Categories
ବିଶେଷ ଖବର ରାଜ୍ୟ ଖବର

ଚାଷୀଙ୍କ ପାଇଁ ଅଧିକ ସଂସ୍ଥା ମାଧ୍ୟମରେ ଧାନ କିଣିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷୀମାନଙ୍କ ସୁବିଧା ନିମନ୍ତେ ଅଧିକରୁ ଅଧିକ ସଂଖ୍ୟକ ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ଆର୍.ଏମ୍.ସି. ଏବଂ କୃଷିବିପଣୀ ସଂସ୍ଥାମାନଙ୍କୁ ନିୟୋଜିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାପାଳ, ଜିଲ୍ଲାଯୋଗାଣ ଅଧିକାରୀ, ଏବଂ ସମବାୟ ବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ଜିଲ୍ଲାମାନଙ୍କରେ ଧାନକିଣା ସ୍ଥିତି ସମୀକ୍ଷା କରି ମୁଖ୍ୟ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି । ଧାନବିକ୍ରୀ କରିବା ପାଇଁ ଚାଷୀ ଯେମିତି ଅସୁବିଧାର ସମ୍ମୁଖୀନ ନହୁଏ ତା’ଉପରେ ଦୃଷ୍ଟି ରଖିବା ପାଇଁ ମଧ୍ୟ ମହାପାତ୍ର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ଲୋକସେବା ଭବନରୁ ଓସ୍ୱାନ ପ୍ଲାଟଫର୍ମ ମାଧ୍ୟମରେ ଅନୁଷ୍ଠିତ ଏହି ଭିଡିଓ କନ୍-ଫେରେନ୍ସିଂରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ବିଭିନ୍ନ ଜିଲ୍ଲାରେ ଧାନସଂଗ୍ରହ ସମ୍ବନ୍ଧିତ ବୈଷୟିକ ଏବଂ ପ୍ରଶାସନିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ସମୀକ୍ଷାରୁ ଜଣାପଡ଼ିଥିଲା ଯେ ସାଧାରଣତଃ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ଜିଲ୍ଲାମାନଙ୍କରେ ନଭେମ୍ବର-ଡିସେମ୍ବର ରୁ ଜାନୁଆରୀ-ଫେବୃଆରୀ ପର୍ଯ୍ୟନ୍ତ, ଏବଂ ଉପକୂଳ ଜିଲ୍ଲାମାନଙ୍କରେ ଡିସେମ୍ବର-ଜାନୁଆରୀ ରୁ ମାର୍ଚ୍ଚ-ଏପ୍ରିଲ୍ ପର୍ଯ୍ୟନ୍ତ ଧାନକିଣା ହୋଇଥାଏ । ସେହି ଅନୁସାରେ ବର୍ତ୍ତମାନ ବରଗଡ଼, ସମ୍ବଲପୁର, କଳାହାଣ୍ଡି, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ନୂଆପଡ଼ା, ବଲାଙ୍ଗିର, ରାୟଗଡ଼ା ଆଦି ଜିଲ୍ଲାରେ ଧାନକିଣା ଅବ୍ୟାହତ ରହିଛି । ଅନ୍ୟାନ୍ୟ ଜିଲ୍ଲାରେ ଧାନକିଣା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କୋରାପୁଟ, ମାଲକାନାଗିରି, ବାଲେଶ୍ୱର, ବୌଦ୍ଧ ଆଦି ଜିଲ୍ଲାରେ ମଧ୍ୟ ବିଭିନ୍ନ ମଣ୍ଡିରେ ଧାନକିଣା ଚାଲିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୮ ହଜାର ଚାଷୀଙ୍କଠାରୁ ୫.୧୩ ଲକ୍ଷ ମାଟ୍ରିକ୍ ଟନ୍ ଧାନ ସଂଗ୍ରହ ସରିଛି ।

ବିଭିନ୍ନ ମଣ୍ଡିମାନଙ୍କରେ ଅଧିକ ସଂଖ୍ୟାରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ଆର୍.ଏମ୍.ସି. କର୍ମଚାରୀ, ଯୋଗାଣ ସହାୟକ, କୃଷି ବିଭାଗ ଅଧିକାରୀ, ସମବାୟ ବିଭାଗ ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗରୁ ଡାଟା ଏଣ୍ଟ୍ରି ଅପରେଟର ଆଦିଙ୍କୁ ମୁତୟନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବ୍ୟବସ୍ଥାକୁ ଚାଷୀମାନଙ୍କ ନିମନ୍ତେ ଅଧିକ ସୁଗମ କରିବା ପାଇଁ ଜିଲ୍ଲାପାଳମାନେ ଜିଲ୍ଲାସ୍ତରରେ କାର୍ଯ୍ୟକରୁଥିବା ସଂସ୍ଥା ଓ ବିଭାଗମାନଙ୍କୁ ମଧ୍ୟ ମୁତୟନ କରିପାରିବେ ।

ପ୍ରମୁଖ ଶାସନ ସଚିବ ଯାଦବ କହିଥିଲେ ଯେ ଧାନକିଣା ପି-ପାସ୍ ନାମକ ଅନ୍ଲାଇନ୍ ବ୍ୟବସ୍ଥା ମାଧ୍ୟମରେ କରାଯାଇଛି । ଏହା ଏକ ସ୍ୱୟଂକ୍ରିୟ ଓ ସରଳ ବ୍ୟବସ୍ଥା । ଏଥିରେ ଦୈନିକ ଧାନକିଣା ତଥ୍ୟ ଅପ୍ଲୋଡ୍ ହୁଏ ଏବଂ ସେହି ତଥ୍ୟ ଭିତ୍ତିରେ ଚାଷୀମାନଙ୍କୁ ଧାନର ମୂଲ୍ୟ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ୍ ମାଧ୍ୟମରେ ସିଧା ସଳଖ ପଠାଇ ଦିଆଯାଏ । ଅନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରକ୍ରିୟା ବିଷୟରେ ତୁରନ୍ତ ଅନ୍ଲାଇନ୍ ତାଲିମ୍ ଦିଆଯିବ। ଜିଲ୍ଲାସ୍ତରରେ ଥିବା ସମବାୟ ବିଭାଗ ଏବଂ ଯୋଗାଣ ବିଭାଗ ଅଧିକାରୀମାନେ ମଧ୍ୟ ଏଥିରେ ସକ୍ରିୟଭାବେ ସାମିଲ୍ ହେବେ ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ରାଜେନ୍ଦ୍ର ମିଶ୍ର ବୈଠକରେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାର ଧାନକିଣା ପ୍ରସ୍ତୁତି ଓ ଅଗ୍ରଗତି ବିଷୟ ଜଣାଇଥିଲେ । ଆବଶ୍ୟକତା ଅନୁସାରେ ଜିଲ୍ଲାମାନଙ୍କୁ ସମସ୍ତ ପ୍ରକାର ବୈଷୟିକ ଓ ପ୍ରଶାସନିକ ସହାୟତା ଯୋଗାଇ ଦିଆଯିବବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ଯାଦବ ଜଣାଇଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କ ସୁନ୍ଦରଗଡ ଗସ୍ତ: ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟର କଲେ ସମୀକ୍ଷା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍, ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର. ଭିଲିନ୍‌କ୍ରିଷ୍ଣା ଆଜି ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଏହି ସଚିବ ସ୍ତରୀୟ ପ୍ରତିନିଧି ଦଳ କୁନ୍ଦୁକେଲାସ୍ଥିତ ୩୩/୧୧ କେଭି ବିଦ୍ୟୁତ ଗ୍ରୀଡ ସବ୍‌ଷ୍ଟେସନ, ଭେଡାବାହାଲ କୋଲ୍‌ କରିଡର, ଭବାନୀପୁର ଠାରେ ଆଧୁନିକ ବାଲା ମଡେଲରେ ନିର୍ମିତ ଅଙ୍ଗନବାଡୀ କେନ୍ଦ୍ର ଏବଂ କିଂଜିରିମା ସରକାରୀ ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ ବୁଲି ଦେଖିଥିଲେ। ଏହାସହିତ ଶିକ୍ଷା, ମହିଳା ଓ ଶିଶୁବିକାଶ, ପୋଷଣ, ଜୀବିକା, ସଂଯୋଗୀକରଣ, ପାନୀୟ ଜଳ, କୃଷି ଓ ଜଳସେଚନ ଆଦି ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ମଧ୍ୟ ସମୀକ୍ଷା କରିଥିଲେ।

କୋଭିଡ ମହାମାରୀର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ଲାଗି ସ୍ବାସ୍ଥ୍ୟ ଭିତ୍ତିଭୂମିର ପ୍ରସ୍ତୁତି ଏବଂ ବିଶେଷ କରି ଶିଶୁମାନଙ୍କ ଚିକିତ୍ସା ଲାଗି ICU ତଥା ଆବଶ୍ୟକୀୟ ବ୍ୟବସ୍ଥା ସଂପର୍କରେ ସୁନ୍ଦରଗଡସ୍ଥିତ NTPC କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ। ଏତଦ୍‌ବ୍ୟତୀତ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମି ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା।

ରାଜ୍ୟ ସରକାରଙ୍କର ୫-ଟି କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ୫୦ ଟି ସରକାରୀ ହାଇସ୍କୁଲର ରୂପାନ୍ତର କାମ ଅକ୍ଟୋବର ସୁଦ୍ଧା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ୫୦ଟି ହାଇସ୍କୁଲ ମଧ୍ୟରୁ ଏହି ସଚିବସ୍ତରୀୟ ଦଳ କିଞିରିମା ସରକାରୀ ହାଇସ୍କୁଲ ବୁଲି ଦେଖିଥିଲେ। ସେମାନେ ସ୍ମାର୍ଟ କ୍ଲାସରେ ବସି ଷ୍ଟୁଡିଓରେ ଥିବା ଶିକ୍ଷୟତ୍ରୀ ଏବଂ ଅନ୍ୟ ଏକ କକ୍ଷରେ ବସି ପଢୁଥିବା ଛାତ୍ରଛାତ୍ରୀଙ୍କ ସହ ଭର୍ଚ୍ଯୁଆଲ ମାଧ୍ୟମରେ କଥାବାର୍ତ୍ତା କରିଥିଲେ। ସ୍କୁଲର ବିଜ୍ଞାନଗାର, ଖେଳପଡିଆ ଓ ଅନ୍ୟାନ୍ୟ ଭିତ୍ତିଭୂମି ବୁଲି ଦେଖିବା ସହ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସେମାନେ ସନ୍ତୋଷ ପ୍ରକାଶ କରିଥିଲେ।

ସୁନ୍ଦରଗଡ ସଦରର ଭବାନୀପୁରରେ ବାଲା ମଡେଲରେ ନିର୍ମିତ ଆଧୁନିକ ଅଙ୍ଗନବାଡୀ କେନ୍ଦ୍ର ମଧ୍ୟ ସେମାନେ ପରିଦର୍ଶନ କରିଥିଲେ। ଛୋଟ ଛୋଟ ପିଲାଙ୍କ ଶିକ୍ଷାକୁ ଆନନ୍ଦମୟ କରିବାପାଇଁ ବାଲା ମଡେଲରେ ସଂପୂର୍ଣ୍ଣ ନୂଆ ଢାଞ୍ଚାରେ ଅଙ୍ଗନବାଡୀ କେନ୍ଦ୍ର ତିଆରି କରାଯାଇଛି। ଏହାର ଆସବାପତ୍ର ଓ କାନ୍ଥବାଡ ଠାରୁ ଆରମ୍ଭ କରି ସଂପୂର୍ଣ୍ଣ ପରିବେଶ ପିଲାଙ୍କ ଶିକ୍ଷା ପାଇଁ ଆକର୍ଷଣୀୟ କରାଯାଇଛି। ସୁନ୍ଦରଗଡ ଜିଲ୍ଲାରେ ଥିବା ସମସ୍ତ ଅଙ୍ଗନବାଡୀ କେନ୍ଦ୍ର ସହିତ ନୂଆ ଅଙ୍ଗନବାଡୀ କେନ୍ଦ୍ର ଗୁଡିକୁ ଏହି ବାଲା ମଡେଲରେ ନିର୍ମାଣ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡର ଜିଲ୍ଲାପାଳ, ଜିଲ୍ଲାର ଏସ୍‌.ପି ଓ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରାଜ୍ୟରେ ୧୨୧୪ କୋଟି ଟଙ୍କାର ୮ଟି ପ୍ରକଳ୍ପକୁ ମିଳିଲା ଅନୁମୋଦନ, ୨୪୨୭ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି

ଭୁବନେଶ୍ୱର: ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ୮ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଭର୍ଚୁଆଲ୍ ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ପ୍ରକଳ୍ପଗୁଡ଼ିକର ବୈଷୟିକ, ଆର୍ଥିକ ଏବଂ ଭିତ୍ତିଭୂମି ସମ୍ପର୍କିତ ବିଷୟ ଆଲୋଚନା କରିଥିଲେ ।

ଅନୁମୋଦିତ ୮ଟି ପ୍ରକଳ୍ପରେ ୧୨୧୪ କୋଟି ଟଙ୍କା ବିନିଯୋଗ ହେବ । ପ୍ରକଳ୍ପରେ ୨୪୨୭ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ । ପ୍ରକଳ୍ପ ତ୍ୱରିତ କାର୍ଯ୍ୟକ୍ଷମ ପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶିଳ୍ପମାନଙ୍କ ପାଇଁ ଆବଶ୍ୟକ ଜମି ଓ ଜଳର ସଠିକ୍ ଆକଳନ କରିବା ସହ ଅଧିକ ନିଯୁକ୍ତି ଭିତ୍ତିକ ଶିଳ୍ପଗୁଡ଼ିକୁ ଅଗ୍ରାଧିକାର ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଯେଉଁ ଆଠଟି ପ୍ରକଳ୍ପକୁ ଅନୁମୋଦ ଦିଆଯାଇଛି ସେଗୁଡିକ ହେଲା..

