Categories
ଆଞ୍ଚଳିକ

ଟାଙ୍ଗୀ: ବଳରାମ ଦେବ ବିଦ୍ୟାପୀଠର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କଲେ ପୁରାତନ ଛାତ୍ର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଳରାମ ଦେବ ବିଦ୍ୟାପୀଠରେ ସ୍ଵାଧୀନତା ଦିବସ ପ୍ୟାରେଡ ଉତ୍ସବ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବିଦ୍ୟାଳୟର ପୁରାତନ ଛାତ୍ର ୧୯୯୭ ବ୍ୟାଚ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି। ୨୦୨୨-୨୩ ଶିକ୍ଷା ବର୍ଷରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି।

ତେବେ ଷଷ୍ଠ ଶ୍ରେଣୀର ଭାଗ୍ୟଲକ୍ଷ୍ମୀ ପାତ୍ର, ସପ୍ତମ ଶ୍ରେଣୀର ଅଂଶୁମାନ ବେହେରା, ଅଷ୍ଟମ ଶ୍ରେଣୀର ଶୁଭଲକ୍ଷ୍ମୀ ସାମନ୍ତରାୟ, ନବମ ଶ୍ରେଣୀର ସ୍ୱୟମ୍ ପ୍ରକାଶ ମହାପାତ୍ରଙ୍କୁ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବିଦ୍ୟାଳୟର ଟପ୍ପର ହୋଇଥିବା ପପୁନ ପାତ୍ରଙ୍କୁ ଟ୍ରଫି ସହ ୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।

ସେହିଭଳି ବ୍ରହ୍ମପୁର ଏନ ସି ସି କ୍ୟାମ୍ପରେ ଗୁଳି ଚାଳନାରେ ପ୍ରଥମ ସ୍ଥାନ ହାସଲ କରି ବିଦ୍ୟାଳୟକୁ ଗୌରବାନ୍ଵିତ କରିଥିବା ଏବଂ ସ୍ୱାଧୀନତା ଦିବସ ପ୍ୟାରେଡରେ କି ବୋର୍ଡ ବାଦନ କରି ଅନନ୍ୟ ପ୍ରତିଭା ପ୍ରଦର୍ଶନ ପାଇଁ ବିଶ୍ଵଜିତ ପାତ୍ରଙ୍କୁ ମଧ୍ୟ ପୁରାତନ ଛାତ୍ରମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଉକ୍ତ ବିଦ୍ୟାଳୟର ୧୯୯୭ ବ୍ୟାଚର ପୁରାତନ ଛାତ୍ରମାନେ ନିଜ ବିଦ୍ୟାଳୟର ଉନ୍ନତି ଏବଂ ଛାତ୍ରଛତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ସେମାନେ ଏକ ଅଭିନବ ପ୍ରୟାସ କରୁଛନ୍ତି। କେବଳ ପାଠ ପଢାରେ ନୁହେଁ ପିଲାମାନଙ୍କର ଅନ୍ୟ ପ୍ରତିଭା ଯଥା- ଖେଳ, ସଙ୍ଗୀତ, କଳା ଇତ୍ୟାଦି କ୍ଷେତ୍ରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଓ ଦକ୍ଷତା ଥିବା ପିଲାମାନଙ୍କୁ ସମ୍ମାନିତ କରିବା ପାଇଁ ଗତ ବର୍ଷ ଠାରୁ ଏହି ପ୍ରୟାସ ଜାରି ରଖିଛନ୍ତି। ତେଣୁ ଗତ ବର୍ଷଠାରୁ ସେମାନେ ବିଦ୍ୟାଳୟର ମେଧାବୀ ଏବଂ ଅନନ୍ୟ ପ୍ରତିଭା ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଆସୁଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱଜିତ୍ ପଲେଇ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁନିଲ ମହାନ୍ତି ଓ ଅନ୍ୟମାନେ ଯୋଗ ଦେଇଥିବା ବେଳେ ପୁରାତନ ଛାତ୍ର ଅଜିତ୍ କୁମାର ମହାପାତ୍ର, ଭଗବାନ ସାହୁ, ଲକ୍ଷ୍ମୀକାନ୍ତ ପାତ୍ର, ଦିବ୍ୟସିଂହ ସାମନ୍ତରାୟ ଓ ସୂର୍ଯ୍ୟକାନ୍ତ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବଳରାମଦେବ ବିଦ୍ୟାପୀଠର ପୁରାତନ ବିଦ୍ୟାର୍ଥୀଙ୍କ ବଡ ଘୋଷଣା, ମେଧାବୀ ଛାତ୍ରଛାତ୍ରୀଙ୍କୁ ଯୋଗାଇବେ ସହାୟତା

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବଳରାମଦେବ ବିଦ୍ୟାପୀଠର ୧୯୯୭ ଦଶମ ଶ୍ରେଣୀ ବ୍ୟାଚର ବନ୍ଧୁ ମିଳନ ଉତ୍ସବ ପାଳିତ ହୋଇଯାଇଛି। ୨୫ ବର୍ଷ ପୂର୍ତ୍ତି ଅବସରରେ ଉକ୍ତ ଉତ୍ସବ ଗତ ୪ ତାରିଖ ରବିବାର ଦିନ ଟାଙ୍ଗୀସ୍ଥିତ ବଳଭଦ୍ର କମ୍ପ୍ଲେକ୍ସଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି ପ୍ରରିପ୍ରେକ୍ଷୀରେ ଗତ ଶିକ୍ଷାବର୍ଷରେ ବଳରାମଦେବ ବିଦ୍ୟାପୀଠରୁ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଷଷ୍ଠ ଶ୍ରେଣୀର ତୃଷ୍ଣା ଦାସ, ସପ୍ତମ ଶ୍ରେଣୀର ରାଜେଶ ମହାପାତ୍ର, ଅଷ୍ଟମ ଶ୍ରେଣୀର ସୌମ୍ୟ ପ୍ରକାଶ ମହାପାତ୍ର, ନବମ ଶ୍ରେଣୀର ଶୁଭମ୍ ସ୍ୱରୁପ ପାତ୍ର ଓ ଦଶମ ଶ୍ରେଣୀର ଧର୍ମ ରଞ୍ଜନ ସାବତଙ୍କୁ ୧୯୯୭ ବ୍ୟାଚ ତରଫରୁ ଶିକ୍ଷକମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।

ତେବେ ବନ୍ଧୁ ମିଳନ ଅବସରରେ ୧୯୯୭ ବ୍ୟାଚର ବିଦ୍ୟାର୍ଥୀ ଏକ ବଡ ଘୋଷଣା କରିଛନ୍ତି। ପ୍ରତିବର୍ଷ ୧୯୯୭ ବ୍ୟାଚ ପକ୍ଷରୁ ବାଳରାମଦେବ ବିଦ୍ୟାପୀଠର ଦଶମ ଶ୍ରେଣୀରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ର କିମ୍ବା ଛାତ୍ରୀଙ୍କୁ ପୁରସ୍କୃତ କରାଯିବ। ଯେଉଁଥିରେ ଜାନକୀ ବଲ୍ଲଭ ମହାପାତ୍ରଙ୍କ ଅନ୍ୟୁନ ୫୦୦୦ (ପାଞ୍ଚ ହଜାର) ଟଙ୍କା ସହିତ ୧୯୯୭ ବ୍ୟାଚର ଅନ୍ୟ ବିଦ୍ୟାର୍ଥୀମାନଙ୍କ ସହଯୋଗ ରହିବ। ଏହା ସହିତ ୧୯୯୭ ବ୍ୟାଚ ପକ୍ଷରୁ ଆହୁରି ଏକ ବଡ ଘୋଷଣା କରିଯାଇଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଆର୍ଥିକ ରୂପେ ଦୁର୍ବଳ ଥିବା ମେଧାବୀ ଛାତ୍ର ବା ଛାତ୍ରୀଙ୍କୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପାଇଁ ସମସ୍ତ ସହାୟତା ଯୋଗାଇଦେବେ ବୋଲି ଘୋଷଣା କରାଯାଇଛି। ସେହିଭଳି ବ୍ୟାଚ ତରଫରୁ ଶଶାଙ୍କ ଶେଖର ସାହୁ ବିଦ୍ୟାଳୟକୁ ଦୁଇଟି କମ୍ପ୍ୟୁଟର ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି। ୧୯୯୭ ବ୍ୟାଚର ଏଭଳି ପ୍ରୟାସକୁ ଦେଖି ବୁଦ୍ଧିଜୀବି ମହଲରୁ ପ୍ରଶଂସାର ଶୁଅ ଛୁଟିଛି। ଏଭଳି ଉଦ୍ୟମ ଯୋଗୁଁ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗୀତା ହେବା ସହିତ ପାଠ ପଢା ପ୍ରତି ଆଗ୍ରହ ପ୍ରକାଶ ପାଇବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

ଏହି ଉତ୍ସବରେ ବଳରାମଦେବ ବିଦ୍ୟାପୀଠର ପୂର୍ବତନ ଶିକ୍ଷକ ନିତ୍ୟାନନ୍ଦ ସୁବୁଦ୍ଧି, ଶଙ୍କର ଜେନା, କୃଷ୍ଣଚନ୍ଦ୍ର ବେହେରା, ସୀତାଂଶୁ ଭୂଷଣ ଚକ୍ରବର୍ତ୍ତୀ, ମହେଶ୍ୱର ପ୍ରଧାନ ଓ ଶିକ୍ଷୟତ୍ରୀ ପ୍ରମିଳା ଦେଇ, ବାସନ୍ତୀ ମଲ୍ଲିକ ଓ ଶର୍ମିଳା ବେହେରା, ତତ୍କାଳୀନ ପ୍ରଧାନ ଶିକ୍ଷକ ବୁଦ୍ଧିମାନ ପ୍ରଧାନ ଓ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ବିଶ୍ୱଜିତ ପଲାଇ ପ୍ରମୁଖଙ୍କ ସମେତ ଆଞ୍ଚଳିକ ସାମ୍ବାଦିକ ସଂଘର ସମ୍ପାଦକ ମନୋଜ ପଟ୍ଟନାୟକ ଯୋଗ ଦେଇ ଇହଲୀଳା ସମ୍ବରଣ କରିଥିବା ପୂର୍ବତନ ଶିକ୍ଷକ ପଦ୍ମଚରଣ ଦାସ, ସୁବାଷଚନ୍ଦ୍ର ମହାପାତ୍ର, ବିଭୁପ୍ରସାଦ ଶତ୍ରୁଶଲ୍ୟ ଓ ବ୍ୟାଚ୍ ର ଅନ୍ୟତମ ଛାତ୍ର ଅଜିତ୍ କୁମାର ମହାପାତ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହା ସହିତ ଵ୍ୟାଚ ତରଫରୁ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ସହିତ ମନୋଜ ପଟ୍ଟନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ତେବେ ଉକ୍ତ ଉତ୍ସବ ଲକ୍ଷ୍ମୀକାନ୍ତ ପାତ୍ର, ଭଗବାନ ସାହୁ, ରାମଚନ୍ଦ୍ର ବେହେରା, କେଶବ ଚନ୍ଦ୍ର ସାହୁ, ଜାନକୀ ବଲ୍ଲଭ ମହାପାତ୍ର, ତପନ କୁମାର ରାଉତରାୟ, ସୂର୍ଯ୍ୟକାନ୍ତ ପ୍ରଧାନ, ଅଶୋକ ମହାପାତ୍ର, ଅଜିତ କୁମାର ପୃଷ୍ଟି, ଅଜିତ କୁମାର ମହାପାତ୍ର ଓ ପ୍ରକାଶ କୁମାର ପ୍ରଧାନ ପ୍ରମୁଖଙ୍କ ସହଯୋଗରେ ପରିଚାଳିତ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

ରିଲାଏନ୍ସ ଫାଉଣ୍ଡେସନ ବୃତ୍ତି ପାଇଁ ଆବେଦନ ପତ୍ର ଆହ୍ୱାନ: ୧୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ସୁଯୋଗ

