Categories
ଆଜିର ଖବର ଜାତୀୟ ଖବର

ମୁଦ୍ରା ଯୋଜନା ହିତାଧିକାରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀସ୍ଥିତ ଲୋକ କଲ୍ୟାଣ ମାର୍ଗରେ ମୁଦ୍ରା ଯୋଜନାର ଦଶବର୍ଷ ପୂର୍ତି ଉପଲକ୍ଷେ ମୁଦ୍ରା ଯୋଜନାର ହିତାଧିକାରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ କଥା ହୋଇଛନ୍ତି। ଉପସ୍ଥିତ ହିତାଧିକାରୀମାନଙ୍କ ସହ ମନଖୋଲା କଥା ହୋଇ ନିଜ ଅନୁଭୂତି ବାଂଟିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହି ଅବସରରେ ପୋଷା ଜନ୍ତୁଙ୍କ ଖାଦ୍ୟ ଓ ଔଷଧ ଯୋଗାଇ ସଫଳ ଉଦ୍ୟୋଗୀ ହୋଇପାରିଥିବା ଜଣେ ହିତାଧିକାରୀ ନିଜ ଅନୁଭୂତି ସମ୍ପର୍କରେ କହିଥିଲେ। କଠିନ ସମୟରେ ଆତ୍ମ ବିଶ୍ୱାସ ହିଁ ସଫଳତାର ଚାବିକାଠି ବୋଲି ସମ୍ପୃକ୍ତ ହିତାଧିକାରୀ ମତପ୍ରକାଶ କରିଥିଲେ। ଏହା ପରେ ସମ୍ପୃକ୍ତ ହିତାଧିକାରୀଙ୍କୁ ଋଣ ଦେଇଥିବା ବ୍ୟାଙ୍କ ଅଧିକାରୀଙ୍କୁ ଡାକିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ଓ ଋଣ ଯୋଗୁଁ ଏଯାବତ ହୋଇଥିବା ଅଗ୍ରଗତି ସମ୍ପର୍କରେ ସୂଚିତ କରିବା ପାଇଁ କହିଥିଲେ । ବିକାଶ ଓ ସଫଳତା ପାଇଁ କରାଯାଇଥିବା ସହଯୋଗ ହିତାଧିକାରୀମାନଙ୍କ ମନରେ ଉତ୍ସାହ ଭରି ଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଗୋପୀ କ୍ରିଷ୍ଣା ନାମକ କେରଳରୁ ଆସିଥିବା ଜଣେ ହିତାଧିକାରୀଙ୍କ ସହ ଆଲୋଚନା କରି ମୁଦ୍ରା ଯୋଜନାର ରୂପାନ୍ତରିତ ପ୍ରଭାବ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଉଭୟ ଘର ଓ ଅଫିସରେ ପରିବର୍ତନଶୀଳ ଊର୍ଜା ବ୍ୟବହାର ଓ ନୂତନ ନିଯୁକ୍ତି ସୁଯୋଗ ଉପରେ ପ୍ରଧାନମନ୍ତ୍ରୀ ଫୋକସ କରିଥିଲେ। ମୁଦ୍ରା ଯୋଜନା ସମ୍ପର୍କରେ ଅବଗତ ହୋଇ ହିତାଧିକାରୀ ଦୁବାଇ କମ୍ପାନୀ ଛାଡିଥିବା ପ୍ରଧାନମନ୍ତ୍ରୀ କହିଥିଲେ। ଦୁଇ ଦିନ ଭିତରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ସେହି ହିତାଧିକାରୀଙ୍କ ଘରେ ପ୍ୟାନେଲ ସଂସ୍ଥାପନ ହେବା କଥା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। କେରଳରେ ପ୍ରବଳ ବର୍ଷା ଓ ଘଂଚ ଜଙ୍ଗଲ ରହିଥିବା ସତ୍ୱେ ଏହି ଯୋଜନା ଅଧୀନରେ ମାଗଣାରେ ବିଜୁଳି ପାଇବା କଥା ସେ କହିଥିଲେ। ତେବେ ହିତାଧିକାରୀ ଜଣକ ବିଜୁଳି ବାବଦକୁ ଆଗରୁ ତିନି ହଜାର ଟଙ୍କା ଦେଉଥିବା ବେଳେ ଏବେ ମାତ୍ର ୨୪୦/୨୫୦ ଟଙ୍କା ଦେଉଥିବା ବେଳେ ତାଙ୍କ ମାସିକ ରୋଜଗାର ଏବେ ୨.୫ ଲକ୍ଷ ଉପରେ ପହଂଚିଥିବା ପ୍ରଧାନମନ୍ତ୍ରୀ କହିଥିଲେ।

ପରେ ଛତିଶଗଡ ରାଇପୁରର ପୁଚକା ଘର ତିଆରି କରିଥିବା ଜଣେ ସଫଳ ମହିଳା ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ। ଘରେ ରାନ୍ଧିବା କାମ ଛାଡି ସଫଳ କାଫେ ବ୍ୟବସାୟ ଆରମ୍ଭ କରିଥିବା ସମ୍ପୃକ୍ତ ମହିଳା ହିତାଧିକାରୀ ନିଜ ଜୀବନାଭୂତି ସମ୍ପର୍କରେ ଅବତାରଣା କରିଥିଲେ। ପ୍ରଫିଟ ମାର୍ଜିନ ଓ ଖାଦ୍ୟ ଖର୍ଚ୍ଚକାଟ ଉପରେ ଗବେଷଣା କରି ସଫଳତା ପାଇଥିବା ମହିଳା ହିତାଧିକାରୀ ଜଣକ କହିଥିଲେ। ରିସ୍କ ନେବା ଅପେକ୍ଷା ଚାକିରି କରିବାକୁ ଅନେକ ଯୁବକ ଇଚ୍ଛା ପ୍ରକାଶ କରୁଥିବା ସେ କହିଥିଲେ। ତେବେ ରିସ୍କ ନେବା ଉପରେ ବେଶୀ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୨୩ ବର୍ଷ ବୟସରେ ପୁଚକା ଘରର ପ୍ରତିଷ୍ଠାତା ରିସ୍କ ନେଇ ନିଜ ବ୍ୟବସାୟ ଆରମ୍ଭ କରିପାରିଛନ୍ତି। ରାଇପୁରରୁ ଆସିଥିବା ବନ୍ଧୁ, କର୍ପୋରେଟ ଜଗତ, ଛାତ୍ରମାନଙ୍କ ସହ ପ୍ରଧାନମନ୍ତ୍ରୀ ହିତାଧିକାରୀ ଜଣକ ନିଜ ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ। ବିଭିନ୍ନ ସରକାରୀ ସ୍କିମ ସମ୍ପର୍କରେ ବହୁ ଲୋକଙ୍କର କିଛି ବି ଧାରଣା ନଥିବା ମହିଳା ହିତାଧିକାରୀ ଜଣକ ଆଲୋକପାତ କରିଥିଲେ। ମୁଦ୍ରା ଯୋଜନା ଓ ପିଏମଇଜିପି ଋଣ ଦ୍ୱାରା ଜଣେ ଭଲ ରୋଜଗାର କରିପାରି ଆତ୍ମ ନିର୍ଭର ହୋଇପାରିବ ବୋଲି ସମ୍ପୃକ୍ତ ହିତାଧିକାରୀ ଜଣକ ନିଜସ୍ୱ ମତ ରଖିଥିଲେ।

