Categories
ବିଶେଷ ଖବର

ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ଵର: ଖୋର୍ଦ୍ଧା ଜିଲ୍ଲାରେ ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ରାଜ୍ୟର ଗୌରବମୟ ପାଇକ ପରମ୍ପରାର ସାମୁହିକ ବିକାଶ ନିମନ୍ତେ ଏହି କେନ୍ଦ୍ର ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଢାଞ୍ଚାରେ ପ୍ରତିଷ୍ଠା ହେବ। ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ଦେଶ ବିଦେଶରେ ପାଇକ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାରରେ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

ପାଇକ ମାନଙ୍କ ସାମୁହିକ ବିକାଶ ପାଇଁ ସ୍ବତନ୍ତ୍ର ପାଠ୍ୟକ୍ରମ ଜରିଆରେ ଶିକ୍ଷା ପ୍ରଦାନ ସହିତ ପ୍ରଶିକ୍ଷଣ ଓ ଗବେଷଣାର ବ୍ୟବସ୍ଥା ରହିବ। ଶିକ୍ଷାର୍ଥୀ ମାନଙ୍କ ପାଇଁ ଛାତ୍ର ବୃତ୍ତିର ମଧ୍ୟ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଏହି କେନ୍ଦ୍ର ଗଡ ଖୋର୍ଦ୍ଧା ଠାରେ ଅସ୍ଥାୟୀ ଭାବରେ କାର୍ଯ୍ୟ କରିବା ପରେ ଯଥାଶୀଘ୍ର ଏହି କେନ୍ଦ୍ର ପାଇଁ ସ୍ଥାନ ନିରୂପଣ ଓ ଡି.ପି.ଆର ପ୍ରଦାନ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଯୋଗ୍ୟ ଯେ, ୧୮୧୭ ମସିହାରେ ଖୋର୍ଦ୍ଧା ମାଟିରେ ବକ୍‌ସି ଜଗବନ୍ଧୁଙ୍କ ନେତୃତ୍ବରେ ସଂଗଠିତ ହୋଇଥିଲା ପାଇକ ବିଦ୍ରୋହ। ଇଂରେଜ ଶାସନ ବିରୁଦ୍ଧରେ ଏହା ଥିଲା ଦେଶର ପ୍ରଥମ ବିଦ୍ରୋହ ବୋଲି ଐତିହାସିକ ମାନେ ମତପ୍ରକାଶ କରନ୍ତି। ଏହି ମହାନ  ପାଇକ ପରମ୍ପରାକୁ ଉଜ୍ଜିବିତ କରି ରଖିବା ସହ ଏ ଦିଗରେ ଅଧିକ ଗବେଷଣା ପାଇଁ ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ମାର୍ଗ ପ୍ରଶସ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

୫-ଟି ସଚିବ ଭି.କେ. ପାଣ୍ଡିଆନ ଗତ ଅଗଷ୍ଟ ମାସ ଶେଷ ସପ୍ତାହରେ ଖୋର୍ଦ୍ଧା ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ପାଇକ ସଂଗଠନର ସଦସ୍ୟମାନଙ୍କୁ ଭେଟିଥିଲେ ଏବଂ ପାଇକ ପରମ୍ପରାର ସୁରକ୍ଷା ଓ ପ୍ରସାର ସମ୍ପର୍କରେ ତାଙ୍କ ସହିତ ଆଲୋଚନା କରିଥିଲେ। ଓଡିଶା ଇତିହାସରେ ପାଇକ ପରମ୍ପରାକୁ ଗୌରବମୟ ଅଧ୍ୟାୟ ଭାବରେ ଶ୍ରୀ ପାଣ୍ଡିଆନ ବର୍ଣ୍ଣନା କରିଥିଲେ ଏବଂ ଏହାର ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ପରେ ଏ ବିଷୟରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ପୁଣି ଏକ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଖର୍ଚ୍ଚ ହେବ ୬୪ କୋଟି ଟଙ୍କା

ଭୁବନେଶ୍ୱର: ଓଡିଶା ସରକାର ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଅନେକ ଗୁଡିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଲକ୍ଷ୍ୟ ହାସଲ ତଥା ଚିକିତ୍ସା ନିମନ୍ତେ ବ୍ୟକ୍ତିଗତ ଖର୍ଚ୍ଚକୁ ହ୍ରାସ କରିବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ନିଦାନ ଜରିଆରେ ମାଗଣା ରୋଗ ଚିହ୍ନଟ ନିମନ୍ତେ ପରୀକ୍ଷା, ନିରାମୟ ଜରିଆରେ ମାଗଣା ଔଷଧ ପ୍ରଦାନ, ସହାୟ ଜରିଆରେ ମାଗଣା ଡାଇଲିସିସ୍ ସେବା, ମାଗଣା ରକ୍ତସେବା, ମାଗଣା ଆମ୍ବୁଲାନ୍ସ ସେବା ଇତ୍ୟାଦି ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନାରେ ଯୋଗାଇ ଦିଆଯାଉଛି।

ରୋଗୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଉଦ୍ଦେଶ୍ୟରେ ସରକାରୀ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହେଉଥିବା ଇନଡୋର ରୋଗୀଙ୍କ ପାଇଁ ଦିଆଯାଉଥିବା ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।

ଏହାଦ୍ୱାର ବାର୍ଷିକ ୬୪ କୋଟି ଟଙ୍କା ଖର୍ଚ୍ଚ ହେବ ଓ ଉପକୃତ ହେବେ ୪୨ ଲକ୍ଷରୁ ଅଧିକ ରୋଗୀ। ନିଆ ଯାଇଥିବା ନୂଆ ନିଷ୍ପତ୍ତି ଅନୁଯାୟୀ ଡାକ୍ତରଖାନାରେ ଶଯ୍ୟା ପିଛା ଦିଆ ଯାଉଥିବା ସାଧାରଣ ଦୈନିକ ଖାଦ୍ୟ ବାବଦକୁ ୮୫ ଟଙ୍କା ବଦଳରେ ୧୧୦ ଟଙ୍କା, ଶିଶୁମାନଙ୍କ ପାଇଁ ଦିଆ ଯାଉଥିବା ଦୈନିକ ୭୫ ଟଙ୍କାରୁ ୯୫ ଟଙ୍କା, ଉଚ୍ଚ ପୁଷ୍ଟିସାରଯୁକ୍ତ ଖାଦ୍ୟ ପାଇଁ ଦିଆଯାଉଥିବା ଦୈନିକ ୯୫ ଟଙ୍କାରୁ ୧୨୦ ଟଙ୍କା, ଶୁଖିଲା ଖାଦ୍ୟ ପାଇଁ ଦିଆଯାଉଥିବା ଦୈନିକ ୭୫ ଟଙ୍କାରୁ ୯୫ ଟଙ୍କା ଏବଂ ତରଳ ଖାଦ୍ୟ ବାବଦକୁ ଦିଆଯାଉ ଥିବା ଦୈନିକ ୮୫ ଟଙ୍କାରୁ ୧୧୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ସୂଚନାଯୋଗ୍ୟ ଯେ, ରାଜ୍ୟର ୬୧୮ଟି ସରକାରୀ ଡାକ୍ତରଖାନାରେ ଏହି ବର୍ଦ୍ଧିତ ମୂଲ୍ୟରେ ଖାଦ୍ୟ ଯୋଗାଇ ଦିଆଯିବ।

Categories
ବିଶେଷ ଖବର

ଖଡଗ ନଦୀଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ଖର୍ଚ୍ଚ ହେବ ୧୨୬ କୋଟି 

ଭୁବନେଶ୍ୱର: ଖଡଗ ନଦୀରେ ନିର୍ମାଣ ହେବ ନଦୀଗର୍ଭ ଜଳାଶୟ। ୧୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ପୂର୍ବରୁ ଏହି ପ୍ରକଳ୍ପକୁ ବୈଷୟିକ ପରାମର୍ଶଦାତା କମିଟି ମଧ୍ୟ ସ୍ବୀକୃତି ପ୍ରଦାନ କରିଥିଲେ। ଏହି ପ୍ରକଳ୍ପ ଦ୍ବାରା ତିନୋଟି ଜିଲ୍ଲା – ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଳକ, କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଳକ ଓ ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ବ୍ଳକର ପ୍ରାୟ ୨୦ ହଜାରରୁ ଅଧିକ ଲୋକ ଉପକୃତ ହେବେ।
ଏହି ଯୋଜନାରେ ବାଲିଗୁଡା ବ୍ଳକର ଲଡଗାଁ ଗ୍ରାମ ନିକଟରେ  ପ୍ରାୟ ୧୨୬ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟ କରାଯିବ।
କୌଣସି ବିସ୍ଥାପନ ବିନା ଏହି ପ୍ରକଳ୍ପ ନିର୍ମାଣ କରାଯିବ ଓ ଏହା ନଦୀଗର୍ଭ ଜଳ ସଂରକ୍ଷଣ କରିବା ସହିତ ଖରାଦିନେ ଏହି ଅଞ୍ଚଳର ପାନୀୟ ଜଳର ଆବଶ୍ୟକତା ପୂରଣ, ମାଛ ଚାଷ ଓ ଭୂତଳ ଜଳସ୍ତର ବୃଦ୍ଧିରେ ମଧ୍ୟ ବିଶେଷ ସହାୟକ ହେବ।
ସୂଚନାଯୋଗ୍ୟ ଯେ, ଚଳିତ ମାସ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ବୌଦ୍ଧ ଜିଲ୍ଲା ଗସ୍ତ ସମୟରେ ସ୍ଥାନୀୟ ଜନସାଧାରଣ ଖଡଗ ନଦୀରେ ଏକ ବ୍ୟାରେଜ ନର୍ମାଣ ପାଇଁ ଦାବୀ ପତ୍ର ଦେଇଥିଲେ। ଏ ସଂପର୍କରେ ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଜନସାଧାରଣଙ୍କ ଦାବୀ ସଂପର୍କରେ ଅବଗତ କରାଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ଅନୁରୋଧକୁ ଗ୍ରହଣ କରିଥିଲେ।
Categories
ବିଶେଷ ଖବର

