Categories
ବିଶେଷ ଖବର

ମୁଖ୍ୟମନ୍ତ୍ରୀ ମକା ମିଶନର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ: ଫସଲ ଉତ୍ପାଦନରେ ୫୧ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ୫-ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷଙ୍କ ଭି.କେ. ପାଣ୍ଡିଆନ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମକା ମିଶନର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିବା ସହିତ ଜନଅଭିଯୋଗ ଶୁଣାଣି ଭିତ୍ତିରେ ପାନ ଚାଷୀ, କିଆଫୁଲ ଚାଷୀ ଓ ଲେମନ୍‌ଗ୍ରାସ ଚାଷୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ। ସମୀକ୍ଷାରୁ ଜଣା ଯାଇଛି ଯେ ମୁଖ୍ୟମନ୍ତ୍ରୀ ମକା ମିଶନ କାର୍ଯ୍ୟକ୍ରମ ପାଇଁ ଆରମ୍ଭ ହୋଇଥିବା କ୍ଷେତ୍ର ପ୍ରଦର୍ଶନରେ ଉତ୍ସାହଜନକ ଅଗ୍ରଗତି ପରିଲକ୍ଷିତ ହୋଇଛି ଏବଂ ଫସଲ ଉତ୍ପାଦନରେ ଶତକଡା ୫୧ ପ୍ରତିଶତ ବୃଦ୍ଧି ଘଟିଛି। ଏଥି ସହିତ ମକାର ସଂଗ୍ରହ ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ନଭେମ୍ବର ଶେଷ ସୁଦ୍ଧା ୪୪,୭୩୦ କୁଇଣ୍ଟାଲ ମକା ଏଫ.ପି.ଓ ଦ୍ୱାରା ସଂଗ୍ରହ କରାଯାଇଛି।

ମକା ଚାଷୀ ଯେପରି ଉଚିତ୍ ମୂଲ୍ୟ ପାଇପାରିବେ ସେଥିପାଇଁ ଅଧିକ ଏଫ.ପି.ଓ ଗଠନ ସହିତ ସେମାନଙ୍କ ଜରିଆରେ ସଂଗ୍ରହ ଜାରି ରଖିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି। ଆହୁରି ମଧ୍ୟ ଚାଷୀ ଯେପରି ଅଧିକ ମୂଲ୍ୟ ପାଇବେ ସେଥିପାଇଁ ଅଧିକରୁ ଅଧିକ ଘରୋଇ ବ୍ୟବସାୟୀଙ୍କୁ ଏଥିରେ ସଂପୃକ୍ତ କରିବା ପାଇଁ ନିଷ୍ପତି ନିଆଯାଇଛି। ଏହା ସହିତ ଏଫ.ପି.ଓ ର ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ନିଷ୍ପତି ହୋଇଛି। ଓର୍‌ମାସ୍‌ ମଧ୍ୟ ମକାର ପ୍ରାଥମିକ ପ୍ରକ୍ରିୟାକରଣ ଓ ମାର୍କେଟିଂରେ ସହଯୋଗ କରିବ ବୋଲି ବୈଠକରୁ ଜଣାଯାଇଛି।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଶେଷ ସୁଦ୍ଧା ୧୫ଟି ଏଫ.ପି.ଓ ଗଠନ କରାଯିବ ଏବଂ ଏଥି ମଧ୍ୟରୁ ୧୩ଟି ଗଠିତ ହୋଇସାରିଛି। କେବଳ ମହିଳାମାନଙ୍କୁ ନେଇ ୪ଟି ଏଫ.ପି.ଓ ଗଠନ କରାଯାଇଛି। ମିଶନର ପ୍ରଥମ ବର୍ଷରେ ୨୦ ହଜାର ମେଟ୍ରିକ ଟନ୍ ମକା ସଂଗ୍ରହ ଓ ମାର୍କେଟିଂ ଲକ୍ଷ୍ୟ ରଖାଯାଇଛି।

ରାଜ୍ୟରେ ମକା ମିଶନ ଜରିଆରେ ନବରଙ୍ଗପୁର, କୋରାପୁଟ, ଗଜପତି ଓ ନୂଆପଡା ଜିଲ୍ଲାରେ ମକା ମିଶନ କାର୍ଯ୍ୟକାରୀ କରାଯାଉଛି। ଏହି ମିଶନରେ ଚାଷୀମାନଙ୍କ ସହିତ ଆମର ମିଶନ ଶକ୍ତିର ମା’ମାନେ ମଧ୍ୟ ଅଂଶଗ୍ରହଣ କରୁଛନ୍ତି।

ସେହିପରି ୫-ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ଅନୁଷ୍ଠିତ ଜନଅଭିଯୋଗ ଶୁଣାଣିରେ ମିଳିଥିବା ପାନ ଚାଷୀ, କିଆଫୁଲ ଚାଷୀ ଓ ଲେମନ୍‌ ଗ୍ରାସ ଚାଷୀମାନେ ସେମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ତଦନୁଯାୟୀ, ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ପାନ ଚାଷୀ, କିଆଫୁଲ, ଓ ଲେମନ୍‌ ଗ୍ରାସ ଚାଷୀଙ୍କ କଲ୍ୟାଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଘୋଷଣା କରିଥିଲେ। ପାନ ଚାଷୀଙ୍କ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଣ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ସେହିପରି ଆପିକଲ୍ ଜରିଆରେ କିଆଫୁଲ ପ୍ରୋସେସିଂ ୟୁନିଟ୍ କରିବା ପାଇଁ ମଧ୍ୟ ଘୋଷଣା କରାଯାଇଥିଲା। ଯାହାଦ୍ୱାରା ଉଭୟ ପାନ ଚାଷୀ ଓ କିଆଫୁଲ ଚାଷୀ ଉପକୃତ ହୋଇପାରିବେ। କୋରାପୁଟରେ ଲେମନ୍‌ ଗ୍ରାସ୍‌ ଚାଷର ବିଶେଷ ଆଦର ରହିଥିବାରୁ ସେଠାରେ ଏହାକୁ ଅଧିକ ବ୍ୟାପକ କରିବା ପାଇଁ Horticulture Mission Plus ଅଧିନରେ ୮୪ ହଜାର ଟଙ୍କା ଏବଂ NHM ରେ ୧୬ ହଜାର ଟଙ୍କା ଏହିପରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ନିଷ୍ପତି ହୋଇଥିଲା।

ଆଜିର ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ସହାୟତାଗୁଡିକୁ ୨୬ ଜାନୁୟାରୀ ୨୦୨୪ ପୂର୍ବରୁ ଆରମ୍ଭ କରିବା ପାଇଁ ନିଷ୍ପତି ହୋଇଥିଲା। ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା  ସୁରେଶ କୁମାର ମହାପାତ୍ର, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ ଓ ସମବାୟ ସଚିବଙ୍କ ସମେତ ନବରଙ୍ଗପୁର, ଗଞ୍ଜାମ, ପୁରୀ ଓ କୋରାପୁଟର ଜିଲ୍ଲାପାଳ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ମକା ମିଶନ: ଦୁଇଟି ସଂସ୍ଥା ସହ ବୁଝାମଣା ପତ୍ର ସ୍ୱାକ୍ଷର କଲା ଓରମାସ୍‌

ଭୁବନେଶ୍ବର: ଏଣିକି ନବରଙ୍ଗପୁର ଜିଲ୍ଲା ମକା ଚାଷୀମାନେ ସେମାନଙ୍କ ଉତ୍ପାଦିତ ମକା ଉଚିତ ଦରରେ ସିଧାସଳଖ ବଡ଼ ଘରୋଇ ସଂସ୍ଥାକୁ ବିକ୍ରି କରିପାରବେ। ଏପରିକି ଅମଳ ମକା ସଂଗ୍ରହ, ଷ୍ଟୋରେଜ ଏବଂ ପରିବହନ ଆଦି ଦିଗ ପ୍ରତି ମଧ୍ୟ ଉପଯୁକ୍ତ ଧ୍ୟାନ ଦିଆଯିବ।

ଏ ନେଇ ଆଜି ଭୁବନେଶ୍ୱର ୟୁନିଟ-୮ ସ୍ଥିତ ଏସ୍‌.ଆଇ.ଆର.ଡି ଏବଂ ପଞ୍ଚାୟତିରାଜ କ୍ୟାମ୍ପସ ପରିସରରେ ଥିବା ମନରେଗା ସମ୍ମିଳନୀ କକ୍ଷରେ ଆୟୋଜିତ ମୁଖ୍ୟମନ୍ତ୍ରୀ ମକା ମିଶନ ଅନ୍ତର୍ଗତ କ୍ରେତା-ବିକ୍ରେତା ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଏହି ଅବସରରେ ଓରମାସ୍‌ ତରଫରୁ ଆନ୍ଧ୍ରପ୍ରଦେଶର ବିଜୟନଗର ବାୟୋଟେକ୍‌ ଏବଂ ବିହାର ପାଟନାର ଡିହାଟ୍‌ ସଂସ୍ଥା ସହିତ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଥିଲା। ଓରମାସ ତରଫରୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ଏହି ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ।

