Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଭୁବନେଶ୍ୱରରେ ପ୍ରସିଦ୍ଧ ଉଦୟଗିରି ଗୁମ୍ଫା ପରିଦର୍ଶନ କଲେ ଜି-୨୦ ଦ୍ୱିତୀୟ ସଂସ୍କୃତି କାର୍ଯ୍ୟ ଗୋଷ୍ଠୀ ପ୍ରତିନିଧି

ଭୁବନେଶ୍ୱର: ‘‘ସଠିକ ଚିନ୍ତାଧାରା, ସଠିକ ସଂକଳ୍ପ ଏବଂ ସଠିକ କାର୍ଯ୍ୟାନୁଷ୍ଠାନ’’ ଭାରତକୁ ଉପଯୁକ୍ତ ସମ୍ମାନ ଦେଇପାରିବ ବୋଲି କହିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ଏବଂ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ। ଆଜି ଭୁବନେଶ୍ୱର ଠାରେ ଜି ୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଦ୍ୱିତୀୟ ବୈଠକ ସମାପନ ହେବା ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀମତୀ .ଲେଖୀ ଏହି ବକ୍ତବ୍ୟ ରଖିଛନ୍ତି।

ଅମୃତ କାଳ ଅର୍ଥାତ୍‌ ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତକୁ ବିକାଶର ନୂତନ ଶିଖରକୁ ନେଇଯିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଦୋହରାଇ ଶ୍ରୀମତୀ ଲେଖୀ କହିଥିଲେ ଯେ, ଭାରତକୁ ନିଜର ହୃତଗୌରବ ଫେରି ପାଇବା ଲାଗି କଠିନ ପରିଶ୍ରମ କରିବାକୁ ହେବ। ସଂସ୍କୃତିର ସାମଞ୍ଜସ୍ୟପୂର୍ଣ୍ଣ ପ୍ରକୃତି ଉପରେ ରେଖାଙ୍କିତ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ‘‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ କରିବା ଲାଗି ସମ୍ପର୍କ ସ୍ଥାପନର ଏକ ମାଧ୍ୟମ ହୋଇପାରିବ। ବିଶେଷ କରି ବିଶ୍ୱବ୍ୟାପୀ ଅଧିକ ଉତ୍ତେଜନା ଓ ଚାପ ଦେଖା ଦେଇଥିବା ସମୟରେ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ସଂସ୍କୃତି ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ‘‘ସଂସ୍କୃତି ସମ୍ପର୍କ ଯୋଡ଼ିଥାଏ’’ ବୋଲି ମତବ୍ୟକ୍ତ କରିବା ସହିତ ସେ କହିଥିଲେ ଯେ ଜି-୨୦ ସଂସ୍କୃତିକ କାର୍ଯ୍ୟଗୋଷ୍ଠୀକୁ ପ୍ରଥମ ଥର ପାଇଁ ଏକ ଭିନ୍ନ ଗୋଷ୍ଠୀ ଭାବେ ଗଠନ କରାଯାଇଛି।

ଆମେ ଜି-୨୦ରେ ସଦଭାବ ଏବଂ ଶାନ୍ତିର କଥା କହୁଥିବା ସମୟରେ ସଂସ୍କୃତି ଉପରେ ଗୁରୁତ୍ୱାରୋପ କରିବାର ଆବଶ୍ୟକତା ରହିଛି। ଓଡ଼ିଶା ବା ଉତ୍କଳ ରାଜ୍ୟରେ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଆୟୋଜନକୁ ନେଇ ସେ ଖୁସି ବ୍ୟକ୍ତ କରିଥିଲେ। କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଉତ୍କଳ ବା ‘ଉତ୍କର୍ଷ କଳାର ଭୂମି’ ଓଡ଼ିଶା ନିଜର ସମୃଦ୍ଧଶାଳୀ କଳା ଓ ସଂସ୍କୃତି ପାଇଁ ପରିଚିତ। ଏଠାରେ ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନକୁ ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ।