ମୁମ୍ବଇ: ଭାରତର ଭବିଷ୍ୟତର ପ୍ରଯୁକ୍ତି ନେତୃତ୍ୱ ସମ୍ଭାବନା ଥିବା ଛାତ୍ରଛାତ୍ରୀଙ୍କୁ ପରିପୋଷଣ କରିବା ନିମନ୍ତେ ଏକ ଅଗ୍ରଣୀ ପ୍ରୟାସ ରିଲାଏନ୍ସ ଫାଉଣ୍ଡେସନ ବୃତ୍ତି (ସ୍କଲାରସିପ୍‌) ସଂପ୍ରତି ଆବେଦନପତ୍ର ଆହ୍ୱାନ କରୁଛି। ରିଲାଏନ୍ସ ଫାଉଣ୍ଡେସନ ଏଥିରେ ୧୦୦ ଜଣ ସବୁଠାରୁ ମେଧାବୀ ଅନୁସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ଉଦାର ଆର୍ଥିକ ଅନୁଦାନ ଏବଂ ମଜଭୁତ ବିକାଶମୂଳକ କାର୍ଯ୍ୟକ୍ରମ ଜରିଆରେ ସହାୟତା ଯୋଗାଇଦେବଯାହା ସେମାନଙ୍କୁ ସାମାଜିକ କଲ୍ୟାଣ ନିମନ୍ତେ ସେମାନଙ୍କର କୁଶଳତାରେ ଅଭିବୃଦ୍ଧି ଘଟାଇବାରେ ସହାୟକ ହେବ। ଭାରତର ବୈଷୟିକ ବିକାଶରେ ରିଲାଏନ୍ସ ଫାଉଣ୍ଡେସନ୍ ବୃତ୍ତିଧାରକମାନେ ଆଗରେ ରହିବା ଏବଂ ନେତୃତ୍ୱ ନେବାର ସୁଯୋଗ ନେଇପାରିବେ। ଆର୍ଟିଫିସିଆଲ ଇଂଟେଲିଜେନ୍ସକଂପ୍ୟୁଟର ବିଜ୍ଞାନଗଣିତ ଓ କଂପ୍ୟୁଟିଂଇଲେକ୍ଟ୍ରିକାଲ ବା ଇଲେକଟ୍ରୋନିକ୍ସି ଇଞ୍ଜିନିୟରିଂରେ ପାଂଚ ବର୍ଷୀୟ ଡିଗ୍ରୀ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଅନୁସ୍ନାତକ (ଅଣ୍ଡର ଗ୍ରାଜୁଏଟ୍‌) ଏବଂ ସ୍ନାତକୋତ୍ତରରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। ଏହି କାର୍ଯ୍ୟକ୍ରମରେ ୬୦ ଜଣ ପର୍ଯ୍ୟନ୍ତ ଅନୁସ୍ନାତକ ଛାତ୍ରଛାତ୍ରୀଙ୍କୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପ୍ରଦାନ କରାଯିବା ବ୍ୟବସ୍ଥା ରହିଥିବା ବେଳେ ୪୦ ଜଣ ପର୍ଯ୍ୟନ୍ତ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ସେମାନଙ୍କ ଅଧ୍ୟୟନ କାଳରେ ପ୍ରଦାନ କରାଯିବ। ରିଲାଏନ୍ସ ଫାଉଣ୍ଡେସନ ମଧ୍ୟ ବିଶାରଦମାନଙ୍କ ସହିତ ଭାବ ବିନିମୟଶିଳ୍ପ ସହିତ ପରିଚିତି ଏବଂ ସ୍ୱେଚ୍ଛାକୃତ ପ୍ରୟାସ ସମେତ ଅନନ୍ୟ ସାମଗ୍ରିକ ବିକାଶମୂଳକ କାର୍ଯ୍ୟକ୍ରମ ଜରିଆରେ ଏହି ଉଜ୍ଜ୍ୱଳ ମେଧାବୀମାନଙ୍କର ପରିପୋଷଣ ଏବଂ ସମର୍ଥନ କରିବ। ଏହାଦ୍ୱାରା ପ୍ରତିବର୍ଷ ଅନନ୍ୟ ଉତ୍କର୍ଷର ଏକ ବର୍ଗ ସୃଷ୍ଟିର ସୁଯୋଗ ଯୋଗାଇ ଦେବ। ଏହି ବୃତ୍ତି ପାଇଁ ଆବେଦନ କରିବାକୁ କୌଣସି ଦେୟ ରଖାଯାଇନାହିଁ। ସମାଜ କଲ୍ୟାଣ ଏବଂ ଛାତ୍ରଛାତ୍ରୀଙ୍କୁ ସହାୟତା କରିବା କ୍ଷେତ୍ରରେ ଏକ କର୍ପୋରେଟ ଦ୍ୱାରା ମୂଲ୍ୟଗତ ଦୃଷ୍ଟିରୁ ଏହା ଅନ୍ୟତମ ସର୍ବବୃହତ ବୃତ୍ତି (ସ୍କଲାରସିପ୍‌) କାର୍ଯ୍ୟକ୍ରମ ହୋଇଛି।

