Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଲାଭାଂଶ ବାବଦରେ ୪.୩୬ କୋଟି ପ୍ରଦାନ କଲା ରାଜ୍ୟ ପଣ୍ୟାଗାର ନିଗମ

ଭୁବନେଶ୍ୱର: ଓଡିଶା ରାଜ୍ୟ ପଣ୍ୟାଗାର ନିଗମ (Odisha State Warehouse Corporation)ପକ୍ଷରୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରାଜ୍ୟ ସରକାରଙ୍କ ଲାଭାଂଶ ଭାବେ ୪.୩୬ କୋଟି ଟଙ୍କାର ଚେକ୍  ପ୍ରଦାନ କରାଯାଇଛି।  ଆର୍ଥିକ ବର୍ଷ ୨୦୧୯-୨୦୨୦ ଏବଂ ୨୦୨୦-୨୧ ନିମନ୍ତେ ଆଜି ଏହି ଲାଭାଂଶ ପ୍ରଦାନ କରାଯାଇଛି।

ଏହି ଅବସରରେ ସମବାୟ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ସମବାୟ ବିଭାଗ କମିଶନର-ତଥା-ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ  ଏବଂ ରାଜ୍ୟ ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ ମିହିର ପ୍ରସାଦ ମହାନ୍ତି  ଉପସ୍ଥିତ ଥିଲେ।

ଏହାର ଭଣ୍ଡାରଣ କ୍ଷମତାର (Storage Capacity) ସୁବିନିଯୋଗ ଯୋଗୁଁ ନିଗମ କ୍ରମାଗତ ଭାବରେ ଲାଭାନ୍ଵିତ ହେଉଛି ଏବଂ ଏହାର ଦୁଇ ଅଂଶୀଦାରଙ୍କୁ ଅର୍ଥାତ୍ ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ଭଣ୍ଡାରଣ ନିଗମ ଙ୍କୁ  ନିୟମିତ ଭାବରେ ଡିଭିଡେଣ୍ଡ୍ ପ୍ରଦାନ କରୁଅଛି।

ସୂଚନାଯୋଗ୍ୟ ଯେ, ଆର୍ଥିକ ବର୍ଷ ୨୦୧୯-୨୦୨୦ ଏବଂ ୨୦୨୦-୨୧ ପାଇଁ ନିଗମର ମୋଟ ଲାଭ ହେଉଛି ଯଥା କ୍ରମେ ୬,୩୬,୯୫,୫୫୬ ଟଙ୍କା ଏବଂ ୨୨,୭୧,୭୯,୪୫୪ ଟଙ୍କା। ତେଣୁ ଏହି ଦୁଇ ବର୍ଷ ପାଇଁ ମୋଟ ଲାଭର ୩୦% ହିସାବରେ ଡିଭିଡେଣ୍ଡ୍ ରାଶି ଯାହାକି ୮,୭୨,୬୨,୫୦୨ କୁ ଉଭୟ ଅଂଶୀଦାରଙ୍କୁ (ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ଭଣ୍ଡାରଣ ନିଗମ) ସମ ପରିମାଣରେ (ଅର୍ଥାତ ପ୍ରତିଟି ଅଂଶୀଦାରଙ୍କୁ ୪,୩୬,୩୧,୨୫୧ ଟଙ୍କା) ପ୍ରଦାନ କରାଯାଇଛି।

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ୧୯୫୮ ମସିହାରେ ସ୍ଥାପିତ  ହୋଇଥିଲା ଏବଂ ଏହା ମୁଖ୍ୟତ ୫,୨୧,୪୦୦ ମେଟ୍ରିକ ଟନ୍ ଷ୍ଟୋରେଜ୍ କ୍ଷମତା ସହିତ ରାଜ୍ୟର ୩୦  ଟି ଜିଲ୍ଲାରେ ଥିବା ୬୮ ଗୋଦାମକୁ ପରିଚାଳନା କରି କୃଷି କ୍ଷେତ୍ରକୁ ଭଣ୍ଡାରଣ ଏବଂ ପରିବହନ ସେବା ଯୋଗାଇଥାଏ।

ଏହି ଗୋଦାମଗୁଡ଼ିକ ମୁଖ୍ୟତଃ ସାଧାରଣ ବଣ୍ଟନ ବ୍ୟବସ୍ଥା ଏବଂ ସରକାରଙ୍କ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ଅଧୀନରେ ବଣ୍ଟନ ପାଇଁ ଉଦ୍ଦିଷ୍ଟ ଓଡିଶା ରାଜ୍ୟ ଯୋଗାଣ ନିଗମ (OSCSC Ltd) ଓ ଭାରତୀୟ ଖାଦ୍ୟ ନିଗମ (FCI) ର ଖାଦ୍ୟଶସ୍ୟର ବୈଜ୍ଞାନିକ ସଂରକ୍ଷଣରେ ସହାୟକ ହୁଅ। ସେହିପରି ଅନ୍ୟାନ୍ୟ ସରକାରୀ ସଂସ୍ଥା ଯଥା NAFED ଏବଂ TDCC Ltd ଇତ୍ୟାଦି ଙ୍କ ଦ୍ଵାରା କିଣାଯାଇଥିବା ଖାଦ୍ୟଶସ୍ୟ, ତୈଳବୀଜ, ଡାଲି ଏବଂ ମାଣ୍ଡିଆ, OSWC ର ବିଭିନ୍ନ ଗୋଦାମରେ ଗଚ୍ଛିତ ରଖା ଯାଇଥାଏ ଯାହା କୃଷକମାନଙ୍କୁ ସେମାନଙ୍କର ଉତ୍ପାଦର ସର୍ବନିମ୍ନ ସହାୟତା ମୂଲ୍ୟ ପାଇବାରେ ସାହାଯ୍ୟ କରିଥାଏ ଏବଂ ଅମଳ ସମୟରେ ଅଭାବୀ ବିକ୍ରୀରୁ ରକ୍ଷା କରିଥାଏ।

ରାଜ୍ୟର ୩୦ ଟି ଜିଲ୍ଲାର ଗୋଦାମ ଗୃହଗୁଡିକ ଖାଦ୍ୟଶସ୍ୟ ସଂରକ୍ଷଣ ପାଇଁ ଏକ ନିର୍ଭରଯୋଗ୍ୟ ସ୍ଥାନ ଯାହା ବନ୍ୟା, ଘୂର୍ଣ୍ଣିବଳୟ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତ ଲୋକଙ୍କର ଆବଶ୍ୟକତା ପୂରଣ କରେ। OSWC ର ଗୋଦାମଗୁଡ଼ିକ ମଧ୍ୟ ତୃଣମୂଳ ସ୍ତରରେ ସ୍ଥାନୀୟ ଲୋକଙ୍କୁ ଜୀବିକା ସହାୟତା ଯୋଗାଇଥାଏ ଏବଂ ପରିବହନ କାର୍ଯ୍ୟ ତଥା ଭଣ୍ଡାରଣ ସମ୍ବନ୍ଧିତ ଅନ୍ୟାନ୍ୟ ସହଯୋଗୀ କାର୍ଯ୍ୟରେ ନିୟୋଜିତ ହୋଇଥାଏ।

ଭଣ୍ଡାରଣ ସମ୍ବନ୍ଧିତ ଗୋଦାମ କାର୍ଯ୍ୟକଳାପକୁ ବିସ୍ତାର କରିବା ସହ ହିତାଧିକାରୀଙ୍କ ଆବଶ୍ୟକତା ପୂରଣ କରିବା ପାଇଁ କାର୍ଯ୍ୟକାରିତା ବ୍ୟବସ୍ଥାରେ ସର୍ବୋଚ୍ଚ ମାନକରେ ପହଞ୍ଚିବା ନିମନ୍ତେ ରାଜ୍ୟ ପଣ୍ୟାଗାର ନିଗମ (ଓ. ଏସ . ଡବ୍ଲ୍ୟୁ . ସି) ଆଗାମୀ ଦିନରେ ଲକ୍ଷ୍ୟ ରଖିଛି।

Categories
ଆଜିର ଖବର ଜାତୀୟ ଖବର

ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ମାର୍ଚ୍ଚ ୩୧ ସୁଦ୍ଧା ଖାଲି ପଦବୀ ପୂରଣ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ସରକାରଙ୍କ ଲୋକବଳ (man power) ବଢିଲେ, ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇ ଦେଇପାରିବା  ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ବିଭିନ୍ନ ନିଯୁକ୍ତି ଆୟୋଗର ଅଧ୍ୟକ୍ଷ ମାନଙ୍କ ସହିତ ଆଲୋଚନାରେ କହିଛନ୍ତି।

ବର୍ଷର ପ୍ରଥମ ଦିନରେ ରାଜ୍ୟରେ ସରକାରୀ ବିଭାଗ ଗୁଡିକରେ ଖାଲି ଥିବା ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କର ବିଭିନ୍ନ ନିଯୁକ୍ତି ଆୟୋଗର ଅଧ୍ୟକ୍ଷ ମାନଙ୍କ ସହିତ ଏକ ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ବୈଠକରେ ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ, ନିରପେକ୍ଷ ଓ ତ୍ୱରାନ୍ୱିତ ଭାବେ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ। ଅତ୍ୟାବଶ୍ୟକୀୟ ସେବା ଯୋଗାଉ ଥିବା ବିଭାଗ, ଯଥା- ସ୍ୱାସ୍ଥ୍ୟ, ଗୃହ, ଶିକ୍ଷା ଓ କୃଷି ବିଭାଗର ପଦବୀ ଗୁଡିକୁ ଖାଲି ନ ରଖି ଯଥାଶୀଘ୍ର ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଆଗାମୀ 5 ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ସ୍ତରରେ ଦେଢ ଲକ୍ଷ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି। 2 ବର୍ଷ ମଧ୍ୟରେ 65 ହଜାର ସରକାରୀ ପଦବୀରେ ନିଯୁକ୍ତି ପାଇଁ ସ୍ଥିରୀକୃତ ହୋଇଛି।

ବର୍ତ୍ତମାନ ରାଜ୍ୟରେ ବିଭିନ୍ନ ବିଭାଗରେ 1,10,557ଟି ପଦବୀ ଖାଲି ରହିଛି। ଏଗୁଡିକୁ ଯଥାଶୀଘ୍ର ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରି 2025 ମାର୍ଚ୍ଚ 31 ସୁଦ୍ଧା  ଖାଲି ପଦବୀ ପୂରଣ ପାଇଁ ନିଯୁକ୍ତି ଆୟୋଗ ଗୁଡିକୁ ପ୍ରସ୍ତାବ ଦେବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ବିଭିନ୍ନ ବିଭାଗରେ ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଖାଲି ଥିବା ପଦବୀ ପୂରଣ ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସ୍ୱତନ୍ତ୍ର ରିକ୍ରୁଟମେଣ୍ଟ ଡ୍ରାଇଭ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ।

ଗ୍ରୁପ-ବି ବର୍ଗର ପଦବୀ ପୂରଣ ପାଇଁ Empowered Commiteeର ଅନୁମୋଦନ ଦରକାର ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ କହିଥିଲେ। ଭିନ୍ନକ୍ଷମ ବର୍ଗଙ୍କ ନିଯୁକ୍ତି କ୍ଷେତ୍ରରେ ଯାଞ୍ଚ ଓ ସଂରକ୍ଷଣ ପାଇଁ ଅର୍ଥ ବିଭାଗରେ କାର୍ଯ୍ୟରତ ଥିବା Empowered Commitee କୁ ପୁନର୍ଗଠନ କରି ସେଥିରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରତିନିଧିଙ୍କୁ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିସହିତ ଅବିଭକ୍ତ କୋରାପୁଟ ଜିଲ୍ଲାର ପରୀକ୍ଷାର୍ଥୀଙ୍କ ସୁବିଧା ଦୃଷ୍ଟିରୁ ଜୟପୁର ଠାରେ ଲୋକସେବା ଆୟୋଗର ଏକ ପରୀକ୍ଷା କେନ୍ଦ୍ର କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ବର୍ତ୍ତମାନ ଲୋକସେବା ଆୟୋଗର 5ଟି ପରୀକ୍ଷା କେନ୍ଦ୍ର ରହିଛି।

