Categories
ଆଜିର ଖବର ଜାତୀୟ ଖବର

ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ କାର ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତିଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ସୌଭାଗ୍ୟବଶତଃ ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏହି ଦୁର୍ଘଟଣା ଦକ୍ଷିଣ କାଶ୍ମୀରର ଅନନ୍ତନାଗରେ ଘଟିଛି। ସୂଚନାନୁସାରେ, ମେହବୁବା ମୁଫତିଙ୍କ ବ୍ୟକ୍ତିଗତ ସୁରକ୍ଷା ପାଇଁ ନିୟୋଜିତ ଜଣେ ପୋଲିସ କର୍ମଚାରୀ ଏହି ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଛନ୍ତି।

PDP ମିଡିଆ ସେଲ୍ ଏହି ସୂଚନା ଦେଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅନନ୍ତନାଗ ବୋଟ କଲୋନୀର ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ପୀଡିତଙ୍କୁ ଭେଟିବାକୁ ଯାଉଥିଲେ। ସେହିସମୟରେ ଏହି ଦୁର୍ଘଟଣା ଘଟିଥିଲା। ମେହବୁବା ମୁଫତି ଯେଉଁ କାରରେ ଯାଉଥିଲେ ତାହା ନଷ୍ଟ ହୋଇଯାଇଛି। ଏହି ଦୁର୍ଘଟଣା ପରେ ଯେଉଁମାନେ ସୋସିଆଲ ମିଡିଆରେ ତାଙ୍କ ପାଇଁ ପ୍ରାର୍ଥନା କରିଥିଲେ ସେମାନଙ୍କ ପାଇଁ ମେହବୁବା ମୁଫତି ଧନ୍ୟବାଦ ଅର୍ପଣ କରିଛନ୍ତି।

Categories
ବିଶେଷ ଖବର

୩୭୦ ଉଚ୍ଛେଦକୁ ବିରୋଧ କରୁଥିବା ଲୋକମାନେ ମୂର୍ଖ, ସେମାନେ ଇତିହାସ ଓ ଭୂଗୋଳ ଜାଣନ୍ତି ନାହିଁ: ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ଆଜାଦ ପାର୍ଟି ମୁଖ୍ୟ ଗୁଲାମ ନବୀ ଆଜାଦ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରୁଥିବା ଲୋକଙ୍କୁ ମୂର୍ଖବୋଲି କହିଛନ୍ତି। ସେ କହିଛନ୍ତି ଯେ ଯେଉଁମାନେ ଏପରି କରୁଛନ୍ତି ସେମାନେ ଜମ୍ମୁ-କଶ୍ମୀରର ଭୂଗୋଳ ଏବଂ ଇତିହାସ ଜାଣନ୍ତି ନାହିଁ। ଧାରା-୩୭୦ ଉଚ୍ଛେଦ କରି ଜମ୍ମୁ-କଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ପିଟିସନର ଶୁଣାଣି ଚାଲିଥିବାବେଳେ ଆଜାଦ ଏହି ବୟାନ ଦେଇଛନ୍ତି।

ରାଜ୍ୟରୁ ଧାରା ୩୭୦ ଉଚ୍ଛେଦକୁ ୪ ବର୍ଷ ପୂରିଛି। ଗୁଲାମ ନବୀ ଆଜାଦ କହିଛନ୍ତି ଯେ ଏହା କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳ, ରାଜ୍ୟ କିମ୍ବା ଧର୍ମ ପାଇଁ ନୁହେଁ, ବରଂ ଏହା ସମସ୍ତଙ୍କ ପାଇଁ ସମାନ ଲାଭଦାୟକ।

ସୁପ୍ରିମକୋର୍ଟ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ରହିଛି: ଗୁଲାମ ନବୀ ଆଜାଦ

ଗୁଲାମ ନବୀ ଆଜାଦ ସୋମବାର କହିଛନ୍ତି ଯେ ସୁପ୍ରିମକୋର୍ଟ ସମସ୍ତ ଦିଗ ଉପରେ ବିଚାର କରିବେ ବୋଲି ତାଙ୍କର ପୂର୍ଣ୍ଣ ବିଶ୍ୱାସ ରହିଛି। ଅନ୍ୟପକ୍ଷରେ ଏହି ଧାରା ହଟିବା ପରେ ରାଜ୍ୟରେ ଶାନ୍ତି, ବିକାଶ ଓ ସମୃଦ୍ଧି ବୃଦ୍ଧି ପାଇଛି ବୋଲି ବିଜେପି ଦାବି କରିଛି। ଅଗଷ୍ଟ ୫ ରେ ଏହାର ଚତୁର୍ଥ ବାର୍ଷିକୀ ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତି ଦାବି କରିଛନ୍ତି ଯେ ତାଙ୍କୁ ଏବଂ ଅନ୍ୟ ପାଞ୍ଚଜଣ ନେତାଙ୍କୁ ଗୃହବନ୍ଦୀ କରାଯାଇଛି।

ମେହବୁବା ମୁଫତି: ମୋତେ ଗୃହବନ୍ଦୀ କରାଯାଇଛି

ଆଜି ମୋତେ ଏବଂ ମୋ ଦଳର ଅନ୍ୟ ବରିଷ୍ଠ ନେତାଙ୍କୁ ଗୃହବନ୍ଦୀ କରାଯାଇଛି। ଶନିବାର ମଧ୍ୟରାତ୍ରିରେ ଦଳର ଅନେକ ସଦସ୍ୟଙ୍କୁ ପୁଲିସ ବେଆଇନ ଭାବେ ଅଟକ ରଖିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। (ଜମ୍ମୁ-କଶ୍ମୀରରେ) ସ୍ୱାଭାବିକ ସ୍ଥିତି ସମ୍ପର୍କରେ ସୁପ୍ରିମକୋର୍ଟରେ ଭାରତ ସରକାରଙ୍କ ମିଥ୍ୟା ଦାବି ମାନସିକ ଉନ୍ମାଦନାଦ୍ୱାରା ପ୍ରେରିତ କାର୍ଯ୍ୟଦ୍ୱାରା ପଦାକୁ ଆସିଛି।

ପିଡିପି ମୁଖ୍ୟ କହିଛନ୍ତି, ଗୋଟିଏ ପଟେ ଧାରା ୩୭୦ ଉଚ୍ଛେଦକୁ ପାଳନ କରିବା ପାଇଁ କାଶ୍ମୀରବାସୀଙ୍କୁ ଆହ୍ୱାନ କରୁଥିବା ବଡ଼ ବଡ଼ ବ୍ୟାନର ସମଗ୍ର ଶ୍ରୀନଗରରେ ଲଗାଯାଇଥିବାବେଳେ ଅନ୍ୟପଟେ ଲୋକଙ୍କ ପ୍ରକୃତ ଭାବନାକୁ ଦମନ କରିବା ପାଇଁ ବଳ ପ୍ରୟୋଗ କରାଯାଉଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଆଫଗାନିସ୍ତାନରେ ଆମେରିକାର ଅବସ୍ଥା ହେଲା ଭଳି କାଶ୍ମୀରରେ ମଧ୍ୟ ଭାରତୀୟ ସେନାର ସମାନ ସ୍ଥିତି ହେବ: ମେହବୁବା ମୁଫତି

ଶ୍ରୀନଗର: ପିଡିପି ସଭାପତି ମେହବୁବା ମୁଫତି କେନ୍ଦ୍ରରେ ବିଜେପି ସରକାରଙ୍କୁ ଚେତାବନୀ ଦେଇଛନ୍ତି। ମୁଫତି କହିଛନ୍ତି ଯେ, ଆଫଗାନିସ୍ତାନରେ ଆମେରିକାର ଅବସ୍ଥା ଭଳି କାଶ୍ମୀରରେ ଭାରତୀୟ ସେନାର ହେବ। କୁଲଗାମରେ ଏକ ସାଧାରଣ ସଭାରେ ମୁଫତି ଆଫଗାନିସ୍ତାନକୁ ଦର୍ଶାଇ କାଶ୍ମୀରରେ ମଧ୍ୟ ଏହିପରି ବିଶୃଙ୍ଖଳା ସମ୍ପର୍କରେ ଚେତାବନୀ ଦେଇଛନ୍ତି ଏବଂ ଆମେରିକା ସେନାର ଅବସ୍ଥା ସେପରି ହେବ ବୋଲି କହିଛନ୍ତି।

ମେହବୁବାଙ୍କ ଅନୁଯାୟୀ, କିଛି ଦିନ ହେଲା ଜମ୍ମୁ କାଶ୍ମୀରର ଲୋକମାନଙ୍କୁ ଯେଉଁଭଳି ଭାବେ ଦମନ କରାଯାଉଛି ଏବଂ ଲୋକଙ୍କ ସମସ୍ତ ଅଧିକାର ଛଡ଼ାଇ ନିଆଯାଉଛି। ଏହାକୁ ନେଇ ଯଦି ଲୋକଙ୍କ କ୍ରୋଧ ସୃଷ୍ଟି ହୁଏ, ତେବେ କାଶ୍ମୀରରେ ଥିବା ଭାରତୀୟ ସେନା ମଧ୍ୟ ଆଫଗାନିସ୍ତାନରେ ଆମେରିକା ଭୋଗିଲା ଭଳି ସମାନ ଦଶା ଭୋଗିବ। ସେ କହିଛନ୍ତି ଯେ, ଯଦି ଗୋଟିଏ ପିମ୍ପୁଡ଼ି ହାତୀର ଶୁଣ୍ଢରେ ପ୍ରବେଶ କରେ, ତେବେ ହାତୀର ଅବସ୍ଥା ଖରାପ ହୋଇଯାଏ। କାଶ୍ମୀରବାସୀ ମୂର୍ଖ ନୁହଁନ୍ତି ଏବଂ ବନ୍ଧୁକ ନେବାରେ ସାହସ କରନ୍ତି ନାହିଁ, କିନ୍ତୁ ଯେଉଁ ଦିନ ଏଠାରେ ଲୋକଙ୍କ ସହନଶୀଳତାର ବନ୍ଧ ଭାଙ୍ଗିଯିବ, ସେହିଦିନ ଆପଣ ସେଠାରେ ରହିବେ ନାହିଁ।

କେନ୍ଦ୍ର ସରକାର କାଶ୍ମୀରବାସୀଙ୍କ ସ୍ୱରକୁ ଦମନ କରିଥିବା ଅଭିଯୋଗ କରି ମେହବୁବା କହିଛନ୍ତି ଯେ, ସରକାର ପରୀକ୍ଷା ନେବା ଉଚିତ ନୁହେଁ ଏବଂ ବାଜପେୟୀଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ କରି ଜାମ୍ମୁ କାଶ୍ମୀରର ସ୍ଵତନ୍ତ୍ର ସ୍ଥିତିକୁ ଫେରାଇ ଆଣିବା ପାଇଁ ପ୍ରୟାସ କରିବା ଉଚିତ। ଏବଂ ସମସ୍ୟାର ସମାଧାନ ଖୋଜି, ପୁନର୍ବାର ସମସ୍ତ ପକ୍ଷଙ୍କ ସହ କଥାବାର୍ତ୍ତା ଆରମ୍ଭ କରନ୍ତୁ।

କଂଗ୍ରେସକୁ ପ୍ରଶଂସା କରି ମୁଫତି କହିଛନ୍ତି ଯେ, କଂଗ୍ରେସ ଏହି ଦେଶକୁ ଜୀବନ୍ତ ରଖିଛି। ସେମାନଙ୍କ ସହିତ ତ୍ରୁଟି ମଧ୍ୟ ଘଟିଥିଲା ​​କିନ୍ତୁ ଦେଶକୁ ଏକ କରି ରଖିଥିଲା। କିନ୍ତୁ ଗତ ୭ ବର୍ଷ ମଧ୍ୟରେ ଦେଶରେ ଯାହା ଘଟୁଛି, ଏଥିରୁ ଜଣାପଡିଛି ଯେ, ବିଜେପି ଭାରତକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଁଛି। ନେହେରୁଙ୍କୁ ପ୍ରଶଂସା କରି ମେହବୁବା ମୁଫତି କହିଛନ୍ତି ଯେ, ହିନ୍ଦୁ ସଂଖ୍ୟାଗରିଷ୍ଠ ଭାରତ ସହିତ ଜାମ୍ମୁ କାଶ୍ମୀରର ମିଶ୍ରଣ କେବଳ ପଣ୍ଡିତ ନେହେରୁଙ୍କ କାରଣରୁ ହୋଇଥିଲା। ଯଦି ସେହି ସମୟରେ ବିଜେପି ସରକାରରେ ରହିଥାନ୍ତା, ତେବେ ଭାରତ ସହିତ କାଶ୍ମୀରର ମିଶ୍ରଣ ହୋଇନଥାନ୍ତା।

ମେହେବୁବା ମୁଫତି ଏକ ବଡ ଭୁଲ ବୁଝାମଣାରେ ଅଛନ୍ତି ବୋଲି ବିଜେପି ନେତା ରବିନ୍ଦ୍ର ରାଇନା କହିଛନ୍ତି। ଭାରତ ଅତ୍ୟନ୍ତ ଶକ୍ତିଶାଳୀ ଦେଶ ଏବଂ ଆମ ଦେଶର ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦୀ। ତାଲିବାନୀ, ଅଲ କାଏଦା, ଜୈଶ କିମ୍ବା ହିଜବୁଲ ହେଉ, ଯିଏ ଦେଶ ବିରୁଦ୍ଧରେ ଷଡଯନ୍ତ୍ର କରିବ, ତାଙ୍କୁ ଉଚିତ ଜବାବ ଦିଆଯିବ। ଆମ ଦେଶର ପ୍ରଧାନମନ୍ତ୍ରୀ ହେଉଛନ୍ତି ମୋଦୀ ଜୀ, ବାଇଡେନ ନୁହଁନ୍ତି।

ରବୀନ୍ଦ୍ର ରାଇନା ଆହୁରି କହିଛନ୍ତି, “ଏଠାରେ ଏଭଳି ଘଟିବ ନାହିଁ, ଯାହା ତାଲିବାନ ପ୍ରବେଶ କରିବ ଏବଂ ଆଫଗାନିସ୍ତାନରୁ ଆମେରିକା ଛାଡିବା ଭଳି ଭାରତ କେବେ ଛାଡିବ ନାହିଁ। ଯିଏ ଆମ ଦେଶର ଏକତା ଏବଂ ଅଖଣ୍ଡତାକୁ ଚ୍ୟାଲେଞ୍ଜ କରିବ, ଆମେ ତାକୁ ମାଟିରେ ମିଶେଇଦେବୁ। ମେହବୁବା ମୁଫତି ଅନେକ ଅପରାଧ ଏବଂ ଦେଶଦ୍ରୋହି କାମ କରିଛନ୍ତି। ମୁଫତିଙ୍କ ପାଦ ତଳୁ ମାଟି ଖସିଯାଇଛି। ଜମ୍ମୁ କାଶ୍ମୀରର ଲୋକମାନେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତେଣୁ ସେ ତାଲିବାନକୁ ମାନେ ପକାଉଛନ୍ତି। ୧୯୯୦ ମସିହାରେ ଜାମ୍ମୁ କାଶ୍ମୀରରେ ମଧ୍ୟ ତାଲିବାନ ଦେଖାଦେଇଥିଲା।

Categories
ଆଜିର ଖବର ଜାତୀୟ ଖବର

ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ବୟାନକୁ ବିରୋଧ: ଇସ୍ତଫା ଦେଲେ ତିନିଜଣ ବରିଷ୍ଠ ନେତା

ଜାମ୍ମୁ: ଆଜି ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ର ତିନିଜଣ ବରିଷ୍ଠ ନେତା ଇସ୍ତଫା ଦେଇଛନ୍ତି। ଟି.ଏସ୍ ବାଜୱା, ବେଦ ମହାଜନ ଏବଂ ହୁସେନ୍ ୱାଫା ପିଡିପିରୁ ଇସ୍ତଫା ଦେଇଛନ୍ତି। ଏହି ତିନି ବରିଷ୍ଠ ନେତା ତାଙ୍କ ଇସ୍ତଫା ପତ୍ର ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ନିକଟକୁ ପଠାଇଛନ୍ତି।

ସେମାନେ ଏହି  ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ମେହବୁବାଙ୍କ କିଛି କାର୍ଯ୍ୟ ତଥା ବୟାନକୁ ନେଇ ସେମାନେ ଅସହଜ ଅନୁଭବ କରୁଛନ୍ତି। ଯାହା ସେମାନଙ୍କ ଦେଶପ୍ରେମ ଭାବନାକୁ ଆଘାତ ଦେଇଛି। ମେହବୁବାଙ୍କ ପିତା ସ୍ୱର୍ଗତ ମୁଫତି ମହମ୍ମଦ ସୟିଦଙ୍କ ସମୟରୁ ଏହି ନେତାମାନେ ପିଡିପି ସହ ଜଡ଼ିତ ଥିଲେ।

ସୂଚନା ଯୋଗ୍ୟ ଯେ, ମେହବୁବା ମୁଫତି ୧୪ ମାସର ଗୃହବନ୍ଦିରୁ ମୁକ୍ତ ହେବା ପରେ ଶୁକ୍ରବାର ଦିନ ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଜାମ୍ମୁ କାଶ୍ମୀରର ପତାକା ଉତ୍ତୋଳନ କରିବାକୁ ଅନୁମତି ନଦେଲେ ତାଙ୍କ ଦଳ ଭାରତୀୟ ତ୍ରିରଙ୍ଗା ଉଠାଇବ ନାହିଁ। ଏହି ବୟାନକୁ ନେଇ ସେମାନେ ବିରୋଧ କରିଛନ୍ତି ଏବଂ ଦଳରୁ ଇସ୍ତଫା ଦେଇଛନ୍ତି।

ଗତ ବର୍ଷ ଅଗଷ୍ଟ ୫ ରେ ସମ୍ବିଧାନର ଧାରା ୩୭୦ ରଦ୍ଦ ହେବା ପୂର୍ବରୁ ଜାମ୍ମୁ କାଶ୍ମୀରରେ ଏକ ପୃଥକ ପତାକା ଏବଂ ଦେଶର ସମ୍ବିଧାନ ସହିତ ଏକ ପୃଥକ ସମ୍ବିଧାନ ଥିଲା।