ନୀଳମାଧବ ପୀଠର ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ଖର୍ଚ୍ଚହେବ ୧୦୦ କୋଟି, ୧୮ ମାସରେ ଶେଷ ହେବ କାମ

ଭୁବନେଶ୍ବର: କଣ୍ଟିଲୋ ନୀଳମାଧବ ପୀଠର ପାରିପାର୍ଶ୍ବିକ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି। ଏଥିନିମନ୍ତେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୧୮ ମାସ ମଧ୍ୟରେ କାମ ଶେଷ ହେବ। ସମ୍ୱନ୍ୱିତ ଐତିହ୍ୟ ଓ କୀର୍ତ୍ତିରାଜି ବିକାଶ ଯୋଜନା ରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।

ପ୍ରକଳ୍ପର ସଫଳ କାର୍ଯ୍ୟକାରୀତା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ଥାନୀୟ ଜନସାଧାରଣ ଓ ସେବାୟତ ମାନଙ୍କ ସହଯୋଗ କାମନା କରିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନୀଳମାଧବ ପୀଠର ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ଉପରେ ବିଚାର ବିମର୍ଷ ପରେ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଥିଲେ।

ଜଗନ୍ନାଥ ସଂସ୍କୃତି ସହ ନୀଳମାଧବ ପୀଠର ନିବିଡ ସଂପର୍କ ରହିଛି। ବିଶ୍ବାସ କରାଯାଏ ଯେ ନୀଳମାଧବ ପୀଠ ବ୍ରହ୍ମାଦ୍ରୀ ପର୍ବତରେ ମହାପ୍ରଭୁ ନୀଳମଣି ଭାବରେ ଶବର ରାଜା ବିଶ୍ବାବସୁଙ୍କ ଦ୍ବାରା ପୂଜା ପାଉଥିଲେ। ମହାପ୍ରଭୁଙ୍କ ଏହି ଆଦିରୂପକୁ ଦର୍ଶନ କରିବା ପାଇଁ ପ୍ରତିଦିନ ହଜାର ହଜାର ଭକ୍ତ ନୀଳମାଧବ ପୀଠକୁ ଆସିଥାନ୍ତି। ବ୍ରହ୍ମାଦ୍ରୀ ପର୍ବତର ଉତ୍ତର ଦିଗରେ ମହାନଦୀର ଭୀମକାନ୍ତ ରୂପ ଅତ୍ୟନ୍ତ ରମଣୀୟ। ପର୍ଯ୍ୟଟକ ମାନଙ୍କ ପାଇଁ ମଧ୍ୟ ଏହି ସ୍ଥାନ ଅନ୍ୟତମ ପ୍ରମୁଖ ଆକର୍ଷଣ। ଏହି ପବିତ୍ର ପୀଠର ସୁବ୍ୟବସ୍ଥିତ ବିକାଶ ଦ୍ବାରା ଭକ୍ତ ଓ ପର୍ଯ୍ୟଟକ ସହିତ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହେବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଗତ ସପ୍ତାହରେ ନୀଳମାଧବ ପୀଠ ପରିଦର୍ଶନ କରି ବିକାଶ ଯୋଜନା ସଂପର୍କରେ ସେବାୟତ ତଥା ସ୍ଥାନୀୟ ଜନସାଧାରଣଙ୍କ ଓ ଜିଲ୍ଲା ପ୍ରଶାସନ ସହ ବିସ୍ତୃତ ଆଲୋଚନା କରି ମାଷ୍ଟର ପ୍ଲାନ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ମାଷ୍ଟରପ୍ଲାନରେ ମୁଖ୍ୟତଃ ମନ୍ଦିରର ପୁନରୁଦ୍ଧାର,ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପରିକ୍ରମା ପଥ, ଚନ୍ଦନ ପୁଷ୍କରିଣୀର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ସହିତ ଚତୁପାର୍ଶ୍ବ ରାସ୍ତାର ଉନ୍ନତୀକରଣ, ଛାୟାପ୍ରଦ ବୃକ୍ଷ, ଉଦ୍ୟାନ,ପାର୍କିଂ, ମହାନଦୀର କୂଳ ସୁରକ୍ଷା ଓ ନଦୀପାର୍ଶ୍ବର ସୌନ୍ଦର୍ଯ୍ୟକରଣ ଆଦି ବିଷୟରେ ଗୁରୁତ୍ବ ଦିଆଯାଇଛି।

