Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଆସିଲା ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମର ସୂଚନା, ପ୍ରଶାସନ ସ୍ତରରେ ସମୀକ୍ଷା ବୈଠକ 

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ  ନରେନ୍ଦ୍ର ମୋଦୀଙ୍କର ଆାଗାମୀ ମାର୍ଚ୍ଚ ୫ ତାରିଖରେ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ସେଦିନ ପ୍ରଧାନମନ୍ତ୍ରୀ ତେଲେଙ୍ଗାନା ରାଜ୍ୟରୁ କାର୍ଯ୍ୟକ୍ରମ ସାରି ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଅପରାହ୍ଣରେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବେ।

ସେଠାରୁ ସେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଯାତ୍ରା କରି ଏକ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ/ଲୋକାର୍ପଣ କରିବା ସହ ପରେ ପରେ ଏକ ସାଧାରଣ ସଭାରେ ଯୋଗଦେବେ। ସେଠାରୁ କାର୍ଯ୍ୟକ୍ରମ ସରିବା ପରେ ସେ ସଂଧ୍ୟାରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ବିମାନ ଯୋଗେ  କୋଲକାତା ଅଭିମୁଖେ ଯାତ୍ରା କରିବେ।

ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚି ଚଣ୍ଡିଖୋଲ ଯିବା ଓ ସେଠାରୁ କାର୍ଯ୍ୟକ୍ରମ ସାରି କୋଲକାତା ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବା ପର୍ଯ୍ୟନ୍ତ ଆନୁଷଙ୍ଗିକ ପ୍ରଶାସନିକ ପ୍ରସ୍ତୁତି ଓ ସୁରକ୍ଷା ସଂପର୍କିତ ପ୍ରଶାସନିକ ତଦାରଖ ବ୍ୟବସ୍ଥା ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ଲୋକସେବା ଭବନରେ ରାଜ୍ୟ ପ୍ରଶାସନ ତଥା ପୁଲିସ୍ ପ୍ରଶାସନର ବରିଷ୍ଠ ପଦାଧିକାରୀଙ୍କ ସହିତ ସବିଶେଷ ସମୀକ୍ଷା କରିଛନ୍ତି।

ବୈଠକରେ ଭୁବନେଶ୍ୱର ବିମାନ ବନ୍ଦରଠାରେ, ଚଣ୍ଡିଖୋଲ  ହେଲିପ୍ୟାଡ୍ ଏବଂ  କାର୍ଯ୍ୟକ୍ରମ ସ୍ଥଳକୁ  ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ନେବା ଓ ମେଲାଣି ଦେବା ସମୟରେ ସୁରକ୍ଷା ଓ ଆନୁଷଙ୍ଗିକ  ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ତାଙ୍କର ଜରୁରୀକାଳୀନ ସାମୟିକ ରହଣି ବ୍ୟବସ୍ଥା,  ପ୍ରସ୍ତୁତ ହେବାକୁ ଥିବା ମଞ୍ଚର ସୁରକ୍ଷା ଯାଂଚ, କାରକେଡ୍ ବ୍ୟବସ୍ଥା, ଭିଭିଆଇପି ଯାତ୍ରା ସମୟରେ ବିଭିନ୍ନ ସେବା ପାଇଁ ଆବଶ୍ୟକ ଯାନ ବ୍ୟବସ୍ଥା, ବ୍ୟବହୃତ ହେବାକୁ ଥିବା ହେଲିକପ୍ଟରର  ନିରାପତ୍ତା, ଚିକିତ୍ସା ବ୍ୟବସ୍ଥା ପାଇଁ ଆମ୍ବୁଲାନ୍ସ ପ୍ରସ୍ତୁତି, କାର୍ଯ୍ୟକ୍ରମ ସ୍ଥଳ ନିକଟସ୍ଥ ଡାକ୍ତରଖାନାକୁ  ସ୍ୱତନ୍ତ୍ର ବ୍ୟବସ୍ଥା ସହ ପୂର୍ଣ୍ଣ ପ୍ରସ୍ତୁତି ରଖାଯିବା, ଭିଭିଆଇପିଙ୍କ ଦ୍ୱାରା ବ୍ୟବହୃତ ହେବାକୁ ଥିବା ସଡ଼କର ଆବଶ୍ୟକ ମରାମତି ଓ  ରକ୍ଷଣାବେକ୍ଷଣ, ପରିମଳ ବ୍ୟବସ୍ଥା, କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହକୁ ନିଶ୍ଚିତ କରାଯିବା ସଂପର୍କରେ ବୈଠକରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମ ସ୍ଥଳରେ ଆବଶ୍ୟକ ଜେନେରେଟର ସୁବିଧା ସହ ୨ ଟି ଅତିରିକ୍ତ ଜେନେରେଟରର ସୁବିଧା କରିବା ଓ ପ୍ରତ୍ୟେକ ସ୍ଥାନରେ ଏହାକୁ ପରିଚାଳନା କରିବା ପାଇଁ ୨ ଜଣ ଅପରେଟର ମୁତୟନ  ନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ, ବେରିକେଡିଂ ବ୍ୟବସ୍ଥା,  ଆବଶ୍ୟକ ପାସ୍ ବ୍ୟବସ୍ଥା, ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ସୂଚନା ସରବରାହ ବ୍ୟବସ୍ଥା, ଅଗ୍ନିଶମ ସେବା ବ୍ୟବସ୍ଥା ଓ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗ ଏବଂ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିୟମାବଳୀ ଅନୁସାରେ କୋଭିଡ୍ ଗାଇଡଲାଇନକୁ ଅନୁପାଳନ କରିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇ ତଦନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ କରାଯିବା ପାଇଁ ରାଜ୍ୟ ଗୃହ ବିଭାଗ ତରଫରୁ ଏକ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକରିବ। ଆୟୋଜନ ତଥା ସୁରକ୍ଷା ଦୃଷ୍ଟିରୁ କାର୍ଯ୍ୟକ୍ରମ ତଥା ହେଲିପ୍ୟାଡ୍ ସ୍ଥଳକୁ ପୁର୍ବରୁ ଭଲଭାବେ ଯାଂଚ ଓ ଅନୁଧ୍ୟାନ କରିବାକୁ ସଂପୃକ୍ତ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅନୁଷ୍ଠିତ ଏହି  ଉଚ୍ଚସ୍ତରୀୟ  ବୈଠକରେ ଅନ୍ୟମାନଙ୍କ ମଧ୍ୟରେ  ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂ,  ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ  ବିଶାଳ କୁମାର ଦେବ, ବାଣିଜ୍ୟ ଓ ପରିବହନ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ  ଊଷା ପାଢୀ,  ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡ଼ଙ୍ଗୀ, ଭୁବନେଶ୍ୱର-କଟକ ପୁଲିସ କମିଶନର ଶ୍ରୀ ସଂଜୀବ କୁମାର ପଣ୍ଡା, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ

ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ସଂପୃକ୍ତ ଅନ୍ୟ ବିଭାଗର ସଚିବ ଓ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ସ୍ୱରାଷ୍ଟ୍ର ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଡଃ. ସନ୍ତୋଷ ବାଲା ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଓ ପ୍ରସ୍ତୁତି ସଂପର୍କରେ ବିଶଦ୍ ସୂଚନା ପ୍ରଦାନ କରିଥିଲେ। ଯାଜପୁର ଜିଲ୍ଲାପାଳ ଓ ଯାଜପୁର ଆରକ୍ଷୀ ଅଧିକ୍ଷକଙ୍କ ସମେତ ଜିଲ୍ଲା ପ୍ରଶାସନର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇ ବିଭିନ୍ନ ବ୍ୟବସ୍ଥା ସଂପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

 

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବଙ୍କ କଟକଗସ୍ତ, ନିର୍ମାଣାଧିନ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଅନୁଧ୍ୟାନ

କଟକ/ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ଅପରାହ୍ଣରେ କଟକ ଗସ୍ତ ପୂର୍ବକ ସିଡିଏକୁ ସଂଯୋଗ କରୁଥିବା ପେଟାନାଳ ସମେତ ବିଜୁ ପଟ୍ଟନାୟକ ପାର୍କର  ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ, ମା’ କଟକ ଚଣ୍ଡୀ ମନ୍ଦିରର  ଉନ୍ନତିକରଣ, ନେତାଜୀ ଜନ୍ମସ୍ଥାନ ଓ ସଂଗ୍ରହାଳୟ ନିକଟସ୍ଥ ପୁରାତନ ଜେଲ୍ ପରିସରରେ ନିର୍ମାଣଧିନ ପ୍ରକଳ୍ପ, ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ସମ୍ପ୍ରସାରିତ ଅତ୍ୟାଧୁନିକ ତଥା ବିଶ୍ୱସ୍ତରୀୟ ପ୍ରକଳ୍ପ, ଓଡ଼ିଶା ନୌବାଣିଜ୍ୟ ସଂଗ୍ରହାଳୟ ଉନ୍ନତିକରଣ ପ୍ରକଳ୍ପ ଏବଂ ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ ପ୍ରକଳ୍ପଗୁଡ଼ିକୁ ପରିଦର୍ଶନ କରିଥିଲେ।

ନିର୍ମାଣ।ଧିନ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେସବୁକୁ ଶେଷ କରିବା ଓ ପରବର୍ତ୍ତୀ ସମୟରେ ଏହାର ରକ୍ଷଣାବେକ୍ଷଣକୁ ଗୁରୁତ୍ଵ ଦେବାକୁ ସେ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ।

ଏହି ପରିଦର୍ଶନ ସମୟରେ କଟକ ଉନ୍ନୟନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ଶ୍ରୀ ଅନିଲ କୁମାର ସାମଲ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ବିନୀତ ଭରଦ୍ୱାଜ, କଟକ ମହାନଗର ନିଗମ ଆୟୁକ୍ତ ତଥା ଉପାଧ୍ୟକ୍ଷ, କଟକ ଉନ୍ନୟନ କର୍ତ୍ତୃପକ୍ଷ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ରାଜ୍ୟ ମୁଖ୍ୟ ଯନ୍ତ୍ରୀ ଡ୍ରେନେଜ ଶ୍ରୀ ବିଜୟ କୁମାର ସାମଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉମାକାନ୍ତ ରାଜ, ଅତିରିକ୍ତ ଆରକ୍ଷୀ ଉପାୟୁକ୍ତ ଶ୍ରୀ ଅନିଲ କୁମାର ମିଶ୍ର, ଉପନିର୍ଦ୍ଦେଶକତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଲଲାଟେନ୍ଦୁ ମହାପାତ୍ରଙ୍କ ସମେତ ଓବିସିସିର ପରିଚାଳନା ନିର୍ଦ୍ଦେଶକ, ଅଧିକ୍ଷଣ ଯନ୍ତ୍ରୀ, ପୂର୍ତ୍ତ,ଜଳ ସମ୍ପଦ, ମହାନଗର ନିଗମର ଯନ୍ତ୍ରୀ ଏବଂ କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଯନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Breaking News: ବଢିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ

ଭୁବନେଶ୍ବର: ଶେଷରେ ମୁଖ୍ୟଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳକୁ ଆଜି ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ସେ ଚଳିତ ମାସ 31 ତାରିଖରେ ଅବସର ଗ୍ରହଣ କରିଥାଆନ୍ତେ। ତା ପୂର୍ବରୁ ରାଜ୍ୟ ସରକାର ତାଙ୍କୁ ଆଉ ଛଅ ମାସ ପାଇଁ କାର୍ଯ୍ୟକାଳକୁ ବୃଦ୍ଧି କରିଛନ୍ତି। ଫଳରେ ସେ ଆସନ୍ତା ଲୋକସଭା ଏବଂ ବିଧାନସଭା ନିର୍ବାଚନ ବେଳକୁ ମୁଖ୍ୟ ଶାସନ ଭାବେ କାର୍ଯ୍ୟ କରୁଥିବେ।

ପ୍ରଦୀପ ଜେନାଙ୍କ ଅବସର ପରେ ରାଜ୍ୟର କିଏ ହେବ ପରବର୍ତ୍ତି ମୁଖ୍ୟ ଶାସନ ସଚିବ ସେ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଥିଲା। ଏଥିରେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ନାମ ଆଗରେ ଥିଲା। ତେବେ ଆଉ ଚାରି ମାସ ପରେ ରାଜ୍ୟରେ ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଥିବାରୁ ଏହି ମୁଖ୍ୟ ପଦବୀରେ କିଏ ରହିବ ସେ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଟ୍ରେନ ମୃତକଙ୍କ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଠିକୁ ଦାନ କଲେ ଟ୍ରଜେରୀ ଅମଲା ସଂଘ

ଭୁବନେଶ୍ବର: ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବାହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣାଗ୍ରସ୍ତ ପରିବାରଙ୍କୁ ସାହାଯ୍ୟାର୍ଥେ ଗତକାଲି ନିଖିଳ ଓଡ଼ିଶା ଟ୍ରେଜେରୀ ଅମଲା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପଚାଶ ହଜାର ଏକ ଟଙ୍କା ସହାୟତା ପ୍ରଦାନ କରାଯାଇଛି।

ଲୋକସେବା ଭବନ ରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ସଂଘର ସଭାପତି ସମର ରଂଜନ କାନୁନ୍ଗୋ ଏବଂ ସାଧାରଣ ସଂପାଦକ ଶୁଭେନ୍ଦୁ କୁମାର ରାଉତରାୟଙ୍କ ସହିତ ସଂଘର ଅନ୍ୟ କର୍ମକର୍ତ୍ତା ସାକ୍ଷାତ କରି ଏହି ସହାୟତା ରାଶି ଚେକ ଆକାରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳ ବିଶ୍ୱବିଦ୍ୟାଳୟ ୧୯୮୬ ବ୍ୟାଚ୍ ର ବନ୍ଧୁମିଳନ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ସମ୍ବର୍ନ୍ଧନା

ଭୁବନେଶ୍ୱର: ଉତ୍କଳ ବିଶ୍ୱ ବିଦ୍ୟାଳୟ ୧୯୮୬ ବ୍ୟାଚ୍ ର ବନ୍ଧୁମିଳନ ଉତ୍ସବ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ୧୯୮୬ ବ୍ୟଚ୍ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ୧୯୮୬ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ଡିଗ୍ରୀ ହାସଲ କରି ଉଚ୍ଚ ପ୍ରଶଂସିତ ହୋଇଥିବା ଶ୍ରୀ ଜେନା ନିଜର ନିଷ୍ଠା ଓ ସମର୍ପିତ ସେବା ଦ୍ୱାରା ଆଜି ରାଜ୍ୟର ମୁଖ୍ୟ ଶାସନ ସଚିବ ପଦବୀ ଅଳଂକୃତ କରିଛନ୍ତି। ଏହା ୧୯୮୬ ବ୍ୟାଚ୍ ସହ ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ଗୈାରବ ଆଣିଛି।

ଏହି ବ୍ୟାଚ୍ ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ପାଶ୍ କରିଥିବା ବହୁ ଛାତ୍ରଛାତ୍ରୀ ବର୍ତ୍ତମାନ ପ୍ରଶାସନ, ଶିକ୍ଷା ଶିଳ୍ପ, ବୈଜ୍ଞାନିକ ଗବେଶଣା, ପ୍ରଯୁକ୍ତି ବିଦ୍ୟା, ସାହିତ୍ୟ ସାଧନା, ସମାଜ ସେବା, ଓ ରାଜନୀତି ଆଦି କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଛନ୍ତି। ଏହି ବନ୍ଧୁମାନେ ସାମୁହିକଭାବେ ଶ୍ରୀଯୁକ୍ତ ଜେନାଙ୍କୁ ଅଭିନନ୍ଦନ ଜଣାଇବା ସହ ଓଡ଼ିଶାକୁ ୧-ନମ୍ବର ରାଜ୍ୟରେ ପରିଣତ କରିବାର ସ୍ୱପ୍ନ ସାକାର ଦିଗରେ ତାଙ୍କର ଭୂମିକା ଉଦାହରଣ ସୃଷ୍ଟିକାରୀ ହେବ ବୋଲି ଆଶା ପ୍ରକାଶ କରିଥିଲେ।

ଏହି ଅବସରରେ ଡଃ. ଉମାକାନ୍ତ ମହାପାତ୍ରଙ୍କ ଲିଖିତ ଦକ୍ଷିଣ ଏସିଆରେ ସ୍ବେଛାସେବୀ ଅନୁଷ୍ଠାନ ଓ ଗ୍ରାମ୍ୟ ଉନ୍ନୟନ ଶୀର୍ଷକ ପୁସ୍ତକର ଭାରତୀୟ ଉପମହାଦେଶ ସଂକଳନକୁ କିଟ୍ ଓ କିସ୍ ର ପ୍ରତିଷ୍ଠାତା ତଥା ସାଂସଦ ଡଃ. ଅଚ୍ୟୁତ ସାମନ୍ତ ଏବଂ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ମିଳିତ ଭବେ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ପାଇଁ ଉନ୍ମୋଚନ କରିଥିଲେ। ଇଂରାଜୀ ଭାଷାରେ ଲିଖିତ ଏହି ପୁସ୍ତକ ବିଶ୍ୱ ସ୍ତରରେ ଆଗୁଆ ପ୍ରକାଶକ ସ୍ପ୍ରିଙ୍ଗର୍ ପବ୍ଲିଶରଙ୍କ ଦ୍ୱାରା ପ୍ରକାଶିତ ହୋଇଛି।

ଏହାର ପ୍ରଥମ ସଂକଳନ ଦାମ ପ୍ରାୟ ୭୦୦୦ ଟଙ୍କାରୁ ଉର୍ଦ୍ଧ୍ୱ ହୋଇଥିବାରୁ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ନିମନ୍ତେ ଏହି ସୁଲଭ ମୂଲ୍ୟ ସଂକଳନ ପ୍ରକାଶ କରାଯାଇଛି। ଛାତ୍ରଛାତ୍ରୀ ମାନଙ୍କ ପାଇଁ ବହିର ମୁଖ୍ୟାଶଂ ନିଶୁଳ୍କ ଭାବେ ଗୁଗଲ୍ ବୁକ୍ସରେ ଦିଆଯାଇଛି। ଆଗ୍ରହୀ ବ୍ୟକ୍ତିମାନେ books.google.co.in ରେ ବହି ଏବଂ ଲେଖକର ନାମ ଲେଖି ଏହି ପୁସ୍ତକରୁ ୩୭ ପୃଷ୍ଠାର ମୁଖ୍ୟାଂଶ ପାଇ ପାଇପାରିବେ। ଓଡ଼ିଶାର ପ୍ରତିଷ୍ଠିତ ସ୍ବେଛାସେବୀ ସାଂସ୍କୃତିକ ଅନୁଷ୍ଠାନ ନୃତ୍ୟନିଳୟ ମାଧ୍ୟମରେ ଏହି ସୁଲଭ ମୂଲ୍ୟର ପୁସ୍ତକ ମିଳୁଛି । ଛାତ୍ରଛାତ୍ରୀମାନେ ୮୨୪୯୩୭୫୬୭୬ ବା ୯୪୩୭୩୩୩୯୪୫ ନମ୍ବର ସହ ଯୋଗାଯୋଗ କରି ଏହି ବହି ପାଇ ପାରିବେ।