Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଯୋଗ ହେଉଛି ମହାନ ଭାରତୀୟ ପରମ୍ପରାର ବିଶ୍ୱକୁ ଗୌରବମୟ ଅବଦାନ: ଏମ୍ସ ନିର୍ଦ୍ଦେଶକ

ଭୁବନେଶ୍ୱର: ଯୋଗ ହେଉଛି ମହାନ ଭାରତୀୟ ପରମ୍ପରାର ବିଶ୍ୱକୁ ଗୌରବମୟ ଅବଦାନ।  ଏହା ସମଗ୍ର ବିଶ୍ୱରେ ପ୍ରାଚୀନ ସନାତନ ସଂସ୍କୃତିର ପ୍ରଚାର କରୁଛି, ଯାହାକି ଭାରତର ବିଶ୍ୱଗୁରୁ ଗାରିମାକୁ ପ୍ରତିପାଦିତ କରୁଛି। ଆଜି ଏମ୍ସ ପରିସରରେ ଆୟୁଷ ବିଭାଗ ପକ୍ଷରୁ ଆୟୋଜିତ ଅଷ୍ଟମ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳନ ଅବସରରେ ଏପରି ମତବ୍ୟକ୍ତ କରିଛନ୍ତି ଏମ୍ସ ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ।
ଏହି ଅବସରରେ ମେଡିକାଲ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି, ଡିନ ଡାକ୍ତର ଦେବାଶିଷ ହୋତା, ଆୟୁଷ ବିଭାଗ ନୋଡାଲ ଅଧିକାରୀ ମେଜର ଏମ ସି ସାହୁ, ଉତ୍କଳ ବିଶ୍ଵବିଦ୍ୟାଳୟର ଯୋଗ ଅଧ୍ୟାପକ ଅଜୟ ସାହୁ ପ୍ରମୁଖଙ୍କ ସମେତ ଶତାଧିକ ଡାକ୍ତର, ନର୍ସିଂ ଅଧିକାରୀ, ମେଡିକାଲ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ଏମ୍ସ ଭୁବନେଶ୍ୱର ପକ୍ଷରୁ ପ୍ରତିବର୍ଷ ଯୋଗ ଦିବସ ପାଳନ କରାଯାଇଆସୁଛି। ଏମ୍ସରେ ଆୟୁର୍ବେଦ, ହୋମିଓପ୍ୟାଥିକ ଆଦିର ପ୍ରସାର ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି। ସେହିପରି କାର୍ଯ୍ୟକ୍ଷେତ୍ରରେ ହେଉଥିବା ମାନସିକ ଚାପରୁ ମୁକ୍ତି ପାଇଁ କାର୍ଯ୍ୟସ୍ଥଳରେ ଯୋଗ କରାଯିବାର ବ୍ୟବସ୍ଥା ହାତକୁ ନିଆଯାଇଛି।
ଆୟୁଷ ବିଭାଗର ବରିଷ୍ଠ ଅଧ୍ୟାପକ ଡାକ୍ତର ପ୍ରଶାନ୍ତ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଯୋଗ ପ୍ରଶିକ୍ଷକ ସନ୍ତୋଷ ସାହୁ ଯୋଗାଭ୍ୟାସ କରାଇଥିଲେ। ଆୟୁଷ (ହୋମିଓପ୍ୟାଥିକ) ଡାକ୍ତର ଶୁଭାଶିଷ ସରକାର ଧନ୍ୟବାଦ ଅର୍ପଣ କରିଥିଲେ।
ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ବରିଷ୍ଠ ଚିକିତ୍ସକ, ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗର ଗୁରୁତ୍ୱ ସମ୍ପର୍କରେ ମତ ରଖିବା ସହିତ କୋଭିଡ କାଳରେ ଯୋଗର ମହତ୍ତ୍ୱ ପ୍ରତିପାଦିତ ହୋଇସାରିଥିବା ପ୍ରକାଶ କରିଥିଲେ। ତେଣୁ ସମସ୍ତେ ଦୈନିକ କିଛି ସମୟ ଯୋଗାଭ୍ୟାସ କରିବାକୁ ପରାମର୍ଶ ଦେବା ସହିତ ଏହାକୁ ଜୀବନର ଏକ ଅଭିନ୍ନ ଅଂଶ ଭାବେ ସାମିଲ କରିବାକୁ ଆହ୍ବାନ ଦେଇଥିଲେ।
Categories
ଆଞ୍ଚଳିକ

ଏମ୍‌ସ ଭୁବନେଶ୍ୱରରେ ଇଣ୍ଡିଆନ୍ ସୋସାଇଟି ଅଫ୍ ପେରିଫେରାଲ୍ ସ୍ନାୟୁ ସର୍ଜରୀର ସମ୍ମିଳନୀ

ଭୁବନେଶ୍ୱର : ଏମ୍‌ସ ଭୁବନେଶ୍ୱରର ନ୍ୟୁରୋ ସର୍ଜରୀ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ପକ୍ଷରୁ ଇଣ୍ଡିଆନ୍ ସୋସାଇଟି ଅଫ୍ ପେରିଫେରାଲ୍ ନର୍ଭ ସର୍ଜରୀ (ଆଇଏସପିଏନଏସ) ର ୧୦ମ ବାର୍ଷିକ ସମ୍ମିଳନୀ  ସଫଳତାପୂର୍ବକ ଆୟୋଜିତ ହୋଇଯାଇଛି। ରବିବାର ଦିନ ସମାପ୍ତ ହୋଇଥିବା ଏହି ଦୁଇଦିନିଆ କାର୍ଯ୍ୟକ୍ରମ ଭର୍ଚୁଆଲ୍ ମୋଡ୍‌ରେ ଅନୁଷ୍ଠିତ ହୋଇଥିଲା। ଏମ୍‌ସ ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ।

ଏଥିସହିତ ଏମ୍‌ସ ଭୁବନେଶ୍ୱରରେ ଲୋକମାନଙ୍କ ହିତ ନିମନ୍ତେ ନିୟମିତ ଭାବରେ ସମସ୍ତ ପ୍ରକାରର ଉନ୍ନତ ପେରିଫେରାଲ୍ ସ୍ନାୟୁ ସର୍ଜରୀ କରିଆସୁଥିବା ପ୍ରଫେସର ତ୍ରିପାଠୀ ପ୍ରକାଶ କରିଥିଲେ। ଏହି ସମ୍ମିଳନୀରେ ପ୍ରଫେସର ଅଶୋକ କୁମାର ମହାପାତ୍ର (ଏମ୍‌ସ ଭୁବନେଶ୍ୱର ପୂର୍ବତନ ନିର୍ଦ୍ଦେଶକ) ଅଧ୍ୟକ୍ଷତା କରିଥିଲେ।  ଏମ୍‌ସ ଭୁବନେଶ୍ୱର ନ୍ୟୁରୋ ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଆର ଏନ ସାହୁଙ୍କ ସହଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏମ୍‌ସ ଭୁବନେଶ୍ୱର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ମୁଖ୍ୟ ଡକ୍ଟର ସୁନୀଲ ରାଉତ, ନ୍ୟୁରୋ ସର୍ଜରୀ ବିଭାଗ ଆସୋସିଏଟ୍ ପ୍ରଫେସର ତଥା ସମ୍ମିଳନୀର ଆୟୋଜକ ସମ୍ପାଦକ ଡକ୍ଟର ସୁମିତ ବନ୍‌ସାଲ ବୈଜ୍ଞାନିକ କମିଟିର ଅଧ୍ୟକ୍ଷତା କରିଥିଲେ।

ଏହି ଆଲୋଚନାଚକ୍ରରେ ଜାତୀୟସ୍ତରର ୩୨ ଜଣ ଏବଂ ଆମେରିକା, କାନାଡା, ଜର୍ମାନୀ ଏବଂ ଦୁବାଇରୁ ୬ଜଣ ଅନ୍ତର୍ଜାତୀୟ ବକ୍ତା ଯୋଗ ଦେଇଥିଲେ। ସାରା ଭାରତରୁ ପେରିଫେରାଲ୍ ସ୍ନାୟୁ ସର୍ଜରୀରେ ପାରଦର୍ଶୀତା ରଖିଥିବା ପ୍ରାୟ ୧୩୦ଜଣ ନ୍ୟୁରୋ ସର୍ଜନ ଏବଂ ପ୍ଲାଷ୍ଟିକ୍ ସର୍ଜନ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହି  କ୍ଷେତ୍ରରେ ସେମାନଙ୍କର ଅଭିଜ୍ଞତା ବାଣ୍ଟିବା ସହିତ ବର୍ତ୍ତମାନ ସମୟରେ ଏନେଇ ରହିଥିବା ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏମ୍‌ସ ଭୁବନେଶ୍ୱର ସଫଳତାର ସହିତ ଏପରି ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ କରିଥିବାରୁ  ଦେଶବିଦେଶରୁ ଯୋଗଦେଇଥିବା ସମସ୍ତ ବିଶେଷଜ୍ଞ ଏହାକୁ ପ୍ରଶଂସା କରିଥିଲେ। ସେହିପରି ଏହି କାର୍ଯ୍ୟକ୍ରମର ତାତ୍ତ୍ବିକ ଏବଂ ବୈଜ୍ଞାନିକ ବିଷୟବସ୍ତୁକୁ ନେଇ ବେଶ୍‌ ଖୁସି ଜାହିର କରିଥିଲେ ଅଂଶଗ୍ରହଣକାରୀ।