Categories
ବିଶେଷ ଖବର ରାଜ୍ୟ ଖବର

ଖୋରଧା ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବ ଅନୁଷ୍ଠିତ,୧୭୯୮ ଜଣଙ୍କୁ ପୁରସ୍କାର

ଭୁବନେଶ୍ୱର: ଖୋରଧା ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ଉତ୍ସବ କ୍ୟାପିଟାଲ ହାଇସ୍କୁଲରେ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଓଡ଼ିଶା ସରକାରଙ୍କ ଏକ ଅଭିନବ କାର୍ଯ୍ୟକ୍ରମ। ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଶିକ୍ଷାର୍ଥୀ, ଶିକ୍ଷକ, ଗ୍ରାମ ପଞ୍ଚାୟତ, ବିଦ୍ୟାଳୟ, ବ୍ଲକ, ଆଲୁମିନ୍, ଏସ୍ଏମ୍‌ସି, ବିଇଓ, ଜିଲ୍ଲାକୁ ପୁରସ୍କୃତ କରାଯାଇ ଅନ୍ୟମାନଙ୍କୁ ଅଭିପ୍ରେରିତ କରିବା ଏହାର ଲକ୍ଷ୍ୟ। ଗୁଣାତ୍ମକ ଶିକ୍ଷାର ଲକ୍ଷ୍ୟ ହାସଲ ନିମନ୍ତେ ସମଗ୍ର ଭାରତବର୍ଷରେ ଏହା ଅଦ୍ବିତୀୟ କାର୍ଯ୍ୟକ୍ରମ।

ଏହି ପୁରସ୍କାର ଅନ୍ତର୍ଗତ ଅଭିନବ କାର୍ଯ୍ୟ ପ୍ରଦର୍ଶନ କରୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଗୁଡ଼ିକୁ ସ୍ବୀକୃତି ଦେବା ସହ ସଫଳତାର ସହିତ ହାଇସ୍କୁଲ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଶିକ୍ଷାର୍ଥୀମାନଙ୍କୁ ପୁରସ୍କୃତ କରି ଆଗକୁ ବଢିବାରେ ସହାୟତା ଓ ଉତ୍ସାହ ଦେବା ଏହାର ଏକମାତ୍ର ଲକ୍ଷ୍ୟ। ବିଦ୍ୟାଳୟ ଏବଂ ଶିକ୍ଷାର୍ଥୀମାନଙ୍କ ସର୍ବାଙ୍ଗୀନ ବିକାଶ କରିବା ଓ ଶିକ୍ଷାର୍ଥୀଙ୍କୁ ଭବିଷ୍ୟତ ମାର୍ଗଦର୍ଶନ କରିବାକୁ ପ୍ରେରଣା ଦେବା ପାଇଁ ଏହି ପୁରସ୍କାର ପ୍ରଚଳନ କରାଯାଇଛି।

ଆମର ମୁଖ୍ୟମନ୍ତ୍ରୀଙ୍କର ଦିଗ୍‌ଦର୍ଶନ ଓ ଶିକ୍ଷାକୁ ଆଗକୁ ନେବା ପାଇଁ ତାଙ୍କର ସ୍ୱପ୍ନକୁ ସଫଳ ରୂପାୟନ କରିବା ପାଇଁ ଏହି ପୁରସ୍କାର ସହାୟକ ହେବ ଏଥିରେ ସନ୍ଦେହ ନାହିଁ। ମୁଖ୍ୟମନ୍ତ୍ରୀ ଗତ ଜାନୁଆରୀ ମାସ ୩୧ ତାରିଖରେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ଅନେକ ଅନୁଷ୍ଠାନ ଓ ସଫଳ ଶିକ୍ଷାର୍ଥୀଙ୍କୁ ପୁରସ୍କୃତ କରିଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀଙ୍କ ସହ ବିଭିନ୍ନ ପ୍ରତିଭାଧାରୀ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାର୍ଥୀ ପୁରସ୍କୃତ ହୋଇଛନ୍ତି।

ଆଜି ଏହି ମର୍ମରେ ଖୋରଧା ଜିଲ୍ଲାର ଆଜି ସମୁଦାୟ ୧୭୯୮ ଜଣ ବିଦ୍ୟାର୍ଥୀ, ପ୍ରଧାନଶିକ୍ଷକ, ଗୋଷ୍ଠୀ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ, ବିଦ୍ୟାଳୟ, ବିଦ୍ୟାଳୟ ପରିଚାଳନା କମିଟି, ଆଲୁମିନି କମିଟି, ପଞ୍ଚାୟତ, ବ୍ଲକ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ମଧ୍ୟ ପୁରସ୍କୃତ ଦେବାକୁ ମନୋନୀତ ହୋଇଛନ୍ତି।

ଏହି ଅବସରରେ ଆୟୋଜିତ ଉତ୍ସବରେ ଖୋର୍ଦ୍ଧା ଜିଲାପାଳ ଚଞ୍ଚଳା ରଣା ଅଧ୍ୟକ୍ଷତା କରିଥିବା ବେଳେ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ରାଣୀ ଗୁମାନସିଂ, ବେଗୁନିଆ ବିଧାୟକ ଶ୍ରୀ ରାଜେନ୍ଦ୍ର କୁମାର ସାହୁ,ଭୁବନେଶ୍ୱର-ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର-ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି, ଉପଜିଲ୍ଲାପାଳ ଶ୍ରୀ ଚିନ୍ମୟ ଆଚାର୍ଯ୍ୟ, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷ ତାପସ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। କଠିନ ପରିଶ୍ରମ କରିବା ସହ ଆତ୍ମବିଶ୍ୱାସ ବୃଦ୍ଧି କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ସେମାନେ ପରାମର୍ଶ ଦେଇଥିଲେ।