ବୈଠକରେ Odisha Public Service Commissionର ଅଧ୍ୟକ୍ଷ ଅରୁଣ ଷଡଙ୍ଗୀ, Odisha Staff Selection Commissionର ଅଧ୍ୟକ୍ଷ ଅଭୟ, Odisha Sub-ordinate Staff Selection Commissionର ଅଧ୍ୟକ୍ଷ ଲଳିତ ଦାସ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଏବଂ ଆୟୋଗ ଗୁଡିକର ସଦସ୍ୟବୃନ୍ଦ ଏବଂ ସଚିବ ମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ, ଅସୁସ୍ଥ ନାବାଳକୁ ପଠାଇଲେ ଡାକ୍ତରଖାନା

ଭୁବନେଶ୍ବର: ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ସପ୍ତମ ପାଳି, ଚଳିତ ବର୍ଷର ଶେଷ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦାୟିତ୍ୱ ନେବା ପରଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଅଧିକ କ୍ରିୟାଶୀଳ ହୋଇଛି । ମୁଖ୍ୟମନ୍ତ୍ରୀ, ଅଭିଯୋଗ ପ୍ରକୋଷ୍ଠରେ ଅଥବା ଯେଉଁଠାକୁ ଯାଆନ୍ତି ସେଠାରେ ସାଧାରଣଲୋକଙ୍କୁ ଭେଟିବା, ସେମାନଙ୍କ ସୁଖ ଦୁଃଖ ଶୁଣିବା ଏବଂ ସମସ୍ୟାର ସମାଧାନ ଉପରେ ସବୁବେଳେ ଗୁରୁତ୍ୱ ଦେଇଥାନ୍ତି ।

ଆଜି ସପ୍ତମ ପାଳିର ଆରମ୍ଭରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିବା ପରେ ବାହାରେ ଚେୟାରରେ ବସିଥିବା ପ୍ରାୟ ୪୦ ଜଣ ଭିନ୍ନକ୍ଷମ ମାନଙ୍କୁ ପ୍ରଥମେ ଭେଟିଥିଲେ । ସେମାନଙ୍କ ସମସ୍ୟା ଓ ଅଭିଯୋଗକୁ ଗୋଟି ଗୋଟିକରି ଶୁଣିବା ପରେ ପାଖରେ ଥିବା ମନ୍ତ୍ରୀ ଓ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କୁ ଅଭିଯୋଗ ପତ୍ର ଧରାଇ ସମାଧାନ କିପରି ହେବ ସେଥିପ୍ରତି ଯତ୍ନବାନ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଭିନ୍ନକ୍ଷମ ମାନଙ୍କ ମଧ୍ୟରେ ବୌଦ୍ଧର ହେରମ୍ବ ଗିରି ଆସିଥିଲେ ଅଜଣା ଜଟିଳ ରୋଗରେ ପୀଡିତ ତାଙ୍କ ୭ ବର୍ଷର ନାବାଳକ ପୁଅ ପ୍ରତ୍ୟୁଷ ଗିରିଙ୍କୁ ନେଇ । ପିଲାଟିର ଦୁଇଟି ଯାକ ଆଖି ନଷ୍ଟ ହୋଇଯାଇଛି ।

ବାପା ମା ଦୁହେଁ ଚିକିତ୍ସା ବାବଦରେ ଦୌଡି ଦୌଡି ସମସ୍ତ ଟଙ୍କା ଖର୍ଚ୍ଚ କରିସାରିବା ପରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ପିଲାଟିର ସ୍ୱାସ୍ଥ୍ୟ ଅବସ୍ଥା ଦେଖିବା ପରେ ତୁରନ୍ତ ପାଖରେ ଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ଆମ୍ବୁଲାନ୍ସ ଡାକି ଡାକ୍ତରଖାନା ପଠାଇବାପାଇଁ କହିଥିଲେ। କ୍ୟାପିଟାଲ ହସ୍ପିଟାଲରୁ ପିଲାଟି କଟକ ବଡ ଡାକ୍ତରଖାନାକୁ ଯିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପିଲାଟିର ଚିକିତ୍ସା କିପରି ହେବ ସେ ସମ୍ପର୍କରେ ତନ୍ନ ତନ୍ନ କରି ବୁଝୁଥିଲେ। କଟକ ବଡ ଡାକ୍ତରଖାନାରେ ପିଲାଟି ଚିକିତ୍ସାପାଇଁ ଭର୍ତ୍ତିହେଲା।

ପିଲାଟିର ଚିକିତ୍ସା ବାବଦକୁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ, ଜଟିଳ ରୋଗରେ ପୀଡିତ ସବୁ ମାମଲା ଗୁଡିକୁ ଆମେ ସମାନ ଗୁରୁତ୍ୱ ଦେଉଛୁ। ସରକାରଙ୍କ ପାଖକୁ ଯେଉଁ ଆଶା ଭରସା ନେଇ ଲୋକମାନେ ଆସୁଛନ୍ତି ଆମେ ସେମାନଙ୍କୁ କେବେ ନିରାଶ କରିବୁ ନାହିଁ।

ଆଜି ୧୦୦୦ ଲୋକ ଅଭିଯୋଗ ଶୁଣାଣି ପାଇଁ ପଞ୍ଜୀକରଣ କରିଥିଲେ । ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସହଯୋଗୀ ମନ୍ତ୍ରୀ ମଣ୍ଡଳର ସଦସ୍ୟ ମାନେ ସମସ୍ତଙ୍କ ଅଭିଯୋଗକୁ ଗୁରୁତ୍ୱଦେଇ ଶୁଣୁଥିଲେ ଓ ସମାଧାନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପସ୍ଥିତ ବରିଷ୍ଠ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଅଭିଯୋଗ ପ୍ରକୋଷ୍ଠରେ ଗଣମାଧ୍ୟମକୁ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ହେଉଛି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସପ୍ତମ ପାଳି । ଆଜି ସୁଦ୍ଧା ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବେ ୩୦ ହଜାରରୁ ୩୫ ହଜାର ଅଭିଯୋଗକାରୀ ସେମାନଙ୍କ ସମସ୍ୟା ନେଇ ଏଠାକୁ ଆସିଛନ୍ତି । ଲୋକଙ୍କୁ ନ୍ୟାୟ ଦେବାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସଫଳତା ହାସଲ କରିଛି ।

ଜୁଲାଇ ପହିଲାରେ ହୋଇଥିବା ପ୍ରଥମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ୮୮ ପ୍ରତିଶତ କେସ୍ ସମାଧାନ ହୋଇଛି । ସେହିଭଳି ଜୁଲାଇ ୧୫ ତାରିଖରେ ହୋଇଥିବା କାର୍ଯ୍ୟକ୍ରମରେ ୮୪ ପ୍ରତିଶତ, ଅଗଷ୍ଟ ୫ ରେ ହୋଇଥିବା କାର୍ଯ୍ୟକ୍ରମରେ ୮୨ ପ୍ରତିଶତ, ସେପ୍ଟେମ୍ବର ୨୩ରେ ହୋଇଥିବା କାର୍ଯ୍ୟକ୍ରମରେ ୮୦ ପ୍ରତିଶତ, ଅକ୍ଟୋବର ୨୧ତାରିଖରେ ହୋଇଥିବା କାର୍ଯ୍ୟକ୍ରମରେ ୭୭ ପ୍ରତିଶତ ଏବଂ ଡିସେମ୍ବର ୧୬ ତାରିଖରେ ହୋଇଥିବା କାର୍ଯ୍ୟକ୍ରମରେ ୧୬ ପ୍ରତିଶତ କେସର ସମାଧାନ କରାଯାଇଛି। ବାକି ରହିଥିବା କେସ ଗୁଡିକ ପ୍ରକ୍ରିୟାଭୁକ୍ତ ଅଛି, ଖୁବଶୀଘ୍ର ଏଗୁଡିକର ସମାଧାନ କରାଯିବ। ଲୋକମାନେ ବହୁତ ଆଶା ଓ ଭରସା ନେଇ ଆମ ପାଖକୁ ଆସୁଛନ୍ତି। ସମସ୍ତଙ୍କ ଅଭିଯୋଗ ଓ ସମସ୍ୟାକୁ ଗୁରୁତ୍ୱଦେଇ ଶୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ପ୍ରତି ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳଙ୍କ ଜରିଆରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଜାରିରହିଛି । ଏହା ଫଳରେ ଆମେ ଅଧିକରୁ ଅଧିକ ଲୋକଙ୍କୁ ନ୍ୟାୟ ଦେଇପାରୁଛୁ । ସମସ୍ତେ ନ୍ୟାୟ ପାଇବେ, କେହି ନିରାଶ ହେବେ ନାହିଁ । ଆଗାମୀ ଦିନରେ RDC ସ୍ତରରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ କାର୍ଯ୍ୟକାରୀ କରିବାର ଯୋଜନା ରହିଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସହିତ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ, ଖାଦ୍ୟ ଯୋଗଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ ସିଂହ ଏବଂ ଅନ୍ୟ ବିଭାଗ ଗୁଡିକର ସଚିବ ସ୍ତରୀୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ନୟାଗଡ, ଗଜପତି, ଗଞ୍ଜାମ ଜିଲ୍ଲାରେ ଅଦିନିଆ ବର୍ଷାଜନିତ କ୍ଷୟକ୍ଷତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଘଟିଥିବା ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ ପାଇଁ ନୟାଗଡ, ଗଜପତି ଓ ଗଞ୍ଜାମ ଜିଲ୍ଲା ଗସ୍ତ କରି ସବୁ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ନିଶ୍ଚୟ ସହାୟତା ମିଳିବ ବୋଲି ଆଶ୍ଵାସନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମଧ୍ୟ କ୍ଷତିଗ୍ରସ୍ତ ଜିଲ୍ଲା ଗୁଡ଼ିକ ବୁଲି ଦେଖିଥିଲେ।

ଗସ୍ତ କାର‌୍ୟ୍ୟକ୍ରମର ଶେଷ ପର୍ଯ୍ୟାୟ ଛତ୍ରପୁରଠାରେ ମୁଖ୍ୟମନ୍ତ୍ରୀ କ୍ଷୟକ୍ଷତି ସମ୍ବନ୍ଧରେ ସମୀକ୍ଷା କରି ବୀମା ଭୂକ୍ତ ଚାଷୀମାନଙ୍କ ପାଇଁ କ୍ଷୟକ୍ଷତି ସଂପର୍କରେ ଜଣାଇବା ସମୟ ଅବଧିକୁ ଆଉ ଗୋଟିଏ ଦିନ ବୃଦ୍ଧି କରିଛନ୍ତି । ଏହି ସମୟ ରବିବାର ପର‌୍ୟ୍ୟନ୍ତ ଥିବା ବେଳେ ଏହା ଆସନ୍ତା କାଲି ପର‌୍ୟ୍ୟନ୍ତ ବୃଦ୍ଧି କରାଯାଇଛି।

