Categories
ବିଶେଷ ଖବର

ଡିସେମ୍ବର ମାସ ସୁଦ୍ଧା ଓଡିଆ ବିଶ୍ୱବିଦ୍ୟାଳୟର ନିଜସ୍ୱ କୋଠା ନିର୍ମାଣ ଶେଷ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର: ଗୁରୁ ଦିବସର ପବିତ୍ର ଦିନରେ ଓଡିଆ ବିଶ୍ୱବିଦ୍ୟାଳୟ ଆଜି ଏହାର ନୂତନ ସ୍ନାତକୋତ୍ତର ଓଡ଼ିଆ ପାଠ୍ୟକ୍ରମ ଉନ୍ମୋଚନ କରି ଭାଷା ଏବଂ ସାଂସ୍କୃତିକ ଶିକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ଉତ୍ସବରେ ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଉମାକାନ୍ତ ସାମନ୍ତରାୟ, ଓଡ଼ିଆ ବିଶ୍ବବିଦ୍ୟାଳୟର କୁଳପତି ଡାଃ ସବିତା ପ୍ରଧାନ ଏବଂ ବିଶିଷ୍ଟ ଶିକ୍ଷାବିତ୍ ଡାଃ ଅଭିରାମ ବିଶ୍ଵାଳ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଏବଂ ବିଶିଷ୍ଟ ଶିକ୍ଷାବିତ୍ ଏବଂ ଅତିଥିମାନେ ଯୋଗଦାନ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଆ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଜିର ଦିନଟିକୁ ଏକ ଗୌରବମୟ ଦିନ ଭାବରେ ବର୍ଣ୍ଣନା କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡିଆ ଭାଷା, ସାହିତ୍ୟକୁ ସମୃଦ୍ଧ କରିଯାଇଥିବା ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଓଡିଆ ବିଶ୍ୱବିଦ୍ୟାଳୟ ସତ୍ୟବାଦୀର ବନ ବିଦ୍ୟାଳୟ ପରି ଆମର ଜାତୀୟ ଚେତନାକୁ ଆହୁରି ମଜବୁତ କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ।

ଅଢେଇ ହଜାର ବର୍ଷର ଶାସ୍ତ୍ରୀୟ ଭାଷା ଓଡିଆ ଭାଷା ଉପରେ ଅଧିକ ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନର ଯୁଗ ବୈଷୟିକ ଜ୍ଞାନ କୈଶଳର ଯୁଗ। ତେଣୁ ବର୍ତ୍ତମାନ ବୈଷୟିକ ବିକାଶର ସୁଯୋଗ ନେଇ ଭାଷା ଓ ସାହିତ୍ୟ ଶିକ୍ଷାରେ ଡିଜିଟାଲ କୌଶଳ ପ୍ରୟୋଗ କରି ଓଡିଆ ଭାଷା କିପରି ସାରା ବିଶ୍ୱ ପାଖରେ ପହଞ୍ଚି ପାରିବେ ସେ ଦିଗରେ କାମ କରିବାକୁ ପରାମର୍ଶ ଦେଇଥିଲେ।

ବିଶ୍ୱବିଦ୍ୟାଳୟ ନିର୍ମାଣ କୋଠା କାମ ଦୁଇମାସ ମଧ୍ୟରେ ଡିସେମ୍ବର ସୁଦ୍ଧା ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଓଡ଼ିଆ ବିଶ୍ବବିଦ୍ୟାଳୟ ପାଠ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ:

ସାହିତ୍ୟ ଏବଂ ସାଂସ୍କୃତିକ ସମୃଦ୍ଧି: ଏହି ପାଠ୍ୟକ୍ରମ ଛାତ୍ରମାନଙ୍କୁ ବିଭିନ୍ନ ପ୍ରକାରର ବିଷୟବସ୍ତୁ ଯାହା ରାଜ୍ୟର ସାହିତ୍ୟ, ସାଂସ୍କୃତିକ ପରମ୍ପରା ଏବଂ ଭାଷାର ଉଭୟ ଶାସ୍ତ୍ରୀୟ ଏବଂ ଆଧୁନିକ ଦିଗ ଉପରେ ଧାରଣା ଦେବ।

ଭାଷା ଦକ୍ଷତା: ଏହି ପାଠ୍ୟକ୍ରମ ଛାତ୍ରମାନଙ୍କର ଭାଷା ଦକ୍ଷତା ବୃଦ୍ଧି ପାଇଁ ଡିଜାଇନ୍ କରାଯାଇଛି।

ଇତିହାସର ଜ୍ଞାନ: ଛାତ୍ରମାନେ ଓଡ଼ିଆ ଭାଷାର ଐତିହାସିକ ମହତ୍ତ୍ୱ ଏବଂ ଆମ ଭାଷାର ବିଶିଷ୍ଟ ସାହିତ୍ୟ ବିଶେଷଜ୍ଞ ମାନଙ୍କ ବିଷୟ ରେ ପଢିବାର ସୁଯୋଗ ପାଇବେ।

Categories
ବିଶେଷ ଖବର

ନନ୍ଦନକାନନର ହେବ ରୂପାନ୍ତର: ପ୍ଲାଷ୍ଟିକ ବ୍ୟବହାର ସଂପୂର୍ଣ୍ଣ ନିଷେଧ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର: ନନ୍ଦନକାନନର ହେବ ରୂପାନ୍ତର। ୫-ଟି ଉପକ୍ରମରେ ଏହାକୁ ଏକ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନ ଭାବେ ଏହାର  ରୂପାନ୍ତର କରାଯିବ। ଚୂଡଙ୍ଗ ଜଙ୍ଗଲ ଅଞ୍ଚଳକୁ ଏଥିରେ ସାମିଲ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ରାଜ୍ୟ ବନ ବିଭାଗ ପକ୍ଷରୁ ନନ୍ଦନକାନନର ରୂପାନ୍ତର ପାଇଁ ଏକ ଉପସ୍ଥାପନା ରଖାଯାଇଥିଲା। ଏଥିରେ ନନ୍ଦନକାନନର କାୟାରେ ପରିବର୍ତ୍ତନ ପାଇଁ ଏକ ବିସ୍ତୃତ ଓ ଭବିଷ୍ୟମୁଖୀ ପ୍ରସ୍ତାବ ରଖାଯାଇଛି।
 ଏ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହିତ ନନ୍ଦନକାନନରେ ପ୍ଲାଷ୍ଟିକର ବ୍ୟବହାର ସଂପୂର୍ଣ୍ଣ ନିଷେଧ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାମ ସଂପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମଇ ୨୩ ତାରିଖରେ ଜଙ୍ଗଲ ବିଭାଗ ସମୀକ୍ଷା ସମୟରେ ନନ୍ଦନକାନନର ରୂପାନ୍ତର ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ନୂଆ ଯୋଜନାରେ ପରିଦର୍ଶକ ମାନଙ୍କ ପାଇଁ ଅତିରିକ୍ତ ଉନ୍ନତ ସୁବିଧା, ଆଧୁନିକ ଫ୍ରଣ୍ଟେଜ ଓ ଲ୍ୟାଣ୍ଡସ୍କେପିଂ, ଟନେଲ ଆକ୍ବାରିଅମ, ୱାଟର ବାର୍ଡ ଆଭିଆରୀ (Water Bird Aviary) ଦେଶ ବିଦେଶରୁ ନୂତନ ପ୍ରାଣୀ, Emersive Enclosures  ଓ ପିଲାମାନଙ୍କ ପାଇଁ ପ୍ରକୃତି ଶିକ୍ଷାର ଏକ ସ୍ବତନ୍ତ୍ର ହବ୍‌ ଭାବରେ ବିକାଶ କରିବା ପାଇଁ ବ୍ୟବସ୍ଥା ରହିଛି।
ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ରୂପାନ୍ତର କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ୨୦୨୩ ରୁ ୨୦୨୫ ଓ ଦ୍ବିତୀୟ ପର୍ଯ୍ୟାୟ ୨୦୨୫ ରୁ ୨୦୨୮ ମଧ୍ୟରେ କାର୍ଯ୍ୟକାରୀ ହେବ। ପ୍ରଥମ ପର୍ଯ୍ୟାୟରେ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନର ବିକାଶ ହେବାକୁ ଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ଚୂଡଙ୍ଗ ଜଙ୍ଗଲ ଅଞ୍ଚଳର ବିକାଶ କରାଯିବ । ଏଥିରେ ରାତ୍ରୀ ସଫାରୀ ଓ ସଫାରୀ କମ୍ପଲେକ୍ସର ବିକାଶ କରାଯିବ।
ନନ୍ଦନକାନନକୁ ପିଲାମାନଙ୍କ ପାଇଁ ପ୍ରକୃତି ଶିକ୍ଷା ଉପରେ ଏକ ଆକର୍ଷଣୀୟ ହବ୍‌ ଭାବରେ ବିକାଶ କରିବା ପାଇଁ ଯୋଜନା ରହିଛି। ଏଥିରେ ଆକ୍ଟିଭିଟି ଭିତ୍ତିକ ପ୍ରାଣୀ ଉଦ୍ୟାନ, ପ୍ରକୃତି ଶିକ୍ଷା ସହିତ କେତେକ ସ୍ବତନ୍ତ୍ର ସ୍କୁଲରେ ‘ନନ୍ଦନକାନନ କ୍ଲବ’ ଓ ‘ଜୁ ଆମ୍ବାସାଡର’ ଆଦି କାର୍ଯ୍ୟକ୍ରମ ରହିଛି। ଏହାସହିତ Citizen Science, Know Your Trees ଆଦି ବିଭିନ୍ନ ଆକ୍ଟିଭିଟି କରାଯିବ। ପିଲାମାନଙ୍କ ପାଇଁ ସ୍ବତନ୍ତ୍ର ଇଣ୍ଟର୍ନସିଭ ଓ ଜୁ ଭଲ୍ୟୁଣ୍ଟିଅର ଆଦି କାର୍ଯ୍ୟକ୍ରମ କରାଯିବ।
ସୂଚନାଯୋଗ୍ୟ ଯେ ବର୍ତ୍ତମାନ ନନ୍ଦନକାନନରେ ୪୮ଟି ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୭୭ଟି ପ୍ରଜାତିର ପକ୍ଷୀ, ୩୦ଟି ପ୍ରଜାତିର ସରୀସୃପ ଓ ୬ଟି ପ୍ରଜାତିର ଉଭୟଚର ପ୍ରାଣୀ ଅଛନ୍ତି। ସମୁଦାୟ ୧୬୧ ପ୍ରଜାତିର ୪୦୧୨ଟି ପ୍ରାଣୀ ଅଛନ୍ତି। ବର୍ତ୍ତମାନ ଦେଶ ବିଦେଶର ବିଭିନ୍ନ ସ୍ଥାନରୁ ଅଧିକ ପ୍ରାଣୀ ଆଣିବା ପାଇଁ ଯୋଜନା କରାଯାଇଛି। ଦେଶର ଉତ୍ତରପୂର୍ବ ଅଞ୍ଚଳରୁ Hoolock Gibbon, Pig tailed Macaque, One horned Rhinoceros, Capped Langur, Spectacled Monkey, Clouded Leopard ଆଦି ଆଣିବାର ପ୍ରସ୍ତାବ ରହିଛି। ସେହିପରି ଅଷ୍ଟ୍ରେଲିଆରୁ Cassowary, Kangaroo, Wallby ଆଦି ଆଣିବାର ପ୍ରସ୍ତାବ ମଧ୍ୟ ରହିଛି।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ ପି.କେ. ଜେନା, ଉନ୍ନୟନ କମିଶନର  ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ। ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରାରମ୍ଭିକ ସୂଚନା ଦେଇଥିଲେ। ନନ୍ଦନକାନନର ନିର୍ଦ୍ଦେଶକ ଉପସ୍ଥାପନା ରଖିଥିଲେ।
Categories
ବିଶେଷ ଖବର

ରାଜ୍ୟ ହିତାଧିକାରୀ ପାଇଁ ଖୁସି ଖବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଉ ତିନି ମାସ ମିଳିବ ଅତିରିକ୍ତ ଚାଉଳ

ଭୁବନେଶ୍ବର: ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ମାନଙ୍କୁ ଆଉ ତିନି ମାସ ପାଇଁ ଅତିରିକ୍ତ ୫ କେ.ଜି ଚାଉଳ ଯୋଗାଇ ଦେବା ପାଇଁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ବାରା ୨.୯୨ ଲକ୍ଷ ପରିବାରର ୯.୦୫ ଲକ୍ଷ ହିତାଧିକାରୀ ଉପକାର ପାଇବେ। ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ୨୦୨୨, ଏହି ତିନି ମାସ ପାଇଁ ହିତାଧିକାରୀ ମାନେ NFSA ହିତାଧିକାରୀମାନଙ୍କ ପରି ମୁଣ୍ଡପିଚ୍ଛା ମାସକୁ ୫ କେ.ଜି ଲେଖାଏ ଅତିରିକ୍ତ ଚାଉଳ ମାଗଣାରେ ପାଇପାରିବେ। ଏଥିପାଇଁ ରାଜ୍ୟ ସରକାର ୪୯ କୋଟି ଟଙ୍କା ଖର୍ଚ୍ଚ କରି ୧୩,୫୭୫ ମେଟ୍ରିକ ଟନ୍ ଚାଉଳ ହିତାଧିକାରୀଙ୍କୁ ଯୋଗାଇ ଦେବେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ

ଭୁବନେଶ୍ୱର: ଭୁବନେଶ୍ୱରର ଲୋକସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଗାଡ଼ି ମୋଟର ସଂଖ୍ୟାରେ ମଧ୍ୟ୍ୟ ବୃଦ୍ଧି ଘଟୁଛି। ଏହା ଦ୍ୱାରା ଟ୍ରାଫିକ ନିୟନ୍ତ୍ରଣ ଏକ ମୁଖ୍ୟ ସମସ୍ୟା ହୋଇଛି।
ଭୁବନେଶ୍ୱର ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଭିକେ ପାଣ୍ଡିଆନ ଆଜି ବଡି ଭୋରରୁ ଶିଶୁ ଭବନ ଛକ, ରବି ଟକିଜ ଛକ, କଳ୍ପନା ଛକ, ବେହେରା ସାହି ଛକ, ରସୁଲଗଡ ଛକ ଓ଼ ଆଇଗିଣିଆ ଛକ ଆଦି ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ। ପ୍ରଶାସନ ଏବଂ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ପରିଦର୍ଶନ ସମୟରେ ପୋଲିସ କମିଶନର ଏସ ପ୍ରିୟଦର୍ଶୀ, ପୂର୍ତ୍ତ ସଚିବ ଭି ଭି ଯାଦବ, BMC କମିଶନର ଶ୍ରୀ କୁଳାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ: ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମର ନୀତି ହେଉଛି ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଏହି ନୀତିକୁ ଅନୁସରଣ କରି ଓଡିଶା ଭଳି ଗୋଟିଏ ବିପର୍ଯ୍ୟୟ ପ୍ରବଣ ରାଜ୍ୟରେ ଆମେ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ କରି ଏ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ ହୋଇପାରିଛୁ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ପ୍ରତ୍ୟେକ ବର୍ଷର ଜୁନ୍‌ରୁ ଅକ୍ଟୋବର ମାସ ସମୟ ଅତି ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ବନ୍ୟା, ବାତ୍ୟା, ମରୁଡି ପରି ଅନେକ ପ୍ରାକୃତିକ ବିପର୍ଯ୍ୟୟ ଆସେ। ତେଣୁ ଏହି ସମୟ ଭିତରେ ବାତ୍ୟା ଓ ବନ୍ୟା ଏକ ସମୟରେ ଆସିବାର ମଧ୍ୟ ସମ୍ଭାବନା ରହିଛି। ଏ ବାବଦରେ ଆମର ପ୍ରସ୍ତୁତିକୁ ସୁଦୃଢ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ସମସ୍ତ ପ୍ରଶାସନିକ କଳ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆଗୁଆ ବିପର୍ଯ୍ୟୟ ସୂଚନା ବ୍ୟବସ୍ଥା, ଉଦ୍ଧାର ଓ ରିଲିଫ କାର୍ଯ୍ୟ, ପାନୀୟ ଜଳ ବ୍ୟବସ୍ଥା ସ୍ବାସ୍ଥ୍ୟ ଓ ପ୍ରାଣୀସେବା ବ୍ୟବସ୍ଥା ଆଦି ସମସ୍ତ ବ୍ୟବସ୍ଥା ଗୁଡିକୁ ପ୍ରସ୍ତୁତ କରି ରଖିବା ଜରୁରୀ।

ଏହାସହିତ ସମସ୍ତ ଓଡ୍ରାଫ ଓ ଅଗ୍ନିସେବା ବାହିନୀ ପ୍ରସ୍ତୁତ ହୋଇ ରହିବା ଜରୁରୀ ବୋଲି ସେ କହିଥିଲେ। ବିପର୍ଯ୍ୟୟ ପ୍ରବଣ ଓ ଦୁର୍ଗମ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟପଦାର୍ଥକୁ ମହଜୁଦ ରଖିବା, ଜିଲ୍ଲାସ୍ତରୀୟ ଜରୁରୀକାଳୀନ କେନ୍ଦ୍ରଗୁଡିକୁ ୨୪ ଘଣ୍ଟିଆ କାର୍ଯ୍ୟକାରୀ କରିବା, ପଶୁ ଖାଦ୍ୟ ମହଜୁଦ ରଖିବା ଓ ବିପର୍ଯ୍ୟୟ ସମୟରେ ପ୍ରାଣୀସେବା କ୍ୟାମ୍ପ ଖୋଲିବା ପାଇଁ ସେ ପରାମର୍ଶ ଦେଇଥିଲେ। ଗର୍ଭବତୀ ମହିଳା, ଶାରୀରିକ ଓ ମାନସିକ ଭିନ୍ନକ୍ଷମ ବ୍ୟକ୍ତି, ଶିଶୁ, ବିଧବା ଓ ବୟସ୍କ ଲୋକମାନଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବୈଠକରେ ରାଜ୍ୟସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ରାଜ୍ୟ ସରକାର ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଯେଉଁସବୁ ପଦକ୍ଷେପ ନେଇଛନ୍ତି, ତା ଉପରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ରାଜ୍ୟରେ ୮୭୯ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ଥିବାବେଳେ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅର୍ଥ ବିନିଯୋଗ କରାଯାଇ ଆହୁରି ୫୫ଟି ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ, ବିଶେଷ କରି ଉପକୂଳ ଅଞ୍ଚଳରେ ବିପର୍ଯ୍ୟୟ ପ୍ରତିରୋଧି ଗୃହ ନିର୍ମାଣ କରାଯାଉଛି ବୋଲି ସେ କହିଥିଲେ।

ଏହି ବୈଠକରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପ୍ରମୁଖ ବକ୍ତବ୍ୟ ରଖି ନିଜ ନିଜ ଅଞ୍ଚଳରେ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଉପରେ ସୁଚିନ୍ତିତ ମତାମତ ଦେଇଥିଲେ।

ଉନ୍ନୟନ କମିଶନର-ତଥା-ସ୍ବତନ୍ତ୍ର ରିଲିଫ କମିଶନର ପି.କେ. ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ବୈଠକରେ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ବରିଷ୍ଠ ଅଧିକାରୀ ଓ ବିଭିନ୍ନ ଜିଲ୍ଲାର ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ସପ୍ତମ ବେତନ କମିଶନର ଶେଷ ବକେୟା ଦେୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ସପ୍ତମ ବେତନ କମିଶନ ବାବଦ ଆଉ ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଆଜି ଏ ସଂକ୍ରାନ୍ତରେ ସରକାରୀ ଘୋଷଣା ନାମା ପ୍ରକାଶ ପାଇଛି। ଏହାଦ୍ବାରା କର୍ମଚାରୀମାନେ ସପ୍ତମ ବେତନ କମିଶନ ଦରମା ବାବଦ ସଂପୂର୍ଣ୍ଣ ବକେୟା ରାଶି ପାଇପାରିବେ।

ପୂର୍ବରୁ ଏହି ବକେୟାର ୮୦ ପ୍ରତିଶତ ପ୍ରଦାନ କରାଯାଇଛି। ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀ ଉପକୃତ ହେବେ। ଏଥିପାଇଁ ୨୦୨୧-୨୨ ଅତିରିକ୍ତ ବଜେଟ୍ରେ ୮୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। କର୍ମଚାରୀମାନେ ଏହି ବକେୟା ଅର୍ଥ ଚଳିତ ମାର୍ଚ୍ଚ ମାସ ଦରମା ରେ ପାଇପାରିବେ।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ସପ୍ତମ ବେତନ କମିଶନ ର ସୁପାରିଶକୁ ଗ୍ରହଣ କରି ଏହାକୁ ୨୦୧୬ ଜାନୁଆରୀ ମାସ ଠାରୁ ଲାଗୁ କରିଥିଲେ ଏବଂ ୨୦୧୭ ସେପ୍ଟେମ୍ବର ମାସଠାରୁ ବର୍ଦ୍ଧିତ ଦରମା ପ୍ରଦାନ କରିଥିଲେ। କର୍ମଚାରୀମାନେ ସପ୍ତମ ବେତନ କମିସନ ସୁପାରିଶ ଅନୁଯାୟୀ ଜାନୁଆରୀ ୨୦୧୬ରୁ ଅଗଷ୍ଟ ୨୦୧୭ ମଧ୍ୟରେ 20 ମାସର ବର୍ଦ୍ଧିତ ବକେୟା ଦରମା ବିଭିନ୍ନ କିସ୍ତିରେ ଦେବାକୁ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ଅନୁଯାୟୀ ୨୦୧୭-୧୮ରେ ୪୦ ପ୍ରତିଶତ, ୨୦୧୯-୨୦ରେ ୧୦ ପ୍ରତିଶତ ଓ ୨୦୨୧-୨୨ରେ ୩୦ ପ୍ରତିଶତ ବକେୟା ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ପେନ୍ସନଭୋଗୀ ମାନେ ମଧ୍ୟ ସେମାନଙ୍କ ଦରମାର ଶତକଡା ୧୦୦ ପ୍ରତିଶତ ପାଇସାରିଛନ୍ତି।