ଶୃଙ୍ଖଳା ଓ ଗୁରୁଜନ ମାନଙ୍କୁ ଉତ୍ତମ ସମ୍ମାନ ପ୍ରଦାନ ସମାଜରେ ନିଜକୁ ପ୍ରତିଷ୍ଠିତ କରାଇବାରେ ସହାୟକ ହୋଇଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ ପୂର୍ବକ ଯୋଗ ଦେଇଥିବା ବିଦ୍ୟାର୍ଥି ଓ ଶିକ୍ଷକଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନ ମିଳିବ, ଉତ୍ସାହ ବୃଦ୍ଧି ଓ ଶିକ୍ଷା ରେ ଆଗ୍ରହ ଆଣିବା ପାଇଁ ସରକାରଙ୍କ ଏହା ଏକ ଅଭିନବ ପ୍ରୟାସ ବୋଲି ଅତିଥି ମାନେ ଉଲ୍ଲେଖ କରିଥିଲେ। ଅତିଥିମାନେ ପ୍ରତ୍ୟେକ ପୁରସ୍କାରଧାରୀଙ୍କୁ ମାନପତ୍ର, ଟ୍ରଫି ପ୍ରଦାନ କରିଥିଲେ। ପୁରସ୍କାର ବାବଦରେ ନିର୍ଦ୍ଧାରିତ ଅର୍ଥରାଶି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରେରଣ ପାଇଁ ଘୋଷଣା କରାଯାଇଥିଲା l ଏହି ପୁରସ୍କାର ନିଶ୍ଚିତ ଭାବେ ସଫଳ ଶିକ୍ଷାର୍ଥୀ, ବିଦ୍ୟାଳୟ, ଗ୍ରାମ ପଞ୍ଚାୟତ, ଏସ୍ଏମ୍‌ସି ପ୍ରଭୃତିକୁ ଅଧିକରୁ ଅଧୁକ ଆଗେଇବା ପାଇଁ ପ୍ରେରଣା ଓ ଉତ୍ସାହ ଯୋଗାଇବ।

ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ବନାଥ ତରାଇ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲା ସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ: ପୁରସ୍କୃତ ହେଲେ ୨୨୦୧ ଛାତ୍ରଛାତ୍ରୀ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଶିକ୍ଷା ବିଭାଗ ତରଫରୁ ଅନେକ ସମୟରେ ଅଭିନବ ଯୋଜନା ସବୁ ପ୍ରଣୟନ ହେଉଛି। ସେହି କ୍ରମରେ ଶିକ୍ଷାୟତନର ବିବିଧ ଦିଗ ଉପରେ ଗୁରୁତ୍ୱ ଦିଆଯାଉଛି। ଏହାସହ ସମ୍ପୃକ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଏସଏମସି, ଆଲୁମିନି କମିଟି ଓ ଗ୍ରାମପଞ୍ଚାୟତମାନଙ୍କୁ ଶିକ୍ଷାର ବିକାଶ ଦିଗରେ ଉତ୍ସାହିତ କରିବା ପାଇଁ ପ୍ରଚଳିତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଏକ ଅଭିନବ ପ୍ରୟାସ ବୋଲି କଳାହାଣ୍ଡି ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଡିଆଇଇଟି ପଡ଼ିଆରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଆୟୋଜିତ ହୋଇଯାଇଛି।

ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ଧର୍ମଗଡ଼ ବିଧାୟକ ମୌଷଧି ବାଗ, ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ନିହାରେନ୍ଦ୍ର ପଣ୍ଡା, ଡିଆଇଇଟି ଅଧ୍ୟକ୍ଷା ଡ.ସ୍ନେହପ୍ରଭା ମହାପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା ଅତିଥି ଭାବେ ଯୋଗଦେଇ କୃତି ପ୍ରତିଭା ଓ ଅନୁଷ୍ଠାନମାନଙ୍କୁ ପୁରସ୍କୃତ କରିଥିଲେ।

ଏହି ଅବସରରେ ୧୧୭ ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ସ୍ତରୀୟ ଏକାଡେମିକ ପୁରସ୍କାର (₹୧୧,୭୦,୦୦୦), ୧୩୩୪ ଜଣ ଛାତ୍ରଛାତ୍ରୀଙ୍କୁ ବ୍ଲକ ସ୍ତରୀୟ ଏକାଡେମିକ ପୁରସ୍କାର (₹୬୬,୭୦,୦୦୦), ୬୧୪ ଜଣଙ୍କୁ ଛାତ୍ର ଲିଡରସିପ ପୁରସ୍କାର (₹୧୮,୪୨,୦୦୦), ୧୨ଟି ବ୍ଲକ ଆଲୁମିନି କମିଟି ପୁରସ୍କାର (₹୩,୬୦,୦୦୦), ୭ଟି ମାଧ୍ୟମିକ ପ୍ରଧାନଶିକ୍ଷକ ପୁରସ୍କାର (୨,୧୦,୦୦୦), ୩୯ଟି ଲେଖାଏଁ ମାଧ୍ୟମିକ ଓ ପ୍ରାଥମିକ ବିଦ୍ୟାଳୟ ପୁରସ୍କାର (₹୧,୧୭,୦୦,୦୦୦ ଓ (୩୯,୦୦,୦୦୦), ୧୩ଟି ଲେଖାଏଁ ବ୍ଲକ ସ୍ତରୀୟ ଗ୍ରାମପଞ୍ଚାୟତ ପୁରସ୍କାର (₹୧୩,୦୦,୦୦୦), ଏସଏମସି ପୁରସ୍କାର (₹୩,୯୦,୦୦୦) ଓ ପ୍ରାଥମିକ ଶିକ୍ଷକ ପୁରସ୍କାର ପ୍ରଦାନ (₹୩,୨୫,୦୦୦) ପ୍ରଦାନ କରାଯାଇଥିଲା। ଜିଲ୍ଲାର ୧୩ଟି ବ୍ଲକରୁ ସମୁଦାୟ ୨୨୦୧ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଏସଏମସି, ଆଲୁମିନି କମିଟି ଓ ଗ୍ରାମପଞ୍ଚାୟତ ପ୍ରତିନିଧି ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ।

ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସର୍ବେଶ୍ୱର ଭୋଇ, ଜଗନ୍ନାଥ ତ୍ରିପାଠୀ, ସଂଗୀତା ରାଉତ ଓ ଯଦୁ ନାଏକ ସଂଗୀତ ପରିବେଷଣ କରିଥିବା ବେଳେ ଡିଆଇଇଟିର ଗୁରୁଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଡିଲେଶ୍ବର ରଣା, ଶ୍ରୁତି ସିଲଭା ପଣ୍ଡା ଓ ବିରଞ୍ଚି ନାରାୟଣ ମୁଣ୍ଡ। ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମୋ ସ୍କୁଲ ସଂଯୋଜକ ପ୍ରଶାନ୍ତ ନନ୍ଦ ଓ ଶଗଡ଼ା ହାଇସ୍କୁଲ ପ୍ରଧାନଶିକ୍ଷକ ସୁକାନ୍ତ ସାହୁ। ଏଥିରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ସମଗ୍ର ଶିକ୍ଷା, ଜିଲ୍ଲାର ସମସ୍ତ ବିଇଓ, ଏବିଇଓ, ଡିଆଇଇଟି ଓ ଆୟୋଜକ କମିଟିର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ।

Categories
ଆଜିର ଖବର

‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କଲେ ନବୀନ ପଟ୍ଟନାୟକ, ୪ଟି ଜିଲ୍ଲାକୁ ଶ୍ରେଷ୍ଠ ସମ୍ମାନ

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଛି ଶିକ୍ଷାର ଉତ୍ସବ। ଶିକ୍ଷାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ପାଇଁ, ଶିକ୍ଷା ବ୍ୟବସ୍ଥାରେ ନୂଆ ବିପ୍ଳବ ଆଣିବା ପାଇଁ 5T ଉପକ୍ରମରେ ଆରମ୍ଭ ହୋଇଛି ଅଭିନବ ପ୍ରୟାସ। ଜିଲ୍ଲା, ବ୍ଲକ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ପୁରାତନ ଛାତ୍ର କମିଟି, ଗ୍ରାମ ପଞ୍ଚାୟତ, ଶିକ୍ଷା ଅଧିକାରୀ, ଜିଲ୍ଲା, ବ୍ଲକ ସମସ୍ତଙ୍କ ଅବଦାନ ପାଇଁ ମିଳିଛି “ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର”। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ପ୍ରଦାନ କରିଛନ୍ତି।

ବ୍ୟକ୍ତିଗତ ଓ ଆନୁଷ୍ଠାନିକ ଦୁଇଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି। ସମୁଦାୟ ୧୬ଟି ବିଭାଗରେ ୭୫୧୯ ଟି ପୁରସ୍କାର ପ୍ରଦାନ କରାଯାଇଛି। ସମୁଦାୟ ୧୩୮ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି।

ବ୍ୟକ୍ତିଗତ ପୁରସ୍କାର (ମାଧ୍ୟମିକ) ବର୍ଗରେ ମାଟ୍ରିକ ପରୀକ୍ଷାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୨୦୨୭ ଜଣ ମେଧାବୀ ଛାତ୍ରଛାତ୍ରୀ, ୭୦୦ ଶିକ୍ଷକ ଶିକ୍ଷୟତ୍ରୀ, ୪୧୯ ଜଣ ପ୍ରଧାନ ଶିକ୍ଷକ, ୫୮ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ୧୦ ଜଣ ଗୋଷ୍ଠୀ ଶିକ୍ଷା ଅଧିକାରୀ, ୩ ଜଣ ଜିଲ୍ଲା ଶିକ୍ଷା ଅଧିକାରୀ ପୁରସ୍କାର ପାଇଛନ୍ତି।

ସେହିପରି ବ୍ୟକ୍ତିଗତ ପୁରସ୍କାର (ପ୍ରାଥମିକ) ବର୍ଗରେ ୩୫୦ ଜଣ ପ୍ରଧାନ ଶିକ୍ଷକ ଓ ୩୧୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପୁରସ୍କାର ପାଇଛନ୍ତି। ସେହିପରି ଆନୁଷ୍ଠାନିକ (ମାଧ୍ୟମିକ) ବର୍ଗରେ ୪ଟି ଜିଲ୍ଲା, ୧୦ଟି ବ୍ଲକ, ୧୦୫୭ଟି ସ୍କୁଲ, ୪୧୯ଟି ବିଦ୍ୟାଳୟ ପରିଚାଳନା କମିଟି, ୪୧୯ଟି ପୁରାତନ ଛାତ୍ର କମିଟି, ୪୧୪ଟି ଗ୍ରାମ ପଞ୍ଚାୟତ ପୁରସ୍କାର ପାଇଛନ୍ତି।

ସେହିପରି ଆନୁଷ୍ଠାନିକ (ପ୍ରାଥମିକ) ବର୍ଗରେ ୧୩୦୭ଟି ବିଦ୍ୟାଳୟ ପୁରସ୍କାର ପାଇଛନ୍ତି। ଏହା ବ୍ୟତିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବର୍ଗରେ ୩ଟି ଆନୁଷ୍ଠାନିକ ପୁରସ୍କାର ପ୍ରଦାନ କରାଯାଇଛି। ବିଦ୍ୟାଳୟ ଶିକ୍ଷାର ସାମଗ୍ରିକ ବିକାଶ ସହ ପିଲାଙ୍କ ବୌଦ୍ଧିକ ବିକାଶ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ଅନୁସୂଚିତ ଜନଜାତି, ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଏବଂ ପଞ୍ଚାୟତରାଜ ପାନୀୟ ଜଳ, ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ପ୍ରମୁଖ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅନ୍ୟମାନଙ୍କୁ ଉଦ୍‌ବୋଧନ ଦେଇ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ କହିଲେ ଯେ କୋଭିଡ ସମୟରୁ ପିଲାଙ୍କ ପାଠପଢାର ଅସୁବିଧାକୁ ଦେଖି ମୁଖ୍ୟମନ୍ତ୍ରୀ ଅନଲାଇନ ଜରିଆରେ ପାଠପଢାର ବ୍ୟବସ୍ଥା ସମ୍ପର୍କରେ ଚିନ୍ତା କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା 5T ହାଇସ୍କୁଲ ରୂପାନ୍ତର। ବର୍ତ୍ତମାନ ସୁଦ୍ଧା ପ୍ରାୟ ୮ ହଜାର ସ୍କୁଲର ରୂପାନ୍ତର ହୋଇସାରିଛି।

ସେ କହିଲେ ଯେ ହାଇସ୍କୁଲ ରୂପାନ୍ତର ଟିମ୍‌ ୱାର୍କର ଅନନ୍ୟ ଉଦାହରଣ। ପୁରାତନ ଛାତ୍ରଛାତ୍ରୀ, ଜନ ପ୍ରତିନିଧି, ପ୍ରଶାସନ ସମସ୍ତେ ଏକ ଟିମ୍‌ ଭଳି କାମ କରିଛନ୍ତି। ଆପଣମାନେ ସମସ୍ତେ ଓଡିଶାର ବିକାଶର ଗୋଟିଏ ଗୋଟିଏ ସ୍ତମ୍ବ। ଆପଣମାନେ ପିଲାଙ୍କ ଭିତରେ ରୂପାନ୍ତରଣର ବୀଜ ବପନ କରିଛନ୍ତି। ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହା ଦ୍ୱାରା ଆଜି ପିଲାଙ୍କ ଉତ୍ସାହ ବଢିଛି। ଆଜିର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଶିକ୍ଷା ପରିବେଶ ସହିତ ଜଡିତ ସମସ୍ତଙ୍କ ଉତ୍ସାହ, ମନୋବଳ ବୃଦ୍ଧି କରିଛି। ପିଲାଙ୍କ ସ୍ୱପ୍ନକୁ ଅଧିକ ଉଚ୍ଚ କରିବା ଏବଂ ପୂରଣ କରିବାର ଆତ୍ମବିଶ୍ୱାସକୁ ବୃଦ୍ଧି କରିବା ଦିଗରେ ଏହି ପୁରସ୍କାର ସହାୟକ ହେବ। ଓଡିଶାରେ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଏକ ବିପ୍ଳବ ଆସିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ଦିଗରେ ଆଜି ସମସ୍ତେ ଜଣେ ଜଣେ ଚମ୍ପିଅନ ହୋଇପାରିଛନ୍ତି ବୋଲି ସେ କହିଥିଲେ। ମାଧ୍ୟମିକ ସ୍କୁଲ ସହିତ ଉଚ୍ଚ ମାଧ୍ୟମିକ ଓ କଲେଜର ମଧ୍ୟ ରୂପାନ୍ତରଣ ଚାଲିଛି। ଖୁବ୍‌ ଶୀଘ୍ର ଏହି ଅନୁଷ୍ଠାନ ଗୁଡିକ ଲୋକାର୍ପିତ ହେବ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଅଶ୍ବଥୀ ଏସ୍‌ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ସ୍ବତନ୍ତ୍ର ପ୍ରୋଜେକ୍ଟ ଡାଇରେକ୍ଟର ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଯାଞ୍ଚ ଆରମ୍ଭ, ଜାଣନ୍ତୁ କେଉଁ ବର୍ଗ ପାଇଁ କେତେ ଆସିଛି ଆବେଦନ

ଭୁବନେଶ୍ୱର: ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଅଧୀନରେ ୧୪ଟି ବିଭାଗରେ ପୁରସ୍କାର ପାଇଁ ସାରା ରାଜ୍ୟରୁ ୭୯୫୬୫ ଜଣ ଆବେଦନ କରିଛନ୍ତି। ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ଆବେଦନ ପତ୍ରର ଯାଞ୍ଚ ଆରମ୍ଭ ହୋଇଛି। ବିଭିନ୍ନ ସ୍ତରରେ ଯାଞ୍ଚ କରାଯାଇ ୧୪ଟି ବର୍ଗରେ ବିଭିନ୍ନ ସ୍ତରରେ ପୁରସ୍କାର ପାଇଁ ଶ୍ରେଷ୍ଠ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ଚୟନ କରାଯିବ।

‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଅଧୀନରେ ମାଧ୍ୟମିକ ବିଦ୍ୟାଳୟ ପୁରସ୍କାର ପାଇଁ ମୋଟ ୫୦୨୫ଟି ବିଦ୍ୟାଳୟ ଆବେଦନ କରିଛନ୍ତି। ସେହିପରି ପ୍ରଧାନଶିକ୍ଷକ (ମାଧ୍ୟମିକ ବିଦ୍ୟାଳୟ) ପାଇଁ ୪୩୦୪ ଜଣ ଓ ଶିକ୍ଷକ ପୁରସ୍କାର (ମାଧ୍ୟମିକ ବିଦ୍ୟାଳୟ) ପାଇଁ ୧୪୨୬୨ ଜଣ ଶିକ୍ଷକ ଆବେଦନ କରିଛନ୍ତି।

ପ୍ରାଥମିକ ବିଦ୍ୟାଳୟ ପୁରସ୍କାର ପାଇଁ ୧୦୦୨୩ ଟି ବିଦ୍ୟାଳୟ ଆବେଦନ କରିଥିବାବେଳେ ପ୍ରଧାନଶିକ୍ଷକ (ପ୍ରାଥମିକ ବିଦ୍ୟାଳୟ) ପୁରସ୍କାର ପାଇଁ ୮୪୫୪ ଜଣ ଆବେଦନ କରିଛନ୍ତି। ଶିକ୍ଷକ ପୁରସ୍କାର (ପ୍ରାଥମିକ ବିଦ୍ୟାଳୟ) ନିମନ୍ତେ ସାରା ରାଜ୍ୟରୁ ୩୦୯୯୯ ଜଣ ଶିକ୍ଷକ ଆବେଦନ କରିଛନ୍ତି। ସେହିପରି ପୁରାତନ ଛାତ୍ରଛାତ୍ରୀ କମିଟି ପୁରସ୍କାର ପାଇଁ ବିଭିନ୍ନ ବିଦ୍ୟାଳୟରୁ ସମୁଦାୟ ୩୫୯୫ଟି କମିଟି ଆବେଦନ କରିଛନ୍ତି। ଏହି ସମସ୍ତ ପୁରସ୍କାର ପାଇଁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ, ଜିଲ୍ଲା ପୁରସ୍କାର ପାଇଁ ୨୩, ବ୍ଲକ ପୁରସ୍କାର ପାଇଁ ୧୩୮, ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ପୁରସ୍କାର ପାଇଁ ୨୪, ବ୍ଲକ୍‌ ଶିକ୍ଷା ଅଧିକାରୀ (ବିଇଓ) ପୁରସ୍କାର ପାଇଁ ୧୦୩, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି) ପୁରସ୍କାର ପାଇଁ ୩୦, ଗ୍ରାମପଞ୍ଚାୟତ ପୁରସ୍କାର ପାଇଁ ୧୨୧୭, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ (ସିଆର୍‌ସିସି) ପୁରସ୍କାର ପାଇଁ ୧୩୬୮ଟି ଆବେଦନ ଆସିଛି। ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରୀୟ କମିଟିରେ ଏହି ଆବେଦନର ଯାଞ୍ଚ କରାଯାଇ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରୀୟ ପୁରସ୍କାର ପାଇଁ ଚୟନ କରାଯିବ।