1- ମୟୂରଭଞ୍ଜ ରାଇରଙ୍ଗପୁରରେ ଏନର୍ଜି ମିନେରାଲ୍ସ ଲୁହା ପଥର ବେନିଫିକେସନ୍ ଓ ପେଲେଟ୍ ପ୍ଲାଣ୍ଟ ନିର୍ମାଣ କରିବ। ସେଥିପାଇଁ୨୫୬ କୋଟି ବିନିଯୋଗ ହେବ । ଏଥିରେ ୨୭୪ ଜଣଙ୍କୁ ନିଯୁକ୍ତି ମିଳିବ ।

2-  ଆଇଟିସି ଲିମିଟେଡ୍ ଭୁବନେଶ୍ୱର ଡୁମଡୁମାରେ ପଞ୍ଚ ତାରକା ହୋଟେଲ୍ ନିର୍ମାଣ କରିବ। ଏଥିରେ ୧୪୧.୧୪ କୋଟି ବିନଯୋଗ ହେବାକୁ ଥିବାବେଳେ ୧୨୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

3- ଫାଲକନ୍ ରିଅଲ୍ ଇଷ୍ଟେଟ୍ ପ୍ରାଇଭେଟ୍ ଲି. ଖୋର୍ଦ୍ଧାରେ ୧୨୦.୨୬ କୋଟି ଟଙ୍କା ବିନିଯୋଗରେ ପଞ୍ଚ ତାରକା ହୋଟେଲ ନିର୍ମାଣ କରିବ । ଯେଉଁଥିରେ ୯୦୦ ଜଣ ନିଯୁକ୍ତି ପାଇବେ।

4- ବ୍ରିଟାନିକା ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଖୋର୍ଦ୍ଧାରେ ଥିବା ତାହାର ବିସ୍କୁଟ୍ ଓ କେକ ପ୍ରକଳ୍ପର ସମ୍ପ୍ରସାରଣ କରିବ  । ଏଥିରେ ୯୩.୬୦ କୋଟି ଟଙ୍କା ପୁଂଜି ନିବେଶ ହେବାକୁ ଥିବାବେଳେ ୩୫୦ ଜଣଙ୍କୁ ନିଯୁକ୍ତି ମିଳିବ।

5- ଦେବଗଡ଼ରେ ଇନ୍ଦାଲକ୍ ସ୍ୱିରିଟ୍ ପ୍ରାଇଭେଟ୍ ଲିମିଟେଡ୍ ୨୦୪.୬୦ କୋଟି ବିନିଯୋଗରେ ନିର୍ମାଣ କରିବ ଶସ୍ୟ ଭିତ୍ତିକ ଡିଷ୍ଟିଲେରୀ ପ୍ଲାଣ୍ଟ । ଏଥିରେ ୧୮୫ ଜଣ ନିଯୁକ୍ତି ପାଇବେ ।

6- ଝାରସୁଗୁଡ଼ାରେ ମାସ୍ ସ୍ପିରିଟସ୍ ଡିଷ୍ଟିଲେରୀ ଏବଂ ବଟଲିଂ କାରଖାନା  ନିର୍ମାଣ କରିବ। ଏଥିରେ ୨୦୪.୬୦ କୋଟି ବିନିଯୋଗ ହେବ।୧୮୫ ଜଣଙ୍କୁ ନିଯୁକ୍ତି ମିଳିବ।

7- ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡାରେ ଥିବା ସର୍ବେଶ ରିପ୍ରାକ୍ଟୋରିଜ୍ ପ୍ରାଇଭେଟ୍ ଲିମିଟେଡ୍ ରିଫ୍ରାକ୍ଟୋରୀ କାରଖାନାର ସମ୍ପ୍ରସାରଣ ହେବ। ଏଥିରେ ୧୨୩.୨୫ କୋଟି ଟଙ୍କା ନିବେଶ ହେବ । ଏହାଦ୍ୱାରା ୨୯୯ ଜଣ କର୍ମ ନିଯୁକ୍ତି ପାଇବେ ।

8- ପୁରବ୍ ପ୍ୟାକେଜିଂ ପ୍ରାଇଭେଟ୍ ଲିମିଟେଡ୍ ପାରାଦୀପ ପ୍ଲାଷ୍ଟିକ ପାର୍କରେ ପଲି ପ୍ରପଲିନ୍ କାରଖାନା କରିବ। ୬୦ କୋଟି ଟଙ୍କା ବିନିଯୋଗରେ ହେବାକୁ ଥିବା ଏହି ପ୍ରକଳ୍ପରେ ୬୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।