Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

Invest Odisha: ଆଜି ୧୫ଟି କମ୍ପାନୀ ସହ ମୁମ୍ବାଇରେ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଆଗାମୀ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ଯାଏଁ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ମେକ୍‌ ଇନ୍‌ ଇଣ୍ଡିଆ କନ୍‌କ୍ଲେଭ୍‌ ପାଇଁ ବୃହତ୍‌ କମ୍ପାନୀଗୁଡ଼ିକୁ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ଆକର୍ଷିତ କରିବା ଉଦ୍ଦେଶ୍ୟରେ ମୁମ୍ବାଇଠାରେ ଏକ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହାର ଅବ୍ୟବହିତ ପୂର୍ବରୁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ୧୫ଟି କମ୍ପାନୀର ମୁଖ୍ୟମାନଙ୍କ ସହ ବ୍ୟକ୍ତିଗତ ଭାବେ ବୈଠକ କରି ଓଡ଼ିଶାର ଶିଳ୍ପ ଆଭିମୁଖ୍ୟ ଉପରେ ଆଲୋଚନା କରିଛନ୍ତି। କି୍ରସିଲ୍‌ ଲିଃ, ନାଲ୍‌କୋ ଓ ସହଯୋଗୀ କମ୍ପାନୀ, ଥାଇସେନ୍‌କ୍ରୁପ୍‌ ଇଣ୍ଡିଆ ଲିଃ, ଆଇଏମ୍‌ପି ପାୱାର ଲିଃ, ରୋଚେନ୍‌ ସେପାରେସନ୍‌ ସିଷ୍ଟମ୍‌(ଇଣ୍ଡିଆ) ପ୍ରା.ଲିଃ ପ୍ରମୁଖ କମ୍ପାନୀଗୁଡ଼ିକର ପ୍ରତିନିଧିମାନଙ୍କ ସହ ମୁଖ୍ୟ ଶାସନ ସଚିବ ପୃଥକ ପୃଥକ ଭାବେ ଆଲୋଚନା କରିଥିଲେ।

ଶ୍ରୀ ମହାପାତ୍ର ଓଡ଼ିଶା ସରକାର ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ନିମନ୍ତେ ଦେଉଥିବା ବିଭିନ୍ନ ସୁବିଧାସୁଯୋଗ ଏବଂ ଭିତ୍ତିଭୂମି ବିକାଶ ବାବଦରେ ସେମାନଙ୍କୁ ଅବଗତ କରାଇଥିଲେ। ଆମର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଜମିଯୋଗାଣ, ଉନ୍ନତ ମାନର ବିଦୁ୍ୟତ, ଶିଳ୍ପପୁଞ୍ଜ ଏବଂ ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜିନେସ୍‌ ଭଳି ବ୍ୟବସ୍ଥା ଉପଲବ୍ଧ ହେଉଥିବା ବିଷୟ ଉପସ୍ଥାପନ କରିଥିଲେ।

ଏହି ଆଲୋଚନାରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

‘ମେକ ଇନ ଓଡିଶା’ ପାଇଁ ଆଜିଠାରୁ ତିନିଦିନିଆ ମୁମ୍ବାଇ ଗସ୍ତରେ ନବୀନ, ଜାଣନ୍ତୁ କାହାକୁ ଭେଟିବେ

ଭୁବନେଶ୍ବର: ଆଜିଠାରୁ ତିନି ଦିନିଆ ମୁମ୍ବାଇ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ସେ ମୁମ୍ବାଇରେ ଆୟୋଜିତ ହେଉଥିବା ଇନଭେଷ୍ଟର୍ସ ମିଟରେ ଯୋଗଦେବେ। ଏଥିରେ ଦେଶର ବିଶିଷ୍ଟ ଶିଳ୍ପପତିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହା ମୁମ୍ବାଇର ଟ୍ରାଇଡେଣ୍ଟ ହୋଟେଲରେ ଆୟୋଜିତ ହେବ। ନବୀନ ଦିନ ୧୧ ରୁ ୧. ୩୦ ପର୍ଯ୍ୟନ୍ତ ଶିଳ୍ପପତିମାନଙ୍କ ସହ ଆଲୋଚନା କରିବେ।

ଏହି କାର୍ଯ୍ୟକ୍ରମରେ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଆଦିତ୍ୟ ବିର୍ଲା ଗ୍ରୃପର ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲା, ବେଦାନ୍ତ ରିସୋର୍ସ ଚେୟାରମ୍ୟାନ୍ ଅନୀଲ୍ ଅଗ୍ରଓ୍ବାଲ୍ ଓ ନିଲକମଲ୍ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର ହିତେନ୍ ପାରେଖଙ୍କ ଭଳି ଶିଳ୍ପପତିମାନେ ଯୋଗଦେବେ। ସେହିପରି ଏଲଆଣ୍ଡଟି ଏବଂ ଏସିୟାନ ପେଣ୍ଟସ ଉଚ୍ଚ ପଦସ୍ଥ ଅଧିକାରୀମାନେ ମଧ୍ୟ ଯୋଗଦେବେ।

ଶିଳ୍ପ ବିଭାଗର କାର୍ଯ୍ୟକ୍ରମ ଅନୁଯାୟୀ ନବୀନ ସଂଧ୍ୟା ୫ଟା ରୁ ୫ଟା ୩୦ ଭିତରେ କୁମାର ମଙ୍ଗଲମ୍ ବିର୍ଲା, ୫.୩୦ରୁ ୬ଟା ଭିତରେ ଅନୀଲ୍ ଅଗ୍ରୱାଲଙ୍କ ସହ ସାକ୍ଷାତ କରିବେ। ଏହାପରେ ସଂଧ୍ୟା ୭ଟାରୁ ସେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ ରେ ଶିଳ୍ପପତି ଓ ବ୍ୟାଙ୍କର୍ସମାନଙ୍କୁ ସମ୍ବୋଧିତ କରିବେ।

ଶିଳ୍ପପତିଙ୍କ ଆଲୋଚନା ପରେ ନବୀନ କେତକ ବରିଷ୍ଠ ବ୍ୟାଙ୍କ ଅଧିକାରୀଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଷ୍ଟେଟ ବ୍ୟାଙ୍କର ଚେୟାରମ୍ୟାନ୍ ଦିନେଶ କୁମାର ଖରା, ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଚେୟାରମ୍ୟାନ୍ ଏସ ଏସ୍ ମୁନ୍ଦ୍ରା, ଏଚଡିଏଫସି ବ୍ୟାଙ୍କର କଣ୍ଟ୍ରି ହେଡ୍ ଅରବିନ୍ଦ ଭୋରା ଓ ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟକାରୀ ନିର୍ଦ୍ଦେଶକ ରାକେଶ ଝା।

ଆସନ୍ତା ନଭେମ୍ବର ୩୦ ରୁ ଭୁବନେଶ୍ବରରେ ଆରମ୍ଭ ହେବ ମେକ ଇନ ଓଡିଶାର ତୃତୀୟ ସଂସ୍କରଣ। ଏହା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ନବୀନ ଦୁବାଇ ଓ ଦିଲ୍ଲୀରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମ ପରେ ଯୋଗ ଦେଇଥିଲେ। ଏହା ପରେ ବୁଧବାର ଦିନ ଏହା ମୁମ୍ବାଇରେ ଆୟୋଜିତ ହେଉଛି। ଅନୁରୂପ ଭାବେ ଆସନ୍ତା ୨୮ ତାରିଖରେ ବେଙ୍ଗାଲୁରୁରେ ଏହା ଆୟୋଜନ କରିବାକୁ ନିଷ୍ପତ କରାଯାଇଛି।