସିଲୁ। ମିଶନ ଶକ୍ତି ମା’ ମାନଙ୍କୁ ସ୍କୁଟର କିଣିବା ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେଉଛୁ। ସେମାନଙ୍କର ଏହି ଋଣ ବାବଦକୁ ୫୨୮ କୋଟି ଟଙ୍କାର ସୁଧ ରାଜ୍ୟ ସରକାର ଦେବେ। ଏହି ଯୋଜନାରେ ୨ ଲକ୍ଷରୁ ଅଧିକ ସ୍ୱୟଂସହାୟକ ଗୋଷ୍ଠୀର ମା’ ମାନେ ସ୍କୁଟର ପାଇବେ। ଆଜି ଏହି ଯୋଜନାର ଶୁଭାରମ୍ଭରେ ୧୫ ହଜାର ମା’ଙ୍କୁ ସ୍କୁଟର ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ଗତି ହିଁ ଶକ୍ତି। ଗତି ହିଁ ସଶକ୍ତିକରଣ। ଆମର ସ୍କୁଟର ଯୋଜନା ମା’ମାନଙ୍କ ଯାତାୟତକୁ ସୁବିଧା କରିବ। ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ନୂଆ ସୁଯୋଗ ଆଣିବ। ମା’ମାନେ ବହୁତ ଭଲ କାମ କରୁଛନ୍ତି। ମୋର ପୁରା ବିଶ୍ୱାସ ମା’ମାନେ ଏବେ ଆହୁରି ଭଲ କାମ କରିବେ। ୭୦ ଲକ୍ଷ ମା’ମାନଙ୍କ ନିଜର ଅନୁଷ୍ଠାନ ମିଶନ ଶକ୍ତି ଆହୁରି ମଜୁବୁତ ହେବ। ମା’ମାନଙ୍କ ଗତିଶୀଳତା ଓଡିଶାର ପ୍ରଗତିକୁ ନୂଆ ବେଗ ଦେବ। ମିଶନ ଶକ୍ତି ମା’ମାନଙ୍କୁ ସରକାରୀ କାମ ଦେବାରେ ଦେଶରେ ଓଡିଶା ଏକମାତ୍ର ରାଜ୍ୟ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବ୍ଲକ ଓ ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଫେଡେରେସନ୍‌କୁ ସରକାରୀ କାର୍ଯ୍ୟ ପାଇଁ ଯାନସୁବିଧା ଯୋଗାଇଦେବା ବାବଦରେ ଘୋଷଣା କରିଥିଲେ। ଯାନସୁବିଧା ବଳରେ ସେମାନଙ୍କର ଦକ୍ଷତା ବୃଦ୍ଧି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ଉଦ୍ୟୋଗୀଭାବେ ପରିଣତ କରିବା ଆମର ଲକ୍ଷ୍ୟ। ଏଥିପାଇଁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫୦ କୋଟି ଟଙ୍କାର ସୁଧ ସହାୟତା ସିଧା ସଳଖ ଦିଆ ଯାଉଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ଜିଲ୍ଲାର ମା’ ମଙ୍ଗଳା ଏସ୍.ଏଚ୍.ଜି ଓ କଟକ ଜିଲ୍ଲାର ଜୟ ଶ୍ରୀରାମ ଏସ୍. ଏଚ୍.ଜିକୁ ସୁଧ ବାବଦ ଚେକ୍‌ ହସ୍ତାନ୍ତର କରିଥିଲେ। ମୁଖ୍ୟମନ୍ତ୍ରୀ ଉପସ୍ଥିତ ମା’ମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ ମା’ମାନଙ୍କ ଉପରେ ମୋର ପୂରା ବିଶ୍ୱାସ ଅଛି। ମା’ମାନେ ହିଁ ଆଣିଛନ୍ତି ଓଡିଶା ପାଇଁ ନୂଆ ଗତି, ଶକ୍ତି ଓ ପ୍ରଗତି।

କାର୍ଯ୍ୟକ୍ରମରେ ଅନ୍ୟତମ ଅତଥି ଭାବେ ମିଶନ ଶକ୍ତି ବିଭାଗର ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଥିଲେ ଯେ ଗତିଶୀଳତା ହିଁ ସଶକ୍ତିକରଣ। ଏହାକୁ ପାଥେୟ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଐତିହାସିକ ମିଶନ ଶକ୍ତି ସ୍କୁଟର ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ୨ ଲକ୍ଷ Community Support Staff, Business Correspondent Agent ଏବଂ Executive Committee Member ସେମାନଙ୍କ ପସନ୍ଦ ମୁତାବକ ସ୍କୁଟର କିଣିବା ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇବେ। ଏହି ପଦକ୍ଷେପ ମିଶନ ଶକ୍ତି ଫେଡେରେସନ୍ ସହିତ କାର୍ଯ୍ୟରତ ‌ଓ ଏହା ଅଧିନରେ କାର୍ଯ୍ୟରତ ସଦସ୍ୟାମାନଙ୍କ ଯାତାୟତକୁ ସୁଗମ କରିବା ସହିତ ସେମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ଦିଗରେ ସହାୟକ ହେବ।

ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜତା ଆର୍ କାର୍ତ୍ତିକେୟନ୍ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଅବସରରେ କହିଥିଲେ ଯେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗୋଟିଏ ଯୁଗାନ୍ତକାରୀ ପଦକ୍ଷେପର ଉଦ୍‌ଘାଟନ ହେଲା । ୧୫ ହଜାର ଏସ୍.ଏଚ୍.ଜି ମା’ ସ୍କୁଟର ନେଇଛନ୍ତି। ୨ ଲକ୍ଷ Community Support ମା’ ପର୍ଯ୍ୟାୟକ୍ରମେ ସ୍କୁଟର ନେବେ। ଏହି ଯୋଜନାରେ ଉପକୃତ ହେବେ। ସେ ଆହୁରି ମଧ୍ୟ କହିଥିଲେ ଯେ ଆମର Executive Committee Member ମାନେ ହେଲେ ମିଶନ ଶକ୍ତିର ସେନାପତି। ସେମାନେ ମିଶନ ଶକ୍ତିକୁ ନୂଆ ଦିଗ ଦେଉଛନ୍ତି। ଏହି ସ୍କୁଟର ହେଉଛି ମିଶନ ଶକ୍ତି ମା’ ମାନଙ୍କ ପରିଚୟର ପ୍ରତୀକ। ଦକ୍ଷତାର ପ୍ରତୀକ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟଶାସନ ସଚିବ ପି.କେ. ଜେନା , ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ, ମିଶନ ଶକ୍ତିର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର ଏବଂ ଗିତାଞ୍ଜଳୀ ବସ୍ତିଆ ଉପସ୍ଥିତ ଥିଲେ। ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସଂଘର ସଦସ୍ୟାମାନେ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିଭାଗୀୟ ନିର୍ଦ୍ଦେଶକ ଏନ୍. ତିରୁମାଲା ନାୟକ ଧନ୍ୟବାଦ ଦେଇଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ନବୀନଙ୍କ ନିର୍ବାଚନୀ ଥୋପ, ଲାଗୁ ହେଲା ‘ମିଶନ ଶକ୍ତି ସ୍କୁଟର ଯୋଜନା’, ମିଳିବ ବିନା ସୁଧରେ ଲକ୍ଷେ

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ଜନହିତକର ଯୋଜନା ପ୍ରଣୟନ କରିବାରେ ଲାଗିଛନ୍ତି। ନିକଟରେ ସେ ସେହିପରି ବିଭିନ୍ନ ଯୋଜନା କରି କ୍ୟାବିନେଟରେ ପାଶ କରାଇଛନ୍ତି। ଏବେ ପୁଣି ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ମିଶନ ଶକ୍ତି ମହିଳାମାନଙ୍କ ପାଇଁ ଲାଗୁ କରିଛନ୍ତି ମିଶନ ଶକ୍ତି ସ୍କୁଟର ଯୋଜନା।

ଆଜି ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ମଂଜୁରୀ ମିଳିଛି। ଏହି ଯୋଜନାରେ ମିଶନ ଶକ୍ତିର ଯୋଗ୍ୟ ସଦସ୍ୟାଙ୍କୁ ନିଜ ମନ ପସନ୍ଦର ସ୍କୁଟର କିଣିବା ପାଇଁ ଋଣ ପ୍ରଦାନ କରାଯିବ। ଏଥିରେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ। ତେବେ ଏହାର ସୁଧ ଟଙ୍କା ରାଜ୍ୟ ସରକାର ବହନ କରିବେ। ଅର୍ଥାତ ମିଶନ ଶକ୍ତି ମହିଳାମାନେ ବିନା ସୁଧରେ ଏହି ଋଣ ପାଇପାରିବେ।

ଏହି ଯୋଜନା ଦ୍ବାରା ମିଶନ ଶକ୍ତି ମହିଳା, ଏସଏଚଜି ମହାସଂଘ, କମ୍ୟୁନିଟ ସପୋର୍ଟ ଷ୍ଟାଫମାନେ ଯାତାୟତ କରିବାରେ ସୁବିଧା ହେବ। ଏହି ଯୋଜନା ପାଇଁ ରାଜ୍ୟ ସରକାର ଆସନ୍ତା ୫ ବର୍ଷ ପାଇଁ ୫୨୮.୫୫ କୋଟି ଟଙ୍କାର ବଜେଟ ଆକଳନ କରିଛନ୍ତି। ଏହି ବଜେଟକୁ ଆଜି କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଏହି କ୍ୟାବିନେଟ ବୈଠକରେ ମିଶନ ଶକ୍ତି ସହିତ ୧୭ଟି ବିଭିନ୍ନ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। ସେଥିମଧ୍ୟରେ ରହିଛି କୃଷି ବିଭାଗ, ସମବାୟ ବିଭାଗ ଏବଂ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ବିଭିନ୍ନ ପ୍ରସ୍ତାବକୁ କ୍ୟାବିନେଟ ମଂଜୁର କରିଛନ୍ତି। ରାଜ୍ୟରେ କ୍ୟାନସର ଚିକିତ୍ସା ପାଇଁ ରାଜ୍ୟ ସରକାର ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଥିରେ ରହିଛି ରାଜ୍ୟରେ ୧୧ ଟି କଂପ୍ରହନସିଭ କ୍ୟାନେସର ୟୁନିଟ ସ୍ଥାପନ କରାଯିବ।

ଏହି ଯୋଜନା ପାଇଁ ୧୦୦୧. ୧୪ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି। ଏହି ଯୋଜନା ଅଟକଳକୁ ଆଜି ରାଜ୍ୟ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି।