Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚଣ୍ଡେଶ୍ୱର: ବେଆଇନ ମୋରମ ଖଣିରେ ଟାଙ୍ଗୀ ପୋଲିସର ଅତର୍କିତ ଚଢ଼ାଉ, ୭ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ବେଆଇନ ପଥର ଖଣି ଉପରେ ଚଢ଼ାଓ ଜାରି ରହିଥିବା ବେଳେ ଟାଙ୍ଗୀ ଥାନା ଅଞ୍ଚଳରେ ଏହା ଆହୁରି ଜୋରଦାର ହୋଇଛି। ନୂତନ ଆଇଆଇସି ଦିଗବିଜୟ ବିଶ୍ୱାଳ ଅପରାଧୀଙ୍କ ପ୍ରତି କଠୋର ଆଭିମୁଖ୍ୟ ପାଇଁ ବେଶ ଜଣାଶୁଣା ଥିବା ବେଳେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି।  ଆଇଆଇସି ଶ୍ରୀ ବିଶ୍ୱାଳ ବେଆଇନ ଖଣି ଉପରେ ଅତର୍କିତ ଚଢ଼ାଉ ଜାରି ରଖିଥିବା ବେଳେ ଗତକାଲି ଏକ ବଡ ଧରଣର ଚଢ଼ାଉ କରି ସାତ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।

ସୂଚନା ମୁତାବକ ଜିଲ୍ଲା ପ୍ରଶାସନର ସମସ୍ତ କଟକଣାକୁ ବେଖାତିର କରି ସିପି ଅରୋରା ନାମକ ଏକ ସଂସ୍ଥା ଚଣ୍ଡେଶ୍ୱର ଅଞ୍ଚଳରେ ବେଆଇନ ଭାବେ ମୋରମ ଉତ୍ତୋଳନ କରୁଥିଲା।  ଖବର ପାଇବା ପରେ ଟାଙ୍ଗୀ ପୋଲିସ୍ ସଦଳବଳେ ଚଣ୍ଡେଶ୍ୱରରେ ଥିବା ବେଆଇନ ମୋରମ ଖଣିରେ ଚଢାଉ କରିଥିଲା। ପୋଲିସ୍ ଖଣିରେ ଚଢାଉ କରି ୬ ଗୋଟି ମୋରମ ବୋଝେଇ ହାଇୱା ସହ ଗୋଟିଏ ପୋକଲିନ୍ ( ମାଟି ଖୋଳା ମେସିନ୍) ଜବତ କରିଛି ଏବଂ ୭ ଜଣ ଗାଡି ଚାଳକଙ୍କୁ ଗିରଫ କରିଛି। ଗିରଫ ଗାଡି ଚାଳକ ମାନେ ହେଲେ ଝାଡଖଣ୍ଡ ରାଜ୍ୟ କୋଦରମା ଜିଲ୍ଲାର ବିକାଶ କୁମାର ଯାଦବ (୨୫), ରଘୁବୀର ଯାଦବ (୨୭), ନରେଶ କୁମାର ସିଂ (୨୩), ବିହାର ରାଜ୍ୟ ୱୌରଙ୍ଗାବାଦ୍ ର ଦୁର୍ଗା କୁମାର ଯାଦବ (୨୮), ଉତ୍ତର ପ୍ରଦେଶ ରାଜ୍ୟ ସୋନଭଦ୍ରା ଅଞ୍ଚଳର ଅରବିନ୍ଦ (୨୬), ରାମ ପତି (୩୧) ଏବଂ ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳର ଶେଷଦେବ ନାୟକ (୨୮)।

ଏ ସଂକ୍ରାନ୍ତରେ ଟାଙ୍ଗୀ ପୋଲିସ ୩୯୪/୨୨ ରେ ଏକ ମାମଲା ରୁଜୁ କରି ସମସ୍ତ ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରିବ ବୋଲି ଜଣାପଡିଛି l ଜବତ ଗାଡି ଗୁଡିକ ୧୬ ନଂ ଜାତୀୟ ରାଜପଥ ନିର୍ମାଣରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଯୁକ୍ତ ଠିକା କାମ କରୁଥିବା ସଂସ୍ଥା ସି ପି ଆରୋରା ର ବୋଲି ଜଣା ପଡିଛି। ଅଭିଯୋଗ ମୁତାବକ ବେଆଇନ ଭାବେ ଶହ ଶହ ଟ୍ରକ ମୁଲ୍ୟବାନ ମୋରମ ଚୋରାଇ ନେଉଥିଲା ସି ପି ଆରୋରା ସଂସ୍ଥା। ଫଳରେ ରାଜ୍ୟ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି ହେଉଥିଲା। ତେବେ ଆଇଆଇସି ଙ୍କ ଏପରି କାର୍ଯ୍ୟାନୁଷ୍ଠାନରେ ଖଣି ମାଫିଆଙ୍କ ମନରେ ଛନକା ପଶିଯାଇଛି।