ଉଲ୍ଲେଖଯୋଗ୍ୟ, ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକର ମେଧାବୀ ଛାତ୍ରଛାତ୍ରୀ, ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଶିକ୍ଷକ-ଶିକ୍ଷୟିତ୍ରୀ, ଶିକ୍ଷା ପ୍ରଶାସକ, ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ଉଲ୍ଲେଖନୀୟ ବ୍ୟକ୍ତିବିଶେଷ ଓ ବିଭିନ୍ନ ଅନୁଷ୍ଠାନକୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ରେ ପୁରସ୍କୃତ କରାଯିବ। ରାଜ୍ୟସ୍ତରରେ ୧୯,୪୬୭ଟି ପୁରସ୍କାର ବାବଦରେ ୩୨,୧୭,୨୯,୦୦୦ ଟଙ୍କା ପ୍ରଦାନ କରାଯିବ।

ସେହିପରି ଜିଲ୍ଲାସ୍ତରରେ ୪,୬୮୦ଟି ପୁରସ୍କାର ପାଇଁ ୨୪,୫୮,୫୦,୦୦୦ ଟଙ୍କା ପୁରସ୍କାର ରାଶି ଦିଆଯିବ। ବ୍ଲକ୍‌ସ୍ତରରେ ୩୪,୮୫୪ଟି ପୁରସ୍କାର ବାବଦକୁ ୫୯,୯୭,୪୦,୦୦୦ ଟଙ୍କା ପ୍ରଦାନ କରାଯିବ। ମହାନଗର ନିଗମ ସ୍ତରରେ ୫୦ଟି ଓ ସବ୍‌ଡିଭିଜିନାଲ ସ୍ତରରେ ୫୮ଟି ପୁରସ୍କାର ପାଇଁ ୧୧ ଲକ୍ଷ ୬୦,୦୦୦ ପୁରସ୍କାର ରାଶି ଦିଆଯିବ।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ସ୍କୁଲ ସ୍ତରରେ ନେତୃତ୍ବ ନେବାର ଗୁଣ ଥିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ମୁଖ୍ୟମନ୍ତ୍ରୀ ପୁରସ୍କାର

ଭୁବନେଶ୍ୱର: ଦଶମ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର। ଏ ନେଇ ପ୍ରଥମ ରାଜ୍ୟସ୍ତରୀୟ କମିଟି ବୈଠକ ଗୁରୁବାର ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି।

ବୈଠକରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ବିଭିନ୍ନ ପୁରସ୍କାର ବିଷୟରେ ଆଲୋଚନା କରାଯାଇଥିଲା।ଛାତ୍ରଛାତ୍ରୀ ମେଧାବୀ ପୁରସ୍କାର ଓ ଛାତ୍ରଛାତ୍ରୀ ମେଧା-ବୃତ୍ତି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ରାଜ୍ୟସ୍ତରୀୟ ଛାତ୍ରଛାତ୍ରୀଙ୍କ ତାଲିକାକୁ ବୈଠକରେ ଉପସ୍ଥାପିତ କରାଯାଇଥିଲା।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ଶ୍ରୀମତୀ ଅଶ୍ୱଥୀ ଏସ୍ବୈଠକରେ ଅଧ୍ୟକ୍ଷତା କରିଥିଲେ। ଶ୍ରୀମତୀ ଅଶ୍ୱଥୀ କହିଥିଲେ, ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ପ୍ରୋତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଶା କରାଯାଉଛି ଏହା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଓ ପ୍ରେରଣା ସୃଷ୍ଟି କରିବ।

ରାଜ୍ୟ ସ୍ତରରେ ଛାତ୍ରଛାତ୍ରୀ ମେଧାବୀ ପୁରସ୍କାର ଓ ଛାତ୍ରଛାତ୍ରୀ ମେଧା-ବୃତ୍ତି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ତାଲିକାକୁ ରାଜ୍ୟସ୍ତରୀୟ କମିଟି ଅନୁମୋଦନ କରିବା ପରେ ପୁରସ୍କାର ରାଶି ସିଧା ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ।

ଏହାସହ ଜିଲ୍ଲାସ୍ତରୀୟ ମେଧାବୀ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ତାଲିକାକୁ ଖୁବ ଶୀଘ୍ର ଜିଲ୍ଲାସ୍ତରୀୟ କମିଟିକୁ ଅନୁମୋଦନ ପାଇଁ ପଠାଇବାକୁ ଶ୍ରୀମତୀ ଅଶ୍ୱଥୀ କହିଥିଲେ। ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଏବଂ ଅନୁସୂଚିତ ଜନଜାତି ଓ ଜାତି ବିଦ୍ୟାଳୟରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଏହି ପୁରସ୍କାର ମିଳିବ।

ଛାତ୍ରଛାତ୍ରୀ ମେଧାବୀ ପୁରସ୍କାର ଦଶମ ବୋର୍ଡ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ ଦିଆଯିବ।ରାଜ୍ୟସ୍ତରରେ ଶ୍ରେଷ୍ଠ ୧୦୦ଜଣଙ୍କୁ ୫୦ହଜାର ଟଙ୍କା, ଜିଲ୍ଲା ସ୍ତରରେ ଶ୍ରେଷ୍ଠ ୩୦୦୦ଜଣଙ୍କୁ ୧୦ହଜାର ଟଙ୍କା ଏବଂ ବ୍ଲକ ସ୍ତରରେ ପ୍ରତିବ୍ଲକରୁ ଶ୍ରେଷ୍ଠ ୧୦୦ ଜଣଙ୍କୁ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ମିଳିବ।

ଅନ୍ୟପକ୍ଷରେ ଦଶମ ବୋର୍ଡ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଆର୍ଥିକ ଅନଗ୍ରସର ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବାକୁ ଛାତ୍ରଛାତ୍ରୀ ମେଧା-ବୃତ୍ତି ପୁରସ୍କାର ମିଳିବ। ରାଜ୍ୟରେ ସର୍ବାଧିକ ନମ୍ବର ରଖିଥିବା ୨ ହଜାର ଜୀତୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍ଏଫ୍ଏସ୍ଏସ୍) ରେସନ କାର୍ଡ ହିତାଧିକାରୀ ପରିବାରର ଛାତ୍ରଛାତ୍ରୀଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ଦିଆଯିବ।

ଏହାପରେ ବିଦ୍ୟାଳୟ ସ୍ତରରେ ନେତୃତ୍ୱ ନେବାର କଳାଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବାକୁ ମିଳିବ ଛାତ୍ରଛାତ୍ରୀ ନେତୃତ୍ୱ ପୁରସ୍କାର। ପ୍ରତ୍ୟେକ ସ୍କୁଲରୁ ଦଶମ ଶ୍ରେଣୀର ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁଏହି ପୁରସ୍କାର ଦିଆଯିବ। ସମୁଦାୟ ୮୩୧୧ ଛାତ୍ର ଓ ୮୮୦୭ ଛାତ୍ରୀଙ୍କୁ ଏହି ପୁରସ୍କାର ମିଳିବ।

କାର୍ଯ୍ୟକ୍ରମରେ କମିଟିର ସଦସ୍ୟ ଆବାହକ ତଥା ‘ମୋ ସ୍କୁଲ ଅଭିଯାନ’ର ସଦସ୍ୟ ସଚିବ ଶ୍ରୀ ଅନୁପମ ସାହା ସ୍ୱାଗତ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ‘ମୋ ସ୍କୁଲ ଅଭିଯାନ’ର ଭାରପ୍ରାପ୍ତ ଅଧିକାରୀ କାବେରୀ ମୁଦୁଲି ସମସ୍ତ ପୁରସ୍କାର ଓ ଏହାର ଚୟନ ପ୍ରକ୍ରିୟା ଉପରେ ସମ୍ୟକ ସୂଚନା ଦେଇଥିଲେ।

ବୈଠକରେ ବିଭାଗୀୟ ସମସ୍ତ ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ, ନିର୍ଦ୍ଦେଶକ, ଅନୁସୂଚିତଜାତି ଓ ଜନଜାତି ବିକାଶ ବିଭାଗର ଯୁଗ୍ମ ନର୍ଦେଶକ, ଏନସିଇଆରଟି, ଏନସିପିସିଆର୍, ୟୁଏନଡିପି, ୟୁଏନ୍ଏଫପିଏ, ଡବ୍ଲ୍ୟଏଫପି, ୟୁନିସେଫ୍ର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ‘ମୋ ସ୍କୁଲ ଅଭିଯାନ’ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମର ଜିତ୍ଜେନା ଧନ୍ୟବାଦ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ର ଆଭିମୁଖ୍ୟ ହେଉଛି ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ସ୍କୁଲର ସଫଳତାକୁ ଆହୁରି ପ୍ରୋତ୍ସାହିତ କରିବା।ଏହି କାର‌୍ୟ୍ୟକ୍ରମ ମାଧ୍ୟମରେ ବ୍ୟକ୍ତିଗତ ପୁରସ୍କାର (ଇଣ୍ଡିଭିଜୁଆଲ୍ ଆୱାର୍ଡ) ଓ ଆନୁଷ୍ଠାନିକ ପୁରସ୍କାର (ଇନଷ୍ଟିଚ୍ୟସନାଲ୍ ଆୱାର୍ଡ) ବ୍ୟବସ୍ଥା ରହିଛି।

ବ୍ୟକ୍ତିଗତ ପୁରସ୍କାରରେ ଛାତ୍ରଛାତ୍ରୀଙ୍କୁ ମେଧାବୀ ପୁରସ୍କାର, ଛାତ୍ରଛାତ୍ରୀ ନେତୃତ୍ୱ ପୁରସ୍କାର ଓ ଛାତ୍ରଛାତ୍ରୀ ମେଧା-ବୃତ୍ତି ପୁରସ୍କାର ଦିଆଯିବ।ଏହାସହ ବ୍ୟକ୍ତିଗତ ପୁରସ୍କାରରେ ଶିକ୍ଷକ ପୁରସ୍କାର, ପ୍ରଧାନ ଶିକ୍ଷକ ପୁରସ୍କାର, ସିଆର୍ସିସି ପୁରସ୍କାର, ବିଇଓ ପୁରସ୍କାର ଏବଂ ଡିଇଓ ପୁରସ୍କାର ଦିଆଯିବ।

ଅନ୍ୟପକ୍ଷରେ ଆନୁଷ୍ଠାନିକ ପୁରସ୍କାରରେ ମାଧ୍ୟମିକ ସ୍କୁଲଗୁଡ଼ିକୁ ଜିଲ୍ଲା, ବ୍ଲକ୍, ସ୍କୁଲସ୍ତରରେ ପୁରସ୍କୃତ କରାଯିବ। ଏହାସହ ଶ୍ରେଷ୍ଠ ଏସ୍ଏମ୍ସି, ଶ୍ରେଷ୍ଠ ପୁରାତନ ଛାତ୍ର କମିଟି, ଶ୍ରେଷ୍ଠ ଗ୍ରାମ ପଞ୍ଚାୟତକୁ ମଧ୍ୟ ଏହି ପୁରସ୍କାର ମିଳିବ।ସେହିପରି ଆନୁଷ୍ଠାନିକ ପୁରସ୍କାରରେ ପ୍ରାଥମିକ ସ୍କୁଲ ପାଇଁ ରହିଛି ସ୍କୁଲ ପୁରସ୍କାର।ଏହାସହ ତିନୋଟି ଶ୍ରେଷ୍ଠ ଡିଆଇଟିଗୁଡିକୁ ମଧ୍ୟ ଆନୁଷ୍ଠାନିକ ପୁରସ୍କାର ଦିଆଯିବ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର: ଶିକ୍ଷା ସହ ସବୁ ବର୍ଗର ଲୋକଙ୍କୁ ପୁରସ୍କୃତ ତଥା ସମ୍ମାନିତ କରିବା ଲକ୍ଷ୍ୟ