ମନ୍ଦିରକୁ ଯାଇଥିବା ତିଖା ପାହାଚ ଶ୍ରେଣୀର ପୁନରୁଦ୍ଧାର କରାଯାଇ ଭକ୍ତ ମାନେ ଯେପରି ସୁବିଧା ରେ ଯାଇ ପାରିବେ ତଦନୁଯାୟୀ ବିକାଶ କରାଯିବା।

ଏହା ସହିତ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଚାରି ଦ୍ବାରର ଉନ୍ନତୀକରଣ କରାଯିବ। ବୟସ୍କ ଓ ଭିନ୍ନକ୍ଷମ ମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ, ସେଥିପାଇଁ ପଶ୍ଚିମ ଦ୍ୱାରରେ ଲିଫ୍ଟ ଓ ସ୍କାଏ ବ୍ରିଜ ସୁବିଧାର ବିକାଶ କରାଯିବ। ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳରେ ଖଣ୍ଡାଲାଇଟ ପଥର ବିଛାଯିବା ସହିତ ମନ୍ଦିର ଓ ଠାକୁରଙ୍କ ବଗିଚାର ବିକାଶ କରାଯିବ। ଏହାସହିତ ରାସବିହାରୀ ମଣ୍ଡପ, ରଘୁନାଥ ମଠ ଓ ବାଟମଙ୍ଗଳା ମନ୍ଦିରର ମଧ୍ୟ ବିକାଶ କରାଯିବ।

ଯାତ୍ରୀ ମାନଙ୍କ ଜିନିଷପତ୍ର ରଖିବା ନିମନ୍ତେ ବ୍ୟବସ୍ଥା (Cloak Room) ଏବଂ ପଦପ୍ରକ୍ଷାଳନ ବ୍ୟବସ୍ଥାର ମଧ୍ୟ ନିର୍ମାଣ କରାଯିବ।

ମନ୍ଦିରକୁ ପ୍ରବେଶ ପାଇଁଁ ପୂର୍ବ ଓ ପଶ୍ଚିମ ପାର୍ଶ୍ବ ସଡକର ପ୍ରଶସ୍ତିକରଣ କରାଯିବ। ପୂର୍ବ ପାର୍ଶ୍ବ ସଡକକୁ ୯ ମିଟର ଓ ପଶ୍ଚିମ ପାର୍ଶ୍ବ ସଡକକୁ ୧୨ ମିଟର ପ୍ରଶସ୍ଥ କରାଯିବ।

ମହାନଦୀର କୁଲକ୍ଷୟରୁ ମନ୍ଦିରକୁ ସୁରକ୍ଷା ଯୋଗାଇବା ପାଇଁ ୪୦୦ ମିଟର ସୁରକ୍ଷା ପ୍ରାଚୀର ନିର୍ମାଣ କରାଯିବ।

ଏହି ପ୍ରକଳ୍ପ ପାଇଁ ସମୁଦାୟ ଦୁଇ ଏକର ଜମି ଆବଶ୍ୟକ ପଡିବ। ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ପୁନର୍ବାସ ଓ ଥଇଥାନ ନୀତି ଅନୁଯାୟୀ ଜମି ଅଧିଗ୍ରହଣ କରିବେ।

ପୂର୍ତ୍ତ ବିଭାଗ ଜରିଆରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ମହାନଦୀ କୁଲକ୍ଷୟ ରୋକିବା ପାଇଁ ସୁରକ୍ଷା ପ୍ରାଚୀରl କାମ ଜଳସମ୍ପଦ ବିଭାଗ କରିବ ବୋଲି ଜଣାଯାଇଛି

