Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା: ବିଜେପି ନେତାଙ୍କୁ ଗିରଫ ଦାବିରେ ଥାନା ଘେରାଉ କଲା ବିଜେଡ଼ି, ଦୁଇ ଦଳ ମଧ୍ୟରେ ମୁହାଁମୁହିଁ ସ୍ଥିତି

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏକ ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇଛି। ବାଲୁଗାଁ ଥାନା ସମ୍ମୁଖରେ ବିଜେଡ଼ି ପକ୍ଷରୁ ପ୍ରତିବାଦ କରାଯାଇଛି। ଆକ୍ରମଣ ଏବଂ ବନ୍ଧୁକ ଦେଖାଇ ଭୟଭୀତ କରିଥିବା ଅଭିଯୋଗରେ ବିଜେପି ନେତାଙ୍କୁ ଗିରଫ ଦାବି କରି ବିଜେଡ଼ି ଥାନା ଘେରାଉ କରିଛି।

ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ବାଲୁଗାଁ ସ୍ଥିତ ଚିଲିକା ରାଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ପାଣ୍ଠିରୁ ଦଶ ଲକ୍ଷ ଟଙ୍କାର ଅନୁଦାନ ଦେଇ ନୂତନ ଶ୍ରେଣୀ ଗୃହ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଥିଲା। ଏହାକୁ ବିରୋଧ କରି ସ୍ଥାନୀୟ କିଛି ଜନସାଧାରଣ ପ୍ରତିବାଦ ସହିତ ଦୃଢ ବିରୋଧ କରିଥିଲେ। ସେମାନଙ୍କ କହିବା ମୁତାବକ ପୂର୍ବରୁ ସ୍କୁଲର ପୂର୍ବତନ ସମ୍ପାଦକ ବିଜୟ କୁମାର ସେନାପତିଙ୍କ ନାମରେ ସ୍କୁଲରୁ ଅର୍ଥ ତୋଷାରପାତ ଅଭିଯୋଗ ନେଇ ଭୁବନେଶ୍ୱର ସହିଦ ନଗର ଥାନାରେ ମାମଲା ବିଚାରାଧୀନ ରହିଛି। ରାଜ୍ୟ ଇକୋନୋମିକି ଅଫେନ୍ସ ଉଇଙ୍ଗ ବିଭାଗରେ ମଧ୍ୟ କେସ ଥିବା ବେଳେ ବିଧାୟକ କିଭଳି ସମ୍ପୃକ୍ତ ଅସାଧୁ ବ୍ୟକ୍ତିଙ୍କୁ ସାଙ୍ଗରେ ନେଇ ସ୍କୁଲରେ ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଯାଇଛନ୍ତି। ତାକୁ ନେଇ ତୀବ୍ର ସମାଲୋଚନା ଓ ଉତ୍ତେଜନା ପ୍ରକାଶ ପାଇଥିଲା। କିନ୍ତୁ ଏହି ସମୟରେ ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଜେଡ଼ିର ନେତାଙ୍କୁ ବିଜେପି ନେତା ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ଭୟଭୀତ କରିଥିବା ଅଭିଯୋଗ ହୋଇଥିଲା।

ଅଭିଯୋଗ ମୁତାବକ, ବିଜେଡ଼ିର ବାଲୁଗାଁ ଏନଏସି କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରାଙ୍କୁ ବିଜେପି ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀ ଆକ୍ରମଣ କରିଥିଲେ। ଏବଂ କୃଷ୍ଣ ବେହେରାଙ୍କୁ ବନ୍ଧୁକ ଦେଖାଇ ଜୀବନରୁ ମାରିଦେବା ପାଇଁ ନିରଞ୍ଜନ ଧମକ ଦେଇଥିଲେ। ତେଣୁ ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା। ଏହି ଘଟଣାକୁ ବିଜେଡ଼ି ପକ୍ଷରୁ ପ୍ରତିବାଦ କରିବା ସହ ନିରଞ୍ଜନ ସେଠୀଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଥିଲା।

ତେବେ ବିଜେପି ନେତା ନିରଞ୍ଜନ ସେଠୀ ଏବଂ ଅଜୟ ତରାଇଙ୍କୁ ଥାନାରେ ପୋଲିସ ଅଟକ ରଖିଛି। କିନ୍ତୁ ଏହାକୁ ନେଇ ବିଜେପି ପକ୍ଷରୁ ମଧ୍ୟ ଘୋର ବିରୋଧ କରାଯାଇଛି। ମିଥ୍ୟା ମାମଲାରେ ମିରଞ୍ଜନ ଏବଂ ଅଜୟଙ୍କୁ ବାଲୁଗାଁ ପୋଲିସ ଅଟକ ରଖିଛି ବୋଲି ବିଜେପି ପାଲଟା ଅଭିଯୋଗ କରିଛି । ଏନେଇ ବାଲୁଗାଁ ଥାନାରେ ଚାପା ଉତ୍ତେଜନା ଦେଖାଯାଇଛି। ଉଭୟ ବିଜେପି-ବିଜେଡ଼ି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ପରିସ୍ଥିତିକୁ ଦେଖି ଥାନା ସମ୍ମୁଖରେ ପୋଲିସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ବାଲୁଗାଁ ଆଇଆଇସି, ବାଣପୁର ଅତିରିକ୍ତ ଆଇଆଇସି, ଟାଙ୍ଗୀ ଆଇଆଇସି, ନାଚୁଣୀ ଫାଣ୍ଡି ଅଧିକାରୀ, ନାଭାଲ ଫାଣ୍ଡି ଅଧିକାରୀ, କୁହୁଡି ଫାଣ୍ଡି ଅଧିକାରୀ ଏବଂ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ବର୍ଷ ବିଜେପି ନେତା ନିରଞ୍ଜନ ସେଠୀଙ୍କୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଯାହାଫଳରେ ବିଧାୟକଙ୍କ ବିରୋଧରେ ମାମଲା ରୁଜ୍ଜୁ ହେବା ସହିତ ସଙ୍ଗୀନ ଧାରା ମଧ୍ୟ ଲାଗିଥିଲା। ଏହି ମାମଲାରେ ବିଧାୟକଙ୍କୁ ବିଜେଡ଼ି ପକ୍ଷରୁ ନିଲମ୍ବିତ କରାଯାଇଥିଲା।