Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ମିଳିତ ଅମଲା ମଞ୍ଚ

ଭୁବନେଶ୍ଵର: ସୋମବାର ଦିନ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ଗୁରୁତ୍ୱପୂର୍ଣ୍ଣ ବୈଠକମାନ ସମସ୍ତ ସଦର ମହକୁମାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସମ୍ପୃକ୍ତ ଜିଲ୍ଲା ମାନଙ୍କରେ କାର୍ଯ୍ୟରତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅମଲାମାନେ ବହୁ ସଂଖ୍ୟାରେ ଯୋଗ ଦେଇ ସେମାନଙ୍କ ଦାବି ପୂରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି।

ଏଠାରେ ପ୍ରକାଶ କରାଯାଇପାରେ, ଶିକ୍ଷାଗତ ଯୋଗ୍ୟତା ସ୍ନାତକକୁ ଭିତ୍ତିକରି ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ମୂଳ ବେତନରେ ଥିବା ଅସଙ୍ଗତିକୁ ଦୂର କରାଯାଇ ଏହାକୁ ୭ ମ ବେତନ କମିଶନଙ୍କ ସୁପାରିଶ ଅନୁଯାଇ ଲେଭେଲ ୯ ଅନୁଯାୟୀ ପ୍ରଦାନ କରାଯିବାକୁ ଏକମାତ୍ର ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା। ବିଭିନ୍ନ ମାଧ୍ୟମରେ ଯଥା ୩୦ ଗୋଟି ସାଙ୍ଗଠନିକ ଜିଲ୍ଲାରୁ ସମ୍ପୃକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅମଲା ମାନଙ୍କ ଏକମାତ୍ର ଦାବୀକୁ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଥିଲା।

ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଆଶ୍ୱସନା ନ ପାଇ ବାଧ୍ୟ ହୋଇ ଜିଲ୍ଲା ସ୍ତରୀୟ ଅମଲା ମଞ୍ଚ ମୁଖ୍ୟ ଶାସନ ସଚିବଙ୍କୁ ଏକ ୨୧ ଦିନିଆ ଚରମପତ୍ର ଗତ ମଇ ମାସ ୧ ତାରିଖରେ ପ୍ରଦାନ କରିଥିଲେ। ସେଥିରେ ମଇ ମାସ ୨୧ ତାରିଖ ମଧ୍ୟରେ ଦାବୀ ପୂରଣ କରାଯିବାକୁ ସମ୍ମାନୀୟ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରାଯାଇଥିଲା। ନଚେତ ମଇ ମାସ ୨୨ ତାରିଖ ଠାରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରରେ କାର୍ଯ୍ୟରତ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା କଳା ବ୍ୟାଜ୍ ପରିଧାନ ପୂର୍ବକ କାର୍ଯ୍ୟ କରିବେ ଏବଂ ଦିଆଯାଇଥିବା ସମୟ ସୀମା ମଧ୍ୟରେ ଯଦି ସରକାର ଅମଲା ମାନଙ୍କର ଦାବି ପ୍ରତି ଉଦାସୀନତା ଦେଖାଇବେ, ତେବେ ଜୁନ ମାସ ୧ ତାରିଖ ଠାରୁ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ସମୁହ ଛୁଟିରେ ଯିବେ ବୋଲି ସରକାରଙ୍କୁ ଅବଗତ କରାଇଥିଲେ। ଏହାସତ୍ତ୍ବେ ମଧ୍ୟ ସରକାରଙ୍କ ତରଫରୁ ଅମଲା ମାନଙ୍କ ଦାବୀ ଉପରେ କୌଣସି ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଇନଥିଲା। ଯାହାର ଫଳ ସ୍ୱରୂପ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ନିଷ୍ପତ୍ତି ଅନୁଯାୟୀ ଓଡିଶାରେ କାର୍ଯ୍ୟରତ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ଗତ ଜୁନ ୧ ତାରିଖ ଠାରୁ ସମୁହ ଛୁଟିରେ ଅଛନ୍ତି।

ଏହା ମଧ୍ୟରେ ରାଜ୍ୟ ସରକାରଙ୍କ ସହ ଦୁଇ ଦୁଇ ଥର ଆଲୋଚନା ହୋଇ ସାରିଥିଲେ ମଧ୍ୟ କୌଣସି ପ୍ରକାର ନିଷ୍କର୍ଷ ବାହାରି ପାରି ନାହିଁ। ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ମିଳିତ ମଞ୍ଚର ପ୍ରତିନିଧିଙ୍କ ସହିତ ଦାବୀ ସମ୍ପର୍କରେ ଆଲୋଚନା କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପତ୍ର ସଂଖ୍ୟା ୧୬୫୫୩ ତା ୬.୬.୨୦୨୩ ରିଖରେ କର୍ମକର୍ତ୍ତାଙ୍କୁ ଅବଗତ କରାଯାଇଥିଲା। ଏହି ବୈଠକ ୭ ଜୁନ ୨୦୨୩ ଦିବା ୧୨.୪୫ ମିନିଟ କୁ ସମୟ ଧାର୍ଯ୍ୟ କରାଯାଇଥିଲା।

ମିଳିତ ଅମଲା ମାନଙ୍କ ପ୍ରତିନିଧି ମାନେ ଧାର୍ଯ୍ୟ ସମୟରେ ପତ୍ର ଦିଆଯାଇଥିବା ସ୍ଥାନରେ ଉପସ୍ଥିତ ହୋଇ ବୈଠକରେ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ ଅମଲା ମାନଙ୍କ ଦାବୀ ସମ୍ପର୍କରେ କୌଣସି ପ୍ରକାର ଆଲୋଚନାକୁ ନ ଯାଇ ପ୍ରତିନିଧି ମାନଙ୍କୁ କେବଳ ଧମକ ଚମକ ଦେଇ ଭୟଭୀତ କରିଥିବା ଅମଲାମାନେ ଅଭିଯୋଗ କରିଥିଲେ। ଅମଲା ମାନଙ୍କ ପ୍ରତିନିଧି ମାନେ ମୁଖ୍ୟ ଶାସନ ସଚିବଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ବୁଝିବାକୁ ପ୍ରସ୍ତୁତ ନ ଥିଲେ। ଏହା ଅମଲା ପ୍ରତିନିଧି ମାନଙ୍କ ମନରେ ଗଭୀର ଆଘାତ ଆଣିଥିଲା ଏବଂ ନିରାଶ ହୋଇ ସେମାନେ ବିନା କୌଣସି ଆଲୋଚନା ପ୍ରତିଶ୍ରୁତିରେ ଫେରି ଆସିଥିଲେ।

ଏହା ପ୍ରଘଟ ହେବା ପରେ ମୁଖ୍ୟ ଶାସନ ସଚିବଙ୍କ ଏତାଦୃଶ୍ୟ ମନୋଭାବ ବିରୁଦ୍ଧରେ ସାରା ଓଡିଶାରେ ଅମଲା ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ଆନ୍ଦୋଳନକୁ ଜୋରଜାର କରାଯିବା ଏବଂ ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବା ଉପରେ ସମସ୍ତ ୩୦ ଗୋଟି ଜିଲ୍ଳାରୁ ମତ ପ୍ରକାଶ ପାଇଥିଲା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହା ଉପରେ ହସ୍ତକ୍ଷେପ କରିବା ପାଇଁ ବହୁମତ ପ୍ରକାଶ ପାଇଥିଲା।

ଅମଲା ମାନଙ୍କ ଆନ୍ଦୋଳନ ପାଇଁ ଜିଲ୍ଲା ମାନଙ୍କରେ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଏହା ଉପରେ ତୁରନ୍ତ ହସ୍ତକ୍ଷେପ କରି ଶୀଘ୍ର ସମାଧାନ କରିବା ପାଇଁ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ସୀମାରେ ଅଙ୍ଗନବାଡ଼ି କେନ୍ଦ୍ର ଚଳାଇଲା ଆନ୍ଧ୍ର, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ଦାବି

ଭୁବନେଶ୍ୱର: ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତର ମାଣିକ ପାଟଣା ଗ୍ରାମରେ ଆନ୍ଧ୍ର ପକ୍ଷରୁ ଜବରଦସ୍ତ ଆରମ୍ଭ ହୋଇଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ଦୁଇଦିନ ତଳେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇ ସିଲ୍ କରାଯାଇଥିଲା। ଆଜି ଆନ୍ଧ୍ର ସରକାରଙ୍କ କିଛି ଅଧିକାରୀ ଓ ସେହି ରାଜ୍ୟର ପଶୁ ସମ୍ପଦ ମନ୍ତ୍ରୀ ଆପଲା ରାଜୁ ମାଣିକ ପାଟଣା ଗ୍ରାମରେ ପହଞ୍ଚି ଉକ୍ତ କେନ୍ଦ୍ରକୁ ଖୋଲିବା ସହିତ ୫ ଜଣ ପିଲାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ପାଠ ପଢାଇଛନ୍ତି ଓ ଅଣ୍ଡା ବାଣ୍ଟିଥିବାର ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଛି।

ଆନ୍ଧ୍ର ସରକାରଙ୍କର ଏହି ଦାଦାଗିରି ଦିନକୁ ଦିନ ଅସହ୍ୟ ହୋଇ ଉଠିଲାଣି। କିଛିଦିନ ତଳେ କୋଟିଆ ଗ୍ରାମପୁଞ୍ଜର ନେରେଡ଼ିଭାଲସା ଗ୍ରାମରେ ପହଞ୍ଚି ଆନ୍ଧ୍ର ଥାନା ଅଧିକାରୀମାନେ ଲୋକଙ୍କ ଅଭିଯୋଗର ଶୁଣାଣୀ କରିଥିଲେ। ତା ପୂର୍ବରୁ ପଶୁ ଚିକିତ୍ସା ଶିବିର କରିବା ସହିତ ଚାରା ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଥିଲେ। କୋଟିଆ ଓ ଗଜପତି ଜିଲ୍ଲାର ମାଣିକ ପାଟଣାରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ଓଡ଼ିଶାର ସ୍ୱାଭିମାନ ଉପରେ ଆକ୍ରମଣ। ମାନ୍ୟବର ସୁପ୍ରିମକୋର୍ଟ ଆନ୍ଧ୍ର ଓଡ଼ିଶା ଭିତରେ ଥିବା ବିବାଦକୁ ୬ ସପ୍ତାହ ଭିତରେ ଆପୋଶ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପରାମର୍ଶ ଦେଇଥିଲା ବେଳେ ଆନ୍ଧ୍ର ସରକାର ବାରମ୍ବାର ଓଡ଼ିଶା ସୀମାକୁ ଅନୁପ୍ରବେଶ କରି ଦାଦାଗିରି ଦେଖାଇବା ଓ ଜବରଦସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଚଳାଇବା ଆନ୍ଧ୍ରର ଦାଦାଗିରିର ପରିଚାୟକ।

ତୁରନ୍ତ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ଆନ୍ଧ୍ରର ଦାଦାଗିରି ଉପରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଅନୁରୋଧ କରିଛନ୍ତି। ସେହିଭଳି ପଶ୍ଚିମବଙ୍ଗ ସରକାର ମଧ୍ୟ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଉଦୟପୁର ସୀମାରେ ପାଚେରୀ ନିର୍ମାଣ କରିବାର ଖବର ଆସିଛି। ଗୋଟିଏ ପଟେ ଆନ୍ଧ୍ର ଏବଂ ଉତ୍ତର ଦିଗରେ ପଶ୍ଚିମବଙ୍ଗଳାର ଓଡ଼ିଶାର ସୀମା ଭିତରେ ଅନୁପ୍ରବେଶକୁ ଆଦୌ ବରଦାସ୍ତ କରାଯିବ ନାହିଁ। ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଶ୍ରୀ ବେହେରା ଦାବି କରିଛନ୍ତି।