Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରୋମ ଛାଡିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭାରତୀୟ ରାଷ୍ଟ୍ରଦୂତ ଦେଲେ ବିଦାୟ ସମ୍ବର୍ଦ୍ଧନା

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟର ରୋମ ଛାଡିଛନ୍ତି। ଆଜି ଅପରାହ୍ନ ୩ଟା ୨୫ରେ ସେ ଦୁବାଇ ଅଭିମୁଖେ ଯାତ୍ରା କରିଛନ୍ତି। ତାଙ୍କ ସାଥୀରେ ଥିବା ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିୟାନ ଏବଂ ଭି ଭି ଯାଦବ ମଧ୍ୟ ତାଙ୍କ ସହିତ ଦୁବାଇ ଆସୁଛନ୍ତି। ସେମାନେ ରୋମ ଛାଡିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ ଇଟାଲୀରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନୀନା ମାଲହୋତ୍ରା।

ନବୀନ ଦୁବାଇରେ ୨୯ ତାରିଖରେ ଭାରତ ସରକାର ଓ ଫିକ୍କି ଦ୍ୱାରା ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ସେ ଯୋଗ ଦେବେ। ସେଠାରେ ନବୀନ ପଟ୍ଟନାୟକ ମଧ୍ୟ ପୂର୍ବ ଏବଂ ଦୁବାଇର ବିଭିନ୍ନ ଅଞ୍ଚଳର କେତେକ ନିବେଶକଙ୍କୁ ଭେଟିବେ। ସେଠାରେ ନିବେଶକମାନଙ୍କୁ ଓଡିଶାରେ ପୁଞ୍ଜି ବିନିଯୋଗ କରିବାକୁ ଆମନ୍ତ୍ରଣ କରିବେ। କେତେକ ଶିଳ୍ପପତିଙ୍କ ସହିତ ୱାନ ଟୁ ୱାନ ଭେଟିବା କାର୍ଯ୍ୟକ୍ରମ ରହିଛି।

ସେ ୩୦ ତାରିଖ ୩ଟା ୨୫ ମିନିଟରେ ଦୁବାଇ ଛାଡ଼ି ରାତି ୮ଟା ୨୦ରେ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ରାତି ୯ ଟା ୩୦ମିନିଟରେ ଭୁବନେଶ୍ୱର ଅଭିମୁଖେ ବାହାରିବେ। ଭୁବନେଶ୍ବରରେ ସେ ସାଢ଼େ ୧୧ଟାରେ ପହଂଚିବେ ବୋଲି କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି।

ରୋମ ରହଣି ସମୟରେ ନବୀନ WFP ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଡେଭିଡ ବିସ୍ଲି ବରିଷ୍ଠ ନେତୃତ୍ୱଙ୍କୁ ସାକ୍ଷାତ କରିଥିଲେ। ସେଠାରେ ସେ ଓଡିଶାର ସହଭାଗୀତା ଏବଂ ଭବିଷ୍ୟତର ପ୍ରକଳ୍ପଗୁଡିକ ଉପରେ ସେ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହିତ  ମୁଖ୍ୟମନ୍ତ୍ରୀ ଭାଟିକାନରେ ପୋପ୍ ଫ୍ରାନ୍ସିସଙ୍କୁ ମଧ୍ୟ ଭେଟିଥିଲେ। ଶେଷରେ ୟୁରୋପରେ ଥିବା ପ୍ରବାସୀ ଓଡିଆଙ୍କ ସହିତ ମଧ୍ୟ ସେ କିଛି ସମୟ ଆଲୋଚନା କରିଥିଲେ।