Categories
ଆଜିର ଖବର ଜାତୀୟ ଖବର

ଜ୍ଞାନବାପି ମସଜିଦ ମାମଲାରେ ମୁସଲମାନ ପକ୍ଷକୁ ବଡ଼ ଝଟକା: ଆହ୍ଲାବାଦ ହାଇକୋର୍ଟ ଖାରଜ କଲେ ୫ଟି ଆବେଦନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରଣାସୀରେ ଥିବା ଜ୍ଞାନବାପି ମସଜିଦ ମାମଲା ଏବେବି ଚର୍ଚ୍ଚାର ବିଷୟ ପାଲଟିଛି। ସୋମବାର ଏଏସଆଇ ପକ୍ଷରୁ ଜ୍ଞାନବାପିର ବୈଜ୍ଞାନିକ ସର୍ଭେ ରିପୋର୍ଟ ଜିଲ୍ଲା ଜଜ୍ ଡାକ୍ତର ଅଜୟ କୃଷ୍ଣ ବିଶ୍ୱେଶଙ୍କ ଅଦାଲତରେ ଦାଖଲ କରାଯାଇଛି। ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୧ରେ ହେବ। ସେପଟେ ମଙ୍ଗଳବାର ସମସ୍ତଙ୍କ ନଜର ଏବେ ଆହ୍ଲାବାଦ ହାଇକୋର୍ଟ ଉପରେ ରହିଥିଲା।

ସୂଚନାଯୋଗ୍ୟ, ଜ୍ଞାନବାପି ସମ୍ପର୍କିତ ୫ଟି ଆବେଦନର ଶୁଣାଣି ଆହ୍ଲାବାଦ ହାଇକୋର୍ଟରେ ଚାଲିଛି। ଜଷ୍ଟିସ ରୋହିତ ରଞ୍ଜନ ଅଗ୍ରୱାଲଙ୍କୁ ନେଇ ଗଠିତ ଏକକ ଖଣ୍ଡପୀଠ ଡିସେମ୍ବର ୮ରେ ସମସ୍ତ ୫ଟି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ମଙ୍ଗଳବାର ସକାଳେ ଜଷ୍ଟିସ ଅଗ୍ରୱାଲ ଏହି ୫ଟି ମାମଲାରେ ରାୟ ଶୁଣାଇଛନ୍ତି। ମୁସଲମାନ ପକ୍ଷ ପକ୍ଷରୁ ଦାଖଲ ହୋଇଥିବା ଆବେଦନକୁ ସେ ଖାରଜ କରିଦେଇଛନ୍ତି। ଆହ୍ଲାବାଦ ହାଇକୋର୍ଟରେ ଦାଖଲ ହୋଇଥିବା ୫ଟି ଆବେଦନ ମଧ୍ୟରୁ ୩ଟି ୧୯୯୧ମସିହାରେ ବାରଣାସୀ କୋର୍ଟରେ ଦାୟର ହୋଇଥିବା ମାମଲାର ବିଚାରଯୋଗ୍ୟତା ସହ ଜଡ଼ିତ ଥିଲା। ଏଏସଆଇ ସର୍ଭେ ବିରୋଧରେ ଆଉ ଦୁଇଟି ପିଟିସନ ଦାଖଲ ହୋଇଥିଲା। ଏବେ ଏହି ୫ଟି ଆବେଦନ ଖାରଜ ହୋଇଯାଇଛି।

ହାଇକୋର୍ଟରୁ ମୁସଲମାନ ପକ୍ଷକୁ ବଡ ଝଟକା

ଆହ୍ଲାବାଦ ହାଇକୋର୍ଟ ମୁସଲମାନ ପକ୍ଷକୁ ବଡ଼ ଝଟକା ଦେଇଛନ୍ତି। ବାରାଣସୀର ଜ୍ଞାନବାପି ଓ କାଶୀ ବିଶ୍ୱନାଥ ମନ୍ଦିର ମଧ୍ୟରେ ମାଲିକାନା ବିବାଦ ମାମଲାରେ ଆହ୍ଲାବାଦ ହାଇକୋର୍ଟ ରାୟ ଶୁଣାଇଛନ୍ତି। ମୁସଲମାନ ପକ୍ଷର ସମସ୍ତ ୫ଟି ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ୧୯୯୧ମସିହାରେ ହିନ୍ଦୁ ପକ୍ଷଦ୍ୱାରା ଦାୟର ମାମଲାର ରାୟ ପ୍ରକାଶ ପାଇଛି। ୧୯୯୧ରେ ବାରଣାସୀ କୋର୍ଟରେ ଦାୟର ହୋଇଥିବା ମାମଲାର ବିଚାର ଯୋଗ୍ୟତାକୁ ଚ୍ୟାଲେଞ୍ଜ କରାଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିଭିଲ କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହେବ। ଏଏସଆଇ ସର୍ଭେକୁ ନେଇ ଦାୟର ହୋଇଥିବା ମାମଲା ଖାରଜ ହେବା ପରେ ଜିଲ୍ଲା ଅଦାଲତରେ ମାମଲାର ଶୁଣାଣି ହେବ।

୧୯୯୧ ଆଇନର କାର୍ଯ୍ୟକାରିତା ନେଇ ନିଷ୍ପତ୍ତି

୧୯୯୧ ମସିହାରେ ଭଗବାନ ଆଦି ବିଶ୍ୱେଶ୍ୱର ବିରାଜମାନଙ୍କ ଭକ୍ତମାନେ ବାରଣାସୀ ଜିଲ୍ଲା ଅଦାଲତରେ ଏକ ପିଟିସନ ଦାଖଲ କରିଥିଲେ। ଏଥିରେ ଜ୍ଞାନବାପି ମସଜିଦ ଉପରେ ହିନ୍ଦୁ ପକ୍ଷଦ୍ୱାରା ଦାବି କରାଯାଇଥିଲା। ବିବାଦୀୟ ପରିସରକୁ ହିନ୍ଦୁମାନଙ୍କୁ ହସ୍ତାନ୍ତର କରିବାକୁ ଦାବି ହୋଇଥିଲା। ସେଠାରେ ପୂଜା ଅଧିକାର ଲୋଡ଼ାଯାଇଥିଲା। କୋର୍ଟରେ ଏହି ମାମଲା ଚାଲିଥିବା ନେଇ ଲଗାତାର ପ୍ରଶ୍ନ ଉଠିଛି। ଏବେ ବାରଣାସୀ କୋର୍ଟ ଏହି ମାମଲାର ଶୁଣାଣି କରିପାରିବେ କି ନାହିଁ ତାହା ହାଇକୋର୍ଟ ଆଜିର ରାୟରେ ନିଷ୍ପତ୍ତି ନେବେ। ଏହି ମାମଲାର ବିଚାରଯୋଗ୍ୟତାକୁ ନେଇ ମୁସଲିମ ପକ୍ଷ ପ୍ରଶ୍ନ ଉଠାଇଛନ୍ତି। ବାସ୍ତବରେ ମୁସଲମାନ ପକ୍ଷ ୧୯୯୧ର ପୂଜାସ୍ଥଳୀ ଆଇନକୁ ଉଦାହରଣ ଦେଇ ଆଦି ବିଶ୍ୱେଶ୍ୱର ମହାଦେବଙ୍କ ଆବେଦନର ଶୁଣାଣି ହୋଇନାହିଁ ବୋଲି ଦାବି କରୁଛନ୍ତି।

ମୁସଲମାନ ପକ୍ଷ ପକ୍ଷରୁ ଜ୍ଞାନବାପି ମସଜିଦର ଇନ୍ତେଜାମିଆ କମିଟି ପକ୍ଷରୁ ୩ଟି ଏବଂ ୟୁପି ସୁନ୍ନି ସେଣ୍ଟ୍ରାଲ ଓ୍ଵାକଫ ବୋର୍ଡ ପକ୍ଷରୁ ୨ଟି ପିଟିସନ ଦାଖଲ କରାଯାଇଥିଲା। ଶୁଣାଣି ପରେ ଡିସେମ୍ବର ୮ତାରିଖରେ ଚତୁର୍ଥ ଥର ପାଇଁ ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ। ମଙ୍ଗଳବାର କୋର୍ଟ ଏହାର ରାୟ ଶୁଣାଇଛନ୍ତି। ସେହିପରି ଏଏସଆଇ ଅଧୀକ୍ଷକ ଅବିନାଶ ମହାନ୍ତିଙ୍କ ନେତୃତ୍ୱରେ ଏଏସଆଇ ଟିମ୍ ବାରଣାସୀ ଜିଲ୍ଲା କୋର୍ଟରେ ୧୫୦୦ ପୃଷ୍ଠାର ସର୍ଭେ ରିପୋର୍ଟ ଦାଖଲ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଜ୍ଞାନବାପୀ ପରିସରରେ କେଉଁମାନଙ୍କୁ ମିଳିଛି ପ୍ରବେଶ ଅନୁମତି?, ସର୍ଭେକୁ ବର୍ଜ୍ଜନ କଲେ ମୁସଲମାନ ପକ୍ଷ

ବାରଣାସୀ: ASI ଦଳ ବ୍ୟତୀତ ଅନ୍ୟ ୧୬ ଜଣଙ୍କୁ ଜ୍ଞାନବାପୀ ପରିସରରେ ସର୍ଭେ ସମୟରେ ଅନୁମତି ଦିଆଯାଇଛି। ଏଥିମଧ୍ୟରେ ମୁସଲମାନ ପାର୍ଶ୍ୱରୁ ୯ ଜଣ ଏବଂ ହିନ୍ଦୁ ପାର୍ଶ୍ୱରୁ ୭ ଜଣ ଅଛନ୍ତି। ତେବେ ମୁସଲିମ ପକ୍ଷ ଏହି ସର୍ଭେକୁ ବର୍ଜ୍ଜନ କରୁଛନ୍ତି। ହିନ୍ଦୁ ପାର୍ଶ୍ୱରୁ ସମସ୍ତ ଲୋକ ଭିତରକୁ ଯାଇଛନ୍ତି।

ସର୍ଭେ ଦଳ ବାରାଣାସୀ ଜିଲ୍ଲା ପ୍ରଶାସନକୁ କହିଛନ୍ତି ଯେ, ସେମାନେ ପ୍ରାୟ ୨ ସପ୍ତାହ ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି। ଦଳର ନେତୃତ୍ୱ ନେଉଥିବା ASI ର ଅତିରିକ୍ତ ନିର୍ଦ୍ଦେଶକ ଆଲୋକ ତ୍ରିପାଠୀ ବାରାଣାସୀ ପ୍ରଶାସନକୁ କହିଛନ୍ତି ଯେ, ସର୍ଭେ କାର୍ଯ୍ୟ ଶେଷ କରିବାକୁ ଦୁଇ ସପ୍ତାହ ସମୟ ଲାଗିପାରେ।

ଆଲୋକ ତ୍ରିପାଠୀ କହିଛନ୍ତି ଯେ, ଯଦି ଆଜି ସୁପ୍ରିମକୋର୍ଟ ବନ୍ଦ ନକରନ୍ତି ତେବେ ସର୍ଭେ କାର୍ଯ୍ୟ ଦୁଇ ସପ୍ତାହ ମଧ୍ୟରେ ଶେଷ ହେବ। କାର୍ଯ୍ୟ ସମାପ୍ତ କରିବାକୁ ଏହା ଅଧିକ ସମୟ ନେଇପାରେ। ତେବେ ଆହ୍ଲାବାଦ ହାଇକୋର୍ଟରେ ଦାଖଲ ହୋଇଥିବା ଆଫିଡେଭିଟରେ ଆଲୋକ ତ୍ରିପାଠୀ କହିଛନ୍ତି ଯେ, ଏହି ସର୍ଭେ ୫ ଦିନ ମଧ୍ୟରେ ଶେଷ ହୋଇପାରିବ। ଏଭଳି ପରିସ୍ଥିତିରେ ଆଜିଠାରୁ ଆରମ୍ଭ ହୋଇଥିବା ସର୍ଭେ ୪ ରୁ ୫ ଦିନ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଥିଲା।

ଶୁକ୍ରବାର ନମାଜ ହେତୁ ଏହି ସର୍ଭେ ଆଜି ମଧ୍ୟାହ୍ନ ୧୨.୦୦ ରେ ଶେଷ ହେବ। ତେବେ ଦଳ ୨ ଟି ସିଫ୍ଟରେ କାମ କରିବାକୁ ଇଚ୍ଛା ପ୍ରକାଶ କରିଛି। ଶୁକ୍ରବାର ନମାଜ ପରେ ଅପରାହ୍ନ ୩ ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ଧରି ସର୍ଭେ କରାଯାଇପାରିବ କି ନାହିଁ ସେମାନେ ପ୍ରଶାସନକୁ ପଚାରିଛନ୍ତି।

ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ନାମାଜ ମସଜିଦ ପରିସରରେ ଅପରାହ୍ନ ୩ ରୁ ୫ ଟା ମଧ୍ୟରେ ଅନୁଷ୍ଠିତ ହୁଏ ନାହିଁ ଏବଂ ଯଦି ଦଳ ଦ୍ୱିତୀୟ ସିଫ୍ଟରେ ମଧ୍ୟ ସର୍ଭେ କରିବାକୁ ଚାହୁଁଛି, ତେବେ ପ୍ରଶାସନ ମଧ୍ୟ ଏଥିପାଇଁ ବ୍ୟବସ୍ଥା କରିବ। ଯଦି କୌଣସିଅସୁବିଧା ନଥାଏ, ତେବେ ଶୁକ୍ରବାର ନମାଜ ପରେ, ଦ୍ୱିତୀୟ ସିଫ୍ଟରେ ମଧ୍ୟ ସର୍ଭେ କାର୍ଯ୍ୟ କରାଯାଇପାରିବ।

Categories
ଆଜିର ଖବର ଜାତୀୟ ଖବର

ଜ୍ଞାନବାପୀରେ ASI ସର୍ଭେ ଉପରେ ଲାଗିଲା ପ୍ରତିବନ୍ଧକ: ଜୁଲାଇ ୨୬ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ରୋକ

ନୂଆଦିଲ୍ଲୀ: ଜ୍ଞାନବାପୀ ମାମଲାରେ ସୁପ୍ରିମକୋର୍ଟ ଏଏସଆଇର ସର୍ଭେ ସ୍ଥଗିତ ରଖିଛନ୍ତି। ଏହି ସ୍ଥଗିତାଦେଶ ଜୁଲାଇ ୨୬ ତାରିଖ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ରହିବ। ଆଜି ସୁପ୍ରିମକୋର୍ଟ ମୁସଲମାନ ପକ୍ଷକୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ମଧ୍ୟ କହିଛନ୍ତି ଯେ, ସ୍ଥଗିତାଦେଶ ତାରିଖ ଶେଷ ହେବା ପୂର୍ବରୁ ହାଇକୋର୍ଟ ଏହି ମାମଲାର ଶୁଣାଣି କରିବା ଉଚିତ୍।

ସୁପ୍ରିମକୋର୍ଟ ଶୁଣାଣି ସମୟରେ କହିଛନ୍ତି ଯେ, ମୁସଲମାନ ପକ୍ଷ ନିଶ୍ୱାସ ନେବାକୁ ମଧ୍ୟ ସମୟ ପାଇନାହାଁନ୍ତି। ଗୋଟିଏ ସପ୍ତାହ ପର୍ଯ୍ୟନ୍ତ କୌଣସି ଖୋଳିବା ହେବ ନାହିଁ। ଏପରିକି ଗୋଟିଏ ଇଟା ମଧ୍ୟ ହଟାଯାଇପାରିବ ନାହିଁ। ସର୍ଭେ, ଭିଡିଓଗ୍ରାଫି ଏବଂ ମ୍ୟାପିଂ ଇତ୍ୟାଦି କରାଯାଉଛି। ପ୍ରକାଶ ଯେ, କୋର୍ଟଙ୍କ ଆଦେଶ ଅନୁଯାୟୀ, କାଶୀ ବିଶ୍ୱନାଥ ମନ୍ଦିର ପାଖରେ ଅବସ୍ଥିତ ଏହି ମସଜିଦ ଏକ ମନ୍ଦିର ଉପରେ ନିର୍ମିତ ହୋଇଛି କି ନାହିଁ ତାହା ଜାଣିବା ପାଇଁ ଆଜି ସକାଳେ ସର୍ଭେ ପାଇଁ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ASI) ର ୩୦ ଜଣିଆ ଟିମ୍ ଜ୍ଞାନବାପୀ ପରିସରରେ ପ୍ରବେଶ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଜ୍ଞାନବାପୀ ମସଜିଦ ମାମଲାରେ ମୁସଲମାନ ପକ୍ଷକୁ ବଡ ଝଟକା: ଏବେ ଏହା ଉପରେ ହେବ ଶୁଣାଣି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରାଣାସୀର ଜ୍ଞାନବାପୀ ମସଜିଦ ମାମଲାରେ ମୁସଲମାନ ପକ୍ଷର ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଛନ୍ତି। ହାଇକୋର୍ଟଙ୍କ ଆବେଦନକୁ ଖାରଜ କରିବା ପରେ ମୁସଲମାନ ପକ୍ଷ ପାଇଁ ଏକ ବଡ ଝଟକା ଲାଗିଛି। ଶ୍ରୀଙ୍ଗର ଗୌରୀଙ୍କ ନିୟମିତ ପୂଜାପାଠ ମାମଲା ବାରାଣାସୀ କୋର୍ଟରେ ଜାରି ରହିବ। ବାରାଣାସୀ ଜିଲ୍ଲା ଜଜଙ୍କ କୋର୍ଟର ସେପ୍ଟେମ୍ବର ୧୨ ନିଷ୍ପତ୍ତିକୁ ହାଇକୋର୍ଟ ସମର୍ଥନ କରିଛନ୍ତି।

ରାଖୀ ସିଂ ଏବଂ ଅନ୍ୟ ମହିଳାଙ୍କ ବିରୋଧରେ ଜ୍ଞାନବାପୀ ମସଜିଦର ବ୍ୟବସ୍ଥା କମିଟି ବାରାଣାସୀ ଜିଲ୍ଲା କୋର୍ଟରେ ଆପତ୍ତି ଉଠାଇଥିଲା। ଗତ ବର୍ଷ ସେପ୍ଟେମ୍ବର ୧୨ ତାରିଖରେ ଜିଲ୍ଲା ଜଜ୍ କୋର୍ଟ ଏହି ଆପତ୍ତି ଖାରଜ କରିଥିଲେ। ଏହା ବିରୋଧରେ ମସଜିଦ କମିଟି ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା। ଆଜି ମୁସଲିମ ପକ୍ଷର ଆବେଦନକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ ଜେଜେ ମୁନିରଙ୍କ ଏକକ ବେଞ୍ଚ ଏହି ରାୟ ଦେଇଛନ୍ତି।

ଅନ୍ୟପକ୍ଷରେ, ଏହି ମାମଲାରେ ହିନ୍ଦୁ ପକ୍ଷର ପ୍ରତିନିଧିତ୍ୱ କରୁଥିବା ବିଷ୍ଣୁ ଶଙ୍କର ଜୈନ କହିଛନ୍ତି ଯେ, ଏହା ଏକ ଐତିହାସିକ ନିଷ୍ପତ୍ତି। ଅଦାଲତ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଅଞ୍ଜୁମନ ଇନ୍ତଜାମିଆ ମସଜିଦ କମିଟିର ଆବେଦନକୁ ବିଚାରଯୋଗ୍ୟ ନୁହେଁ। ଏହାକୁ ଖାରଜ କରାଯାଇଛି। ଏହି ନିଷ୍ପତ୍ତି ଦେଶର ସମସ୍ତ ହିନ୍ଦୁଙ୍କ ପାଇଁ ଏକ ନୂତନ ଆଶା ଆଣିଛି।”