Categories
ବିଶେଷ ଖବର

ଆସନ୍ତା ୧୦ ଦିନ ମଧ୍ୟରେ ରାଜ୍ୟର ସମସ୍ତ କୋଭିଡ ହସ୍‌ପିଟାଲ ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗର ମୁଖ୍ୟ ପଦାଧିକାରୀ ଓ ଜିଲ୍ଲାପାଳ ମାନଙ୍କ ସହିତ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରି କୋଭିଡ ପ୍ରସ୍ତୁତିକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତା ୧୦ ଦିନ ମଧ୍ୟରେ ରାଜ୍ୟର ସରକାରୀ ତଥା ବେସରକାରୀ ସମସ୍ତ କୋଭିଡ ହସ୍‌ପିଟାଲ ଗୁଡିକୁ ପ୍ରସ୍ତୁତ କରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଦ୍ବିତୀୟ ଲହରୀର ସର୍ବୋଚ୍ଚ ସ୍ତରରେ ଯେତିକି ଶଯ୍ୟା ଓ ଆଇସିୟୁର ଆବଶ୍ୟକତା ହୋଇଥିଲା, ଅତି କମ୍‌ରେ ସେତିକି ପରିମାଣର ଶଯ୍ୟା ଓ ଆଇସିୟୁ ପ୍ରସ୍ତୁତ କରି ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଜନସାଧାରଣଙ୍କ ଟୀକାକରଣ ଲକ୍ଷ୍ୟ ପୂରଣ ପାଇଁ କ୍ୟାମ୍ପେନ ମୋଡ୍‌ରେ କାମ କରିବା ପାଇଁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ୧୫ ରୁ ୧୮ ବର୍ଷ ବର୍ଗର ପିଲାମାନଙ୍କ ଟୀକାକରଣ ଉପରେ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ଭୂତାଣୁ ସଂକ୍ରମଣକୁ କମ୍‌ କରିବା ପାଇଁ ଆମକୁ ଉଚିତ ମାତ୍ରାରେ କଟକଣା ଜାରି କରିବାକୁ ପଡିବ। ତେବେ ଏଥିରେ ଯେପରି ଜନସାଧାରଣଙ୍କର ଜୀବିକା ଉପରେ କୌଣସି ପ୍ରଭାବ ନ ପଡେ, ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାରା ଦେଶରେ ଓମିକ୍ରନ୍‌ ଭାରିଆଣ୍ଟ ଦ୍ରୁତ ଗତିରେ ସଂକ୍ରମଣ କରୁଛି। ଅଳ୍ପ ଦିନ ମଧ୍ୟରେ ରୋଗୀଙ୍କ ସଂଖ୍ୟା ଦୁଇ ଗୁଣ ହୋଇଯାଉଛି। ଦେଶରେ ଖୁବ ଶୀଘ୍ର ଲକ୍ଷ ଲକ୍ଷ ସଂଖ୍ୟାରେ କୋଭିଡ ରୋଗୀ ସଂକ୍ରମଣ ଦେଖା ଦେଇପାରେ। ଓଡିଶାରେ ମଧ୍ୟ ଓମିକ୍ରନ ରୋଗୀଙ୍କ ସଂଖ୍ୟା ବଢିବା ଆରମ୍ଭ ହୋଇଛି। ତେଣୁ ଜନସାଧାରଣଙ୍କୁ ବିଶେଷ ଅସୁବିଧାରେ ନ ପକାଇ କୋଭିଡର ଉତ୍ତମ ପରିଚାଳନା ପାଇଁ ଆମକୁ ତୁରନ୍ତ ପଦକ୍ଷେପ ନେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇ କହିଥିଲେ।