କାଶ୍ମୀରର ବାରାମୂଲାରେ ବେକ ମାଇଁ କେକ ଦୋକାନ କରି ଲାଭାନ୍ୱିତ ହୋଇଥିବା ମୁଦାଶୀର ନକ୍ସବନ୍ଦୀ ନାମକ ଜଣେ ହିତାଧିକାରୀ ପରେ ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ। ଦିନେ ଚାକିରି ଖୋଜୁଥିବା ଏହି ବ୍ୟକ୍ତି ଜଣକ ବାରାମୂଲା ଦୁର୍ଗମ ଅଂଚଳର ପ୍ରାୟ ୪୨ ଜଣଙ୍କୁ ଚାକିରି ଦେଇଥିବା କଥା କହିଥିଲେ। ମୁଦ୍ରା ଯୋଜନା ଅଧୀନରେ ଋଣ ପାଇବା ପୂର୍ବରୁ ମୁଦଶୀର ମାତ୍ର କିଛି ହଜାର ଟଙ୍କା ରୋଜଗାର କରୁଥିବା ବେଳେ ଏବେ ତାଙ୍କର ଉଦ୍ୟୋଗରୁ ଲକ୍ଷାଧିକ ଟଙ୍କା ମିଳୁଛି। ମୁଦାଶୀରଙ୍କ ବ୍ୟବସାୟରେ ୟୁପିଆଇର ବ୍ୟାପକ ବ୍ୟବହାର ହେଉଥିବା ପ୍ରଧାନମନ୍ତ୍ରୀ ଜାଣିବାକୁ ପାଇଥିଲେ। ମୁଦାଶୀରଙ୍କ ବ୍ୟବସାୟରେ ପ୍ରାୟ ୯୦ ପ୍ରତିଶତ କାରବାର ୟୁପିଆଇ ମାଧ୍ୟମରେ ହେଉଥିବା ବେଳେ ମାତ୍ର ୧୦ ପ୍ରତିଶତ ନଗଦ କାରବାର ହେଉଥିବା କଥା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ପରେ ପ୍ରଧାନମନ୍ତ୍ରୀ ମୋଦୀ ସୁରେଶ ନାମକ ଜଣେ ହିତାଧିକାରୀଙ୍କ ପ୍ରେରଣାଦାୟୀ କାହାଣୀ ଶୁଣିଥିଲେ। ଦିନେ ଭାପିରେ ଚାକାରି କରୁଥିବା ଏହି ଯୁବକ ନିଜସ୍ୱ ଉଦ୍ୟମରେ ସିଲଭାସାରେ ଜଣେ ସଫଳ ଉଦ୍ୟୋଗପତି ହୋଇପାରିଛନ୍ତି। କେବଳ ଚାକିରି ତାଙ୍କୁ ଚଳାଇ ପାରିବ ନାହିଁ ବୋଲି ଭାବି ୨୦୨୨ରେ ସେ ନିଜ ବ୍ୟବସାୟ କରିବା ଆରମ୍ଭ କଲେ। ସୁରେଶଙ୍କର ଏହି ସଫଳତା ପରେ ତାଙ୍କର କିଛି ବନ୍ଧୁ ନିଜେ କିଛି ଆରମ୍ଭ କରିବା ପାଇଁ ମୁଦ୍ରା ଯୋଜନାରେ ଆବେଦନ କରଥିବା କହିଛନ୍ତି। ତେବେ ସଫଳ ଉଦ୍ୟୋଗୀ ହେବା ପାଇଁ ସୁରେଶଙ୍କ ପରି କିଛି ସଫଳ କାହାଣୀ ଅନ୍ୟମାନଙ୍କୁ ପ୍ରେରଣା ଦେଉଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଏମଏସଏମଇ ସେକ୍ଟରରେ ସଫଳତା ପାଇଥିବାରୁ ରାଏବରେଲୀର ଜଣେ ମହିଳା ଉଦ୍ୟୋଗପତି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଲାଇସେନ୍ସ ଓ ଫଣ୍ଡିଂ ପାଇବାକୁ ଆଗରୁ କଷ୍ଟକର ହେଉଥିଲା। କିନ୍ତୁ ଏବେ ଏହା ସରଳୀକୃତ ହୋଇଥିବାରୁ ବିକଶିତ ଭାରତ ନିର୍ମାଣ ପ୍ରକ୍ରିୟାରେ ସହଜସାଧ୍ୟ ହୋଇଛି। ବେକେରି କାରବାରରୁ ମାସିକ ପ୍ରାୟ ୨.୫ରୁ ୩ ଲକ୍ଷ ଟଙ୍କା ରୋଜଗାର କରି ସମ୍ପୃକ୍ତ ମହିଳା ଏବେ ୭ରୁ ୮ ଜଣ ଲୋକଙ୍କୁ ନିଯୁକ୍ତି ଦେଇପାରିଥିବା ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରାରମ୍ଭିକ ପର୍ଯ୍ୟାୟରେ ୫ ଲକ୍ଷ ଟଙ୍କାର ଋଣ ନେଇ ୨୦୨୧ ମସିହାରେ ମଧ୍ୟପ୍ରଦେଶ ଭୋପାଳର ଲବକୁଶ ମେହେରା ନାମକ ଜଣେ ଲୋକ ଫାର୍ମାସିଟ୍ୟୁକାଲ ବ୍ୟବସାୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ୯.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ନେଇ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରିପାରିଥିବା କହିଛନ୍ତି। ନିର୍ଦ୍ଦିଷ୍ଟ କୌଣସି ଗ୍ରୁପ ପ୍ରତି ମୁଦ୍ରା ଯୋଜନା ଅଭିପ୍ରେତ ନୁହେଁ। ବରଂ ନିଜ ଗୋଡରେ ଛିଡା ହୋଇ ନିଜେ ସ୍ୱାବଲମ୍ବୀ ହେବା ପାଇଁ ଏହା ସହାୟକ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଆଗରୁ ୬୦ରୁ ୭୦ ହଜାର ଟଙ୍କା ରୋଜଗାର କରୁଥିବା ଲବକୁଶଙ୍କ ମାସିକ ରୋଜଗାର ପ୍ରାୟ ଦେଢ ଲକ୍ଷ ଟଙ୍କା। ଲବକୁଶ ଏବେ ୩୪ ଲକ୍ଷ ଟଙ୍କାର ଘର ତିଆରି କରିପାରିବାରେ ସକ୍ଷମ ହୋଇପାରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ଅନ୍ୟମାନଙ୍କୁ ମୁଦ୍ରା ଯୋଜନାର ସଫଳତାର କାହାଣୀ କହିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ଗୁଜରାଟ ଭାବନଗର ଅଂଚଳର ଜଣେ ଯୁବ ଉଦ୍ୟୋଗପତି ମାତ୍ର ୨୧ ବର୍ଷ ବୟସରେ ଆଦିତ୍ୟ ଲାବ ପ୍ରତିଷ୍ଠା କରିପାରିବାରେ ସଫଳ ହୋଇପାରିଥିବା ପ୍ରଧାନମନ୍ତ୍ରୀ କହିଥିଲେ। ମୁଦ୍ରା ଯୋଜନାର କିଶୋର କାଟାଗୋରୀରେ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ନେଇ ମେକାଟ୍ରୋନିକ୍ସ ଶେଷବର୍ଷର ଜଣେ ଛାତ୍ର ଥ୍ରିଡି ପ୍ରିଟିଂଗ, ରିଭର୍ସ ଇଞ୍ଜିନିୟରିଂ, ରାପିଡ ପ୍ରୋଟୋଟାଇପିଙ୍ଗ, ରୋବୋଟିକ୍ସ ବ୍ୟବସାୟ କରି ସଫଳତା ପାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ନିଜ ପରିବାରର ସହାୟତା ନେଇ ସମ୍ପୃକ୍ତ ହିତାଧିକାରୀ ଏବେ ମାସିକ ୩୦ରୁ ୩୫ ହଜାର ଟଙ୍କା ରୋଜଗାର କରିପାରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