ବିଦେଶାଗତ ଅତିଥିମାନେ ଭୁବନେଶ୍ୱର ଉପକଣ୍ଠରେ ଥିବା ଉଦୟଗିରି ଗୁମ୍ଫା ବୁଲି ଦେଖିବା ସମ୍ପର୍କରେ ପ୍ରଶ୍ନ କରାଯିବାରୁ ଶ୍ରୀମତୀ ଲେଖୀ କହିଥିଲେ ଯେ, ଏହା ପ୍ରତିନିଧିମାନଙ୍କ ପାଇଁ ଏକ ଜ୍ଞାନ ବିନିମୟ ଅନୁଭୂତି ଥିଲା। ସେମାନେ ପ୍ରାଚୀନ କାଳର କଳାସ୍ଥାପତ୍ୟ ଏବଂ ଓଡ଼ିଶାର ସଂସ୍କୃତିକୁ ଦେଖି ଅଭିଭୂତ ହୋଇଥିଲେ।

ଏଥିପୂର୍ବରୁ କେନ୍ଦ୍ର ମନ୍ତ୍ରୀ ନିଜେ ବିଦେଶାଗତ ଅତିଥିମାନଙ୍କ ସହିତ ୨ହଜାର ବର୍ଷ ପୁରୁଣା ପ୍ରସିଦ୍ଧ ଉଦୟଗିରି ଗୁମ୍ଫା ବୁଲି ଦେଖିଥିଲେ। ସେମାନେ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ଜୀବନ ଓ ଆଦର୍ଶ ପ୍ରତି ସମର୍ପିତ ଗାନ୍ଧୀ ଶାନ୍ତି କେନ୍ଦ୍ର ପରିଦର୍ଶନ କରିଥିଲେ।

ଏଥିସହିତ ଚାରି ଦିନିଆ ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଶେଷ ହୋଇଛି। ବୈଠକ ଅବସରରେ ବିଭିନ୍ନ କାର୍ଯକ୍ରମ ଏବଂ ବ୍ୟାପକ ବିଚାରବିମର୍ଶ କରାଯାଇଥିଲା।  ଦ୍ୱିତୀୟ ସଂସ୍କୃତି କାର୍ଯ୍ୟ ଗୋଷ୍ଠୀ ବୈଠକରେ ଜି୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ସେମାନେ ସଂସ୍କୃତି କ୍ଷେତ୍ରରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟାର ସମାଧାନ ଲାଗି ଏକ ବାସ୍ତବବାଦୀ ଏବଂ କାର୍ଯ୍ୟ ଉନ୍ମୁଖୀ ସୁପାରିସ  କରିବା ଲାଗି ବ୍ୟାପକ ଆଲୋଚନା ତଥା ବିଚାରବିମର୍ଶ କରିଥିଲେ। ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକରେ ମୋଟ୍‌ ଦୁଇ ଦିନ ଧରି ଛଅଟି ଅଧିବେଶନରେ ଆଲୋଚନା ହୋଇଥିଲା। ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ୪ଟି ପ୍ରାଥମିକତା କ୍ଷେତ୍ର  : ସାଂସ୍କୃତିକ ସମ୍ପତ୍ତିର ସଂରକ୍ଷଣ ଏବଂ ପୁନଃପ୍ରତିଷ୍ଠା; ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗ; ସଂସ୍କୃତି ଏବଂ ସୃଜନଶୀଳ ଉଦ୍ୟୋଗ ଓ ଅର୍ଥବ୍ୟବସ୍ଥାର ପ୍ରୋତ୍ସାହନ; ଏବଂ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣ ପାଇଁ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ ଉପରେ ଆଲୋଚନା କରାଯାଇଥିଲା।

ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକର ଅଂଶବିଶେଷ ସ୍ୱରୂପ ‘ସଷ୍ଟେନ : ଦ କ୍ରାଫ୍ଟ ଇଡିଅମ୍’ ଶୀର୍ଷକ ପ୍ରଦର୍ଶନୀ ଭୁବନେଶ୍ୱରସ୍ଥିତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ – କଳାଭୂମି ପରିସରରେ ଆୟୋଜନ କରାଯାଇଥିଲା। ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଦ୍ୱାରା ଗ୍ରହଣ କରାଯାଇଥିବା ଦ୍ୱିତୀୟ ପ୍ରାଥମିକତା – “ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗ” ବିଷୟବସ୍ତୁକୁ ଆଧାର କରି ଏହି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ସେହିପରି ‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ କରିଥାଏ’ ଶୀର୍ଷକ ବାର୍ତ୍ତା ନେଇ ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା କଳା ପ୍ରଦର୍ଶନ କରିଥିଲେ।

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ଭାରତ ଠାରୁ ସାହାଯ୍ୟ ଲୋଡିଲେ ୟୁକ୍ରେନର ରାଷ୍ଟ୍ରପତି

ନୂଆଦିଲ୍ଲୀ: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ମାନବିକତା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହାୟତା ଲୋଡିଛନ୍ତି। ଭାରତ ଗସ୍ତରେ ଥିବା ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରୀ ଏମିନ୍ ଝାପରୋଭା ମଙ୍ଗଳବାର ଦିନ ରାଜ୍ୟ ବୈଦେଶିକ ମନ୍ତ୍ରୀ ମୀନାକ୍ଷୀ ଲେଖୀଙ୍କୁ ଏହି ଚିଠି ପ୍ରଦାନ କରିଛନ୍ତି।

ୟୁକ୍ରେନର ରାଷ୍ଟ୍ରପତି ତାଙ୍କ ପତ୍ରରେ ଅତିରିକ୍ତ ଔଷଧ ଏବଂ ଚିକିତ୍ସା ଉପକରଣ ପଠାଇ ଭାରତକୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ଏଥି ସହିତ ୟୁକ୍ରେନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଯୁଦ୍ଧ ସମୟରେ ନିଜ ଦେଶରେ ପଢୁଥିବା ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଯୋଗ୍ୟତା ପାଇଁ ପରୀକ୍ଷା ଦେବାକୁ ଅନୁମତି ଦେବେ, ଯାହା ଭାରତର ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତି ମିଳିବ।

ଉପ ବୈଦେଶିକ ମନ୍ତ୍ରୀ ଏମିନ ଜାପାରୋଭା ଭାରତରେ ଏକ ଥିଙ୍କ ଟ୍ୟାଙ୍କକୁ ସମ୍ବୋଧିତ କରି କହିଛନ୍ତି ଯେ ଋଷ ସହିତ ଛିଡା ହେବା ଅର୍ଥ ଇତିହାସର ଭୁଲ ଦିଗରେ ରହିବା ଏବଂ ତାଙ୍କ ଦେଶ ଭାରତ ସହ ନିବିଡ ସମ୍ପର୍କ ଚାହୁଁଛି। ଏହି ସମୟରେ ଜାପାରୋଭା ଆହୁରି ମଧ୍ୟ କହିଛନ୍ତି ଯେ, ପାକିସ୍ତାନ ସହିତ ତାଙ୍କ ଦେଶର ସାମରିକ ସମ୍ପର୍କ ପ୍ରାୟ ତିନି ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିଲା, କିନ୍ତୁ ଏହାର ଅର୍ଥ ନୁହେଁ ଯେ ପାକିସ୍ତାନ ସହିତ ତାଙ୍କର ସହଯୋଗ ଭାରତ ବିରୁଦ୍ଧରେ ଅଛି।

ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରୀ ଏମିନ ଭାରତୀୟ ଅଧିକାରୀଙ୍କୁ ନିବେଦନ କରିଛନ୍ତି ଏବଂ କହିଛନ୍ତି ଯେ, ବିଶ୍ୱ ପ୍ରତିଷ୍ଠାତା ତଥା ଜି-୨୦ର ବର୍ତ୍ତମାନର ଅଧ୍ୟକ୍ଷ ଶାନ୍ତି ପ୍ରତିଷ୍ଠା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି। ଏଥିପାଇଁ ଭାରତୀୟ ଅଧିକାରୀମାନେ ୟୁକ୍ରେନ ପରିଦର୍ଶନ କରିବା ଉଚିତ୍।