୨୦୨୧ ବର୍ଷରେ ୭୬ ଜଣ ଅନୁସ୍ନାତକ ଓ ସ୍ନାତକୋତ୍ତର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ)କଂପ୍ୟୁଟର ବିଜ୍ଞାନ ଆଦି ଶିକ୍ଷା ନିମନ୍ତେ ପ୍ରଥମ ରିଲାଏନ୍ସ ଫାଉଣ୍ଡେସନ ବୃତ୍ତି (ସ୍କଲାରସିପ୍‌) ପ୍ରଦାନ କରାଯାଇଥିଲା। ରିଲାଏନ୍ସ ଫାଉଣ୍ଡେସନର ଏହି ମେଧାସଂପନ୍ନ ଛାତ୍ରଛାତ୍ରୀ ଦେଶର ୧୪ଟି ରାଜ୍ୟର ୨୧ଟି ଶୀର୍ଷସ୍ତରୀୟ ବିଜ୍ଞାନ ଓ ଇଞ୍ଜିନିୟରିଂ ଶିକ୍ଷା ପ୍ରତିଷ୍ଠାନରେ ବଛା ବଛା ଡିଗ୍ରୀ ପାଠ୍ୟକ୍ରମରେ ପୂର୍ଣ୍ଣକାଳୀନ ଅଧ୍ୟୟନ କରୁଛନ୍ତି । ଏହି ପ୍ରଥମ ବ୍ୟାଚ ମେଧାବୀ ଛାତ୍ରଛାତ୍ରୀ ଇତିମଧ୍ୟରେ ଶିଳ୍ପ କ୍ଷେତ୍ରରେ ବିଶେଷଜ୍ଞମାନଙ୍କ ସହିତ ଏକାଧିକ ବୃତ୍ତିଗତ ଦକ୍ଷତା ପରିବର୍ଦ୍ଧନକାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିସାରିଛନ୍ତି।