ସେହିପରି ମନାଲିର ଜଣେ ସଫଳ ମହିଳା ଉଦ୍ୟୋଗୀ ନିଜ ସଫଳତା କଥା ବଖାଣି ଥିଲେ। ୨୦୧୫-୧୬ରେ ମୁଦ୍ରା ଯୋଜନାରେ ଅଢେଇ ଲକ୍ଷ ଟଙ୍କାର ଋଣ ନେଇ ଅଢେଇ ବର୍ଷ ଭିତରେ ସେ ଏହାକୁ ପରିଶୋଧ କରିପାରିଥିବା କହିଥିଲେ। ପରେ ୫, ୧୦, ୧୫ ଲକ୍ଷ ଟଙ୍କାର ଋଣ ନେଇ ପରିବା ଦୋକାନରୁ ସେ ନିଜ ବ୍ୟବସାୟକୁ ରାସନ ଦୋକାନରେ ପରିଣତ କରିପାରିଥିଲେ। ଏହାଦ୍ୱାରା ବାର୍ଷିକ ୧୦ରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବାକୁ ସେ ସକ୍ଷମ ହୋଇଥିଲେ। ତେବେ ମୁଦ୍ରା ଯୋଜନାରେ ଋଣ ନେଇ ନିଜକୁ ସଶକ୍ତ କରିପାରିଥିବା ଅନେକ ସଫଳ ଉଦ୍ୟୋଗୀଙ୍କ କାହାଣୀ ପ୍ରଧାନମନ୍ତ୍ରୀ ଶୁଣିବାକୁ ପାଇଥିଲେ।

ସେହିପରି ଆନ୍ଧ୍ରପ୍ରଦେଶର ଜଣେ ମହିଳା ସଫଳ ଉଦ୍ୟୋଗୀଙ୍କ କଥା ପ୍ରଧାନମନ୍ତ୍ରୀ ଶୁଣିବାକୁ ପାଇଥିଲେ। ସାଧାରଣ ଗୃହିଣୀରୁ ଜଣେ ସଫଳ ଝୋଟ ବ୍ୟାଗ ପ୍ରସ୍ତୁତକର୍ତା ହିସାବରେ ତାଙ୍କ ସଫଳତା ସମ୍ପର୍କରେ ସେ ଜାଣିବାକୁ ପାଇଥିଲେ। ୨୦୧୯ରେ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ରରୁ ତାଲିମ ପାଇ କାନାରା ବ୍ୟାଙ୍କରୁ ଦୁଇ ଲକ୍ଷ ଟଙ୍କାର ମୁଦ୍ରା ଋଣ ନେଇ ସେ କାମ ଆରମ୍ଭ କରିଥିଲେ। ଋଣ ପରିଶୋଧ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ୨୦୨୨ରେ ସେ ଅଧିକ ୯.୫ ଲକ୍ଷ ଟଙ୍କାର ଋଣ ସହାୟତା ପାଇଥିଲେ। ତେବେ ମୁଦ୍ରା ଯୋଜନାରେ ଏପରି ମହିଳାମାନେ ସଫଳ ହୋଇପାରିଥିବା ପ୍ରଧାନମନ୍ତ୍ରୀ କହିଥିଲେ।

ବିହାରର ପୁନମ କୁମାରୀଙ୍କ ସଫଳତାର କାହାଣୀ ପ୍ରଧାନମନ୍ତ୍ରୀ ଶୁଣିବାକୁ ପାଇଥିଲେ। ମୁଦ୍ରା ଯୋଜନାରେ ଋଣ ନେଇ ସେ ଏବେ ମାସିକ ପ୍ରାୟ ୬୦ ହଜାର ଟଙ୍କା ରୋଜଗାର କରିପାରୁଥିବା ପ୍ରଧାନମନ୍ତ୍ରୀ ଜାଣିବାକୁ ପାଇଥିଲେ। ଏହି ଯୋଜନା ଅଧୀନରେ ନିଜର ଉନ୍ନତି କରିବା ପାରିବା ସହ ଅନେକ ସଫଳ ଉଦ୍ୟୋଗୀ ଅନ୍ୟମାନଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ବିନା ଗ୍ୟାରେଂଟି କିମ୍ବା କାଗଜପତ୍ରରେ ଅନେକ ଲୋକ ମୁଦ୍ରା ଯୋଜନା ଅଧୀନରେ ଋଣ ସହାୟତା ନେଇ ନିଜ ଗୋଡ ଛିଡା ହୋଇ ଆର୍ଥିକ ସ୍ୱାବଲମ୍ବୀ ହୋଇପାରିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଆର୍ଥିକ ସ୍ୱାଧୀନତା ପାଇ ବହୁ ମହିଳା ଏହି ଯୋଜନା ଅଧୀନରେ ଏବେ ଖୁବ ଉପକୃତ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଦ୍ରା ଯୋଜନା ଅଧୀନରେ ବିନା ଗ୍ୟାରେଂଟିରେ ଏଯାଏ ପ୍ରାୟ ୩୩ ଲକ୍ଷ କୋଟି ଟଙ୍କା ବିଭିନ୍ନ ବ୍ୟକ୍ତିଙ୍କୁ ଦିଆଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

ମୁଦ୍ରା ଯୋଜନା ଅଧୀନରେ ଲୋକଙ୍କର ଆର୍ଥିକ ଜୀବନଧାରଣର ମାନରେ ପରିବର୍ତନ ଘଟିଛି। ଏଥି ଯୋଗୁଁ ସାଧାରଣ ନାରଗିକଙ୍କର ରୋଜଗାରରେ ଅଭୂତପୂର୍ବ ପରିବର୍ତନ ଆସିପାରିଛି। ଫଳରେ ବ୍ୟକ୍ତିଟିଏ ନିଜ ପରିବାରର ଆର୍ଥିକ ମେରୁଦଣ୍ଡ ସଜାଡିପାରିବାରେ ସକ୍ଷମ ହୋଇପାରିଥିବା ମୋଦୀ କହିଥିଲେ। ଏହି ଯୋଜନାର ଦଶ ବର୍ଷ ପୂର୍ତି ଉପଲକ୍ଷେ ବିଭିନ୍ନ ହିତାଧିକାରୀଙ୍କଠାରୁ ଫିଡବ୍ୟାକ ନେଇ ସେ ଏହାର ସମୀକ୍ଷା କରିପାରୁଥିବା କହିଛନ୍ତି।

ପ୍ରଥମେ ପଚାଶ ହଜାରରୁ ପାଂଚ ଲକ୍ଷ ଓ ପରେ କୋଡିଏ ଲକ୍ଷ ପର୍ଯ୍ୟନ୍ତ ଋଣ ସହାୟତା ଯୋଗାଯାଇ ପାରୁଥିବାରୁ ଏହି ଯୋଜନାରେ ଅଧିକରୁ ଅଧିକ ଲୋକ ଉପକୃତ ହେବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ପ୍ରାୟ ପାଂଚରୁ ଦଶ ଜଣଙ୍କ ସହ କଥା ହୋଇ ଏହି ଯୋଜନା ସମ୍ପର୍କରେ ଅବଗତ କରାଇବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ଏହି ଯୋଜନା ଅଧୀନରେ ପ୍ରାୟ ୫୨ କୋଟି ଟଙ୍କା ବଂଟନ କରାଯାଇଥିବା ପ୍ରଧାନମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଛନ୍ତି।

ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ଆରମ୍ଭ କରାଯାଇଥିବା ଗରିବ କଲ୍ୟାଣ ମେଳ କଥା ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଲ୍ଲେଖ କରିଥିଲେ। ଗୁଜରାଟର ଗୋଟିଏ ଟ୍ରାଇବାଲ ଗ୍ରୁପ କଥା ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପାରମ୍ପରିକ ସଙ୍ଗୀତ ପରିବେଷଣ କରୁଥିବା ଏହି ଗ୍ରୁପ ସଫଳତାର ସହ ପରେ ଏକ ମ୍ୟୁଜିକାଲ ବ୍ୟାଣ୍ଡ ବି ପ୍ରତିଷ୍ଠା କରିପାରିଥିଲେ।

ତେବେ ମୁଦ୍ରା ଯୋଜନା ହିତାଧିକାରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ବେଳେ ତାଙ୍କ ସହ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ପୂରିଲା ୧୦ ବର୍ଷ: ଏବେ ସୁଦ୍ଧା ୩୩ ଲକ୍ଷ କୋଟି ଟଙ୍କାର ୫୨ କୋଟି ଋଣପ୍ରଦାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ଇତିମଧ୍ୟରେ ୧୦ ବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନାରେ ପ୍ରସ୍ତୁତ ଏହି ମହତ୍ୱାକାଂକ୍ଷୀ ଯୋଜନା ଦେଶର ଋଣପ୍ରଦାନ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ୟୁପିଏ ଶାସନ କାଳରେ ଦେଶର ଆର୍ଥିକ ବ୍ୟବସ୍ଥା ସ୍ୱଚ୍ଛ ନଥିଲା। ପ୍ରଭାବଶାଳୀ ଲୋକଙ୍କୁ ମୋଟା ଅଙ୍କର ଋଣ ସହଜରେ ମିଳିଯାଉଥିଲା। କିନ୍ତୁ ସାଧାରଣ ଲୋକମାନେ ସ୍ୱଳ୍ପ ପରିମାଣର ଋଣ ପାଇବାକୁ ବାରମ୍ବାର ବ୍ୟାଙ୍କକୁ ଦୌଡ଼ୁଥିଲେ। କ୍ଷୁଦ୍ର ଚାଷୀ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ଋଣ ପାଇବା ଲାଗି ଅନୌପଚାରିକ ଏବଂ ଶୋଷଣକାରୀ ସାହୁକାରଙ୍କ ଉପରେ ନିର୍ଭର କରୁଥିଲେ। ତେବେ ମୋଦୀ ସରକାରଙ୍କ ପିଏମ୍‌ ମୁଦ୍ରା ଯୋଜନା ଏହି ଧାରାକୁ ଭାଙ୍ଗିଥିଲା। ଏହି ଯୋଜନାର ସମାବେଶୀ ଦୃଷ୍ଟିକୋଣ ସମସ୍ତଙ୍କୁ ସଫଳ ହେବା ଲାଗି ଆବଶ୍ୟକ ଋଣ ପ୍ରଦାନକୁ ସହଜ କରିଥିଲା।

ମୁଦ୍ରା ଯୋଜନା ଏପ୍ରିଲ ୨୦୧୫ରେ ଆରମ୍ଭ ହୋଇଥିଲା। ଗତ ଏକ ଦଶନ୍ଧି ମଧ୍ୟରେ ଏହା ୩୩ ଲକ୍ଷ କୋଟି ଟଙ୍କାର ୫୨ କୋଟି ଋଣ ପ୍ରଦାନ କରି ଦେଶବ୍ୟାପୀ ଉଦ୍ୟୋଗ ପ୍ରତିଷ୍ଠାର ବିପ୍ଳବ ଆଣିଛି। ଏହି ଯୋଜନାର ପରିଣାମ ସ୍ୱରୂପ ଏବେ କେବଳ ବଡ଼ ସହର ନୁହେଁ ଛୋଟ ସହର ଓ ଗାଁରେ ମଧ୍ୟ ବ୍ୟବସାୟର ବିକାଶ ହେଉଛି। ପ୍ରଥମ ଥର ଉଦ୍ୟୋଗୀ ହୋଇଥିବା ଲୋକମାନେ ସେମାନଙ୍କର ଭାଗ୍ୟ ବଦଳାଇପାରୁଛନ୍ତି। ଏହା ଲୋକଙ୍କ ମାନସିକତାରେ ମଧ୍ୟ ପରିବର୍ତ୍ତନ ଆଣିଛି। ଲୋକମାନେ ଏବେ ଚାକିରି ଆଶାୟୀ ନୁହେଁ, ବରଂ ନିଯୁକ୍ତି ଦାତା ପାଲଟିଛନ୍ତି।

ମୁଦ୍ରା ଯୋଜନାରେ ମୋଟ୍‌ ଚାରିଟି ବର୍ଗରେ ଋଣ ପ୍ରଦାନ କରାଯାଉଛି । ଶିଶୁ ବର୍ଗରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ, କିଶୋର ବର୍ଗରେ ୫୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଏବଂ ତରୁଣ ବର୍ଗରେ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିତରଣ କରାଯାଉଛି । ଏହାଛଡ଼ା ସଫଳତାପୂର୍ବକ ତରୁଣ ଋଣ ପରିଶୋଧ କରିଥିବା ଉଦ୍ୟୋଗୀଙ୍କୁ ତରୁଣ ପ୍ଲସ୍‌ ବର୍ଗରେ ୧୦ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବାର ସୁବିଧା ରହିଛି। ଗତ ଏକ ଦଶନ୍ଧି ମଧ୍ୟରେ ମୁଦ୍ରା ଯୋଜନା ଭାରତର ଉଦ୍ୟୋଗ ପରିଦୃଶ୍ୟକୁ ନୂଆ ଆକାର ଦେଇଛି। ଦେଶର ଆର୍ଥିକ ଅନ୍ତର୍ଭୂକ୍ତୀକରଣ ମଡେଲକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି।

ମୁଦ୍ରା ଯୋଜନା ବ୍ୟାପକ ଆର୍ଥିକ ଲାଭକୁ ପ୍ରୋତ୍ସାହନ ଦେଇଛି । ସ୍କଚ୍‌ ର ମୋଦୀନୋମିକ୍ସ ରିପୋର୍ଟ ମୁତାବକ ଏହା ପ୍ରତିବର୍ଷ ବାର୍ଷିକ ୫.୧୪ କୋଟି ବ୍ୟକ୍ତି-ବର୍ଷ ରୋଜଗାର ସୃଷ୍ଟି କରିଛି। ସେହିପରି ୨୦୧୪ ପରଠାରୁ ମୁଦ୍ରା ଯୋଜନା କାରଣରୁ ବାର୍ଷିକ ହାରାହାରୀ ୨.୫୨ କୋଟି ସ୍ଥିର ଏବଂ ଦୀର୍ଘସ୍ଥାୟୀ ରୋଜଗାର ଉତ୍ପନ୍ନ ହୋଇଛି । ପିଏମ ମୁଦ୍ରା ଯୋଜନା ଅନୌପଚାରିକ କ୍ଷେତ୍ରର ବ୍ୟବସାୟକୁ ଔପଚାରିକ କରିଛି। ଯୁବବର୍ଗ, ବିଶେଷ କରି ଛୋଟ ସହର ଏବଂ ଗ୍ରାମାଞ୍ଚଳର ଲୋକଙ୍କ ମଧ୍ୟରେ ଏହା ଉଦ୍ୟୋଗୀ ହେବାର ମାନସିକତା ବିକଶିତ କରିଛି। କେବଳ ନୂଆ ଉଦ୍ୟୋଗୀଙ୍କୁ ୧୦ ଲକ୍ଷ କୋଟି ଟଙ୍କାର ଋଣ ଯୋଗାଇ ଦେଇଛି ।