ଭୁବନେଶ୍ୱର: ଶୈକ୍ଷିକ ବାତାବରଣ ସହ ଜଡ଼ିତ ସବୁ ବର୍ଗର ଲୋକଙ୍କୁ ପୁରସ୍କୃତ ତଥା ସମ୍ମାନିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଅଭିନବ ପ୍ରୟାସ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର। ଏହି ପୁରସ୍କାର କାର୍ଯ୍ୟକ୍ରମର କାର୍ଯ୍ୟକାରିତା ନିମନ୍ତେ ମଙ୍ଗଳବାର ଦିନ ଭୁବନେଶ୍ୱରସ୍ଥିତ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଜିଲ୍ଲା ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦଠାରେ ଏକ ଦୁଇ ଦିନିଆ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ‘ରାଜ୍ୟ ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ’ର ଅଧ୍ୟକ୍ଷ ଓ ଅନ୍ୟ ଅଧିକାରୀମାନେ ଯୋଗ ଦେଇଛନ୍ତି।

ମାଧ୍ୟମିକ ବିଦ୍ୟାଳୟ ପୁରସ୍କାର, ପ୍ରାଥମିକ ବିଦ୍ୟାଳୟ ପୁରସ୍କାର, ପୁରାତନ ଛାତ୍ର ସଂସଦ ପୁରସ୍କାର, ଗ୍ରାମ ପଞ୍ଚାୟତ ପୁରସ୍କାର, ବିଦ୍ୟାଳୟ ପରିଚାଳନା କମିଟି ପୁରସ୍କାର, ଡିଆଇଇଟି ପୁରସ୍କାର ଏବଂ ସିଆରସିସି, ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ୍‌ ଶିକ୍ଷା ଅଧିକାରୀ ପୁରସ୍କାର ଆଦି ବର୍ଗରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଯୋଗ୍ୟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଆୟୋଜିତ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ଏହି ଶିକ୍ଷା ପୁରସ୍କାରର ସବିଶେଷ ବିବରଣୀ ଡିଆଇଇଟିର ଅଧ୍ୟକ୍ଷମାନଙ୍କୁ ପ୍ରଦାନ କରାଯାଇଛି। ଏହାସହ ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ପୁରସ୍କାର ସମ୍ବନ୍ଧୀୟ ମୁଖ୍ୟ ପ୍ରଶିକ୍ଷଣ ପୁସ୍ତିକା ଓ ଅନ୍ୟାନ୍ୟ ମୁଦ୍ରଣ ସାମଗ୍ରୀ ଯୋଗାଇ ଦିଆଯାଇଛି। ପରବର୍ତ୍ତୀ ସମୟରେ ଜିଲ୍ଲାସ୍ତରରେ ଆୟୋଜିତ ହେଉଥିବା କ୍ଲଷ୍ଟର ବୈଠକଗୁଡିକରେ ଉକ୍ତ ଡିଆଇଇଟି ଅଧ୍ୟକ୍ଷମାନେ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ୍‌ ଶିକ୍ଷା ଅଧିକାରୀ ଓ ଅନ୍ୟ ଅଧିକାରୀମାନଙ୍କୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ର ଧାରଣା ପ୍ରଦାନ କରିବେ।

ପ୍ରଥମ ଥର ପାଇଁ ଆରମ୍ଭ ହେବାକୁ ଯାଉଥିବା ଶିକ୍ଷା ପୁରସ୍କାରର ଏହି ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍‌. ପୁରସ୍କାର ସମ୍ବନ୍ଧରେ ପ୍ରାରମ୍ଭିକ ଧାରଣା ପ୍ରଦାନ କରିଥିଲେ। ସେ କହିଛନ୍ତି, ଏହା ହିଁ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ପ୍ରକୃତ ବିସ୍ତାର। ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ର କାର୍ଯ୍ୟକାରିତା, ଏଫଏଲଏନ୍‌ ମଡେଲଗୁଡିକର ପ୍ରଚଳନ, ସିଆରସିସିମାନଙ୍କର ମାସିକ କ୍ଲଷ୍ଟର ବୈଠକ ଓ ଡିଆଇଇଟିର ତତ୍ତ୍ୱାବଧାନ ଭଳି ମୁଖ୍ୟତଃ ୪ଟି ବିଷୟ ଉପରେ ବିଭାଗୀୟ ସଚିବ ଅଶ୍ୱଥୀ ଏସ୍‌ ଗୁରୁତ୍ୱାରୋପ କରିଥିଲେ। ଏଥିରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ ମନୋଜ ପାଢ଼ୀ, ମୋ ସ୍କୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମରଜିତ ଜେନା, ମୋ ସ୍କୁଲର ଭାରପ୍ରାପ୍ତ ଅଧିକାରୀ କାବେରୀ ମୁଦୁଲି ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

Categories
ବିଶେଷ ଖବର

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ: ବର୍ଷକୁ ୫୦ ହଜାର ଛାତ୍ରଛାତ୍ରୀ ପାଇବେ ପୁରସ୍କାର

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ରୂପାନ୍ତରିତ ସ୍କୁଲ ତଥା ଅନ୍ୟ ସ୍କୁଲ ମାନଙ୍କ୍ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶିକ୍ଷାର ଉତ୍କର୍ଷ ଲାଭ କରୁଥିବା ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ ଓ ପ୍ରଧାନ ଶିକ୍ଷକ, ଶିକ୍ଷକଶିକ୍ଷୟିତ୍ରୀ,ସରପଞ୍ଚ ସ୍କୁଲ ପରିଚାଳନା କମିଟି ତଥା ପୁରାତନ ଛାତ୍ରମାନ ଙ୍କୁ ସେମାନଙ୍କ ଅବଦାନ ପାଇଁ ବର୍ଷକୁ ୧୦୦ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ବ୍ଲକ୍‌, ଜିଲ୍ଲା ଓ ରାଜ୍ୟସ୍ତରରେ ଏହି ପୁରସ୍କାର ପ୍ରଦାନ କରାଯିବ। ୫୦ ହଜାର ଛାତ୍ରଛାତ୍ରୀ, ୧୫୦୦ ପ୍ରଧାନ ଶିକ୍ଷକ ଓ ଶିକ୍ଷକ-ଶିକ୍ଷୟିତ୍ରୀ , ସ୍କୁଲ ପରିଚାଳନା କମିଟି ସରପଞ୍ଚ ପୁରାତନ ଛାତ୍ରମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଆଜି ସ୍ଥାନୀୟ ୟୁନିଟ-୯ ସ୍ଥିତ ସରକାରୀ ହାଇସ୍କୁଲରେ ରାଜ୍ୟସ୍ତରୀୟ ଶିଶୁ ଦିବସ ଉତ୍ସବର ଉଦ୍‌ଯାପନୀ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ପୁରସ୍କାର ଘୋଷଣା କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ମାଧ୍ୟମିକ ଶିକ୍ଷା ପରିଷଦ ପାଇଁ ଡିଜି ଲକର ବ୍ୟବସ୍ଥାର ଶୁଭାରମ୍ଭ ମଧ୍ୟ କରିଛନ୍ତି। ଏହି ଭର୍ଚ୍ୟୁଆଲ ଲକରରେ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ, ମାର୍କସିଟ ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ସୁରକ୍ଷିତ ରହିପାରିବା ସହିତ ସୁବିଧାରେ ଉପଲବ୍‌ଧ ମଧ୍ୟ ହେବ। ଏଥିରେ ଚୋରି ବା ହଜି ଯିବାର କୌଣସି ସମ୍ଭାବନା ରହିବ ନାହିଁ।

ଉପସ୍ଥିତ ଛାତ୍ରଛ୍ରତ୍ରୀଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ୩ଟି ଗୁରୁତ୍ବପୂର୍ଣ୍ଣ ବିଷୟରେ ପରାମର୍ଶ ଦେଇଥିଲେ। ପ୍ରଥମଟି ହେଉଛି – ସମୟର ଆହ୍ବାନ। ସେ କହିଥିଲେ ଯେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମୟ ହେଉଛି ଗୁରୁତ୍ବପୂର୍ଣ୍ଣ। ଠିକ୍‌ ସମୟରେ ଠିକ୍‌ କାମ କଲେ, ପିଲାମାନେ ଆଗରେ ରହିପାରିବେ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇ କହିଥିଲେ ଯେ ବର୍ତ୍ତମାନ ହେଉଛି ପିଲାମାନଙ୍କର ଜ୍ଞାନ ଅର୍ଜନ କରିବାର ସମୟ। ପାଠ ସହିତ ଖେଳକୁଦ, ନାଚଗୀତ – ସବୁ କ୍ଷେତ୍ରରେ ଉତ୍କର୍ଷ ହାସଲ କରି ନିଜ ପାଇଁ ପରିଚୟ ସୃଷ୍ଟି କରିବାକୁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ।

ଦ୍ବିତୀୟରେ “ପରିବର୍ତ୍ତନ ଅବଶ୍ୟମ୍ଭାବୀ” ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମୟ ସହ ତାଳ ଦେଇ ଆଗକୁ ବଢିବାକୁ ହେବ ଓ ପରିବର୍ତ୍ତନକୁ ଗ୍ରହଣ କରିବାକୁ ହେବ। ସମୟର ଆହ୍ବାନକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇ ସେ କହିଥିଲେ ଯେ ଆମର ୫-ଟି ରୂପାନ୍ତରର ମୁଖ୍ୟ ଲକ୍ଷ୍ୟ ହେଉଛି, ସମୟର ଆହ୍ବାନର ମୁକାବିଲା ପାଇଁ ପିଲା ମାନଙ୍କୁ ପ୍ରସ୍ତୁତ କରିବା। ନିଜ ଭିତରେ ବୈଜ୍ଞାନିକ ମନୋବୃତ୍ତିର ବିକାଶ ପାଇଁ ସେ ପରାମର୍ଶ ଦେଇଥିଲେ।

ତୃତୀୟରେ ପିଲାମାନଙ୍କୁ ଦାୟିତ୍ବବୋଧତା ସଂପର୍କରେ ବୁଝାଇ କହିଥିଲେ ଯେ ତୁମମାନଙ୍କ ଜୀବନ ଗଢିତୋଳିବାରେ ଯେଉଁ ମାନଙ୍କ ଅବଦାନ ରହିଛି, ଯଥା- ଶିକ୍ଷକ, ପରିବାର, ଗୁରୁ ,ନିଜ ଗାଁ ଓ ସ୍କୁଲ – ସେମାନଙ୍କ ପ୍ରତି ନିଜର ଦାୟିତ୍ବ ଓ ସମ୍ମାନକୁ କେବେ ହେଲେ ଭୁଲ ନାହଁ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ କୃତୀତ୍ବ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହିତ ଏକ କଫି ଟେବୁଲ ପୁସ୍ତକ, ମାଗାଜିନ ଓ ମୋ ସ୍କୁଲ ନ୍ୟୁଜ ଲେଟର ଉନ୍ମୋଚନ କରିଥିଲେ।

ଏହି ଅବସରରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନିଜ ନିଜର ଅଭିଭାଷଣ ରଖି ଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ। ସ୍କୁଲ ଗୁଡିକର ରୂପାନ୍ତର, ମୋ ସ୍କୁଲ କାର୍ଯ୍ୟକ୍ରମ ଆଦି ରାଜ୍ୟର ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଉତ୍ତର ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ଅଭିଭାଷଣ ଦେଇଥିଲେ।

ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର-ତଥା-ସଚିବ ଅଶ୍ବଥି ଏସ୍‌ ସ୍ବାଗତ ଭାଷଣ ଦେଇଥିଲେ ଓ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।