Categories
ଆଜିର ଖବର ଜାତୀୟ ଖବର

କରୋନାରେ ମୃତକଙ୍କ ପରିବାରକୁ ଦିଆଯାଉ କ୍ଷତିପୂରଣ: ୬ ସପ୍ତାହରେ ଗାଇଡଲାଇନ ପ୍ରସ୍ତୁତ କରିବାକୁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନାରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ସହାୟତା ରାଶି ଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଲାଗି ଏକ ନିର୍ଦ୍ଦିଷ୍ଟ ଗାଇଡଲାଇନ ପ୍ରସ୍ତୁତ କରିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ କେତେ ଦିଆଯିବ, ତାହା ଅଦାଲତ ସ୍ଥିର କରିପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ସେ ଲାଗି କେନ୍ଦ୍ର ସରକାର ସ୍ଥିର କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଏହାପୂର୍ବରୁ ମୃତକଙ୍କ ପରିବାରକୁ ୪-୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ମିଳିବା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ଯାହାକୁ ନେଇ କେନ୍ଦ୍ର ସରକାର ୪ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇପାରିବ ନାହିଁ ବୋଲି ଅଦାଲତଙ୍କୁ କେନ୍ଦ୍ର ସରକାର ଜଣାଇଦେଇଛନ୍ତି।

ତେବେ କେନ୍ଦ୍ର ସରକାର ନିଜର ନୀତି ଅନୁସାରେ କ୍ଷତିପୂରଣ ରାଶି ନିର୍ଣ୍ଣୟ କରିପାରିବେ ବୋଲି କହିଛନ୍ତି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ନିୟମ ଏବଂ ସମ୍ବଳ ଅନୁଯାୟୀ ସରକାର କ୍ଷତିପୂରଣ ସ୍ଥିର କରିପାରିବ। ତେବେ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ୬ ସପ୍ତାହ ସମୟ ଦେଇଛନ୍ତି। ସେପଟେ କୋଭିଡ ସହ ଜଡିତ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିବା ସହ ପୂର୍ବରୁ ଦିଆଯାଇଥିବା ପ୍ରମାଣପତ୍ର ଗୁଡ଼ିକର ସଂଶୋଧନ କରାଯିବା ଉଚିତ ବୋଲି କହିଛନ୍ତି।