ରାଜ୍ୟର କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ଗୁଡିକର ଜିଲ୍ଲାପାଳ ମାନଙ୍କୁ ପୁନଃ ଆକଳନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଆସନ୍ତା ୩୦ ତାରିଖ ସୁଦ୍ଧା କ୍ଷୟ କ୍ଷତିର ରିପୋର୍ଟ ଦେବା ପାଇଁ ଅଧିକାରୀ ମାନଙ୍କୁ ପୂର୍ବରୁ ନିର୍ଦ୍ଦେଶ ଦିଆ ଯାଇଛି। ସଠିକ ଆକଳନ ତଥ୍ୟ ମିଳିବା ପରେ ଚାଷୀ ମାନଙ୍କୁ ସହାୟତା ରାଶି ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ନଭେମ୍ବର ୨୦ ତାରିଖରୁ ଅଦିନିଆ ବର୍ଷା ଲାଗି ରହିବାରୁ ରାଜ୍ୟର ଅନେକ ଜିଲ୍ଲାରେ ଧାନ ଫସଲ ସମେତ ପନିପରିବା ଇତ୍ୟାଦି ନଷ୍ଟ ହୋଇ ଚାଷୀ ମାନେ ଅନେକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି। ଏ ସଂପର୍କରେ ଗତକାଲି ଲୋକସେବା ଭବନ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଆଜି ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବରିଷ୍ଠ ମନ୍ତ୍ରୀ ମାନେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ପ୍ରଥମେ ନୟାଗଡ ଜିଲ୍ଲା ରଣପୁର ବ୍ଲକର ମଝିଆଖଣ୍ଡ ଓ କାଣ୍ଡପଡା ଗ୍ରାମ ପଞ୍ଚାୟତ ଚାଷ ଜମି ବୁଲି ଦେଖିଥିଲେ। ପୋର୍ଟାଲର ତଥ୍ୟ ଅନୁଯାୟୀ ଜିଲ୍ଲାରେ ୬୩୫୦ ହେକ୍ଟର ଚାଷ ଜମିରେ କ୍ଷୟକ୍ଷତି ଘଟିଛି । ମୁଖ୍ୟମନ୍ତ୍ରୀ ଙ୍କ ସହ ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଉପସ୍ଥିତ ଥିଲେ।

ଗଜପତି ଜିଲ୍ଲା ଗୋଷାଣି ବ୍ଲକର ଉପଲଡା ଗ୍ରାମ ପଞ୍ଚାୟତ ଓ ଗୁରାଣ୍ଡି ଗ୍ରାମ ପଞ୍ଚାୟତ ଅଞ୍ଚଳର ଚାଷ ଜମିର କ୍ଷୟକ୍ଷତିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ବୁଲି ଦେଖିଛନ୍ତି। ଜିଲ୍ଲାରେ ୨୧୨୮.୫୮୬ ହେକ୍ଟର ଚାଷ ଜମିର ଫସଲ ନଷ୍ଟ ହୋଇଛି। ସେହିଭଳି ଜିଲ୍ଲାରେ ୧୨୧.୧୨୨ ହେକ୍ଟର ଜମିରେ କଟା ନ ହୋଇଥିବା ଧାନ ମଧ୍ୟ ନଷ୍ଟ ହୋଇଛି।

ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର ଲକ୍ଷ୍ମୀପୁର ପଞ୍ଚାୟତର ନାଉଳି ଏବଂ ରଙ୍ଗେଇଲୁଣ୍ଡା ଗ୍ରାମ ପଞ୍ଚାୟତର ଗଉଁଜୁ ଅଞ୍ଚଳର ଚାଷ ଜମିର କ୍ଷୟକ୍ଷତିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ବୁଲି ଦେଖିଛନ୍ତି। ଜିଲ୍ଲାର ୩୭,୮୦୦ ହେକ୍ଟର ଜମିରେ ଖରିଫ ଫସଲ ନଷ୍ଟ ହୋଇଥିବା ବେଳେ ୮୨୨ ହେକ୍ଟର ଜମିରେ ପନିପରିବା ନଷ୍ଟ ହୋଇଛି ଏବଂ ଜିଲ୍ଲାର ୬୧୫୪୦ ଚାଷୀ ଏହି ଅଦିନିଆ ବର୍ଷା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏହି ସମସ୍ତ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଜମି ନିକଟକୁ ଯାଇ ସେମାନଙ୍କ ସହିତ ମିଶି କ୍ଷୟକ୍ଷତି ବୁଲି ଦେଖିଥିଲେ।

ଛତ୍ରପୁର ଠାରେ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଭାଇ ଭଉଣୀନେ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ। ଆମର ଅନ୍ନଦାତା। ଅଦିନିଆ ବର୍ଷା ଯୋଗୁ ସେମାନଙ୍କର ବହୁ କ୍ଷତି ଘଟିଛି । ସରକାର ଚାଷୀ ମାନଙ୍କ ସହିତ ଅଛନ୍ତି ଓ ନିଶ୍ଟୟ ସେମାନଙ୍କୁ ସହାୟତା ପ୍ରଦାନ କରାଯିବ।

ଯେଉଁ ସବୁ ଜିଲ୍ଲାରେ ବର୍ଷାଜନିତ ଫସଲ କ୍ଷୟକ୍ଷତି ଘଟିଛି, ସେ ସବୁ ଜିଲ୍ଲା ମାନଙ୍କରେ ପଞ୍ଜୀକୃତ ନ ହୋଇଥିବା ଆହୁରି ବହୁତ କ୍ଷତିଗ୍ରସ୍ତ ଚାଷୀ ରହିଯାଇଛନ୍ତି। ସମସ୍ତ ଚାଷୀ ଭାଇ ମାନଙ୍କୁ ତହସିଲଦାର, ଆର.ଆଇ, ଜିଲ୍ଲା କୃଷି ଅଧିକାରୀଙ୍କ ଜରିଆରେ ସହାୟତା ପାଇଁ ଆବେଦନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଚାଷୀ ଭାଇମାନେ ଟୋଲ ଫ୍ରି ନ.-୧୪୪୪୭ ଦ୍ୱାରା ଫୋନ ମାଧ୍ୟମରେ କିମ୍ବା କୃଷି ରକ୍ଷକ ପୋର୍ଟାଲରେ ପଞ୍ଜୀକରଣ କରି କ୍ଷୟକ୍ଷତି ପାଇଁ ଆବେଦନ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ।

ଧାନ ଫସଲ ଛଡା ପନିପରିବା ଚାଷୀ ଓ ବୀମାଭୁକ୍ତ ହୋଇ ନ ଥିବା ଚାଷୀମାନେ ଯେପରି କ୍ଷତି ପୂରଣ ପାଇବେ, ସେ ବିଷୟରେ ମଧ୍ୟ ସରକାର ଚିନ୍ତା କରୁଛନ୍ତି ବୋଲି ସେ କହିଥିଲେ।

ଛତ୍ରପୁର ଠାରେ ସମୀକ୍ଷା ବୈଠକ ରେ ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣିମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ , ବିଧାୟକ ଛତ୍ରପୁର ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ, ବିଧାୟକ ଦିଗପହଣ୍ଡି ଶ୍ରୀ ସିଦ୍ଧାନ୍ତ ମହାପାତ୍ର, ବିଧାୟକ ଖଲିକୋଟ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ, ବିଧାୟକ ଚିକିଟି ଶ୍ରୀ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ବିଧାୟକ ଆସ୍କା ଶ୍ରୀ ସରୋଜ କୁମାର ପାଢ଼ୀ ଏବଂ ଜିଲାପାଳ ଗଞ୍ଜାମ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅଦିନିଆ ବର୍ଷା ଜନିତ ଧାନ କ୍ଷୟକ୍ଷତିର ଉଚ୍ଚସ୍ତରୀୟ ଆକଳନ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଝାରୀ ଆଜି ଗଜପତି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଗ୍ରାମକୁ ଯାଇ ଗତ ଅଦିନିଆ ଲଗାଣ ବର୍ଷାରେ ଧାନ ଫସଲ ଓ ଧାନ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରି ଅନୁଧ୍ୟାନ ଓ ଉଚ୍ଚସ୍ତରୀୟ ଆକଳନ କରି ଫେରି ଯାଇଛନ୍ତି। ଗତ ୩/୪ ଦିନ ପୂର୍ବେ ଅଦିନିଆ ଲଗାଣ ବର୍ଷା ଦେଖା ଦେଇଥିଲା।

ସେଥିରେ ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକର ଉପଲଡା , ଲିଙ୍ଗିପୁର , ଭୁସୁକୁଡ଼ି ଓ ଗୁରାଣ୍ଡୀ ପଞ୍ଚାୟତ ସମେତ ବିଭିନ୍ନ ଅଞ୍ଚଳରେ ୨,୧୨୮ ହେକ୍ଟର ଅଞ୍ଚଳରେ ଚାଷୀ ମାନଙ୍କ ଧାନ ରହିବା ସହ କେତେକ କଟା ହୋଇପାରିନି ତ କେତେ ଅଞ୍ଚଳରେ ଧାନ କାଟି ବିଲରେ ପଡ଼ିରହିଛି ତ କେତେକ ଅଞ୍ଚଳରେ ଧାନ ଗଡା ହୋଇ ରହିଛି, ସବୁଠି ବର୍ଷା ପାଣି ରେ ଓଦା ହୋଇ ଗଜା ମାରି ଦେଇଛି। ସେହି କ୍ଷୟକ୍ଷତି ଅନୁଧ୍ୟାନ ଓ ଉଚ୍ଚସ୍ତରୀୟ ଆକଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ସେ ସବୁ ଆସି ଦେଖିଥିଲେ। ଚାଷୀଙ୍କ ସହ କ୍ଷୟକ୍ଷତି ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଚାଷୀ ମାନେ ମଧ୍ୟ ସେମାନଙ୍କ ଧାନ ବର୍ଷା ପାଣିରେ କିଭଳି ପୁଚୁକା ହେବା ଓ ଗଜା ହୋଇଥିବା ଦେଖାଇଥିଲେ।

ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ଚାଷୀ ମାନଙ୍କ କ୍ଷୟକ୍ଷତି ଦେଖି ସେମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ, ସରକାର ଚାଷୀଙ୍କ ସହ ଅଛନ୍ତି, ସେମାନଙ୍କ ଦୁଃଖ ବୁଝିବା ପାଇଁ ଆମେ ଆସିଛୁ। ଫସଲ ବୀମା ପଞ୍ଜିକରଣ ପ୍ରକାରେ ନ ହେଲେ ମଧ୍ୟ ଆରଆଇ ଓ ତହସିଲଦାରଙ୍କ ସର୍ଭେ ପ୍ରକାରେ ସମସ୍ତ ଚାଷୀଙ୍କ କ୍ଷୟକ୍ଷତିର କ୍ଷତିପୂରଣ ଦିଆଯିବ। ଏହି ଧାନ ଯେଉଁ ବାହାରିବା ତାହା ସରକାର ରଖିବେ ବୋଲି କହି ଚାଷୀମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ।

ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀଙ୍କ ଏହି ଗ୍ରସ୍ତ ବେଳେ ଜିଲ୍ଲାପାଳ ବିଜୟ କୁମାର ଦାସ, ଏସପି ଯତୀନ୍ଦ୍ର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ଗୁଣନିଧି ନାୟକ ଏବଂ ତହସିଲଦାର ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଜଣେ ବି କ୍ଷତିଗ୍ରସ୍ତ ଚାଷୀ ଯେପରି ସହାୟତାରୁ ବଞ୍ଚିତ ନ ହୁଅନ୍ତି: ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଗତ ୨୦ ତାରିଖରୁ ୨୮ ତାରିଖ ମଧ୍ୟରେ ରାଜ୍ୟରେ ହୋଇଥିବା ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରି ଯେପରି ଜଣେ ବି କ୍ଷତିଗ୍ରସ୍ତ ଚାଷୀ ସହାୟତାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଧ୍ୟାନ ଦେବାକୁ ସମୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥି ସହିତ ୩୦ ତାରିଖ ମଧ୍ୟରେ ଫସଲ କ୍ଷୟକ୍ଷତିର ସଠିକ୍ ଆକଳନ ସହ ପ୍ରକୃତ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ଚିହ୍ନଟ କରିବା ପାଇଁ ମୁଖ୍ୟମନ୍ତ୍ରୀ  ନିର୍ଦ୍ଦେଶ ଦେଇଥିଲେ।

ବୀମା କରିଥିବା ଓ ବୀମା ନକରିଥିବା କ୍ଷତିଗ୍ରସ୍ତ ସମସ୍ତ ଚାଷୀ ମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ସହାୟତା ଯଥାଶୀଘ୍ର DBT ମାଧ୍ୟମରେ ଯୋଗାଇ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ବୀମା କରିଥିବା ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନେ ଯେପରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କ୍ଷୟ କ୍ଷତି ସଂପର୍କରେ ବୀମା କମ୍ପାନୀ ମାନଙ୍କୁ ସୂଚନା ଦେବେ, ସେଥିପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ  ନିର୍ଦ୍ଦେଶ ଦେଇଥିଲେ। ବୈଠକର ସୂଚନାରୁ ଜଣାଯାଇଥିଲା ଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୨୬ ହଜାର ଚାଷୀ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇଛନ୍ତି। ଆସନ୍ତା କାଲି (ରବିବାର) ସୁଦ୍ଧା ସବୁ ବୀମାଭୁକ୍ତ ଚାଷୀମାନେ ନିଜର ଫସଲ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେବାକୁ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ଜରିଆରେ ନିବେଦନ କରିଥିଲେ।

ଏହା ସହିତ ବିଭିନ୍ନ ଜିଲ୍ଲାର ପଞ୍ଜୀକୃତ ଚାଷୀ ଭାଇ ଓ ଭଉଣୀ ମାନେ ଅଦିନିଆ ବର୍ଷା  ଜନିତ  ସେମାନଙ୍କର ଫସଲ ଅମଳର ପରବର୍ତ୍ତୀ କ୍ଷୟକ୍ଷତିର ସୂଚନା ତୁରନ୍ତ “କୃଷି ରକ୍ଷକ”  ପୋର୍ଟାଲ ମାଧ୍ୟମରେ କିମ୍ବା  ୧୪୪୪୭ କୁ କଲ୍ କରି ଜଣାଇବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।

ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଦେଓ ରଞ୍ଜନ କୁମାର ସିଂହ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ ପାଢୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରିଲିଜି ହେଲା ଏକ ସୁନ୍ଦର ଗୀତ

ଭୁବନେଶ୍ୱର: ମା’ ସୁନାଦେଇ ପ୍ରଡ଼କ୍ସନ ନିବେଦିତ ବି.କେ. କ୍ରିଏସନ ପ୍ରସ୍ତୁତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ଏକ ସୁନ୍ଦର ଗୀତଟିଏ ରିଲିଜି ହୋଇଯାଇଛି। ମନ୍ତ୍ରୀଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର କର କମଳରେ ଗତ ୨୫.୧୨.୨୦୨୪ରିଖ ବୁଧବାର ଦିନ ଉନ୍ମୋଚନ କରିଛନ୍ତି। ଯାହା ଗୀତ ରଚନା କରିଛନ୍ତି ସେମାନାଥ କରଣ ଯାହାର ସଙ୍ଗୀତରେ ସଜେଇଛନ୍ତି ଭକ୍ତ ମହାରଣା।

ଏହି ଗୀତଟି ସ୍ମୃତିରଞ୍ଜନ ସାମଲଙ୍କ ଷ୍ଟୁଡ଼ିଓରେ ଡବିଙ୍ଗ କରାଯାଇଅଛି। ଏହି ଗୀତକୁ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର କଣ୍ଠଦାନ କରିଛନ୍ତି। ଏହାକୁ ପ୍ରଯୋଜନା କରିଛନ୍ତି ବିବେକାନନ୍ଦ ବାରିକ ଓ ପ୍ରଭାତି ବାରିକ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଏକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତଃ ମନମୋହନ ସିଂହ ଦେଶର ଜଣେ ମହାନ୍ ବରପୁତ୍ର ଥିଲେ। ଅର୍ଥନୀତି କ୍ଷେତ୍ରରେ ତାଙ୍କର ଜ୍ଞାନ ଓ ଦକ୍ଷତା ପାଇଁ ସେ ସାରା ବିଶ୍ବରେ ସମ୍ମାନର ଅଧିକାରୀ ହୋଇ ପାରିଥିଲେ। ଅର୍ଥ ମନ୍ତ୍ରୀ ଭାବରେ ଦେଶର ଅର୍ଥନୀତିକୁ ସେ ଏକ ନୂଆ ଦିଗ ଦେଇଥିଲେ। ତାଙ୍କର ଉଦାର ଅର୍ଥନୈତିକ ନୀତି ଯୋଗୁ ଭାରତ ବିଶ୍ଵର ଏକ ପ୍ରମୁଖ ଅର୍ଥନୀତି ଭାବେ ଯାତ୍ରା ଆରମ୍ଭ କରିଥିଲା। ପ୍ରଧାନମନ୍ତ୍ରୀ ଭାବେ ସେ ବିଭିନ୍ନ କ୍ଷେତ୍ରରେ ଦେଶର ବିକାଶକୁ ତ୍ୱରାନ୍ୱିତ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତାଙ୍କର ଜ୍ଞାନ, ଭଦ୍ରତା, ସାଧୁତା ଓ ଅମାୟୀକ ସ୍ଵଭାବ ତାଙ୍କ ପାଇଁ ରାଜନୀତି କ୍ଷେତ୍ରରେ ଭିନ୍ନ ଏକ ପରିଚୟ ସୃଷ୍ଟି କରିଥଲା।

ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଇଂରାଜୀ ନୂତନ ବର୍ଷ ୨୦୨୫ ର ଡେସ୍କ୍ କ୍ୟାଲେଣ୍ଡର୍ ଓ ୱାଲ୍ କ୍ୟାଲେଣ୍ଡର୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୫ ଇଂରାଜୀ ନୂଆ ବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥାଇ ସୁଦୃଶ୍ୟ କ୍ୟାଲେଣ୍ଡର (ଉଭୟ ୱାଲ୍ ଏବଂ ଡେସ୍କ୍) ପ୍ରକାଶ ପାଇଛି।

କ୍ୟାଲେଣ୍ଡର ଗୁଡିକର ପ୍ରଥମ କପିକୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି। ଏହି ଦେବାର୍ପଣ ପରେ ଆଜି ଉଭୟ କ୍ୟାଲେଣ୍ଡରକୁ ବିଧିବଦ୍ଧ ଭାବେ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଡେସ୍କ୍ କ୍ୟାଲେଣ୍ଡର ରେ ରାଜ୍ୟର ବିଭିନ୍ନ ଶିଳ୍ପୀଙ୍କ ଚିତ୍ର ଏବଂ ବାଲୁକା କଳା ସ୍ଥାନିତ ହୋଇଛି। ସେହିପରି ସାତ ପୃଷ୍ଠା ବିଶିଷ୍ଟ ୱାଲ୍ କ୍ୟାଲେଣ୍ଡରରେ ରଥାରୂଢ଼ ମହାପ୍ରଭୁଙ୍କ ଭବ୍ୟ ଚିତ୍ରମାନ ସ୍ଥାନିତ ହୋଇଅଛି। ଇଂରାଜୀ ନୂଆ ବର୍ଷରେ ପୁରୀ ଓ ଭୁବନେଶ୍ୱର ସ୍ଥିତ ଶ୍ରୀମନ୍ଦିର ସୂଚନା କେନ୍ଦ୍ର ଗୁଡିକରେ ଏହି କ୍ୟାଲେଣ୍ଡର ଶ୍ରଦ୍ଧାଳୁମାନଙ୍କୁ ବିକ୍ରୟ ସକାଶେ ଉପଲବ୍ଧ ହେବ।

ଏହି ଅବସରରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ  ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଏବଂ ପୁରୀ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାର ବିକାଶ ପାଇଁ ବାଜପେୟୀଙ୍କ ଅବଦାନ ଅତୁଳନୀୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାଜପେୟୀ ଜୀ ଥିଲେ ଜଣେ ଦେବୋପମ ବ୍ୟକ୍ତି। ତାଙ୍କ ଜୀବନର ଗଭୀରତା, ସଦ୍​ଗୁଣ ଓ ଆଦର୍ଶ  ତାଙ୍କୁ ଦେବତାଙ୍କ  ସହିତ ତୁଳନୀୟ  କରିଥିଲା। ତାଙ୍କର ବ୍ୟକ୍ତିତ୍ୱ ଥିଲା ଶାନ୍ତ, ସ୍ନିଗ୍ଧ, ସରଳ ଓ ନମ୍ର। ଦଳମତ ନିର୍ବିଶେଷରେ ସେ ଥିଲେ ସମସ୍ତଙ୍କ ପ୍ରିୟ। ତାଙ୍କର  ରାଜନୈତିକ ବିରୋଧୀ ଥିଲେ। କିନ୍ତୁ, କେହି ଶତ୍ରୁ ନଥିଲେ। ତେଣୁ, ସେ ଥିଲେ ଅଜାତଶତ୍ରୁ। ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ  ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ସୁଶାସନ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ OUAT କୃଷି ସେବା ସଦନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଣେ ଉଦାର ହୃଦୟ ଜନନାୟକ, ସଫଳ ପ୍ରଧାନମନ୍ତ୍ରୀ, ଓଜସ୍ୱିନୀ ବକ୍ତା ଓ ଜଣେ ପ୍ରସିଦ୍ଧ କବି ଭାବେ ଭାରତ ବର୍ଷର ରାଜନୈତିକ ଇତିହାସରେ ସ୍ୱର୍ଗତ ବାଜପେୟୀଙ୍କ ନାମ ଚିରଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।

ସେ ପୁଣି କହିଥିଲେ ଯେ ବାଜପେୟୀଜୀ ଥିଲେ ଜଣେ ଯୁଗପୁରୁଷ । ବିଂଶ ଶତାବ୍ଦୀର  ଶେଷ ଭାଗରେ ଓ ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ସେ ଦେଶର ନେତୃତ୍ୱ ନେଇ ସାରା ଦେଶକୁ ଏକ ନୂଆ ଦିଗ୍​ଦର୍ଶନ ଦେଇଥିଲେ।

ଦେଶର ଘଡିସନ୍ଧି ମୁହୂର୍ତ୍ତରେ ତାଙ୍କର ସଫଳ ନେତୃତ୍ୱ ହିଁ ପ୍ରମାଣିତ କରିଥିଲା ଯେ, ଏକବିଂଶ ଶତାବ୍ଦୀ ହେବ ଭାରତର ଶତାବ୍ଦୀ ।  ତାଙ୍କ ଶାସନରେ ଦେଶର ବିକାଶର ଗତି ଏକ ନୂତନ ଶିଖର ଛୁଇଁ ଥିଲା ।
ଅର୍ଥନୈତିକ ପ୍ରଗତି ଓ ଭିତ୍ତିଭୂମିର ବିକାଶ ତାଙ୍କ ଶାସନର ଏକ ଉଜ୍ଜ୍ୱଳ ଅଧ୍ୟାୟ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବାଜପେୟୀଙ୍କୁ ଜଣେ ସୁଶାସକ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ତାଙ୍କ ସମୟରେ ଦେଶର ଆର୍ଥିକ ପ୍ରଗତି ନୂତନ ଶିଖର ଛୁଇଁ ଥିଲା।

ବିକାଶର ସୁବୁଠୁ ବଡ ଆବଶ୍ୟକତା  ଭିତ୍ତିଭୂମି  ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଯଦି ଆମେ ଭାରତର ବିକାଶର ଇତିହାସକୁ ଦେଖିବା, ତେବେ ବାଜପେୟୀଙ୍କ ସମୟ ହେଉଛି, ଭିତ୍ତିଭୂମି  ବିକାଶର  ଏକ ନୂତନ  ଅୟମାରମ୍ଭ । ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାରେ ଭାରତର ଚାରି ମହାନଗରୀକୁ ଯୋଡି ସେ ବିକାଶକୁ ଏକ ନୂଆ ଗତି ଦେଇଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସେ ଦେଶର ଗାଁ ଗୁଡିକରେ ସିମେଣ୍ଟ କଂକ୍ରିଟ ରାସ୍ତା କରି ଗ୍ରାମ୍ୟ ଭିତ୍ତିଭୂମି ସୁଦୃଢ କରିଥିଲେ।  ବାଜପେୟୀଙ୍କ ସୁଦୂର ପ୍ରସାରି ଚିନ୍ତାଧାରା ଗାଁ’ର ପରିବେଶ  ଓ   ଗ୍ରାମ୍ୟ  ଅର୍ଥନୀତିରେ ଏକ  ବ୍ୟାପକ ପରିବର୍ତ୍ତନ ଆଣି ପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବାଜପେୟୀଙ୍କ ସଂପର୍କରେ କେତେକ  କାହାଣୀ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଥିଲେ ଜଣେ ସର୍ବ ମାନ୍ୟ ନେତା। ନିଜ ଆଦର୍ଶ ସହିତ ବାଜପେୟୀ କେବେ ବି ସାଲିସ କରି ନ ଥିଲେ ବୋଲି ସେ କହିଥିଲେ।

ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିବା ସମୟରେ ସେ କିପରି ଜାତିସଂଘରେ   ପାକିସ୍ତାନର  ଚାଲ୍ କୁ ପ୍ରତିହତ କରିବାରେ ସଫଳ ହୋଇଥିଲେ, ୧୯୯୯ ରେ ସରକାର ବଞ୍ଚାଇବା ପାଇଁ ସେ କିପରି ରାଜନୈତିକ ମୂଲ୍ୟବୋଧ ସହିତ ସାଲିସ କରି ନ ଥିଲେ ଆଦି ବିଭିନ୍ନ ବିଷୟରେ ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ବର୍ଣ୍ଣନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶରେ ଗଣତନ୍ତ୍ରର ସୁରକ୍ଷା ପାଇଁ, ନିଜ ନୀତି ଆଦର୍ଶ କିମ୍ବା ବାବା ସାହେବଙ୍କ ପ୍ରଣିତ ସମ୍ବିଧାନର ଆତ୍ମାର ସୁରକ୍ଷା ପାଇଁ ନିଜ ସରକାରକୁ ଉତ୍ସର୍ଗ କରିଦେଇଥିଲେ, କେବଳ ଗୋଟି ଭୋଟ ପାଇଁ।

ଏହି ଦୁଇଟି ପ୍ରସଙ୍ଗରୁ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ଵ, ତାଙ୍କର ଦୁରଦୃଷ୍ଟି ଏବଂ ଦେଶ ତଥା ଗଣତନ୍ତ୍ର ପ୍ରତି ତାଙ୍କର ଆବେଗ ସହଜରେ ଅନୁମେୟ ବୋଲି ସେ କହିଥିଲେ ।

ଆଜି ଭାରତୀୟ ଜନତା ପାର୍ଟି ବିଶ୍ଵର ସବୁଠାରୁ ବଡ ରାଜନୈତିକ ଦଳ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଦଳ କଷ୍ଟସାଧ୍ୟ ସମୟରେ ବାଜପେୟୀଙ୍କ  ଦୃଢ଼ ନେତୃତ୍ୱ ଭାରତୀୟ ଜନତା ପାର୍ଟିକୁ ଆଜି ଏକ ସଫଳ ରାଜନୈତିକ ଦଳ ଭାବେ ପ୍ରତିଷ୍ଠିତ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଯେଉଁ ଦଳକୁ ବାଜପେୟୀ ଜୀ ସିଞ୍ଚନ କରି ଜାଗ୍ରତ କରିଥିଲେ, ମାନନୀୟ ମୋଦୀ ଜୀ ତାଙ୍କର ପଦାଙ୍କ ଅନୁସରଣ କରି ଦଳକୁ ହୃଷ୍ଟ ପୃଷ୍ଟ କରିଛନ୍ତି ଏବଂ ଏହି ପ୍ରକ୍ରିୟା ଆଜି ବି ଜାରି ରହିଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଟଳ ବିହାରୀ ବାଜପେୟୀ ଏମିତି ଏକ ନେତୃତ୍ଵ ଥିଲେ, ଯାହାଙ୍କ ବ୍ୟକ୍ତିତ୍ୱ ଅନ୍ୟ ବିରୋଧୀ ଦଳଙ୍କୁ ଆକର୍ଷିତ କରିଥିଲା ଏବଂ ଭାରତରେ ଏକ ନୂଆ ପ୍ରକାର ରାଜନୀତିର ଅଭ୍ୟୁଦୟ ହୋଇଥିଲା। ବିଭିନ୍ନ ବିଚାରଧାରାରେ ବିଶ୍ୱାସ କରୁଥିବା ରାଜନୈତିକ ଦଳଙ୍କୁ ନେଇ ଦେଶପାଇଁ ଗଠନମୂଳକ କାର୍ଯ୍ୟ କରିବାର କଳା, କୌଶଳ ତାଙ୍କର ଥିଲା।

ବାଜପେୟୀଙ୍କ ନେତୃତ୍ୱରେ ପୋଖରନ୍ ରେ ପରମାଣୁ ପରୀକ୍ଷଣ, କାରଗିଲ ଯୁଦ୍ଧରେ ବିଜୟ ଆଜି ଦୃଢ଼ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଥିଲେ।

1999ର କାରଗିଲ ବିଜୟ ସଂପର୍କରେ ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କ ଦୃଢ ନେତୃତ୍ୱର ପରିଚୟ ଦିଏ । ଦେଶର ଅଖଣ୍ଡତା ପାଇଁ ସେ ଦୃଢ ନେତୃତ୍ୱ ପ୍ରଦର୍ଶନ କରିଥିବା ବେଳେ, ଶାନ୍ତି ସ୍ଥାପନ ପାଇଁ  ଟିକିଏ Extra Mile ଚାଲିବାକୁ ସେ ପଛେଇ ଯାଉ ନଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ କହିଲେ ଯେ, ପାକିସ୍ତାନ ସହିତ ଶାନ୍ତି ସ୍ଥାପନ ପାଇଁ ସେ  ପାକିସ୍ତାନ ଯାତ୍ରା କରିଥିଲେ ଓ ପାକିସ୍ତାନ ରାଷ୍ଟ୍ରମୁଖ୍ୟଙ୍କୁ ଭାରତ ମଧ୍ୟ ଆମନ୍ତ୍ରଣ କରିଥିଲେ । କିନ୍ତୁ, ଆବଶ୍ୟକ ହେଲେ କଠୋର ରୁ କଠୋରତମ ପଦକ୍ଷେପ ନେବା ପାଇଁ ସେ ତିଳେମାତ୍ର ପଛଉ ନ ଥିଲେ।

ତାଙ୍କ ପାଇଁ ଦେଶର ସ୍ୱାର୍ଥର ସୁରକ୍ଷା ଥିଲା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତାଙ୍କର ନୀତି, ଆଦର୍ଶ ଏବଂ ଜନତାଙ୍କ ପ୍ରତି ସମର୍ପଣ ମନୋଭାବ ତାଙ୍କୁ ଦେଶର ଏକ ଅଦ୍ୱିତୀୟ ନେତା ଓ ସୁଶାସକର ପରିଚୟ ଦେଇଥିଲା।

ସ୍ୱର୍ଗତ ବାଜପେୟୀଙ୍କର ଓଡିଶା ପ୍ରତି ଅନେକ ଅବଦାନ ରହିଛି ବୋଲି ମତଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ 1999ର ମହାବାତ୍ୟାରେ ଧ୍ୱସ୍ତବିଧ୍ୱସ୍ତ ଓଡିଶା ଯେତେବେଳେ ହତାଶା ମଧ୍ୟରେ ଗତି କରୁଥିଲା, ସେତେବେଳେ ବାଜପେୟୀଜୀ ଓଡିଶା ଆସି ପ୍ରତ୍ୟେକ ଓଡିଶାବାସୀଙ୍କୁ ଆଶାର ଆଲୋକ ଦେଖାଇଥିଲେ ।

ବାଜପେୟୀ କହିଥିଲେ ଯେ, ଓଡିଶାର ବିକାଶ ପାଇଁ ଅର୍ଥର କୌଣସି ଅଭାବ ରହିବ ନାହିଁ । ବାଜପେୟୀଜୀଙ୍କ ଏହି ଆଶ୍ୱାସନା ଲୋକଙ୍କ ଭିତରେ ଭରସା ସୃଷ୍ଟି କରିଥିଲା । ବାଜପେୟୀଜୀ ଏହାକୁ ଏକ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବା ସହିତ ପ୍ରାରମ୍ଭିକ ପର୍ଯ୍ୟାୟରେ 300 କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ ।

ଏହା ବ୍ୟତିତ ଓଡିଶାର କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କରେ 7 ଲକ୍ଷ  ଘର ନିର୍ମାଣ ପାଇଁ ଅର୍ଥ ଅନୁମୋଦନ କରିଥିଲେ । କେବଳ ସେତିକି ନୁହେଁ, ପାରାଦୀପରେ Indian Oil Corporation ଦ୍ୱାରା ଏକ Refinery ସ୍ଥାପନ ଓ ଭୁବନେଶ୍ୱରରେ ଏମ୍​ସ ସ୍ଥାପନ ପାଇଁ ମଧ୍ୟ ସେ ଭିତ୍ତିପ୍ରସ୍ତର ରଖିଥିଲେ । ଏହା ସହିତ 2003 ମସିହାରେ East Coast Railway ମଧ୍ୟ ସ୍ଥାପନ ହୋଇଥିଲା । ବାଜପେୟୀଙ୍କ ସମୟରେ ହିଁ ସାନ୍ତାଳି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନିତ କରାଯାଇ, ଦେଶର ଏକ ସରକାରୀ ଭାଷାର ମର୍ଯ୍ୟଦା ଦିଆଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆମେ ଜଣେ ସୁଶାସକ କେବଳ ତାଙ୍କୁ ହିଁ କହି ପାରିବା, ଯାହାଙ୍କ ଶାସନରେ ଲୋକ ନିଜକୁ ସବୁ ଦୃଷ୍ଟିରୁ ସୁରକ୍ଷିତ ମନେ କରିବେ । ନିଜର ଏକ ସୁନ୍ଦର ଭବିଷ୍ୟତର ଉଜ୍ଜ୍ୱଳ ଆଶା ମଧ୍ୟ ଲୋକଙ୍କ ଭିତରେ  ସୃଷ୍ଟି ହେଉଥିବା ଆବଶ୍ୟକ ।  ସବୁ ଦୃଷ୍ଟିକୋଣରୁ ବାଜପେୟୀଜୀ ଥିଲେ ଜଣେ ସୁଶାସକ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ ।

ଦେଶ ପ୍ରତି ବାଜପେୟୀଙ୍କ ଅବଦାନକୁ ସମ୍ମାନ ପ୍ରଦର୍ଶନ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ତାଙ୍କ ଜନ୍ମ ଦିବସକୁ ସୁଶାସନ ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବାଜପେୟୀଜୀଙ୍କୁ, ପ୍ରଧାନମନ୍ତ୍ରୀ ମୋଦୀଜୀ  ବହୁତ୍ ଶ୍ରଦ୍ଧା ଓ  ସମ୍ମାନ କରନ୍ତି  ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ 2018 ଅଗଷ୍ଟ ୧୬ ତାରିଖ, ଯେଉଁ ଦିନ ବାଜପେୟୀଙ୍କ ଦେହାବସାନ ହେଲା, ସେ ଦିନ ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟରୁ ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ପର୍ଯ୍ୟନ୍ତ ୬ କିଲୋମିଟର ରାସ୍ତା ବାଜପେୟୀଙ୍କ ମର ଶରୀର ସହିତ ପଦରେ ଚାଲି ଚାଲି  ଶେଷକୃତ୍ୟ ସ୍ଥଳକୁ ଯାଇଥିଲେ । ଜଣେ ପୁତ୍ର ସଦୃଶ ସେ ତାଙ୍କର ଶେଷ କୃତ୍ୟ ସମ୍ପାଦନ କରିଥିଲେ।

ଏହା ହେଉଛି, ଭାରତୀୟ ସଂସ୍କାର। ଉଭୟ ବାଜପେୟୀଜୀ ଓ ମୋଦୀଜୀ ହେଉଛନ୍ତି ଏହାର ପ୍ରକୃଷ୍ଟ ଉଦାହରଣ  ବୋଲି ସେ କହିଥିଲେ।

