Categories
ଆଞ୍ଚଳିକ

ବାଣପୁର ବ୍ଲକରେ ଜନ ଶୁଣାଣୀ କଲେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସଭାଗୃହରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତରାୟଙ୍କ ସଭାପତିତ୍ବରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଏକ ସାମାଜିକ ସମୀକ୍ଷା ବୈଠକ ଓ ସାଧାରଣ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ବିଗତ ବର୍ଷର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଓ ଶ୍ରମିକ ପ୍ରାପ୍ଯ ଉପରେ ଆଲୋଚନା କରାଯାଇ ବିଭିନ୍ନ କାର୍ଯ୍ୟରେ ହୋଇଥିବା ଅନିୟମିତତା ବାବଦକୁ ଜିଆରଏସ ଓ କନିଷ୍ଠ ଯନ୍ତ୍ରୀ ମାନଙ୍କ ଠାରୁ ମୋଟ ୧୫୧୦୦ ଟଙ୍କା ଆଦାୟ ପାଇଁ ଶ୍ରୀ ରାଉତରାୟ ନିଦ୍ଦେର୍ଶ ଦେଇଥିଲେ।

ସ୍ବଛ ଭାରତ ମିଶନର କାର୍ଯ୍ୟକ୍ରମ ମନ୍ଥରକୁ ନେଇ ଉପସ୍ଥିତ ସଭ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଉକ୍ତ ଯୋଜନାରେ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଅମୃତ ସରୋବର କାର୍ଯ୍ୟ ଶିଘ୍ର ଆରମ୍ଭ କରିବାକୁ ମୁଖ୍ୟ ଉନ୍ନୟନ ଅଧିକାରୀ ନିଦ୍ଦେର୍ଶ ଦେଇଥିଲେ। ବାଣପୁର ବ୍ଲକରେ ମୋଟ ୧୯୪୨୮ଟି ଶ୍ରମ କାର୍ଡରୁ ୧୦୮୮୫ ଟି କାର୍ଡ କାର୍ଯ୍ୟକ୍ଷମ ଥିବା ଜଣାଯାଇଛି। ଶ୍ରମିକମାନଙ୍କୁ ଶ୍ରମ ଦିବସ ଯୋଗାଇ ଦେବାରେ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ସବୁଠାରୁ ଆଗୁଆ ଥିବାରୁ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀଙ୍କୁ ପ୍ରଂଶଂସା କରାଯାଇଛି।

ସେହିପରି ଦେଓଗାଁ ଓ ଦାମିଆବରବରା ଗ୍ରାମ ପଞ୍ଚାୟତ ସବୁଠାରୁ ପଛୁଆ ଥିବା କାରଣରୁ କାର୍ଯ୍ୟର ଅଗ୍ରଗତି କରିବାକୁ ତାଗିଦ କରିଥିଲେ ଉନ୍ନୟନ ଅଧିକାରୀ। ଏହି ବୈଠକରେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ , ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା,ବିଡିଓ ବୁଲବୁଲ ବେହେରା ,ଜିଲ୍ଲା ସମୀକ୍ଷା ଅଧିକାରୀ ପ୍ରଦୋଷ ମହାରଣାଙ୍କ ସହ ସମସ୍ତ ସରପଞ୍ଚ, ସମିତି ସଭ୍ୟ, କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜିଆରଏସ ମାନେ ଉପସ୍ଥିତ ଥିଲେ ।