Categories
ଆଜିର ଖବର ରାଜ୍ୟ ଖବର

ମୂଖ୍ୟମନ୍ତ୍ରୀଙ୍କ ଲୋକାର୍ପଣ ଉତ୍ସବରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ: କଂଗ୍ରେସ ପକ୍ଷରୁ ଥାନାରେ ମାମଲା

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଗତ ୧୪ ତାରିଖ ଦିନ ଓଡିଶାର ମୂଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ଉଠାଜଳସେଚନ ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ କୋଭିଡ ନିୟମକୁ ଖୋଲାଖୋଲି ଉଲ୍ଲଂଘନ ଅଭିଯୋଗ ହୋଇଛି। ଏନେଇ କଂଗ୍ରେସ ଦଳ ପକ୍ଷରୁ ବିଭିନ୍ନ ଥାନାରେ ମାମଲା ଦାଏର କରାଯାଇଥିବା ଜଣାପଡିଛି।

ଅଭିଯୋଗ ଅନୁସାରେ ଜୟପାଟଣା ବ୍ଲକ ମଙ୍ଗଳପୁର ଠାରେ ମୂଖ୍ୟମନ୍ତ୍ରୀଙ୍କ ସମେତ ଗୃହ ରାଷ୍ଟ୍ର ମନ୍ତ୍ରୀ ଓ ବହୁ ମନ୍ତ୍ରୀ, ବିଧାୟକ, ୫ଟି ସଚିବ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ସଭା ମଂଚରେ ଉପସ୍ଥିତ ଥିବା ବେଳେ କୋଭିଡ ନିୟମ ଉଲ୍ଲଂଘନ କରାଯାଇ ୩ ହଜାରରୁ ଅଧିକ ଜନସମାଗମ କରାଯାଇଥିଲା।

ସରକାରୀ କାର୍ଯ୍ୟକ୍ରମରେ ବହୁମାତ୍ରାରେ ଦଳୀୟ ପତାକା ବ୍ୟବହାର କରାଯାଇ ରାଜକୋଷରୁ ପ୍ରଚୁର ଅର୍ଥ ଖର୍ଚ୍ଚ କରାଯାଇଥିବା ଅଭିଯୋଗ ହୋଇଛି। ସେହିପରି ୧୩ ତାରିଖ ଦିନ ମନ୍ତ୍ରୀ, ଏମଏଲଏ ମାନେ ବିଭିନ୍ନ ଗ୍ରାମକୁ ଯାଇ କୋଭିଡ ନିୟମ ଉଲ୍ଲଂଘନ କରି ଲୋକଙ୍କୁ ଠୁଳ କରିଥିବା ବେଳେ ସେମାନଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଏନେଇ କଂଗ୍ରେସ ଦଳ ପକ୍ଷରୁ ଧର୍ମଗଡ, କୋକସରା ଏବଂ ଜୟପାଟଣା ଥାନାରେ ପୃଥକ ଅଭିଯୋଗ ପତ୍ର ଦାଖଲ କରାଯାଇଥିବା ଜଣାପଡିଛି।