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବୈଠକରେ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ ପ୍ରକଳ୍ପ ସଂପର୍କରେ ଉପସ୍ଥାପନା ରଖିଥିଲେ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା, ଜଳସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ଓ ନୟାଗଡ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

୮୧ ଜଣ ଡାକ୍ତରଙ୍କ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ଖାଲି ଥିବା ଓଡିଶା ମେଡିକାଲ ଓ ସ୍ବାସ୍ଥ୍ୟସେବା (ଓଏମ୍‌ଏଚ୍‌ଏସ) ଗ୍ରୁପ-ଏ (ଜୁନିଅର ବ୍ରାଞ୍ଚ)ରେ ଡାକ୍ତର ପଦବୀ ପୂରଣ କରିବାକୁ ଯାଉଛନ୍ତି। ଓଡିଶା ରାଜ୍ୟ ପବ୍ଲିକ୍‌ ସର୍ଭିସ କମିଶନଙ୍କ ମାଧ୍ୟମରେ ୮୧ଟି ପଦବୀ ନିମନ୍ତେ ଅନୁସୂଚୀତ ଜାତି ଓ ଜନଜାତି ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ରାଜ୍ୟରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ଥିବା ଖାଲି ପଦ ସଂପର୍କରେ ସୂଚୀତ କରିଛନ୍ତି। ନୂଆ କରି ନିଯୁକ୍ତି ପାଇବାକୁ ଥିବା ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୮୧ଟି ପଦବୀରୁ ଅନୁସୂଚୀତ ଜାତି ପାଇଁ ୪୭ଟି ଓ ଅନୁସୂଚୀତ ଜନଜାତି ପାଇଁ ୩୪ଟି ପଦବୀ ସଂରକ୍ଷିତ।

ଓ.ପି.ଏସ୍‌.ସି ଦ୍ବାରା ପ୍ରାର୍ଥୀ କୃତକାର୍ଯ୍ୟ ହୋଇସାରିବା ପରେ ସାଧାରଣ ପ୍ରଶାସନ ବିଭାଗର ନିୟମ ଅନୁସାରେ ପ୍ରାର୍ଥୀ ମାନେ ଇ-କାଉନସେଲିଂରେ ଯୋଗ ଦେଇଥିଲେ। ଏହି ଅଧାରରେ ମେଡିକାଲ ଅଫିସର ମାନଙ୍କୁ ନିଯୁକ୍ତି ଦିଆଯିବ। ଏଥିପାଇଁ ସଂପୃକ୍ତ ପ୍ରାର୍ଥୀ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।

ଏହିଫଳରେ ରାଜ୍ୟରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ହେବା ସହ ରୋଗୀ ସେବା କ୍ଷେତ୍ରରେ ଉନ୍ନତି ଆସିପାରିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଯାଜପୁରରେ ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୂବନେଶ୍ୱର: କୋଭିଡ଼ ରୋଗୀ ଙ୍କ ଚିକିତ୍ସା ପାଇଁ ଯାଜପୁର ରେ ଘରୋଇ ସହାୟତା ରେ ଏକ ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ପ୍ରଦାନ କରିଛନ୍ତି।

ଏହା ଫଳରେ ଯାଜପୁର ତଥା ଆଖ ପାଖ ଜିଲ୍ଲା ର ଗୁରୁତର କୋଭିଡ଼ ରୋଗୀ ମାନଙ୍କୁ ଚିକିତ୍ସା ପାଇଁ ଆଉ କଟକ ଭୁବନେଶ୍ବର ଯିବା କୁ ପଡିବ ନାହିଁ।

ଯାଜପୁର ର ଭୂମିକା ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ସରକାରୀ କୋଭିଡ଼ ହସ୍ପିଟାଲ ଭାବରେ କାମ କରିବ ଏବଂ ରୋଗୀ ମାନେ ସେଠାରେ ସମ୍ପୂର୍ଣ୍ଣ ମାଗଣାରେ କୋଭିଡ଼ ଚିକିତ୍ସା ସୁବିଧା ପାଇ ପାରିବେ। ଚିକିତ୍ସା ର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଵେ।

ଏହି ହସ୍ପିଟାଲରେ ୧୫୦ ଟି ଅକ୍ସିଜେନ ସଯୁକ୍ତ ବେଡ଼୍ ସହିତ ୫୦ ଟି ଆଇସିୟୁ ବେଡ଼୍ ମଧ୍ୟ ରହିବ।