Categories
ଆଜିର ଖବର ଧର୍ମ ସଂସ୍କୃତି

ଝଙ୍କଡ଼ ଗସ୍ତ କଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ: ମା’ ସାରଳାଙ୍କ ପୀଠର ବିକାଶ ପାଇଁ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରେ ଜଗତସିଂହପୁରର ଝଙ୍କଡ଼ ପୀଠକୁ ଯାଇ ମା’ ସାରଳାଙ୍କୁ ପୂଜାର୍ଚନା କରିଥିଲେ ଏବଂ ପୀଠର ବିକାଶ ସମ୍ପର୍କରେ ସେବାୟତ, ସ୍ଥାନୀୟ ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ।

ଝଙ୍କଡ଼ ଓଡ଼ିଶାର ଏକ ପ୍ରସିଦ୍ଧ ଶକ୍ତି ପୀଠ। ମା’ ସାରଳାଙ୍କ ଆଶୀର୍ବାଦରୁ ଏହି ପୀଠରୁ ଆଦିକବି ସାରଳା ଦାସ ସାରଳା ମହାଭାରତ ରଚନା କରିଥିଲେ। ପ୍ରତିଦିନ ଏହି ପୀଠକୁ ମା’ ଙ୍କ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରୁ ଭକ୍ତ ମାନେ ଆସିଥାନ୍ତି। ତେଣୁ ଭକ୍ତ ମାନଙ୍କ ସୁବିଧା ପାଇଁ ପୀଠ ର ବିକାଶ ଜରୁରୀ ହୋଇ ପଡିଛି।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ ଶ୍ରୀ ପାଣ୍ଡିଆନ ପୀଠର ବିକାଶ ସମ୍ପର୍କରେ ସେବାୟତ, ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ ବିସ୍ତୃତ ଆଲୋଚନା କରିଥିଲେ। ପୀଠର ଆବଶ୍ୟକତାକୁ ଭିତ୍ତି କରି ବିକାଶ ପାଇଁ ତୁରନ୍ତ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ୫-ଟି ମଡେଲରେ ଏହା କାର୍ଯ୍ୟକାରୀ କରାଯିବ। ଏହି ପରିଦର୍ଶନ ସମୟରେ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପାଟୱାରୀ ଓ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମ ପୀଠ ବିକାଶ କାର୍ଯ୍ୟ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ

ଭୁବନେଶ୍ୱର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଓଡ଼ିଆ ଜାତିର ଗର୍ବ ଓ ଗୌରବ ଓଡ଼ିଆ ଜାତି ପାଇଁ ତାଙ୍କ ତ୍ୟାଗକୁ ଏ ଜାତି କେବେ ଭୁଲି ପାରିବ ନାହିଁ। ଗୋପବନ୍ଧୁଙ୍କ ଜନ୍ମପୀଠ ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମକୁ କେବଳ ଏକ ପର୍ଯ୍ୟଟନ ସ୍ଥଳୀ ନୁହେଁ ଏକ ଜ୍ଞାନର କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ କାମ ଆରମ୍ଭ ହୋଇଛି। ଉତ୍କଳମଣିଙ୍କ ତ୍ୟାଗ ପୁତ ଜୀବନ ଓ ଆଦର୍ଶର ପ୍ରଚାର ପ୍ରସାରରେ ମଧ୍ୟ ଏହା ସହାୟକ ହେବ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ଯୋଜନାକୁ ଅନୁମୋଦନ କରିଛନ୍ତି।

ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ସେ ଅଞ୍ଚଳର ଜନସାଧାରଣଙ୍କ ବହୁଦିନର ଦାବି ଥିଲା।

