Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକାରେ ଥମୁନି ପକ୍ଷୀ ଶିକାର: ୭ ମୃତ ବିଦେଶୀ ପକ୍ଷୀ ଜବତ, ଦୁଇ ଗିରଫ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକାରେ ବିଗତ ୧୫ ଦିନ ମଧ୍ୟରେ ଏକାଧିକ ପକ୍ଷୀ ଶିକାରୀ ଗିରଫ ହେଲେ ସୁଦ୍ଧା କମୁନି ପକ୍ଷୀ ଶିକାର। ବର୍ତ୍ତମାନ ଶୀତ ଋତୁ ଉପଲକ୍ଷେ ଲକ୍ଷାଧିକ ବିଦେଶୀ ପକ୍ଷୀଙ୍କ ଚିଲିକାକୁ ଆଗମନ ହେଉଥିବାର ଦେଖିବାକୁ ମିଳିଛି। ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗ ପାଟ୍ରୋଲିଂ ମଧ୍ୟ ଜାରି ରଖିଛି। ତେବେ ଆଜି ପକ୍ଷୀ ଶୀକାର କରିବା ବେଳେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ତ ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ ହାତରେ ଦୁଇ ଜଣ ଶୀକାରୀ ଧରାପଡ଼ି ଗିରଫ ହୋଇଛନ୍ତି।

ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ମଙ୍ଗଳାଯୋଡି ପକ୍ଷୀ ସୁରକ୍ଷା କ୍ୟାମ୍ପ ନିକଟରୁ ଦୁଇ ଜଣ ପକ୍ଷୀ ଶୀକାରୀଙ୍କୁ ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ। ଶୀକାରୀଙ୍କ ନିକଟରୁ ଦୁଇ ଗୋଟି ମୃତ କୁକୁମ ଦଳ ଖୁମ୍ପି ଚଢେଇ ସମେତ ଗୋଟାଏ ଲେଖାଏଁ ମୃତ ବଡ଼ ହଂସରାଳି, କାମ ଚଢେଇ, ଗହିରା ଲାଞ୍ଜା, ପାତି ହଂସ ଏବଂ ଚାଟୁଆ ଗେଣ୍ଡି ପକ୍ଷୀ ଜବତ କରାଯାଇଛି। ସେମାନଙ୍କ ନିକଟରୁ ଏକ କାତମରା ଡ଼ଙ୍ଗା ମଧ୍ୟ ଜବତ କରିଛି ବନ୍ୟପ୍ରାଣୀ ବିଭାଗ।

ଗିରଫ ଶୀକାରୀ ଦ୍ବୟ ହେଲେ ଟାଙ୍ଗୀ ଥାନା ମଙ୍ଗଳାଯୋଡି ଅଞ୍ଚଳର ବାହୁଡା଼ ବେହେରା (୧୯) ଏବଂ ଭାଗବତ ବେହେରା (୨୧)। ଗିରଫ ଶୀକାରିଙ୍କ ବିରୋଧରେ ପିଆର ନମ୍ବର ୧୧ଟି/୨୧-୨୨ ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବାର ଟାଙ୍ଗୀ ରେଂଞ୍ଜ ବନାଞ୍ଚଳ ଅଧିକାରିଣୀ ଚୁଡ଼ାରାଣୀ ମୁର୍ମୁ ସୂଚନା ଦେଇଛନ୍ତି।