ମୁଦ୍ରା ସମର୍ଥିତ ବ୍ୟବସାୟ ଜରିଆରେ ୨୦୧୫-୧୮ ମଧ୍ୟରେ ୧ କୋଟି ନିଯୁକ୍ତି ସୃଷ୍ଟି ହୋଇଛି। ଏହି ଯୋଜନା ପ୍ରଥମ ଥର ଋଣଗ୍ରହିତାମାନଙ୍କୁ ଔପଚାରିକ ଋଣ ବ୍ୟବସ୍ଥା ମଧ୍ୟକୁ ଆଣିପାରିଛି। ମୁଦ୍ରା ଋଣର ପ୍ରାୟ ୬୮% ମହିଳାମାନଙ୍କୁ ଦିଆଯାଇଛି। ଏହା ସେମାନଙ୍କର ଆର୍ଥିକ ସ୍ୱାଧୀନତା ବଢ଼ାଇବା ସହିତ ଲିଙ୍ଗଗତ ସମାନତାରେ ଯୋଗଦାନ ଦେଇଛି । ଅନେକ ହିତାଧିକାରୀ ମୁଦ୍ରା ଯୋଜନାକୁ ବ୍ୟବସାୟ ସମ୍ପ୍ରସାରଣ ସହିତ ନୂଆ ଦକ୍ଷତା ହାସଲ କରିବା କିମ୍ବା ପ୍ରଯୁକ୍ତି ଉନ୍ନତିକରଣ କରିବାରେ ଉପଯୋଗ କରିଛନ୍ତି। ଏହା ସେମାନଙ୍କର ଉତ୍ପାଦକତାରେ ସୁଧାର ଆଣିଛି। ଏସସି, ଏସଟି ଏବଂ ଓବିସି ଉଦ୍ୟୋଗୀଙ୍କୁ ୫୦% ମୁଦ୍ରା ଋଣ ମିଳିଥିବାରୁ ସାମାଜିକ ସଶକ୍ତିକରଣରେ ସହାୟତା ମିଳିଛି। ଠିକ୍‌ ସମୟରେ ଋଣ ପରିଶୋଧ କରି ହିତାଧିକାରୀମାନେ ସେମାନଙ୍କର ଋଣବିଶ୍ୱସନୀୟତାର ପ୍ରମାଣ ଦେଇଛନ୍ତି। କ୍ଷୁଦ୍ର ବ୍ୟବସାୟୀମାନେ ମୁଦ୍ରା ଋଣ ସହାୟତାରେ ସେମାନଙ୍କର ବ୍ୟବସାୟକୁ ବିସ୍ତାର କରିଛନ୍ତି। ଆୟ ସୃଜନକାରୀ କାର୍ଯ୍ୟକଳାପ ଜରିଆରେ ଏହା ଦାରିଦ୍ର୍ୟ ଦୂରୀକରଣରେ ସହାୟକ ହୋଇଛି।

ମୁଦ୍ରା ଯୋଜନା ମହିଳା ନେତୃତ୍ୱାଧୀନ ବ୍ୟବସାୟକୁ ପ୍ରୋତ୍ସାହନ ଦେବା, ପାଣ୍ଠି ଉପଲବ୍ଧ କରିବା, ଲଘୁ ଉଦ୍ୟୋଗର ବିକାଶ, ବନ୍ଧକମୁକ୍ତ ଋଣପ୍ରଦାନ, ଉଦ୍ୟୋଗ ବିକାଶ ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବାରୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏହାକୁ ଉଚ୍ଚ ପ୍ରଶଂସା କରିଛି।

ଉଦ୍ୟୋଗ ବିକାଶ କ୍ଷେତ୍ରରେ ମୁଦ୍ରା ଯୋଜନା ଆଣିଥିବା ପରିବର୍ତ୍ତନକୁ ଭାରତୀୟ ଷ୍ଟେଟବ୍ୟାଙ୍କର ରିପୋର୍ଟରେ ପ୍ରଶଂସା କରାଯାଇଛି । ଏହି ରିପୋର୍ଟ ମୁତାବକ, ଗତ ୧୦ ବର୍ଷ ମଧ୍ୟରେ ଏହି ଯୋଜନାରେ ୫୨ କୋଟି ଋଣ ଆକାଉଣ୍ଟ ଖୋଲାଯାଇଛି। ଏହା ଏମଏସଏମଇଗୁଡ଼ିକୁ ଋଣ ଯୋଗାଣ ସହଜ କରିଛି। ୨୦୨୪ ଆର୍ଥିକ ବର୍ଷରେ ଏମଏସଏମଇକୁ ଋଣ ପ୍ରଦାନ ୨୭.୨୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହା ୨୦୨୫ ଆର୍ଥିକ ବର୍ଷରେ ୩୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହି ଋଣ ସମ୍ପ୍ରସାରଣ ଛୋଟ ସହର ଏବଂ ଗ୍ରାମାଞ୍ଚଳରେ ବ୍ୟବସାୟକୁ ଆର୍ଥିକ ସହାୟତା ପାଇବାକୁ ଅନୁମତି ଦେଇଛି ଯାହା ପୂର୍ବରୁ ଉପଲବ୍ଧ ନଥିଲା। ଏହା ଭାରତର ଆର୍ଥିକ ସ୍ଥିତିକୁ ମଜବୁତ କରିଛି। ମୁଦ୍ରା ଯୋଜନା ଆତ୍ମନିର୍ଭରଶୀଳ ଅର୍ଥବ୍ୟବସ୍ଥା ଏବଂ ତୃଣମୂଳ ସ୍ତରରେ ନିଯୁକ୍ତି ସୃଷ୍ଟିରେ ସହାୟକ ହୋଇଛି।

Categories
ବିଶେଷ ଖବର ବ୍ୟବସାୟ

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା: ଜୀବିକାର୍ଜନ ପାଇଁ ଋଣ ସହାୟତାର ପ୍ରକୃଷ୍ଠ ମାଧ୍ୟମ

ଲେଖକ: ସୌମ୍ୟକାନ୍ତୀ ଘୋଷ; ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା, ଭାରତୀୟ ଷ୍ଟେଟବ୍ୟାଙ୍କ ଗ୍ରୁପ

ଗତ ଏପ୍ରିଲ ୮ ତାରିଖରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା କାର‌୍ୟ୍ୟକାରୀ ହେବାର ଆଠ ବର୍ଷ ପୂରଣ ହୋଇଛି । ୨୦୧୪-୧୫ ବର୍ଷରେ ଭାରତର ଆନୁଷ୍ଠାନିକ ଆର୍ଥିକ କ୍ଷେତ୍ର ଯେତେବେଳେ ଅନାଦାୟ ଋଣ ଓ କ୍ଷତିର ଜଟିଳ ସମୟ ଦେଇ ଗତି କରୁଥିଲା ସେତେବେଳେ ଏହି ମୁଦ୍ରା ଯୋଜନା ଆରମ୍ଭ ହୋଇଥିଲା। ଏହି ଋଣ ଯୋଗାଣ ବ୍ୟବସ୍ଥାରେ କ୍ଷୁଦ୍ର କ୍ଷୁଦ୍ର ଉଦ୍ୟୋଗକୁ ସରକାର ଋଣ ଯୋଗାଇବା ସହିତ ସେଗୁଡ଼ିକୁ ଅଧିକ ସୁସ୍ଥ ଓ ଉପାର୍ଜନକ୍ଷମ କରିବାରେ ସହାୟକ ହୋଇଥିଲେ। ମୁଦ୍ରା ଯୋଜନାର ଏକ ଉତ୍ତମ ପ୍ରଭାବ ମଧ୍ୟ ଦେଶର ସାମାଜିକ ଓ ସାଂସ୍କୃତିକ କ୍ଷେତ୍ର ଉପରେ ପଡ଼ିଛି।

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଭାରତ ସରକାରଙ୍କ ଏକ ଧ୍ୱଜାଧାରୀ କାର‌୍ୟ୍ୟକ୍ରମ ଏବଂ ଆତ୍ମନିଯୁକ୍ତିକୁ ପ୍ରୋତ୍ସାହିତ କରିବାକୁ ଏହା ଉଦ୍ଦିଷ୍ଟ। କ୍ଷୁଦ୍ର ଉଦ୍ୟୋଗ, ବିଶେଷକରି ନିଜ ଉଦ୍ୟମରେ ଓ ଅର୍ଥରେ ଗଢ଼ି ଉଠିଥିବା ଶିଳ୍ପସଂସ୍ଥାକୁ ସେମାନଙ୍କ ବ୍ୟବସାୟ ବୃଦ୍ଧିରେ ସାହାଯ୍ୟ ସହଯୋଗ କରିବାକୁ ଏହି ଯୋଜନାରେ ସ୍ୱତନ୍ତ୍ର ଗୁରୁତ୍ୱ ପ୍ରଦାନ କରାଯାଇଛି। ଭାରତର କ୍ଷୁଦ୍ର ଉଦ୍ୟୋଗ (ମାଇକ୍ରୋ ଏଣ୍ଟରପ୍ରାଇଜେସ) ସବୁ ମୁଖ୍ୟତଃ ମାନୁଫାକଚରିଂ ବା ବିନିର୍ମାଣ, ଟ୍ରେଡିଂ (ବେପାର) ଓ ସର୍ଭିସ ବା ସେବା କାର‌୍ୟ୍ୟରେ ନିୟୋଜିତ । ସେଥିରୁ ଅଧିକାଂଶ ଏକକ ମାଲିକାନାରେ ପରିଚାଳିତ।

ଭାରତର ଆନୁଷ୍ଠାନିକ ଓ ସଂସ୍ଥାଗତ ଋଣ ଯୋଗାଣ ବ୍ୟବସ୍ଥାରେ ଏମାନଙ୍କ ପାଇଁ ଋଣ ସୁବିଧା ନ ଥିଲା। ତେଣୁ ନିଜର ବ୍ୟାବସାୟିକ ଆବଶ୍ୟକତା ପୂରଣ ପାଇଁ ବ୍ୟାଙ୍କରୁ ଋଣ ପାଇବା ଏସବୁ ସଂସ୍ଥାଙ୍କ ପାଇଁ ଏକ ପ୍ରକାର ଅସମ୍ଭବ ଥିଲା। ଏସବୁ ସଂସ୍ଥା ଓ ଉଦ୍ୟୋଗ ପ୍ରାୟତଃ ମାଲିକଙ୍କ ନିଜ ଅର୍ଥରେ ପ୍ରତିଷ୍ଠିତ ଏବଂ ପରିଚାଳିତ। ଟଙ୍କାର ଆବଶ୍ୟକତା ପଡ଼ିଲେ ମାଲିକ ନିଜ ଉଦ୍ୟମରେ ଅନ୍ୟ କାହାଠାରୁ ଧାର ଉଧାର କରିଥାଏ କିମ୍ବା ସାହୁକାର ବା ମହାଜନଙ୍କ ଠାରୁ ଋଣ ଆଣେ।

ତେଣୁ ଆବଶ୍ୟକ ସମୟରେ ନିଜର ଉଦ୍ୟୋଗ ପାଇଁ ସହଜରେ ଅର୍ଥ ଯୋଗାଡ଼ କରିବା ଏସବୁ ଉଦ୍ୟୋଗୀଙ୍କ ପାଇଁ ବେଶ ସମସ୍ୟାବହୁଳ ହୋଇଥାଏ । ଏହି କଥାକୁ ବିଚାରକୁ ନେଇ କ୍ଷୁଦ୍ର ଉଦ୍ୟୋଗୀମାନଙ୍କ ସମସ୍ୟା ଦୂର କରିବାକୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ପରିକଳ୍ପନା କରାଯାଇଥିଲା । ଆନୁଷ୍ଠାନିକ ବ୍ୟାଙ୍କ ବ୍ୟବସ୍ଥାର ବାହାରେ ଥିବା ଏକ ବଡ଼ କ୍ଷେତ୍ର ଓ ଆନୁଷ୍ଠାନିକ ଅର୍ଥ/ଋଣ ଯୋଗାଣ ବ୍ୟବସ୍ଥା ମଧ୍ୟରେ ସେତୁ ସ୍ଥାପନ କରିବା ପାଇଁ ୨୦୧୫ରେ ଏହି ଯୋଜନା କାର‌୍ୟ୍ୟକାରୀ ହୋଇଥିଲା।

ଏହି ଯୋଜନାରେ ଏଭଳି କ୍ଷୁଦ୍ର ବ୍ୟକ୍ତିଗତ ଉଦ୍ୟୋଗକୁ ୧୦ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଋଣ ବିନା ବନ୍ଧକ ବା ଅମାନତରେ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ତାଲିକାଭୁକ୍ତ ବ୍ୟାବସାୟିକ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ଓ ମାଇକ୍ରୋ ଫାଇନାନ୍ସ ଅନୁଷ୍ଠାନ ସବୁ ଏହି ଋଣ ପ୍ରଦାନ କରିବାକୁ ଅନୁମତି ପାଇଛନ୍ତି।

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ମାଇକ୍ରୋ ୟୁନିଟ୍ସ ଡେଭେଲପମେଣ୍ଟସ ଆଣ୍ଡ ରିଫାଇନାନ୍ସିଂ ଏଜେନ୍ସି (ମୁଦ୍ରା) ତିବିଟି ଉପଯୋଜନା ସୃଷ୍ଟି କରିଛି। ଏଥିରେ ଋଣକୁ ତିନି ଭାଗରେ ବିଭକ୍ତ କରାଯାଇଛି ଯଥା ଶିଶୁ, କିଶୋର ଓ ତରୁଣ। ଶିଶୁ ବର୍ଗର ଉଦ୍ୟୋଗ ପାଇଁ ୫ଠ ହଜାର, କିଶୋର ବର୍ଗ ପାଇଁ ୫୦ ହଜାର ୧ରୁ ୫ ଲକ୍ଷ ଏବଂ ତରୁଣ ବର୍ଗର ଉଦ୍ୟୋଗ ପାଇଁ ୫ ଲକ୍ଷ ୧ରୁ ୧୦ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଋଣ ଯୋଗାଣର ସୁବିଧା କରାଯାଇଛି।

ସମ୍ପୃକ୍ତ ଉଦ୍ୟୋଗଗୁଡ଼ିକର ପାଣ୍ଠି ଆବଶ୍ୟକତାକୁ ବିଚାରକୁ ନେଇ ଶିଳ୍ପର ଶ୍ରେଣୀ ବିଭାଗ କରାଯାଇଛି। ଏହାଛଡ଼ା କୌଣସି ବ୍ୟକ୍ତିବିଶେଷ ଯଦି ନୂଆକରି ଉଦ୍ୟୋଗ ପ୍ରତିଷ୍ଠା କରିବାକୁ ଚାହିଁବେ, ସେ ମଧ୍ୟ ଏହି ଯୋଜନାରେ ଋଣ ପାଇବାକୁ କେତେକ ସର୍ତ୍ତରେ ଯୋଗ୍ୟ ବିବେଚିତ ହେବେ।

