Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଗଣତନ୍ତ୍ରର ସୁରକ୍ଷାରେ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା, ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର: ଗଣତନ୍ତ୍ରର ସୁରକ୍ଷା ପାଇଁ ଏହାକୁ ଜନସାଧାରଣ ଓ ନିର୍ବାଚନ ଆୟୋଗ ସହ ସଂଯୋଗ ସ୍ଥାପନ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବୁଥ୍‌ସ୍ତରୀୟ ଅଧିକାରୀମାନେ କରିଥାନ୍ତି ବୋଲି ଆଜି ବି.ଏଲ୍‌.ଓ ଇ-ପତି୍ରକାର ଶୁଭାରମ୍ଭ କରି ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ରାଜୀବ କୁମାର କହିଛନ୍ତି। ଆଭାସୀ ମାଧ୍ୟମରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା ଏହି ବି.ଏଲ୍‌.ଓ ଇ-ପତି୍ରକାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଦେଶର ପ୍ରାୟ ୧୦ ଲକ୍ଷ ବୁଥ୍‌ସ୍ତରୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ବି.ଏଲ୍‌.ଓ ଇ-ପତ୍ରିକା କାଗଜ ଶୂନ୍ୟ ମାଗାଜିନ୍‌ ଓ ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ମୋବାଇଲ୍‌ରେ ସହଜରେ ଉପଲବ୍ଧ ହେବ। ବୁଥ୍‌ସ୍ତରୀୟ ଅଧିକାରୀମାନେ କର୍ମକ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିିଭିନ୍ନ ପ୍ରକାରର ଅସୁବିଧାଗୁଡ଼ିକର ସହଜ ସମାଧାନ, ଜିଲ୍ଲା, ରାଜ୍ୟ ତଥା ଦେଶର ବିଭିନ୍ନ କୋଣଅନୁକୋଣରେ କାର୍ଯ୍ୟକରୁଥିବା ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଭାବର ଆଦାନପ୍ରଦାନ ଓ ସର୍ବୋପରି ନିର୍ବାଚନ ଆୟୋଗଙ୍କ ସହ ସିଧାସଳଖ ବାର୍ତ୍ତାଳାପ ହୋଇପାରିବ ବୋଲି ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ କହିଛନ୍ତି।

ବି.ଏଲ୍‌.ଓ ଇ-ପତ୍ରିକା ପ୍ରତି ଦୁଇମାସରେ ଥରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ହେବ ଓ ଏଥିରେ ନିର୍ବାଚନ ଆୟୋଗ ତଳସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ନିର୍ଦ୍ଦେଶନାମା ପଠାଇବା ଓ ତଳସ୍ତରରୁ ଆୟୋଗଙ୍କୁ କାର୍ଯ୍ୟଧାରାର ଫିଡ୍‌ବ୍ୟାକ୍‌ ଓ ସଫଳ କାହାଣୀ ପ୍ରେରଣ ଇତ୍ୟାଦିରେ ବିଶେଷ ସହାୟକ ହୋଇପାରିବ ବୋଲି ନିର୍ବାଚନ କମିଶନର ପ୍ରକାଶ କରିଛନ୍ତି।

ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରଥମ କରି ପ୍ରକାଶିତ ହୋଇଥିବା ଇ-ପତି୍ରକାରେ ଓଡ଼ିଶାର ୭୭-ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୭୦ ବୁଥ୍‌ର ବୁଥ୍‌ସ୍ତରୀୟ ଅଧିକାରୀ ସୁକ୍ରୁ ମାଝୀଙ୍କ ସଫଳ କାହାଣୀ ସ୍ଥାନିତ ହୋଇଛି। ବୁଥ୍‌ସ୍ତରୀୟ ଅଧିକାରୀ ଶ୍ରୀ ସୁକ୍ରୁ ମାଝୀ ୨୭୦ ନମ୍ବର ବୁଥ୍‌ରେ ତାଙ୍କର ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ମହିଳା ଭୋଟର ପଂଜୀକରଣ ହାର ୧୭%ରୁ ୬୭%କୁ ବୃଦ୍ଧି କରିଥିବାରୁ ଜିଲ୍ଲାର ଶ୍ରେଷ୍ଠ ବି.ଏଲ୍‌.ଓ ଭାବେ ପ୍ରଶଂସିତ ହୋଇଛନ୍ତି।

ଆଜିର ଏହି ବି.ଏଲ୍‌.ଓ ଇ-ପତି୍ରକା ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀଙ୍କ ସମେତ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ୧୦ ଜଣ ଶ୍ରେଷ୍ଠ ବୁଥ୍‌ସ୍ତରୀୟ ଅଧିକାରୀ ଯୋଗଦେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀମତୀ ସଂଘମିତ୍ରା ଶତପଥୀଙ୍କ ସହ ନିର୍ବାଚନ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ।