Categories
ଆଜିର ଖବର ଜାତୀୟ ଖବର

ମୁଖ୍ୟମନ୍ତ୍ରୀ ଚାନ୍ନିଙ୍କ ବଡ଼ ଘୋଷଣା: ପଞ୍ଜାବରେ ଛାଡ ହେବ ଜଳ ଏବଂ ବିଦ୍ୟୁତ୍ ବିଲ୍

ଚଣ୍ଡିଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ଵ ଗ୍ରହଣ କରିବା ପରେ ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଚରଣଜିତ ସିଂ ଚାନ୍ନି ଅନେକ ବଡ଼ ଘୋଷଣା କରିଛନ୍ତି। ଚାନ୍ନି ଚାଷୀଙ୍କ ଜଳ ଏବଂ ବିଦ୍ୟୁତ୍ ବିଲ୍ ଛାଡ କରିବାକୁ ଘୋଷଣା କରିଛନ୍ତି। ବାଲି ମାଫିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଶ୍ଵାସନା ଦେଇଛନ୍ତି। ଏଥି ସହିତ ସେ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚାନ୍ନି କଂଗ୍ରେସ ହାଇକମାଣ୍ଡକୁ ଧନ୍ୟବାଦ ଜଣାଇବା ସହ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି।

ଚରଣଜିତ ସିଂ ଚାନ୍ନି ଚାଷୀଙ୍କ ବିଷୟରେ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ‘ଏହା ହେଉଛି କୃଷକଙ୍କ ସରକାର। ଯଦି ଚାଷୀଙ୍କ ପାଇଁ କୌଣସି କ୍ଷତି ଆସେ, ତେବେ ମୁଁ ମୋର ଗଳା କାଟିଦେବି। ଯଦି କୃଷକ ବୁଡ଼ିଯାଏ ତେବେ ଦେଶ ମଧ୍ୟ ବୁଡ଼ିଯିବ, ଅର୍ଥନୀତି ବୁଡ଼ିଯିବ। କୃଷି ଖୁସି ହେଲେ ହିଁ ପଞ୍ଜାବ ଖୁସି ହେବ। ଚାଷୀଙ୍କ ପାଇଁ ବିଦ୍ୟୁତ୍ ଏବଂ ଜଳ ମାଗଣା ହେବା ଉଚିତ୍। କୃଷକଙ୍କ ବଡ ବିଦ୍ୟୁତ୍ ବିଲ୍ ଆମ ସରକାର ଛାଡ କରିବ। ଯଦି କାହାର ବିଦ୍ୟୁତ୍ କାଟ ହୁଏ, ତେବେ ଆମେ ତାଙ୍କ ଘରକୁ ବିଦ୍ୟୁତ୍ ପୁନଃସ୍ଥାପନ କରିବୁ। ଏହା ହେଉଛି ପଞ୍ଜାବର ସାଧାରଣ ଲୋକଙ୍କ ସରକାର। ଆମେ ନିଶ୍ଚିତ କରୁଛୁ ଯେ, କାହା ସହିତ କିଛି ଭୁଲ ହେବ ନାହିଁ। ଆଇନ ସମସ୍ତଙ୍କ ପାଇଁ ସମାନ ହେବ।

କୃଷକଙ୍କ ଆନ୍ଦୋଳନ ସମ୍ପର୍କରେ ସେ କହିଛନ୍ତି ଯେ, କେନ୍ଦ୍ର ସରକାର କୃଷି ଆଇନକୁ ରଦ୍ଦ କରିବା ଉଚିତ। ପଞ୍ଜାବ ସରକାର ଚାଷୀଙ୍କ ସହ ଅଛନ୍ତି। ଏହାସହ କୃଷକମାନେ ଆନ୍ଦୋଳନ ଶେଷ କରିବାକୁ ସେ ଅନୁରୋଧ କରିଛନ୍ତି। ମୋତେ କିଛି ସମୟ ଦିଅନ୍ତୁ, ଆପଣମାନଙ୍କର ସମସ୍ତ ଦାବି ପୂରଣ କରିବି। ମୋତେ ବିଶ୍ୱାସ କରନ୍ତୁ, ପ୍ରତ୍ୟେକ ଅଭିଯୋଗର ସମାଧାନ କରାଯିବ। ଏହା ଏକ ସାଧାରଣ ଲୋକର ସରକାର। କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବରେ ବହୁତ ଭଲ କାମ କରିଥିଲେ।