ଗତ ସପ୍ତାହ ସମୀକ୍ଷା ବୈଠକରେ କେତେକ ପ୍ରସ୍ତୁତିକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରିବାପାଇଁ ନିଷ୍ପତ୍ତି ହୋଇଥିଲା ବୋଲି ପ୍ରକାଶ କରି ଏଗୁଡିକର କାର୍ଯ୍ୟାନ୍ବୟନ ପାଇଁ ମୁଖ୍ୟ ଶାସନ ସଚିବ ପ୍ରତିଦିନ ସମୀକ୍ଷା ବୈଠକ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଗତ ଲହରୀ ସମୟରେ ଅକ୍‌ସିଜେନ ପରିଚାଳନା, ସୂଚନା ଅଭିଯାନ, ଟ୍ରେନିଂ ମଡ୍ୟୁଲ ଆଦି ବ୍ୟବସ୍ଥା କରିବା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ବ ଦିଆଯାଇଥିଲା। ବର୍ତ୍ତମାନ ପୁଣି ଅଧିକାରୀ ମାନଙ୍କର ବିଭିନ୍ନ ମନିଟରିଂ ଗ୍ରୁପ ଓ ଜିଲ୍ଲାସ୍ତରୀୟ ଅବ୍‌ଜରଭର ବ୍ୟବସ୍ଥା କୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଯେହେତୁ ଏହି ଲହରୀରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାର ସମ୍ଭାବନା ରହିଛି, ତେଣୁ ସବୁ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସତର୍କ ରହିବା ସହିତ ସମସ୍ତ କୋଭିଡ ନିୟମକୁ ପାଳନ କରିବା ଏବଂ ଦାୟିତ୍ବରେ ଥିବ ଅଧିକାରୀ ମାନଙ୍କୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣ ଙ୍କୁ ନିବେଦନ କରିଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନେବା ପାଇଁ ସମସ୍ତ ସଂପୃକ୍ତ ପଦାଧିକାରୀ ଓ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯିବ। ବରିଷ୍ଠ ଅଧିକାରୀମାନେ ଜିଲ୍ଲାକୁ ଗସ୍ତ କରି ଜିଲ୍ଲାସ୍ତରରେ ପରିସ୍ଥିତିର ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ବ୍ୟବସ୍ଥା କରିବେ ବୋଲି ସେ କହିଥିଲେ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍‌.କେ. ଶର୍ମା ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ। ସେ କହିଥିଲେ ଯେ ଓଡିଶାରେ ଓମିକ୍ରନର ସଂକ୍ରମଣ ସଂପର୍କରେ ସତର୍କ ଦୃଷ୍ଟି ରଖାଯାଇଛି ଏବଂ ବିଦେଶାଗତ ଲୋକମାନଙ୍କର ନିୟମିତ ପରୀକ୍ଷା କରାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ଚିକିତ୍ସା ପ୍ରୋଟୋକଲ (Treatment Protocol) ପ୍ରସ୍ତୁତ କରାଯିବ ବୋଲି ସେ ସୂଚନା ଦେଇଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାଗୁଡିକରେ ଆବଶ୍ୟକ ପରିମାଣର ଔଷଧ, ଶଯ୍ୟା ଓ ଅକ୍‌ସିଜେନ ମହଜୁଦ ରହିଛି ବୋଲି ସେ କହିଥିଲେ।

ପୋଲିସ ଡିଜି ସୁନିଲ ବଂଶଲ ରାଜ୍ୟରେ ଲୋକଙ୍କ ସହଯୋଗରେ କଟକଣା ଗୁଡିକର ଅନୁପାଳନ କରାଯାଉଛି ଓ ଆଗାମୀ ଦିନରେ ଏହାକୁ ଆହୁରି ଜୋରଦାର କରାଯିବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଆଲୋଚନାରେ ଅଂଶଗ୍ରହଣ କରି କୋଭିଡ କଟକଣା ପାଳନ ସମୟରେ ଘର ଭିତର ଓ ବାହାର (Indoor ଓ Outdoor)ରେ ଲୋକଙ୍କ ଭିଡ ଉପରେ ନଜର ରଖିବା ପାଇଁ ମତ ଦେଇଥିଲେ। ଯେଉଁ ପଦକ୍ଷପ ଦ୍ବାରା କୋଭିଡ ସଂକ୍ରମଣର ନିୟନ୍ତ୍ରଣ ହୋଇପାରିବ, ତା ଉପରେ ଧ୍ୟାନ ଦେବାକୁ ସେ କହିଥିଲେ।

ବୈଠକରେ ସୁନ୍ଦରଗଡ, ବଲାଙ୍ଗୀର, ଗଞ୍ଜାମ ଓ ବାଲେଶ୍ବର ଜିଲ୍ଲାର ଜିଲ୍ଲାପାଳ ତଥା ବିଏମସି ଓ ସିଏମସିର କମିଶନର ମାନେ ସେମାନଙ୍କ ଅଞ୍ଚଳରେ ନିଆଯାଉଥିବା ବିଭିନ୍ନ ପଦକ୍ଷପ ଓ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ।

ବୈଠକରେ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଯୋଗ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ସମ୍ଭାବ୍ୟ ମରୁଡି ପରିସ୍ଥିତି ସମୀକ୍ଷା: ଜରୁରୀକାଳୀନ ଫସଲ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ସଂପର୍କରେ ସମୀକ୍ଷା କରି ଏହାର ମୁକାବିଲା କରିବାକୁ ନିର୍ଦ୍ଦେଶ ଦେବା ସହିତ ଚାଷୀ ମାନଙ୍କ ପାଇଁ ଜରୁରୀକାଳୀନ ଫସଲ ଯୋଜନା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୧୩ଟି ବ୍ଲକ୍‌ରେ ବର୍ଷାର ଅଭାବ ଦେଖାଦେଇଛି, ଯାହାକି କୃଷି କାର୍ଯ୍ୟକ୍ରମକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇ ଦୈନିକ ଭିତ୍ତିରେ ପରିସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସଂପୃକ୍ତ ଜିଲ୍ଲାପାଳମାନେ କ୍ଷେତ୍ରସ୍ତରରେ ତୁରନ୍ତ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି।

ଫସଲ ପାଇଁ ଜରୁରୀକାଳୀନ ଯୋଜନା, କେନାଲ ଗୁଡିକରେ ଜଳପ୍ରବାହ ଏବଂ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ ଉତ୍ତମ ସମନ୍ବୟ ରଖି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଚାଷୀ ମାନଙ୍କ ଫସଲ ନଷ୍ଟ ହେବା କ୍ଷେତ୍ରରେ ଦ୍ବିତୀୟ ଫସଲ ପାଇଁ ବିହନ ଓ ମିନିକିଟ୍‌ ଯୋଗାଇ ଦେବା ଏବଂ ଯେଉଁଠାରେ ଫସଲ ଅଛି, ତାକୁ ସୁରକ୍ଷିତ ରଖିବା ପାଇଁ ରିହାତି ଦରରେ ଚାଷୀ ମାନଙ୍କୁ ଡିଜେଲ ପମ୍ଫସେଟ୍‌ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଚାଷୀ ମାନଙ୍କ ଜମିକୁ ଜଳଯୋଗାଣକୁ ସୁରକ୍ଷିତ ରଖିବା ପାଇଁ ଗୋଟିଏ ଜାଗାରେ ଅଧ ଏକରରୁ ଅଧିକ ଥିବା ଚାଷ ଜମି ପାଇଁ ପୋଖରୀ ଖୋଳିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ସମସ୍ତ ଉଠାଜଳସେଚନ ପଏଣ୍ଟ ଗୁଡିକୁ ୭ ଦିନ ମଧ୍ୟରେ ମରାମତି ଓ ପୁନରୁଦ୍ଧାର କରି କାର୍ଯ୍ୟକ୍ଷମ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଛୋଟ ଓ ନାମମାତ୍ର ଚାଷୀ ଓ କୃଷି ଶ୍ରମିକ ମାନଙ୍କୁ ଜୀବିକା ସହାୟତା ଦେବା ପାଇଁ ବିଭିନ୍ନ ରୋଜଗାର ସୃଷ୍ଟିକାରୀ ଯୋଜନା ଉପରେ ପ୍ରାଥମିକତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତଳିଆ ଅଞ୍ଚଳର ଚାଷୀମାନଙ୍କ ପାଇଁ ଜଳଯୋଗାଣ ସୁନିଶ୍ଚିତ କରିବା ଓ ଭୂତଳ ଜଳ ପାଇଁ ପଦକ୍ଷେପ ନେବାକୁ ଜଳସଂପଦ ବିଭାଗକୁ ପରାମର୍ଶ ଦେଇଛନ୍ତି ।

ଜନସାଧାରଣ ଓ ପ୍ରାଣୀସଂପଦ ମାନଙ୍କ ପାଇଁ ଯେପରି ପାନୀୟ ଜଳର ଅଭାବ ନ ହୁଏ, ତାହା ସୁନିଶ୍ଚିତ କରିବାକୁ ଜିଲ୍ଲା ଓ ପୌରସଂସ୍ଥା କର୍ତ୍ତୃପକ୍ଷମାନେ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଚାଷୀ ଓ ସାଧାରଣ ଜନତାଙ୍କ ଉପରେ ମରୁଡିର ପ୍ରଭାବ କମ୍‌ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବୃଷ୍ଟିପାତ ୩୦ ପ୍ରତିଶତ କମ୍‌ ରହିଛି। ଧାନ ଫସଲ ପାଇଁ ସମସ୍ୟା ଦେଖା ଦେଇଥିଲେ ମଧ୍ୟ ଅଣଧାନ ଫସଲ ପାଇଁ କୌଣସି ସମସ୍ୟା ସୃଷ୍ଡି ହୋଇନାହିଁ। ମନେରେଗା ରେ ଅଧିକ କର୍ମନିଯୁକ୍ତି ସୃଷ୍ଟି ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ।

ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଜଳସଂପଦ ବିଭାଗ ନିଜସ୍ବ ବିକଳ୍ପ ଯୋଜନା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନା ରଖିଥିଲେ।

କଳାହଣ୍ଡି, ସୁନ୍ଦରଗଡ, ଅନୁଗୁଳ ଓ ରାୟଗଡା ଜିଲ୍ଲାର ଜିଲ୍ଲାପାଳ ମାନେ ଜିଲ୍ଲାର ପରିସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ପାଣିପାଗ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ରାଜ୍ୟରେ ବୃଷ୍ଟିପାତ ସଂପର୍କରେ ସୂଚନା ଦେଇ କହିଥିଲେ ଯେ ସେପ୍ଟେମ୍ବର ମାସରେ ସ୍ବଭାବିକ ବୃଷ୍ଟିପାତ ହୋଇ ୨୨୬.୬ ମି.ମି. ବର୍ଷା ହେବାର ସମ୍ଭାବନା ରହିଛି।

କାମଧନ୍ଦା ଅଭାବରୁ ବାହାର ରାଜ୍ୟକୁ ଯାଉଥିବା ଲୋକଙ୍କୁ ଯେପରି ରାଜ୍ୟ ମଧ୍ୟରେ କାମ ଯୋଗାଇ ଦିଆଯାଇପାରିବ, ସେ ସଂପର୍କରେ ବୈଠକରେ ଗୁରୁତ୍ବ ଆରୋପ କରାଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ।

ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ବୈଠକରେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗରେ ସୃଷ୍ଟି ହେଲା ୧୧,୦୦୬ଟି ନର୍ସିଂ ଅଫିସର ପଦବୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବାପାଇଁ ୧୧,୦୦୬ଟି ନୂତନ ନର୍ସିଂ ଅଫିସର ପଦବୀ ସୃଷ୍ଟି କରାଯାଇଛି।

ଏହି ପଦବୀ ଗୁଡିକ ରାଜ୍ୟର ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସହିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ତଥା ବିଭିନ୍ନ ମେଡିକାଲ କଲେଜରେ ପୂରଣ କରାଯିବ। ଏହିସବୁ ପଦବୀ ଗୁଡିକ ଦୁଇଟି ପର୍ଯ୍ୟାୟରେ ପୂରଣ କରାଯିବ। ଓଡିଶା ନର୍ସିଂ ସେବା ନିୟାମାବଳୀ ୨୦୧୯ ଅନୁଯାୟୀ ଏହି ପଦବୀ ଗୁଡିକ ପୂରଣ କରାଯିବ।

ଏହି ନୂତନ ପଦବୀ ଗୁଡିକ ମଧ୍ୟରୁ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଗୁଡିକରେ ୮୭୪ଟି ପଦବୀ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକରେ ୫୪୦୦ଟି ଏବଂ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ଗୁଡିକରେ ୨୬୫୯ଟି ପଦବୀ ସୃଷ୍ଟି କରାଯାଇଛି । ଏହିପରି ଜିଲ୍ଲାସ୍ତରରେ ସମୁଦାୟ ୮୯୩୩ଟି ପଦବୀ ସୃଷ୍ଟି କରାଯାଇଛି। ଏହାବ୍ୟତୀତ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ହସପିଟାଲ ଗୁଡିକରେ ମଧ୍ୟ ୨୦୭୩ଟି ପଦବୀ ସୃଷ୍ଟି କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ସ୍ବାସ୍ଥ୍ୟ ସେବାକୁ ରାଜ୍ୟ ସରକାର ସର୍ବାଧିକ ପ୍ରାଥମିକତା ଦେଇଆସିଛନ୍ତି। ରାଜ୍ୟବାସୀଙ୍କୁ ଅତ୍ୟାଧୁନିକ ତଥା ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି।

କଟକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜକୁ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବରେ ଗଢିତୋଳିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି।

ସେହିପରି ନୂଆକରି ରାଜ୍ୟ ସରକାର ଗଢିଥିବା ୯ ଗୋଟି ମେଡିକାଲ କଲେଜ ଗୁଡିକର ଭିତ୍ତିଭୂମିର ବିକାଶ କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଥିଲେ।

ଏତଦ୍‌ବ୍ୟତୀତ ୫ ଗୋଟି ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ୬ ଗୋଟି ମୁଖ୍ୟ ଚିକିତ୍ସାଳୟର ଉନ୍ନତିକରଣ କାର୍ଯ୍ୟ ସଂପର୍କରେ ମଧ୍ୟ ସମୀକ୍ଷା କରିଥିଲେ।

ଝାରସୁଗୁଡା ଠାରେ କାର୍ଡିକ କେୟାର ଡାକ୍ତରଖାନା, କଟକ ଶିଶୁଭବନରେ ପି.ଜି. ଛାତ୍ରଛାତ୍ରୀଙ୍କ ପାଇଁ ମଲ୍ଟି ୟୁଟିଲିଟି କମ୍ପ୍ଲେକ୍ସ, ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲର ଲିନାକ ବ୍ଲକ(LINAC block), କ୍ୟାପିଟାଲ ହସ୍‌ପିଟାଲର ବିକାଶ ତଥା ପିଜିଆଇ(PGI) ଭାବରେ ଗଢିବା ଏବଂ ବରଗଡ କ୍ୟାନସର ହସ୍‌ପିଟାଲ ଆଦିର ନିର୍ମାଣ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।

ସ୍ବାସ୍ଥ୍ୟସେବାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଏହିସବୁ ପ୍ରକଳ୍ପର କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବା ସହିତ ଏଥିରେ ସଂପୃକ୍ତ ବିଭିନ୍ନ ବିଭାଗ ସେମାନଙ୍କ ଦାୟିତ୍ବକୁ ଉତ୍ତମ ସମନ୍ବୟ ରକ୍ଷା କରି ନିର୍ବାହ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଅନ୍ୟାନ୍ୟ ବିଷୟ ମାନଙ୍କ ମଧ୍ୟରେ ନୂଆକରି ଖୋଲିବାକୁ ଥିବା ମେଡିକାଲ କଲେଜ ଗୁଡିକର ଅଧ୍ୟାପକ ପଦବୀ ତଥା ପେରିଫେରି(Periphery) ଡ଼ାକ୍ତରଖାନାର ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଆଦି ପଦବୀ ପୂରଣ ଏବଂ ଚିକିତ୍ସା ଊପକରଣ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଓପିଏସସି(OPSC) ପକ୍ଷରୁ ପ୍ରାୟ ୨୦୦୦ରୁ ଅଧିକ ଡାକ୍ତର, ଦନ୍ତ ଚିକିତ୍ସକ ପଦବୀ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇବ ବୋଲି ଜଣାଯାଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅଧିକରୁ ଅଧିକ ସାଧାରଣ ଲୋକ ଯେପରି ସୁବିଧା ପାଇପାରିବେ, ସେ ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।

ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନା ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି ) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ଏବଂ ପୂର୍ତ୍ତ ସଚିବ କିଷନ କୁମାର ଭିତ୍ତିଭୂମି ବିକାଶ ସଂପର୍କରେ ଉପସ୍ଥାପନା ଦେଇଥିଲେ।