Categories
ବିଶେଷ ଖବର

ଗାଁ ଗାଁ କୁ ସବୁଦିନିଆ ରାସ୍ତା ଦ୍ୱାରା ସଂଯୋଗୀକରଣକୁ ବଜେଟରେ ଗୁରୁତ୍ୱ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀ, ବିଶେଷ କରି ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ସାମାଜିକ-ଆର୍ଥିକ ପ୍ରଗତି ପାଇଁ ପ୍ରତିଶ୍ରୁତିବଦ୍ଧ। ସବୁଦିନିଆ ରାସ୍ତା ଓ ସେତୁ ନିର୍ମାଣ ଦ୍ୱାରା ଗ୍ରାମାଞ୍ଚଳର ଲୋକଙ୍କ ଗମନାଗମନ ଓ ଦ୍ରବ୍ୟ ପରିବହନ ସୁଗମ ହେବା ସହ ସେମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି, ଦାରିଦ୍ର୍ୟ ଦୂରୀକରଣ ଏବଂ ସାମଗ୍ରିକ ବିକାଶ ସାଧିତ ହୋଇଥାଏ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା (MMSY) ଓ ବିଜୁ ସେତୁ ଯୋଜନା (BSY) ଭଳି ରାଜ୍ୟ ପ୍ରାୟୋଜିତ ପ୍ରମୁଖ ଯୋଜନା ଜରିଆରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଓ ସେତୁ ନିର୍ମାଣ କରି ଗ୍ରାମାଞ୍ଚଳର ସଂଯୋଗବିହୀନ ଗ୍ରାମଗୁଡିକୁ ଉନ୍ନତମାନର ଯୋଗାଯୋଗ ସୁବିଧା ଉପଲବ୍ଧ କରାଯାଉଛି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ  ପ୍ରୀତିରଞ୍ଜନ ଘଡେଇ କହିଛନ୍ତି।

ଆଜି ଗୀତ ଗୋବିନ୍ଦ ସଦନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଘଡ଼େଇ ବଜେଟର ମୁଖ୍ୟାଂଶ ଦର୍ଶାଇବାକୁ ଯାଇ କହିଲେ ଯେ ଗ୍ରାମ୍ୟ ଉନ୍ନୟନ ବିଭାଗ ଆଜି ସଫଳତାର ଶୀର୍ଷରେ ପହଞ୍ଚିଛି । ରାଜ୍ୟର ଅଭିବୃଦ୍ଧି ପଛରେ ରହିଛି ଗମନାଗମନର ସୁବ୍ୟବସ୍ଥା। ଗ୍ରାମାଞ୍ଚଳରେ ରହୁଥିବା ସମାଜର ଶେଷ ବ୍ୟକ୍ତି ପାଖରେ କିପରି ଗମନାଗମନ ସୁବିଧା ପହଞ୍ଚି ପାରିବ ସେଥିପାଇଁ ବିଭାଗ ସମସ୍ତ କାର୍ଯ୍ୟକ୍ରମ ହାତକୁ ନେଇଛି।
ଚଳିତ ୨୦୨୩-୨୪ ଆର୍ଥିକ ବର୍ଷ ବଜେଟକୁ ୭୫୦୦.୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା କି ୨୦୧୯-୨୦ ବଜେଟ୍‌ ତୁଳନାରେ ୩୫.୫୭% ଅଧିକ।

୨୦୨୩-୨୪ ବର୍ଷରେ ୧୯୦୦.୦୦ କୋଟି ଟଙ୍କା ବ୍ୟୟଅଟକଳରେ ୫୨୬ଟି ନୂତନ ବିଜୁ ସେତୁ ନିର୍ମାଣ ପାଇଁ ବିଭାଗର ବ୍ୟବସ୍ଥା ରହିଛି। ବର୍ତ୍ତମାନ ସୁଦ୍ଧା ବିଭାଗ ଦ୍ୱାରା ୧୨୫୪ଟି ସେତୁ ନିର୍ମାଣ ସରିଛି ଏବଂ ଆଉ ୯୦୦ଟି ସେତୁ ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ ରହିଛି।