ମୁଖ୍ୟମନ୍ତ୍ରୀ ଙ୍କ ସଚିବ (୫ଟି) ଭି. କାର୍ତ୍ତିକେୟ ପାଣ୍ଡିଆନ ଆଜି ସୁଆଣ୍ଡୋ ଯାଇ ସେଠାରେ ଚାଲିଥିବା ବିକାଶ କାମ ବୁଲି ଦେଖିଥିଲେ। ପ୍ରଥମେ ଶ୍ରୀ ପାଣ୍ଡିଆନ ଗୋପବନ୍ଧୁଙ୍କ ସଠି ଘରକୁ ଯାଇ ଉତ୍କଳମଣିଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ। ଏବଂ ଗୋପବନ୍ଧୁଙ୍କ ଦାୟାଦମାନଙ୍କୁ ଭେଟି ସ୍ମୁତି ପୀଠ ବିଷୟରେ ଆଲୋଚନା କରିଥିଲେ। ଉତ୍କଳମଣିଙ୍କ ଜନ୍ମ ପୀଠର ବିକାଶ ପାଇଁ ସରକାରଙ୍କ ପଦକ୍ଷେପର ସେମାନେ ଉଚ୍ଚ ପ୍ରଶଂସା କରିଥିଲେ।

ରାଜ୍ୟସରକାରଙ୍କ ପକ୍ଷରୁ ଏହାର ପୁନଃରୁଦ୍ଧାର କାର୍ଯ୍ୟ ହାତକୁ ନିଆଯିବା ସହ ଦ୍ରୁତ ଗତିରେ ନିର୍ମାଣ କାର୍ଯ୍ୟ ଜାରି ରହିଛି।

ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ବାସଗୃହ, ଗ୍ରାମକୁ ଉନ୍ନତ ରାସ୍ତା, ପରିକ୍ରମା ରାସ୍ତା, ପାର୍କ, ମ୍ୟୁଜିଅମର ନିର୍ମାଣ କାର୍ଯ୍ୟକୁ ଆଜି ୫-ଟି ସଚିବ ବୁଲି ଦେଖିଥିବା ବେଳେ ଦୁଇରୁ ତିନିମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳ ଙ୍କୁ ନିର୍ଦେଶ ଦେଇଥିଲେ।

ସୁଆଣ୍ଡୋରେ ନିର୍ମାଣ ହେଉଥିବା ପାର୍କିଙ୍ଗ ପ୍ଲେସ, ରିସେପସନ ସେଣ୍ଟର ତଥା ମନ୍ଦିରର ନିର୍ମାଣ କାର୍ଯ୍ୟକୁ ଶ୍ରୀ ପାଣ୍ଡିଆନ ବୁଲି ଦେଖିବା ସହ ଗୋପବନ୍ଧୁଙ୍କ ସ୍ମୃତି ବହନ କରୁଥିବା ବିଭିନ୍ନ ସାମଗ୍ରୀକୁ ନେଇ ମ୍ୟୁଜିଅମ ଏବଂ ପୋଖରୀ ଆଦିରେ ଚାଲିଥିବା ବିକାଶ କାମ ଅନୁଧ୍ୟାନ କରିଛନ୍ତି। ବିଶେଷ କରି ସୁଆଣ୍ଡୋରେ ଗୋପବନ୍ଧୁଙ୍କ ପନ୍ଦର ଫୁଟ ଉଚ୍ଚ ର ଏକ ବ୍ରୋଞ୍ଚ ପ୍ରତିମୂର୍ତ୍ତି ସ୍ଥାପନ ନେଇ ସେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।

ପ୍ରାୟ ୨୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଏବଂ ସୁଚାରୁ ରୂପେ ଶେଷ କରିବା ନେଇ ଲକ୍ଷ୍ୟ ରଖାଯାଇଛି ଓ ଏ ଦିଗରେ ଗ୍ରାମବାସୀଙ୍କ ସହଯୋଗ ମଧ୍ୟ କାମନା କରାଯାଇଥିଲା।

ତେବେ ଦୀର୍ଘ ୫୦ ବର୍ଷ ପରେ ସୁଆଣ୍ଡୋ ଗ୍ରାମର ଏଭଳି ଉନ୍ନତି କରଣ କାର୍ଯ୍ୟ କରାଯାଉଥିବା ନେଇ ସୁଆଣ୍ଡୋ ବାସୀ ବେଶ ଗୌରାବାନ୍ୱିତ ମନେ କରିଥିବା ବେଳେ ସରକାରଙ୍କ ଏଭଳି ପ୍ରଚେଷ୍ଟାକୁ ସାଧୁବାଦ ଜଣାଇଛନ୍ତି।

ଏହି ଗସ୍ତ ଅବସରରେ ପୁରୀ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।