Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଶ୍ରୀଲଙ୍କାରେ ଗମ୍ଭୀର ହେଲା ଇନ୍ଧନ ସଙ୍କଟ, ପେଟ୍ରୋଲ ପମ୍ପରେ ମୁତୟନ ହେଲେ ସୈନିକ

କଲମ୍ବୋ: ଇନ୍ଧନ ଅଭାବ ହେତୁ ଶ୍ରୀଲଙ୍କାର ପେଟ୍ରୋଲ ପମ୍ପରେ ଲୋକଙ୍କ ଲମ୍ବା ଧାଡିରେ ଛିଡା ହୋଇଛନ୍ତି। ତେଣୁ ଇନ୍ଧନ ବଣ୍ଟନକୁ ପରିଚାଳନା ତଥା ତଦାରଖ କରିବା ପାଇଁ ଆଜି ପେଟ୍ରୋଲ ପମ୍ପରେ ସେନା ମୁତୟନ କରିବାକୁ ପଡିଛି। ବୈଦେଶିକ ମୁଦ୍ରା ଅଭାବ ଦେଶରେ ଏକ ବୃହତ ଅର୍ଥନୈତିକ ଏବଂ ଶକ୍ତି ସଙ୍କଟ ସୃଷ୍ଟି କରିଛି।

ଅତ୍ୟାବଶ୍ୟକ ଦ୍ରବ୍ୟର ହଠାତ୍ ବୃଦ୍ଧି ଏବଂ ଇନ୍ଧନର ଅଭାବ ହେତୁ ହଜାର ହଜାର ଲୋକ ପେଟ୍ରୋଲ ପମ୍ପରେ ଘଣ୍ଟା ଘଣ୍ଟା ଧରି ଠିଆ ହେବାକୁ ବାଧ୍ୟ ହେଉଛନ୍ତି। ପ୍ରତିଦିନ ଅନେକ ଘଣ୍ଟା ପାଇଁ ବିଦ୍ୟୁତ କାଟର ଲୋକମାନେ ସମ୍ମୁଖୀନ ହେଉଛନ୍ତି।

ଆଜି ସକାଳେ ଅସ୍ତ୍ରଶସ୍ତ୍ରଧାରୀ ସୈନିକମାନେ ରାଷ୍ଟ୍ରାୟତ୍ତ ସାଲନ୍ ପେଟ୍ରୋଲିୟମ ନିଗମ ଦ୍ୱାରା ପରିଚାଳିତ ପମ୍ପରେ ଲୋକଙ୍କୁ ନିୟନ୍ତ୍ରଣ କରୁଥିବା ଦେଖାଯାଇଥିଲା। ଶକ୍ତି ମନ୍ତ୍ରୀ ଗାମିନୀ ଲୋକୁଗେ କହିଛନ୍ତି ଯେ, କୌଣସି ଅଘଟଣକୁ ଏଡାଇବା ପାଇଁ ଆମେ ପେଟ୍ରୋଲ ପମ୍ପରେ ସାମରିକ କର୍ମଚାରୀ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛୁ। ଲୋକଙ୍କ ମଧ୍ୟରେ ସଠିକ୍ ଇନ୍ଧନ ବଣ୍ଟନ ବ୍ୟବସ୍ଥାକୁ ସୈନିକମାନେ ତଦାରହ କରିବେ ବୋଲି ସେ କହିଛନ୍ତି। କିନ୍ତୁ ଏଇ ସମୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଇନ୍ଧନ ପାଇଁ ଧାଡିରେ ଛିଡା ହୋଇଥିବା ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।