ଓଡ଼ିଶାରେ ନୂଆ ସରକାର କିପରି ସୁଶାସନ ପାଇଁ ପ୍ରଟିବଦ୍ଧ ହୋଇ କାମ କରୁଛି ସେ ସମ୍ପର୍କରେ ମତାମତ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ଓଡ଼ିଶାରେ  ଆମ   ସରକାର  ମାତ୍ର ୬  ମାସ  ପୂରଣ  କରିଛି। କିନ୍ତୁ, ଲୋକଙ୍କୁ ସୁଶାସନ ଦେବାରେ ଆମେ ଗୋଟିଏ ମିନିଟ ମଧ୍ୟ ନଷ୍ଟ କରିନାହୁଁ। ସୁଶାସନର ଏକ ବଡ଼ ଆବଶ୍ୟକତା ହେଉଛି ଲୋକଙ୍କ ଭରସା।

ନିର୍ବାଚନ ସମୟରେ ଆମେ ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ସବୁ ପ୍ରତିଶ୍ରୁତିକୁ ଗୋଟି ଗୋଟି କରି ପୂରଣ କରି ଚାଲିଛୁ। ଯେଉଁ ଦିନ ସରକାର ଗଠନ ହେଲା, ସେହି ଦିନ ହିଁ କ୍ୟାବିନେଟ୍ ବସାଇ ଆମେ ଚାରିଟି ମୁଖ୍ୟ ନିଷ୍ପତ୍ତି ନେଇଥିଲୁ। ସରକାର ଗଠନର ଛ’ ମାସ ମଧ୍ୟରେ ସେହି ଚାରିଟି ଯାକ ନିଷ୍ପତ୍ତି କାର୍ଯ୍ୟକାରୀ କରିଛୁ। ଶ୍ରୀମନ୍ଦିର’ର ଚାରି ଦ୍ଵାର ଖୋଲିବା, ଶ୍ରୀମନ୍ଦିର’ର ଉନ୍ନତି ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ସହିତ ସୁଭଦ୍ରା ଯୋଜନାରେ ମା’ ମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ ଓ ଚାଷୀ ଭାଇ ମାନଙ୍କୁ ୮୦୦ ଟଙ୍କା ଇନପୁଟ୍ ସହାୟତା  ପ୍ରଦାନ —  ସବୁ ପ୍ରତିଶ୍ରୁତି  କାର୍ଯ୍ୟକାରୀ  କରିଛୁ। ଲୋକଙ୍କ ଭିତରେ ସରକାରଙ୍କ ଉପରେ ଭରସା ସୃଷ୍ଟି ହୋଇ ପାରିଛି । ଲୋକ ଅନୁଭବ କରୁଛନ୍ତି, ଯେ ସରକାରଙ୍କ କଥା ଓ କାମ ସମାନ। ଆଉ ଗୋଟିଏ କଥା ହେଉଛି, ଗୋଟିଏ ସରକାର ଭାବେ ଲୋକଙ୍କୁ ନିୟମିତ ଭାବେ ଭେଟିବା, ସେମାନଙ୍କ ସୁଖ ଦୁଃଖ ବୁଝିବା।

ଆମ  ସରକାର ଗଠନର ପ୍ରଥମ ଦିନରୁ ହିଁ ମୁଁ ନିଜେ ଲୋକଙ୍କୁ ନିୟମିତ ଭାବେ ଭେଟୁଛି ଓ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେଉଛି। ପ୍ରତି ସୋମବାର ଦିନ ମୁଁ ଓ ମୋ ମନ୍ତ୍ରୀ ମଣ୍ଡଳର ସଦସ୍ୟ ମାନେ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କୁ ଶୁଣି ତାଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଉଛୁ । ଆମ ପାଇଁ ଖୁସିର କଥା, ଆମ ସରକାର ‘ଲୋକଙ୍କ ସରକାର’ ବା People’s Government  ଭାବରେ ସୁନାମ ଅର୍ଜନ କରିଛି। ଗୋଟିଏ ନୂଆ ସରକାର ପାଇଁ ଏହା କିଛି କମ୍ ଉପଲବ୍​ଧି ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆମ ସରକାର ଲୋକଙ୍କୁ ସୁଶାସନ ଦେବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛି । କେବଳ ସେତିକି ନୁହେଁ, ଓଡ଼ିଶାର ଲୋକଙ୍କ ସୁନ୍ଦର ଭବିଷ୍ୟତ ପାଇଁ ଏକ ‘ଭିଜନ ଡକୁମେଣ୍ଟ’ ମଧ୍ୟ ପ୍ରସ୍ତୁତ କରୁଛୁ  ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ

୨୦୩୬ କୁ ଦୃଷ୍ଟିରେ ରଖି ଏକ ସମୃଦ୍ଧ ଓଡିଶା ଗଠନ ପାଇଁ ଯୋଜନା ପ୍ରସ୍ତୁତ କର

ବାଜପେୟୀଜୀଙ୍କ ପୁଣ୍ୟ ଜୟନ୍ତୀ ଅବସରରେ  ସୁଶାସନ ପାଇଁ ଆମର ଏହି ସଂକଳ୍ପ ଓ କାର୍ଯ୍ୟାବଳୀ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଶେଷରେ ମୁଖ୍ୟମନ୍ତ୍ରୀ ବାଜପେୟୀଙ୍କ ଏକ କାଳଜୟୀ ପଂକ୍ତି ସହିତ ଅଭିଭାଷଣ ଶେଷ କରିଥିଲେ।

କ୍ୟା ହାର୍ ମେଁ, କ୍ୟା ଜିତ୍ ମେଁ,
କିଞ୍ଚିତ୍ ନେହିଁ ଭୟଭୀତ୍ ମେଁ ।
କର୍ତ୍ତବ୍ୟ ପଥ୍ ପର୍ ଯୋ ଭି ମିଲା,
ୟହ  ଭି ସହି, ଓ  ଭି   ସହି,
ବରଦାନ୍ ନେହିଁ ମାଙ୍ଗୁଗାଁ ।
ହୋ କୁଛ,
ପର୍, ହାର୍ ନେହିଁ ମାନୁଙ୍ଗା
ପର୍, ହାର୍ ନେହିଁ ମାନୁଙ୍ଗା ।।

ବିଧାୟକ, ଏକାମ୍ର- ଭୁବନେଶ୍ୱରଶ୍ରୀ ବାବୁ ସିଂହ କହିଥିଲେ ଯେ ବାଜପେୟୀ ଥିଲେ ଦେଶର ଶ୍ରେଷ୍ଠ ପୁରୁଷ। ତାଙ୍କର ସୁଶାସନ ପାଇଁ ଦେଶ ଆଜି ବି ତାଙ୍କର ପୁନର୍ଜନ୍ମ କୁ ଚାହିଁ ରହିଛି।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଲେ ଯେ ବାଜପେୟୀଙ୍କ ଜୀବନୀ ଓ ଆଦର୍ଶ ରୁ ଆମକୁ ବହୁତ୍ କିଛି ଶିଖିବାର ଅଛି। ବିକାଶ ଓ ପ୍ରଗତିର ଏକମାତ୍ର ମାଧ୍ୟମ ହେଉଛି ସୁଶାସନ ବୋଲି ସେ କହିଥିଲେ।

ସ୍ବାଗତ ଭାଷଣ ଦେଇ ସୂଚନା ଓ ଲୋକ ସମ୍ପର୍କ ବିଭା ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ କହିଲେ ଯେ ସେବା ଭାବ, ସମ୍ବେଦନଶୀଳତା  ଓ ଉତ୍ତଦାୟିତା ମାଧ୍ୟମରେ ବାଜପେୟୀ ସୁଶାସନ ପ୍ରତିଷ୍ଠା କରିଥିଲେ।

ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଫାଉଣ୍ଡେସନର ଉପଦେଷ୍ଟା ଗୋଲକ ପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ ଭୋକ, ଭୟ ଓ ଭ୍ରଷ୍ଟାଚାର ବିରୋଧରେ ଲଢ଼ିବାର ପ୍ରକୃତ ମାର୍ଗ ଦର୍ଶନ କରିଥିଲେ ବାଜପାୟୀ । ତାଙ୍କ ଜୟନ୍ତୀକୁ  ରାଜ୍ୟ ସ୍ତରୀୟ ଉତ୍ସବ ଭାବେ ପାଳନ କରାଯାଇ ଥିବାରୁ ସେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବାଜପେୟୀଙ୍କ ଜୀବନୀ ଉପରେ ଆଧାରିତ ଏକ ଫଟୋ ଚିତ୍ର ପ୍ରଦର୍ଶନୀ ବୁଲି ଦେଖିଥିଲେ।

ଭାରତ ରତ୍ନ ଅଟଳ ବିହାରୀ ଓ ସାମାଜିକ ସମଦର୍ଶିତା ନାମକ ଦୁଇଟି ପୁସ୍ତକ ଉନ୍ମୋଚନ କରିଥିଲେ

ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଆଜି ମଧ୍ୟାହ୍ନରେ  ଏକ ଦେଶାତ୍ମବୋଧକ କବିତା ପାଠୋତ୍ସବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମର କବିମାନେ କବିତା ପାଠ କରିବା ସହ ଅଟଳ ବିହାରୀ ବାଜପେୟୀଜୀଙ୍କର ସ୍ମୃତିଚାରଣ କରିଥିଲେ। କବିତାମାନଙ୍କର ଅଟଳଜୀଙ୍କ ଦେଶମାତୃକା ପ୍ରତି ରହିଥିବା ତ୍ୟାଗ ଓ ସମ୍ମାନ ପ୍ରସ୍ଫୁଟିତ ହୋଇଉଠିଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ୱର ସମବାୟ ବ୍ୟାଙ୍କର ଜମାକାରୀଙ୍କୁ ରାଜ୍ୟ ସରକାର ଜମା ରାଶି ଫେରସ୍ତ କରିବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟରେ 1542ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ କରିଛନ୍ତି । ଲୋକ ସେବା ଭବନର convention centre  ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ସମବାୟ ସମିତି ଗୁଡିକର ଶୁଭାରମ୍ଭ କରିଛନ୍ତି।

ସୂଚନା ଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ 2711ଟି ପ୍ୟାକ୍ସ (PACS)ଥିବା ବେଳେ, ରାଜ୍ୟ ସରକାର ଆଉ 1542ଟି ନୂଆ ବହୁମୁଖୀ ପ୍ୟାକ୍ସ ( MPACS) ଗଠନ କରିଛନ୍ତି । ଏହା ଦ୍ୱାରା ରାଜ୍ୟର ସମୁଦାୟ ପ୍ୟାକ୍ସ ସଂଖ୍ୟା 4253ରେ ପହଞ୍ଚିଲା ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମବାୟ ଆନ୍ଦୋଳନକୁ ଲୋକାଭିମୁଖୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ସମବାୟ ବିଭାଗ ଆନୁକୂଲ୍ୟରେ ବିଭିନ୍ନ ନୂତନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ଆମ ସରକାର ପ୍ରାଧାନ୍ୟ ଦେଉଛନ୍ତି। ଏଥିରେ ସମୁଦାୟ ୫୪ ଟି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି।
ଏଗୁଡିକ ମଧ୍ୟରୁ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହେଉଛି, PACS ଓ LAMPCS ଗୁଡିକୁ ବହୁମୁଖି କରିବା ପାଇଁ ମଡେଲ ବାଇ-ଲ ପ୍ରଚଳନ; କମ୍ପ୍ୟୁଟରିକରଣ ମାଧ୍ୟମରେ PACS ଗୁଡିକୁ ସ୍ୱଚ୍ଛ ଓ ମଜଭୁତ କରିବା, ସାର ଓ ବିହନ ଯୋଗାଣ, ଜନ ଔଷଧୀ କେନ୍ଦ୍ର ଓ କମନ୍ ସର୍ଭିସ ସେଣ୍ଟର ସ୍ଥାପନ, କୃଷି ସେବା କେନ୍ଦ୍ର ସ୍ଥାପନ, Consumer Store ସ୍ଥାପନ, ବୈଜ୍ଞାନିକ ପଦ୍ଧତିରେ ଶସ୍ୟ ସଂରକ୍ଷଣ କେନ୍ଦ୍ର ସ୍ଥାପନ ଇତ୍ୟାଦି ।

ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୭୭ଟି ପ୍ୟାକ୍ସକୁ ମଡେଲ୍ ପ୍ୟାକ୍ସ ଭାବରେ ବିକଶିତ କରିବା ପାଇଁ ନିଷ୍ପତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।  ଏହି ମଡେଲ ପ୍ୟାକ୍ସ ଗୁଡିକ ଗୋଟିଏ ଗୋଟିଏ One-Stop Shop ଭଳି କାର୍ଯ୍ୟ କରିବ, ଅର୍ଥାତ ଗୋଟିଏ ଛାତ ତଳେ କୃଷି ସମ୍ବନ୍ଧୀୟ ସବୁ ପ୍ରକାର ସୁବିଧା ମିଳିବ ବୋଲି ସେ କହିଥିଲେ ।

Model PACS ଓ LAMPCS ଗୁଡିକ ସମବାୟ ସମିତି ମାନଙ୍କୁ ସଶକ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ୨୦୧୫ ମସିହାରୁ ବନ୍ଦ ହୋଇ ପଡିଥିବା ଭୁବନେଶ୍ୱର ସହରାଞ୍ଚଳ ସମବାୟ ବ୍ୟାଙ୍କର (Bhubaneswar Urban Cooperative Bank) ସମସ୍ତ ଜମାକାରୀମାନଙ୍କୁ ଜମାରାଶି ଫେରସ୍ତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା ସମବାୟ ବ୍ୟାଙ୍କ  ଉପରେ ଲୋକମାନଙ୍କ ଆସ୍ଥା ପୁନଃ ପ୍ରତିଷ୍ଠାରେ ସହାୟକ ହେବ ବୋଲି ସେ କହିଥିଲେ ।

ନୂଆ ସରକାର ସମବାୟ କ୍ଷେତ୍ରକୁ କ୍ରିୟାଶୀଳ ଓ ଚଳଚଞ୍ଚଳ କରିବା ପାଇଁ ପ୍ରତିଶୃତିବଦ୍ଧ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମବାୟ ସଂସ୍ଥା ଉପରେ ଲୋକଙ୍କ ଆସ୍ଥା ଫେରାଇ ଆଣିବା ସହିତ ଏହାକୁ ଗ୍ରାମ୍ୟ ଅର୍ଥନୀତି ବିକାଶର ଏକ ପ୍ରମୁଖ ଇଞ୍ଜିନ  ଭାବରେ ପରିଣତ କରିବା ପାଇଁ ଆମର ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମବାୟ ସଂସ୍ଥା ଗୁଡିକ ଚାଷୀ ମାନଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେଇ ସେମାନଙ୍କ ସମସ୍ୟାର ରିଅଲ୍ ଟାଇମ୍ ସେଟଲମେଣ୍ଟ (Real Time Settlement) କରିବା ଆବଶ୍ୟକ । ନହେଲେ କମ୍ପ୍ୟୁଟରୀକରଣର କୌଣସି ଅର୍ଥ ନାହିଁ ।  ଅନେକ ସଂସ୍ଥା  ଏବେ ବି ଏକ୍ସେଲ ସିଟ (Excel Sheet) ରେ ହିସାବ କିତାବ କରି upload କରୁଛନ୍ତି।  ଏହା ଦ୍ଵାରା ଦୁର୍ନୀତି ପ୍ରଶ୍ରୟ ପାଇବ। ତେଣୁ, ସବୁ ପ୍ରାଥମିକ ସମବାୟ ସମିତିର ଖାତାପତ୍ର ଅଡିଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୃଷକଙ୍କ ସହିତ ପଶୁପାଳନ, ମତ୍ସ୍ୟଚାଷ, ବାସଗୃହ, ବୟନ ଶିଳ୍ପ ତଥା ମହିଳାଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି  । ଏହି ଯୋଜନାକୁ ହିତାଧିକାରୀଙ୍କ ପହଞ୍ଚାଇବା କାମ ହେଉଛି ପ୍ରାଥମିକ କୃଷି ସମବାୟ ସମିତି, କିମ୍ବା LAMPCS (Large Area Multipurpose Cooperative Society)  ପରି ସଂସ୍ଥା ଗୁଡିକର।

ସେ କହିଥିଲେ ଯେ ଓଡିଶାର କୃଷି କ୍ଷେତ୍ରରେ ସମବାୟ ସଂସ୍ଥା ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଓଡିଶା ବୋଧହୁଏ ଏକମାତ୍ର ରାଜ୍ୟ ଯେଉଁଠି ମୋଟ ଫସଲ ଋଣର ୬୦ ପ୍ରତିଶତରୁ ଅଧିକ ସମବାୟ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥାଏ ଏବଂ ବ୍ୟବସାୟିକ ବ୍ୟାଙ୍କମାନେ ପ୍ରାୟ ୩୦ ପ୍ରତିଶତ ପ୍ରଦାନ କରିଥାନ୍ତି।

କୃଷକ ମାନଙ୍କୁ ଠିକ୍ ସମୟରେ ଋଣ ଦେବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ କିଛି ବର୍ଷ ହେବ ଋଣ ନାଁରେ ever-greening ରୀତି ଚାଲିଥିଲା। ଆଶା କରୁଛି, ଯେ ବର୍ତ୍ତମାନ ଏହା ଆଉ ହେଉନାହିଁ, ଏବଂ ଚାଷୀମାନେ ପ୍ରକୃତରେ ଋଣ ପାଉଛନ୍ତି।

ଭାରତରେ ସମବାୟ ଆନ୍ଦୋଳନକୁ ଆଉ ଏକ ଉଚ୍ଚ ସ୍ତରକୁ ନେବା ପାଇଁ ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନନୀୟ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଏକ ସ୍ଵତନ୍ତ୍ର ସମବାୟ ମନ୍ତ୍ରଣାଳୟର  ସୃଷ୍ଟି  କରିଥିଲେ ଏବଂ ମାନ୍ୟବର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା ଜୀଙ୍କୁ ଦେଶର ପ୍ରଥମ ସମବାୟ ମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହା ଦେଶ ପାଇଁ ବରଦାନ ସଦୃଶ, କାରଣ ଉଭୟ ମୋଦୀ ଜୀ ଏବଂ ଗୃହମନ୍ତ୍ରୀ ଜୀ ସମବାୟ ଆନ୍ଦୋଳନରେ ଅତ୍ୟନ୍ତ ଅଭିଜ୍ଞ। ତାଙ୍କ ନେତୃତ୍ଵରେ ଗୁଜରାଟରେ ସମବାୟ ଆନ୍ଦୋଳନ ଏକ ନୂତନ ଶିଖରକୁ ଛୁଇଁଛି। ଆମେ ମଧ୍ୟ ଗୁଜୁରାଟରୁ ପ୍ରେରଣା ନେବା ଆବଶ୍ୟକ ଏବଂ ସମବାୟ ଆନ୍ଦୋଳନକୁ ଘରେ ଘରେ ପହଞ୍ଚାଇବା।

ସେ କହିଥିଲେ ଯେ, ଆମ ରାଜ୍ୟର ଶତକଡ଼ା ନବେ ଭାଗରୁ ଅଧିକ କୃଷି ପରିବାରର ସଭ୍ୟମାନଙ୍କୁ ପ୍ରାଥମିକ କୃଷି ଋଣ ସମବାୟ ସମିତି ଗୁଡ଼ିକ ମାଧ୍ୟମରେ କୃଷି କାର୍ଯ୍ୟ ନିମନ୍ତେ ବିଭିନ୍ନ ପ୍ରକାର ସେବା ଯୋଗାଇ ଦିଆଯାଉଛି । ଓଡିଶାର ଚାଷୀମାନେ ଏକ ଲକ୍ଷ ଟଙ୍କା ବିନା ସୁଧରେ ଫସଲ ଋଣ ପାଉଛନ୍ତି ।
ରାଜ୍ୟରେ ଦୁଗ୍ଧ ଚାଷୀ ମାନଙ୍କ ପାଇଁ ଓମଫେଡ୍ ଏକ ମେରୁଦଣ୍ଡ ସଦୃଶ ହୋଇଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦୁଗ୍ଧ ଚାଷୀ ମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ କ୍ୟାବିନେଟରେ କାମଧେନୁ ସହିତ ଗୋ-ମାତା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଗୁଜରାଟ ପରି ମୋଦୀଜୀଙ୍କ ମାର୍ଗ ଦର୍ଶନରେ ଓଡିଶାରେ ସମବାୟ ଆନ୍ଦୋଳନକୁ ଏକ ଗଣ ଆନ୍ଦୋଳନରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ଗୋପାଳପୁର ସମବାୟ ତାଲିମ କେନ୍ଦ୍ରର ବିକାଶ  ପାଇଁ ଏକ ଚୁକ୍ତିନାମା ସ୍ବାକ୍ଷରିତ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ କେତେକ ସମବାୟ ସଂସ୍ଥାର ସଦସ୍ୟ ମାନଙ୍କୁ Micro ATM ଓ Rupay Card ପ୍ରଦାନ କରିଥିଲେ।

ସମବାୟ, ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ସମବାୟ କ୍ଷେତ୍ରର ଉନ୍ନତି ପାଇଁ ବିଭାଗ ପକ୍ଷରୁ ନିଆ ଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ କହିଲେ ଯେ ଅଦିନିଆ ବର୍ଷାର ସମ୍ମୁଖୀନ ହୋଇ ଚାଷୀ ମାନଙ୍କୁ ବୀମାଭୁକ୍ତ କରାଯାଇଛି। ସେମାନେ କ୍ଷତି ସହିବେ ନାହିଁ। ଯେଉଁ ଚାଷୀ ମାନେ ବିମା କରି ନାହାନ୍ତି ସେମାନଙ୍କୁ ବୀମା କରିବା ପାଇଁ ସମବାୟ ସଂସ୍ଥା ମାନେ ଉଦ୍ୟମ କରିବାକୁ ସେ ଅନୁରୋଧ କରିଥିଲେ ।

ନାବାର୍ଡ,ଉପ ପରିଚାଳନା ନିର୍ଦ୍ଦେଶକ, ଡଃ ଅଜୟ କୁମାର ସୁଦ୍ କହିଥିଲେ ଯେ ୧୮୯୮ ମସିହାରେ ଦେଶର ପ୍ରଥମ ସମବାୟ ସଂସ୍ଥା ଓଡ଼ିଶାରେ ଗଠିତ ହୋଇଥିଲା। ସମବାୟର ବିକାଶ ପାଇଁ ଉତ୍ତମ ପ୍ରଶାସନିକ ଦକ୍ଷତା ( governance), ଆର୍ଥିକ ସମ୍ବଳ ଓ ଟେକ୍ନୋଲୋଜିର ଆବଶ୍ୟକତା ଅଛି ବୋଲି ସେ କହିଥିଲେ। ଏ ଦିଗରେ ଉଦ୍ୟମ ଆହୁରି ଜୋରଦାର ହେବା ଆବଶ୍ୟକ ବୋଲି ସେ କହିଥିଲେ।

ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ସ୍ବାଗତ ଭାଷଣ ଦେଇଥିଲେ। ସମବାୟ ନିବନ୍ଧକ ଶ୍ରୀ ସନ୍ତୋଷ କୁମାର ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢୀ; ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ନିଜ ଅଧିକାର ସାବ୍ୟସ୍ତ କରିବା ପାଇଁ ଆମକୁ ପ୍ରଥମେ ସଚେତନ ହେବାକୁ ପଡିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉପଭୋକ୍ତା ସୁରକ୍ଷା ଅଭିଯାନକୁ ଫଳପ୍ରଦ କରିବା ପାଇଁ ସରକାରୀ, ବେସରକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ନାଗରିକ ସମାଜ ଏବଂ ସର୍ବୋପରି ଗଣମାଧ୍ୟମର ସକ୍ରିୟ ସହଯୋଗର ଆବଶ୍ୟକତା ରହିଛି। ସବୁ ବର୍ଗର ଉପଭୋକ୍ତା ଯେପରି ସକ୍ରିୟ  ଭାବେ ଅଂଶଗ୍ରହଣ କରି ଉପଭୋକ୍ତା ସୁରକ୍ଷା ଆଇନ୍ 2019ର ସଫଳତାରେ ଭାଗିଦାରୀ ହୋଇପାରିବେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ବଦା ସହଯୋଗ ରହିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ ରାଜ୍ୟ ସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ 2024 ପାଳନ ଅବସରରେ ଉଦ୍‌ବୋଧନ ଦେଇ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଉପଭୋକ୍ତାମାନଙ୍କୁ ସୁରକ୍ଷା ଦେବା ପାଇଁ 1986 ମସିହା ଡିସେମ୍ବର 24 ତାରିଖରେ ଉପଭୋକ୍ତା ସୁରକ୍ଷା ଆଇନ ପ୍ରଣୟନ ହୋଇଥିଲା। ଏହି ଆଇନରେ ବ୍ୟବସାୟୀ ସଂସ୍ଥାକୁ ଉତ୍ତରଦାୟୀ କରିବା ପାଇଁ ଯଥେଷ୍ଟ ପ୍ରାବଧାନ ନ ଥିଲା। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଗୁରୁତ୍ୱର ସହ ନେଇ ସଂସଦରେ ନୂଆ ଉପଭୋକ୍ତା ଆଇନ 2019 ପାରିତ କରିଥିଲେ  ଏବଂ 2020 ଜୁଲାଇ 20ରୁ ଏହା ସାରା ଦେଶରେ କାର୍ଯ୍ୟକାରୀ ହେଉଛି। ଏହି ଆଇନରେ ଠକ ସଂସ୍ଥାକୁ ଉତ୍ତରଦାୟୀ କରିବା ସହିତ ସମସ୍ତ ପ୍ରକାର ଗଳାବାଟକୁ ବନ୍ଦ କରିବାର ପ୍ରାବଧାନ କରାଯାଇଛି।

ସେ ଆହୁରି କହିଥିଲେ ଯେ, ଆଜିର Internet ଓ Social Media ଯୁଗରେ ଲୋକମାନେ ସହଜରେ ଠକାମିର ଶିକାର ହେଉଛନ୍ତି । ସେବା ଓ ସାମଗ୍ରୀ ଯୋଗାଇଦେଉଥିବା ସଂସ୍ଥା ଲୋକମାନଙ୍କୁ ଠକି ଦେଇ ରାତାରାତି ଗାଏବ ହୋଇଯାଉଛନ୍ତି। 2010 ମସିହାରେ ଓଡିଶାରେ ଟିଟଫଣ୍ଡ ସଂସ୍ଥା ମାଧ୍ୟମରେ ବହୁତ ଲୋକ ଠକାମିରେ ଶିକାର ହୋଇଥିଲେ। ଏ ସବୁକୁ ରୋକିବା ଓ ଉପଭୋକ୍ତାମାନଙ୍କୁ ସୁରକ୍ଷା ଦେବା ପାଇଁ ଏହି ନୂଆ ଆଇନରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଉପଭୋକ୍ତାଙ୍କ ସୁରକ୍ଷା ପାଇଁ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ଗଠନ କରାଯାଇଛି। ଉପଭୋକ୍ତା ଅଧିକାରର କୌଣସି ପ୍ରକାର ଉଲଂଘନ ହେଲେ ଏହି ପ୍ରାଧିକରଣ ତା’ର ଯାଞ୍ଚ ଓ ତଦନ୍ତ କରି ସୁରକ୍ଷା ଯୋଗାଇଦେବେ।

ଉପଭୋକ୍ତାମାନେ ମଧ୍ୟ ଘରେ ବସି E-Filing ମାଧ୍ୟମରେ ସେମାନଙ୍କ ଅଭିଯୋଗ ଦାଖଲ କରିପାରିବେ ଓ ନ୍ୟାୟ ପାଇପାରିବେ। ଚଳିତ ବର୍ଷ ଏହି ଦିବସ ପାଳନର Theme ରହିଛି ଉପଭୋକ୍ତା ନ୍ୟାୟ ପାଇଁ ଭର୍ଚୁଆଲ ଶୁଣାଣି ଏବଂ ଡିଜିଟାଲ ଅଭିଗମ୍ୟତା (Digital Hearing & Digital Access to Consumer Justice)। ଉପଭୋକ୍ତାମାନେ ବିନା ଅସୁବିଧାରେ ଡିଜିଟାଲ ମାଧ୍ୟମରେ ଅଭିଯୋଗ କରିପାରିବେ ଏବଂ ନ୍ୟାୟ ମଧ୍ୟ ପାଇପାରିବେ। ଠକାମିର ଶିକାର ହେଲେ ଡିଜିଟାଲ ମାଧ୍ୟମରେ ଅଭିଯୋଗ କରିବାକୁ ଉପଭୋକ୍ତାମାନେ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ।

ସେ ପୁଣି କହିଥିଲେ ଯେ, ନିଜ ଅଧିକାର ସାବ୍ୟସ୍ତ କରିବା ପାଇଁ ଆମକୁ ପ୍ରଥମେ ସଚେତନ ହେବାକୁ ପଡିବ। ତାହେଲେ ଯାଇ ବ୍ୟକ୍ତି ଅଧିକାର ସୁରକ୍ଷିତ ରହି ପାରିବ। ଏବେ ରାଜ୍ୟ ତଥା ଜିଲ୍ଲା ସ୍ତରରେ ସଚେତନତା ବୃଦ୍ଧି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଖାଉଟି ସୁରକ୍ଷା ବିପ୍ଳବକୁ ଆହୁରି ତ୍ୱରାନ୍ୱିତ କରାଯାଉଛି। ଉପଭୋକ୍ତା ସୁରକ୍ଷା ସଚେତନତା ଏକ ସାମାଜିକ ଆନ୍ଦୋଳନ।

ସଚେତନ ଉପଭୋକ୍ତା ହିଁ ସୁରକ୍ଷିତ ଉପଭୋକ୍ତା ବାର୍ତ୍ତାକୁ ଜନସାଧାରଣରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ ଯୋଗୁ ଖାଉଟି ଅଧିକାର ପାଇଁ ଯୁବ ସମାଜ ଆଜି ସଚେତନ ହୋଇଛନ୍ତି। ଖାଉଟି କଲ୍ୟାଣ ପାଇଁ ବଜେଟରେ ଅଧିକ ପ୍ରାବଧାନ କରାଯାଇଛି। ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ ଆଇନ ଆନୁଯାୟୀ କଠୋର ପଦକ୍ଷେପ ନିଆଯାଉଛି। ଆଗାମୀ ଦିନରେ ଏହି ପଦକ୍ଷେପ ଆହୁରି କଡାକଡି ହେବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, 2036ରେ ଆମେ ଏକ ସମୃଦ୍ଧ ଓ ବିକଶିତ ଓଡିଶା ଗଠନର ଲକ୍ଷ୍ୟ ରଖିଛୁ। ବିକଶିତ ଓଡିଶାରେ ଉପଭୋକ୍ତାମାନେ ଠକେଇର ଶିକାର ହେବା ଉଚିତ୍ ନୁହେଁ। ତେଣୁ, ଏକ ଠକେଇମୁକ୍ତ ତଥା ଅସାଧୁ ବ୍ୟବସାୟୀମୁକ୍ତ ଓଡିଶା କିପରି ଗଠନ ହେବ ସେଥିପାଇଁ ଜନସାଧାରଣ ମତାମତ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଯେ, ସଚେତନ ଖାଉଟି ହେଉଛି ଉତ୍ତମ ଖାଉଟି। ଖାଉଟି ସଚେତନ ହେଲେ ଠକେଇ ବିରୁଦ୍ଧରେ ସେ ନ୍ୟାୟ ପାଇବ । ଖାଉଟି ସୁରକ୍ଷା ପାଇଁ ଆଗାମୀ ଦିନରେ ବିଭାଗକୁ ଆହୁରି କ୍ରିୟାଶୀଳ କରାଯିବ। ରାଜ୍ୟରେ ଥିବା Consumer Court ଗୁଡିକୁ ଆହୁରି ସୁଦୃଢ କରାଯିବ। ଉପଭୋକ୍ତା ସ୍ୱାର୍ଥ ରକ୍ଷା ଆମର ଲକ୍ଷ୍ୟ ଏବଂ ଆମେ ସେଥିପାଇଁ ପ୍ରତିବଦ୍ଧତାର ସହ କାମ କରୁଛୁ  ବୋଲି ସେ କହିଥିଲେ।

ଖାଉଟି ବିବାଦ ସମାଧାନ ଆୟୋଗର ସଭାପତି ଦିଲ୍ଲୀପ ମହାପାତ୍ର କହିଥିଲେ ଯେ, 2019ରୁ ଉପଭୋକ୍ତାମାନଙ୍କ ସୁବିଧା ପାଇଁ ଘରେ ବସି ଅଭିଯୋଗ ଦାଖଲ କରିବାର ସୁବିଧା କରାଯାଇଛି। ଓଡିଶାରେ ଏବଂ ସମଗ୍ର ଦେଶରେ ଅନଲାଇନ କେସ୍ ଫାଇଲିଂ ବ୍ୟବସ୍ଥା ବାଧ୍ୟତାମୂଳକ ହୋଇଛି। ଅନଲାଇନରେ କେସ୍ ଫାଇଲିଂ ହେଉଛି ଏବଂ କେସ୍ ଶୁଣାଣି ବି ହେଉଛି। ଦେଶର ପ୍ରଥମ ଥର ପାଇଁ ଓଡିଶାରେ ଅନଲାଇନ ଶୁଣାଣି ବ୍ୟବସ୍ଥା ଆରମ୍ଭ ହୋଇଥିଲା  ବୋଲି ସେ କହିଥିଲେ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ଉପଭୋକ୍ତାମାନଙ୍କୁ  ଦୈନନ୍ଦିନ ଜୀବନରେ ହେଉଥିବା ଶୋଷଣରୁ ମୁକ୍ତ କରିବା ପାଇଁ ଆମ ବିଭାଗ ଜାଗ୍ରତ ରହିଛି। ଏକ ସଚେତନ ଓ ସ୍ୱାଧୀନଚେତା ସମାଜ ଗଠନ ପାଇଁ ସମସ୍ତେ ସବୁ ବିଷୟରେ ଜାଣିବା ଉଚିତ୍ ବୋଲି ସେ କହିଥିଲେ।

ଏହି ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଖାଉଟି ସୁରକ୍ଷା ସମ୍ବନ୍ଧୀୟ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ ଏକ ନ୍ୟୁଜ ଲେଟର ଅତିଥିମାନେ ଉନ୍ମୋଚନ କରିଥିଲେ।

ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଅଞ୍ଜନା ପଣ୍ଡା ଧନ୍ୟବାଦ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାକ୍ଷାତ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୋଟିଏ ଏକ୍ସ ପୋଷ୍ଟରେ ଦର୍ଶାଯାଇଛି:

‘‘ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପ୍ରଧାନମନ୍ତ୍ରୀ @narendramodiଙ୍କୁ ସାକ୍ଷାତ କରିଛନ୍ତି।’’

Categories
ଆଜିର ଖବର ରାଜ୍ୟ ଖବର

ଚମ୍ପୁଆ ମହତାବ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

କେଉଁଝର: ଜ୍ଞାନ ହିଁ ଶକ୍ତି (Knowledge is Power)। ଜ୍ଞାନରୁ ଆମକୁ ଶକ୍ତି ମିଳିଥାଏ। ରାଜ୍ୟରେ ଶିକ୍ଷା ପରିବେଶକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ବୋଲି କେନ୍ଦୁଝର ଜିଲ୍ଲା ଚମ୍ପୁଆ ମହତାବ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦବୋଧନ ଦେଇ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଲେ ଯ, ପୂର୍ବରୁ ଶିକ୍ଷା ବିଭାଗ ଅନେକ ସମସ୍ୟା ଦେଇ ଗତି କରୁଥିଲା। ଯେଉଁମାନେ ଶାସନ କରୁଥିଲେ ସେମାନେ କିଛି ତ୍ରୁଟି ରଖିