Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଭୁବନେଶ୍ବରରେ ଆରମ୍ଭ ହେଲା ମୃତ୍ତିକା ହସ୍ତଶିଳ୍ପ ବା ଟେରାକୋଟା ପ୍ରଦର୍ଶନୀ

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଆଜି ସନ୍ଧ୍ୟାରେ ‘ମୃତ୍ତିକା-୨୨’ ପ୍ରଦର୍ଶନୀର ଶୁଭ ଉଦ୍‌ଘାଟନ କରିଛନ୍ତି। ଚଳିତ ବର୍ଷ ଦୀପାବଳିକୁ ଦୃଷ୍ଟିରେ ରଖି ‘ମୃତ୍ତିକା-୨୨’ ନାମରେ ଏହି ପ୍ରଦର୍ଶନୀ ୟୁନିଟ୍‌-୩ସ୍ଥିତ ଏକାମ୍ର ହାଟ, ଭୁବନେଶ୍ୱରଠାରେ ଅକ୍ଟୋବର ୧୫ ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଉଛି।

ଏହି ଅବସରରେ ୧୨୫ଟି ଷ୍ଟଲର ବ୍ୟବସ୍ଥା କରାଯାଇ ୨୫୦ରୁ ଉର୍ଦ୍ଧ କାରିଗରମାନଙ୍କୁ ବିନା ଦେୟରେ ପ୍ରଦାନ କରାଯାଉଛି। ଅଂଶଗ୍ରହଣ କରୁଥିବା ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ଯାଜପୁର, ବାଲେଶ୍ୱର, ସୁବର୍ଣ୍ଣପୁର, ବରଗଡ଼, ରାୟଗଡ଼ା, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ମୟୂରଭଞ୍ଜ, ଜଗତସିଂହପୁର, ଭଦ୍ରକ, କଟକ, ନବରଙ୍ଗପୁର, ସମ୍ବଲପୁର, ବଲାଙ୍ଗିର, କେନ୍ଦ୍ରାପଡ଼ା, ପୁରୀ, ସୁନ୍ଦରଗଡ଼, କୋରାପୁଟ, ଗଜପତି, ଅନୁଗୋଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ନୂଆପଡ଼ା। ଏହି ପ୍ରଦର୍ଶନୀ ମାଧ୍ୟମରେ ପ୍ରାୟ ୧୭୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ ଟେରାକୋଟା ସାମଗ୍ରୀ ବିକ୍ରି ହେବାର ଆକଳନ କରାଯାଇଛି ।

ଏହି ଉଦ୍‌ଘାଟନୀ ଉତ୍ସବରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି, ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ପଟେଲ, ବିଭାଗୀୟ ଅତିରିକ୍ତ ସଚିବ ବିକ୍ରମାଦିତ୍ୟ ବାରିକ, ମୃତ୍ତିକା ଶିଳ୍ପୀ ଅଞ୍ଜୁଲତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ଉଦ୍‌ଘାଟନୀ ଉତ୍ସବରେ ଶ୍ରଦ୍ଧାଞ୍ଜଳି ରାଉଳ ଓ ସାଥୀଙ୍କ ଦ୍ୱାରା ଓଡ଼ିଶୀ ଓ ଲୋକନୃତ୍ୟ ପରିବେଷିତ ହୋଇଥିଲା।

ଟେରାକୋଟା ସାମଗ୍ରୀଗୁଡ଼ିକର ବିକ୍ରିବଟାର ସହାୟତା ନିମନ୍ତେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ମାଧ୍ୟମରେ ୨୦୦୬ ମସିହାଠାରୁ ‘ମୃତ୍ତିକା’ ନାମରେ ଏହି ବାର୍ଷିକ ପ୍ରଦର୍ଶନୀ ଆୟୋଜିତ ହୋଇଆସୁଛି।