ଏହି ଯୋଜନା କାର‌୍ୟ୍ୟକାରୀ ହେବା ଠାରୁ ଅନେକ ପରିବର୍ତ୍ତନ କରାଯାଇଛି । ଭଲ ଅର୍ଥନୈତିକ ପ୍ରଭାବର ସମ୍ଭାବନା ଥିଲେ ଏହାର ପରିସରକୁ ବ୍ୟାପକ କରିବାର ବି ନିୟମ ରହିଛି। ପ୍ରଥମେ ଏହି ଯୋଜନା ମାନୁଫାକଚରିଂ, ଟ୍ରେଡିଂ ଓ ସର୍ଭିସ ଭଳି ଉପାର୍ଜନକ୍ଷମ କାର‌୍ୟ୍ୟକ୍ରମ ନିମନ୍ତେ ଉଦ୍ଦିଷ୍ଟ ଥିଲା । ଏବେ ଏହାକୁ କୃଷି ଓ ତତସଂକ୍ରାନ୍ତ କାର‌୍ୟ୍ୟକ୍ରମ ଓ କ୍ଷେତ୍ରକୁ ଏହାକୁ ସମ୍ପ୍ରସାରିତ କରାଯାଇଛି । ୨୦୧୭-୧୮ରୁ ଏହି ଯୋଜନାରେ ଟ୍ରାକ୍ଟର ଓ ପାୱାରଟିଲର କିଣିବା ପାଇଁ ଋଣ ଯୋଗାଇ ଦିଆଯାଉଛି । ଏହାଛଡ଼ା ବ୍ୟବସାୟିକ କାମ ପାଇଁ ଦୁଇଚକିଆ ଯାନ କିଣିବାକୁ ଏହି ଯୋଜନାରେ ୨୦୧୮-୧୯ରୁ ଋଣ ଯୋଗାଣ ଆରମ୍ଭ ହୋଇଛି ।

ପ୍ରଥମ ତିନିବର୍ଷରେ ଏହି ଯୋଜନାରେ ହାରାହାରି ଋଣ ପ୍ରଦାନ ଅଭିବୃଦ୍ଧି ୩୩% ହୋଇଥିଲା । ଏଥିରୁ ଏହି ଯୋଜନାର ସଫଳତା ଓ ଲୋକପ୍ରିୟତାର ପ୍ରମାଣ ମିଳେ। ତେବେ କରେନା ମହାମାରୀ କାଳ ଓ ତତ୍ ପରବର୍ତ୍ତୀ ଆର୍ଥିକ ମାନ୍ଦାବସ୍ଥା ସମୟରେ ଏହି ଋଣର ଚାହିଦା ଯଥେଷ୍ଟ କମିଥିଲା । ଏହି ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ସ୍ୱତନ୍ତ୍ର ସହାୟତା ବ୍ୟବସ୍ଥା କରି ଏହି ଯୋଜନାରେ ଯେଉଁମାନେ ଋଣ ନେଇଥିଲେ ସେମାନଙ୍କ କିସ୍ତି ପୈଠ ଉପରେ ଛ’ ମାସିଆ ସ୍ଥଗିତାଦେଶ ଲାଗୁ କରିଥିଲେ। ଫଳରେ ଏହି ଋଣ ଗ୍ରହୀତାମାନେ ସୁଧ ଓ କିସ୍ତି ବୋଝରୁ ନିସ୍ତାର ପାଇଥିଲେ।

ଦେଶର ଅର୍ଥନୈତିକ କାର‌୍ୟ୍ୟକଳାପ ସ୍ୱାଭାବିକ ହେବା ପରେ ମୁଦ୍ରା ଋଣ ଚାହିଦା ବଢ଼ିଛି । ଏବେ ଏହି ଋଣ ପ୍ରଦାନ ପରିମାଣ କୋଭିଡ ପୂର୍ବବର୍ତ୍ତୀ ସ୍ତରକୁ ଅତିକ୍ରମ କରିଛି। ୨୦୨୩ ମାର୍ଚ୍ଚ ୨୪ ସୁଦ୍ଧା ଉପଲବ୍ଧ ତଥ୍ୟ ଅନୁସାରେ ଏହି ଯୋଜନାରେ ଦିଆଯାଇଥିବା ମୋଟ ଋଣ ପରିମାଣ ୨୨.୬୫ ଟ୍ରିଲିୟନ ଟଙ୍କାରେ ପହଞ୍ôଚଥିଲା । ସେଥି ମଧ୍ୟରୁ ଶିଶୁ ଋଣର ଅଂଶ ସର୍ବାଧିକ ୪୦% । ଏଥିରୁ ପ୍ରମାଣିତ ହୁଏ ଯେ ପ୍ରଥମ କରି ଉଦ୍ୟୋଗ କରୁଥିବା ଉଦ୍ୟମୀଙ୍କୁ ଏହି ଋଣ ପ୍ରଦାନରେ ଅଗ୍ରାଧିକାର ମିଳୁଛି।

ମୁଦ୍ରା ଯୋଜନାର ଅର୍ଥନୀତିକ ପ୍ରଭାବ ଏଯାଏ ଭଲ ଭାବେ ପ୍ରତିପାଦିତ ହୋଇନାହିଁ । କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସର୍ତ୍ତ ଅନୁସାରେ ଏହି ଯୋଜନାରେ ୨୦୧୫ରୁ ୨୦୧୮ ମଧ୍ୟରେ ୧୧.୨ ନିୟୁତ ଅତିରିକ୍ତ ନୂଆ ନିଯୁକ୍ତି ସୃଷ୍ଟି ହୋଇଛି।

ଏହି ଯୋଜନାର ସାମାଜିକ ପ୍ରଭାବ ମଧ୍ୟ ଆହୁରି ଏକ ଗଭୀର କାହାଣୀ। ଏହାକୁ ତିନିଟି ବର୍ଗରେ ବୁଝି ହେବ। ସେହି ତିନିଟି କ୍ଷେତ୍ର ହେଲା- ୧. ବୃହତ୍ତର ସାମାଜିକ ଗୋଷ୍ଠୀ, ୨. ମହିଳା, ୩. ସଂଘ୍ୟାଲଘୁ ସମ୍ପ୍ରଦାୟର ଲୋକ।

ପ୍ରଥମ ବର୍ଗରେ ମୁଦ୍ରା ଯୋଜନାରେ ଭାରତୀୟ ସମାଜର ସବୁ ବର୍ଗ ଓ ଗୋଷ୍ଠୀ ଉପକୃତ ହୋଇଛନ୍ତି । ଏଥିରେ ସାଧାରଣ ବର୍ଗ, ତଫସିଲଭୁକ୍ତ ଜାତି, ଉପଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗ ଅନ୍ତର୍ଭୁକ୍ତ । ଅଧିକରୁ ଅଧିକ ଓବିସି ଓ ଏସଟି ବର୍ଗର ଉଦ୍ୟୋଗୀ ଏହି ଋଣ ନେବା ଘଟଣାରୁ ଜାଣି ହେଉଛି ଯେ ଯୋଜନା ଲୋକଙ୍କ ପାଖରେ ପହଞ୍ôଚଛି ଓ ସେମାନେ ତାହାର ଲାଭ ନେଉଛନ୍ତି।

ମହିଳା ଉଦ୍ୟୋଗୀଙ୍କ ପାଇଁ ଏହି ଯୋଜନା ସବୁଠାରୁ ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇଛି। ଯୋଜନା ଆରମ୍ଭରୁ ମିଳିଥିବା ତଥ୍ୟ ଅନୁସାରେ ମହିଳାଙ୍କ ଜମାଖାତା ହାର ୬୯%। ସେହିଭଳି ଋଣ ମଞ୍ଜୁରୀ କ୍ଷେତ୍ରରେ ଏହି ହାର ୪୫ ଶତାଂଶ ରହିଛି । ଯୋଜନାର ପ୍ରଥମ ଚାରି ବର୍ଷ ମଧ୍ୟରେ ମହିଳା ଉଦ୍ୟୋଗୀଙ୍କ ପଞ୍ଜୀକରଣ ହାରରେ ୨୩% ଅଭିବୃଦ୍ଧି ଘଟିଥିଲା। ୨୦୨୨ରେ ଏହା ୨୮%କୁ ବୃଦ୍ଧି ପାଇଛି।

ଏହି ଯୋଜନାରେ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ଋଣ ଯୋଗାଇ ଦିଆଯାଇ ସେମାନଙ୍କ ଆବଶ୍ୟକତା ବହୁଳ ଭାବେ ପୂରଣ କରାଯାଇଛି । ୨୦୨୨ରେ କେବଳ ଶିଶୁ ଓ କିଶୋର ବର୍ଗର ଉଦ୍ୟୋଗ ପାଇଁ ଦିଆଯାଇଥିବା ଋଣ ମୋଟ ଋଣର ୧୦% ଥିଲା ।

ମୁଦ୍ରା ଯୋଜନା ଏକ ଜାତୀୟ ଯୋଜନା ହୋଇଥିବାରୁ ସମତୁଲ ଅର୍ଥନୀତିକ ବିକାଶ ପାଇଁ ଦେଶର ସବୁ ଅଞ୍ଚଳରେ ଏହା ସମାନୁପାତିକ ଭାବେ ଯୋଗାଇ ଦିଆଯିବା ଆାବଶ୍ୟକ। ଅର୍ଥନୀତିକ ବିକାଶ କ୍ଷେତ୍ରରେ ଦେଶର ପୂର୍ବ ଓ ପଶ୍ଚିମ ଭାଗ ମଧ୍ୟରେ ଯେଉଁ ବ୍ୟବଧାନ ରହିଛି ତାହାକୁ ଦୂର କରିବାକୁ ସରକାର ନୀତିଗତ ଭାବେ ନିଷ୍ପତ୍ତି ନେଇ କାମ କରୁଛନ୍ତି। ସେଥିପାଇଁ ଅଳ୍ପ ବିକଶିତ ପୂର୍ବାଞ୍ଚଳ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଏକ ସମୀକ୍ଷା ଅନୁସାରେ ମୁଦ୍ରା ଋଣ ଯୋଗାଣ ଦେଶର ସବୁ ଅଞ୍ଚଳରେ ଉପଯୁକ୍ତ ଭାବେ ହେଉଛି ଏବଂ କୌଣସି ତ୍ରୁଟି ବିଚ୍ୟୁତି ବା ବିଷମତା ନାହିଁ। ସଂକ୍ଷେପରେ କହିଲେ, ଏହାର ଭୌଗଳିକ ବ୍ୟାପ୍ତି ବେଶ ସନ୍ତୋଷଜନକ ରହିଛି।

ଉତ୍ତର ପ୍ରଦେଶ, ଓଡ଼ିଶା, ବିହାର ଭଳି ରାଜ୍ୟ ମୁଦ୍ରା ଋଣ ଯୋଜନାରେ ସବୁଠାରୁ ଅଧିକ ସଫଳତା ଅର୍ଜନ କରିଛନ୍ତି। ପଶ୍ଚିମବଙ୍ଗ ଓ ତ୍ରିପୁରା ମଧ୍ୟ ଏ କ୍ଷେତ୍ରରେ ଭଲ କରୁଥିବା ଜଣାପଡ଼ିଛି। ଏଥିରୁ ଜାଣି ହେଉଛି ଯେ ମୁଦ୍ରା ଋଣର ଲାଭ କ୍ରମଶଃ ଦେଶରେ ଅନୁଭୂତ ପୂର୍ବାଞ୍ଚଳରେ ଅଧିକ ମିଳୁଛି। ଏହି ସମୟରେ ଦିଲ୍ଲୀ ସମେତ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଗୋଆ ଆଦି ଉନ୍ନତ ଅଞ୍ଚଳରେ ମୁଦ୍ରାଋଣର ଚାହିଦା କମିଛି। ମୋଟାମୋଟି ଭାବେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଏହାର କାର‌୍ୟ୍ୟକାରିତାରେ ସମବଣ୍ଟନ ନୀତି ପୂରଣ କରିବାରେ ସଫଳ ହୋଇଛି।

ଏଥିରେ କୌଣସି ଅଞ୍ଚଳ ପ୍ରତି ପାତରଅନ୍ତର କିମ୍ବା ଅବହେଳା କରାଯାଇ ନାହିଁ। ଏଥିରେ ଦେଶର ତଫସିଲଭୁକ୍ତ ଜାତି, ଉପଜାତି, ମହିଳା, ସଂଖ୍ୟାଲଘୁ ଅନ୍ୟାନ୍ୟ ଅନଗ୍ରସର ବର୍ଗଙ୍କ ସମେତ ଅନ୍ୟସବୁ ବର୍ଗଙ୍କୁ ଉପଯୁକ୍ତ ଋଣ ଯୋଗାଣ ସୁବିଧା ମିଳିଛି। ଆଗାମୀ ବର୍ଷଗୁଡ଼ିକରେ ମୁଦ୍ରା ଋଣ କିପରି ୫-ଜି ଟେକ୍ନୋଲୋଜି ଓ ଇ-କମର୍ସର ଫାଇଦା ନେଇ ପାରିବ ସେଥିପାଇଁ ଗୁରୁତ୍ୱ ଦିଆଯାଉଛି । ମୁଦ୍ରା କାର୍ଡକୁ ଆହୁରି ଲୋକପ୍ରିୟ କରିବାକୁ ଉଦ୍ୟମ ଚାଲିଛି। ଏହି ଯୋଜନା ନିଜ ଆକାଉଣ୍ଟର ପଞ୍ଜୀକରଣ ଓ ଆନୁଷ୍ଠାନିକୀରଣକୁ ମଧ୍ୟ ଉତ୍ସାହିତ କରୁଛି। ଏହା ଫଳରେ ଏହି ଯୋଜନା ଆହୁରି ଉପରକୁ ଉଠିପାରିବ।

ବିଶ୍ୱବିଖ୍ୟାତ ନୃତତ୍ତ୍ୱବିତ୍ ଅସ୍କାର ଲେଭିସ ତାଙ୍କର ଲୋକପ୍ରିୟ ପୁସ୍ତକ ‘ଚିଲଡ୍ରେନ ଅଫ ସାନଚେଜ’ରେ ଲେଖିଛନ୍ତି- “ଦାରିଦ୍ର‌୍ୟର ସଂସ୍କୃତି” ସମୟ କ୍ରମେ ବିସ୍ତାର ଲାଭ କରେ ଓ ସୀମା ସରହଦ ଡେଉଁ ମାଡ଼ିଚାଲେ।” ମୁଦ୍ରା ଯୋଜନା କିନ୍ତୁ ଅଳ୍ପ ଦିନରେ ଏହି ଦାରିଦ୍ର‌୍ୟର ସଂସ୍କୃତିକୁ କେବଳ ରୋକି ନାହିଁ, ଏହାକୁ ବଦଳାଇବାରେ ସମର୍ଥ ହୋଇଛି। ଏହା ଏକ ସାଧାରଣ ସମସ୍ୟାର ସମାଧାନରେ ଅସାଧାରଣ ସୂତ୍ର ପାଲଟିଛି।