ଭୂତଳ ଜଳର ପୁନରୁଦ୍ଧାର ଏବଂ ପ୍ରବାହିତ ଜଳର ଆଭ୍ୟନ୍ତରୀଣ ସଂରକ୍ଷଣ ପାଇଁ ବିଭାଗ ୫୦.୦୦ କୋଟି ଟଙ୍କା ବ୍ୟୟଅଟକଳରେ ୧୦୦ଟି ଆଡ଼ିବନ୍ଧ ପ୍ରକଳ୍ପ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି । ବର୍ତ୍ତମାନ ସୁଦ୍ଧା ୩୨ ଟି ଆଡ଼ିବନ୍ଧ କାମ ଶେଷ ହୋଇଛି। ସେହିଭଳି, ସଡ଼କ ଅଧୀନରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନା(MMSY), MMSY-ରହିଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାର ଉନ୍ନତିକରଣ, MMSY-ସ୍ଥାନାନ୍ତରିତ ରାସ୍ତାର ଉନ୍ନତିକରଣ (TRIP), MMSY-ଦୁର୍ଗମ ଅଂଚଳର ଯୋଗାଯୋଗବିହୀନ ଗ୍ରାମଗୁଡିକର ସଂଯୋଗୀକରଣ (CUVDA), MMSY-ରାସ୍ତା ନଥିବା ଗ୍ରାମଗୁଡିକର ସଂଯୋଗୀକରଣ (CMRL) ଆଦି ପ୍ରମୁଖ ଯୋଜନାରେ ୬୦୦୦ କିଲୋମିଟର ରାସ୍ତା ନିର୍ମାଣ ନିମନ୍ତେ ୨୦୬୧.୦୦ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା କରାଯାଇଛି, ଯାହା ନିଶ୍ଚିତ ଭାବରେ ଗ୍ରାମୀଣ ସଡ଼କ ନେଟୱାର୍କରେ ଉନ୍ନତି ଆଣିବ। ବର୍ତ୍ତମାନ ସୁଦ୍ଧା ଏହି ବିଭାଗ MMSY ଯୋଜନା ଅଧୀନରେ ୧୦୬୨୧ କିଲୋମିଟର ରାସ୍ତା ନିର୍ମାଣ କରିସାରିଛି।

ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ, ଦୁର୍ଗମ ମାଓ ପ୍ରବଣ ଅଞ୍ଚଳ ଏବଂ ଅନ୍ୟାନ୍ୟ ରାସ୍ତା ସଂଯୋଗ ନଥିବା ଅଞ୍ଚଳର ସଂଯୋଗୀକରଣ ନିମନ୍ତେ ୨୦୦ କିଲୋମିଟର ରାସ୍ତା ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଘଡେଇ କହିଛନ୍ତି।

ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ କହିଲେ ଯେ ସରକାର ଗ୍ରାମୀଣ ରାସ୍ତାର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦେଉଛନ୍ତି। ୫୦,୦୦୦ କିଲୋମିଟର ରାସ୍ତାକୁ ଖାଲଖମା ମୁକ୍ତ କରିବା ଏବଂ ଯାନବାହାନ ଚଳାଚଳର ଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ ୨୦୨୩-୨୪ ରେ ୧୧୫୮.୭୯ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା କରାଯାଇଛି। ଏହା ପୂର୍ବ ବର୍ଷ ତୁଳନାରେ ପ୍ରାୟ ୨୫୦୦୦ କିଲୋମିଟର ଅଧିକ।

ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ବଦ୍ଧପରିକର। ସେଥିପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଆନୁମାନିକ ୧୨,୦୦୦ କୋଟି ଟଙ୍କା ବିନିଯୋଗରେ ୧୫,୦୦୦ କିଲୋମିଟର ଗ୍ରାମୀଣ ରାସ୍ତା ଏବଂ ବିଜୁ ସେତୁ ଯୋଜନାରେ ଆନୁମାନିକ ୬,୦୦୦ କୋଟି ଟଙ୍କା ବିନିଯୋଗରେ ୧୫୦୦ ନୂତନ ସେତୁ ନିର୍ମାଣ କରି ସବୁଦିନିଆ ରାସ୍ତା ଯୋଗାଇଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ କହିଛନ୍ତି।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତି୍ରପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବଳେ ଗ୍ରାମ୍ୟ ଉନ୍ନୟନ ବିିଭାଗର ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ କେତେ କିଲୋମିଟର ରାସ୍ତା ନିର୍ମାଣ ହୋଇଛି ?

ଭୁବନେଶ୍ୱର: ଗ୍ରାମାଞ୍ଚଳର ବିକାଶ ଓ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ସବୁଦିନିଆ ଗମନାଗମନକୁ ଦୃଷ୍ଟିରେ ରଖି ଗ୍ରାମ୍ୟରାସ୍ତା ସଂଯୋଗୀକରଣ ନିମନ୍ତେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପ୍ରଚଳନ କରିଛନ୍ତି। ଏହି ଯୋଜନାରେ ଅଦ୍ୟାବଧି ରାଜ୍ୟରେ ମୋଟ ୯୮୫ଟି ରାସ୍ତା ନିର୍ମାଣ କରାଯାଇଛି। ୩୯୫୧.୨୦ କିମି ଦୈର୍ଘ୍ୟବିଶିଷ୍ଟ ଏହି ରାସ୍ତାଗୁଡ଼ିକ ଦ୍ୱାରା ୧୧୭୨ଟି ଗ୍ରାମକୁ ନିକଟବର୍ତ୍ତୀ ମୁଖ୍ୟ ରାସ୍ତା ସହିତ ସଂଯୋଗ କରାଯାଇଛି।

ଏହା ଗ୍ରାମାଞ୍ଚଳର ଦୈନନ୍ଦିନ ଜୀବନରେ ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହୋଇଛି। ଗ୍ରାମାଞ୍ଚଳର ଅର୍ଥନୈତିକ ଓ ସାମାଜିକ ବିକାଶ ହେବା ସହିତ କୃଷିଜନିତ ଆୟ ବୃଦ୍ଧି ଏବଂ ଦାରିଦ୍ର୍ୟ ହ୍ରାସକୁ ସୁନିଶ୍ଚିତ କରିବା ପାଇଁ ଏହି ଯୋଜନାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ୨୦୧୫-୧୬ ଆର୍ଥିକ ବର୍ଷଠାରୁ ଏହା କାର୍ଯ୍ୟକାରୀ ହୋଇଛି। ଏହା ରାଜ୍ୟ ସରକାରଙ୍କ ଅନୁଦାନ ଦ୍ୱାରା ପରିଚଳିତ ଏକ ପ୍ରମୁଖ କାର୍ଯ୍ୟକ୍ରମ।

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଗମନାଗମନ ତଥା ଯୋଗାଯୋଗ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି । ପରିବହନ କ୍ଷେତ୍ରରେ ମଧ୍ୟ ଏହା ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହେବା ସହ ଏହା ଦ୍ୱାରା ସ୍ଥାନୀୟ ଅଧିବାସୀ ନିକଟସ୍ଥ ସହରରେ ନିଜର ଉତ୍ପାଦନର ଉପଯୁକ୍ତ ବଜାର ସୁବିଧା ପାଇପାରୁଛନ୍ତି ।

ରାଜ୍ୟର ଅପହଞ୍ଚ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ନିମନ୍ତେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ସ୍ଥାନୀୟ ଅଞ୍ଚଳଠାରୁ ଅନ୍ୟ ସ୍ଥାନର ଦୂରତା କମିବା ସହ ଲୋକେ ଅଯଥା ଖର୍ଚ୍ଚାନ୍ତରୁ ରକ୍ଷା ପାଉଛନ୍ତି। ସବୁଦିନିଆ ରାସ୍ତା ନିର୍ମାଣ ଦ୍ୱାରା ଅନୁସୂଚିତ ଜାତି ଓ ଜନାଜତିଙ୍କ ଜୀବନଜୀବିକା କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଛି ।

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ନକ୍ସଲ ଦମନ ନିମନ୍ତେ ପୋଲିସ କମ୍ବିଂ ଅପରେସନ୍‌ ପାଇଁ ଲାଭଜନକ ସାବ୍ୟସ୍ତ ହୋଇପାରିଥିବାବେଳେ ସେ ଅଞ୍ଚଳର ଉନ୍ନୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇପାରିଛି । ଏହିସବୁ ଅଞ୍ଚଳକୁ ଯିବା ପାଇଁ ମଧ୍ୟ ଏହା ସିଆର୍‌ପିଏଫ୍‌ ଆରକ୍ଷୀ ବାହିନୀଙ୍କ ସକାଶେ ସୁବିଧାଜନକ ହୋଇପାରିଛି ।