ରିଲାଏନ୍ସ ଫାଉଣ୍ଡେସନ ବୃତି ଅତ୍ୟନ୍ତ କଠିନ ଏବଂ ତୀବ୍ର ପ୍ରତିଯୋଗିତାମୂଳକ ମନୋନୟନ ପ୍ରକ୍ରିୟାରେ ଭାରତରେ ସବୁଠାରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ମନୋନୀତ କରିବ। ଏହି ପ୍ରକ୍ରିୟା ମଧ୍ୟରେ ଅନ୍‌ଲାଇନ ଆବେଦନ ସହିତ ଭାରତୀୟ ଏବଂ ଆନ୍ତର୍ଜାତିକ ବିଶେଷଜ୍ଞମାନଙ୍କର ଏକ ମଣ୍ଡଳୀ ଦ୍ୱାରା ସାକ୍ଷାତକାର ପ୍ରକ୍ରିୟା ସାମିଲ ରହିଛି। ମେଧା ଆଧାରରେ ଛାତ୍ରଛାତ୍ରୀଙ୍କୁ ବୃତ୍ତି (ସ୍କଲାରସିପ୍‌) ପ୍ରଦାନ କରାଯିବ ଏବଂ ସମସ୍ତ ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମିରୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ଆବେଦନ କରିବାକୁ ଉତ୍ସାହିତ କରାଯାଉଛି। ଆଦ୍ୟ ବାଲ୍ୟାବସ୍ଥାରୁ ଉଚ୍ଚତର ଶିକ୍ଷା ପର୍ଯ୍ୟନ୍ତ ବିଶ୍ୱଶ୍ରେଣୀର ଶିକ୍ଷାର ସୁଯୋଗ ନେବାରେ ଉନ୍ନତି ସାଧନ ଏବଂ ଏଭଳି ଏକ ବ୍ୟବସ୍ଥା ବିକଶିତ କରିବା ନିିମନ୍ତେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଚାଲିଥିବା ପ୍ରକ୍ରିୟାର ଏହି ବୃତ୍ତି ଏକ ଅଂଶବିଶେଷ ହୋଇଛି। ରିଲାଏନ୍ସ ଫାଉଣ୍ଡେସନ ବିଦ୍ୟାଳୟସମୂହ ବର୍ଷକୁ ୧୪ ହଜାର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଛି। ଧୀରୁଭାଇ ଅମ୍ବାନି ବୃତି ୧୯୯୬ ଠାରୁ ୧୨,୫୦୦ରୁ ଅଧିକ ଛାତ୍ରବୃତ୍ତି ଉଚ୍ଚଶିକ୍ଷା ପାଇଁ ମେଧା-ତଥା-ସାଧନ ଆଧାରରେ ପ୍ରଦାନ କରିସାରିଛି। ଜିଓ ଇନଷ୍ଟିଚ୍ୟୁଟ ଏକ ବିଶ୍ୱଶ୍ରେଣୀର ବହୁଧା ବିଷୟ ଭିତିକ ଉଚ୍ଚଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ ଭାବରେ ଉଭା ହେବାକୁ ଯାଉଛି। ରିଲାଏନ୍ସ ଫାଉଣ୍ଡେସନର କାର୍ଯ୍ୟକ୍ରମରେ ଶିକ୍ଷା ମୂଳସ୍ଥାନ ନେଉଛିଯାହା କୁଶଳାତାଜ୍ଞାନ ଏବଂ ସୁଯୋଗ ସହିତ ଆସନ୍ତାକାଲିର ନେତୃତ୍ୱ ବିକଶିତ ଓ ସଶକ୍ତ କରିବାରେ ବିଶ୍ୱାସ ରଖୁଛି।

Categories
ଆଞ୍ଚଳିକ

ଗୀତାଞ୍ଜଳି ପ୍ରତିଭା ସମ୍ମାନ-୨୦୨୧ ପ୍ରଦାନ

ଭୁବନେଶ୍ୱର: ବାଲିଅନ୍ତା ବ୍ଲକର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସରକାରଙ୍କ କୋଭିଡ଼ ନିୟମ ଅନୁଯାୟୀ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଏ୧ରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଚତୁର୍ଥ ଗୀତାଞ୍ଜଳି ପ୍ରତିଭା ସମ୍ମାନ-୨୦୨୧ ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ପଦ୍ମଶ୍ରୀ ବଟକୃଷ୍ଣ ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବରେ ଜୟଦେବ ବିଧାୟକ ଡଃ ଅରବିନ୍ଦ ଢାଲୀ ଯୋଗଦେଇ ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ହିମାଂଶୁ ଭୂଷଣ ଓଝା, ବିଧାୟକ ପ୍ରତିନିଧି ଅଚ୍ୟୁତାନନ୍ଦ ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ, ଶିକ୍ଷାବିତ୍ ବଦ୍ରୀନାରାୟଣ ବେହେରା, ବିଧୂଭୂଷଣ ପଟ୍ଟନାୟକ, ସିଦ୍ଧେଶ୍ୱର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଅନୁଷ୍ଠାନର ଅଧ୍ୟକ୍ଷ ରଞ୍ଜନ କୁମାର ମହାପାତ୍ର କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ସଭ୍ୟ ବିଶ୍ୱଜିତ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ସୁଶ୍ରୀ କାମିନୀ ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ।

ଏହି ଅବସରରେ ବାଲିଅନ୍ତା ବ୍ଲକର ୧୩ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଗୀତାଞ୍ଜଳି ପ୍ରତିଭା ସମ୍ମାନ ପ୍ରଦାନ କରାଯିବା ସହ ୫ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଗୀତାଞ୍ଜଳି ଆଦର୍ଶ ଶିକ୍ଷକ ସମ୍ମାନ ଓ ୨ଟି ବିଦ୍ୟାଳୟକୁ ଗୀତାଞ୍ଜଳି ଆଦର୍ଶ ବିଦ୍ୟାଳୟ ସମ୍ମାନ ପ୍ରଦାନ କରାଯାଇଛି।