ଏହି ଅବସରରରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସୁଶୀଲ କୁମାର ଲୋହାନି ଓ ନବରଙ୍ଗପୁର ଜିଲ୍ଲାପାଳ ଶ୍ରୀଯୁକ୍ତ କମଳ ଲୋଚନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟ କ୍ଷେତ୍ରୀୟ ଯୋଜନା ଜରିଆରେ ଓରମାସ୍‌ ନବରଙ୍ଗପୁର ଜିଲ୍ଲାରେ ମକା ଉତ୍ପାଦନ, ସଂଗ୍ରହ ଏବଂ ବିକ୍ରି ପାଇଁ ମହିଳା ନେତୃତ୍ୱାଧୀନ ୧୪ଟି ଉତ୍ପାଦକ ସଂଗଠନ ପ୍ରତିଷ୍ଠା ଏବଂ ବିକଶିତ କରିବା ସହ ଗୋଟିଏ ମିଳିତ କୃଷକ ଉତ୍ପାଦକ ସଂଗଠନ ଗଠନ କରିଛି। ସେଥିମଧ୍ୟରୁ ୧୨ଟି କୃଷକ ଉତ୍ପାଦକ ସଂଗଠନ ପଞ୍ଜୀକୃତ ହୋଇସାରିଥିବା ବେଳେ, ୭ଟି ଏଗ୍ରିମଲ୍‌ ଏବଂ ୧ ଉତ୍ପାଦକ ଉଦ୍ୟୋଗ ପ୍ରତିଷ୍ଠା କରାଯାଇଛି।

ଏହି ଚୁକ୍ତିନାମ ଅନୁସାରେ, ବିଜୟନଗର ବାୟୋଟେକ ଏବଂ ଡିହାଟ୍‌- ଏହି ଦୁଇଟି ସଂସ୍ଥା, ନବରଙ୍ଗପୁର ଜିଲ୍ଲାରେ ଓରମାସ ଦ୍ୱାରା ଗଠିତ ଏବଂ ପରିଚାଳିତ ବିଭିନ୍ନ କୃଷକ ଉତ୍ପାଦକ ସଂଗଠନ ଗୁଡ଼ିକଠାରୁ ଉଚିତ ଦର ଦେଇ ମକା ସଂଗ୍ରହ କରିବେ।

ଏ ଦିଗରେ ଉଭୟ ସଂସ୍ଥା ଏବଂ ଉତ୍ପାଦକ ସଂଗଠନଗୁଡ଼ିକୁ ଓରମାସ୍‌ ତରଫରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ। ଏହି ବୁଝାମଣାପତ୍ର ନବରଙ୍ଗପୁର ଜିଲ୍ଲାର ଚାଷୀମାନଙ୍କୁ, କୃଷକ ଉତ୍ପାଦକ ସଂଗଠନ ମାଧ୍ୟମରେ ସେମାନଙ୍କ ଉତ୍ପାଦିତ ମକାକୁ ଉଚିତ ଦରରେ ପ୍ରତିଷ୍ଠିତ ସଂସ୍ଥାକୁ ବିକ୍ରି କରିବାକୁ ସୁଯୋଗ ପ୍ରଦାନ କରିବ।

ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସୁଶୀଲ କୁମାର ଲୋହାନି ଏ ଦିଗରେ କ୍ରମାଗତ ଦକ୍ଷତା ବୃଦ୍ଧି, ଆବଶ୍ୟକ ସହାୟତା ପ୍ରଦାନ, ମକା ସଂଗ୍ରହ ଆଦି କାର୍ଯ୍ୟଗୁଡ଼ିକୁ ଓରମାସ ଦ୍ୱାରା ନିୟମିତ ତଦାରଖ କରାଯାଉଛି ବୋଲି ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଷ୍ଠିତ ଘରୋଇ ସଂସ୍ଥା, ବିଜୟନଗର ବାୟୋଟେକ୍‌ ଡି-ହାଟ, ସୁଗୁନା, ଟି. ଫାର୍ମ ପ୍ରାଇଭେଟ ଲିମିଟେଡ, ଜାପଫା କମଫିଡ୍‌ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ଭେଙ୍କଟେଶ୍ୱର ହ୍ୟାଚେରିଜ୍‌, ଗୋ-ଗ୍ରୀନ ୱେୟାର ହାଉସେସ୍‌ ପ୍ରାଇଭେଟ୍‌ ଲିମିଟେଡ ଏବଂ ସେଣ୍ଟ୍ରାଲ ୱେୟାର ହାଉସିଂ କର୍ପୋରେସନର ପ୍ରତିନିଧି ଉପସ୍ଥିତ ଥିଲେ।

ଏଥିସହିତ ଆଇ.ସି.ଏ.ଆର ଅଧୀନସ୍ଥ-ଭାରତୀୟ ମକା ଗବେଷଣା ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଡକ୍ଟର ଶଙ୍କର ଲାଲ୍‌ ଜାଠ୍‌, ନବରଙ୍ଗପୁର ଜିଲ୍ଲାର ୧୪ଟି କୃଷକ ଉତ୍ପାଦକ ସଂଗଠନର ବୋର୍ଡ ଅଫ୍‌ ଡାଇରେକଫର୍ସ ସଦସ୍ୟା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଓରମାସ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।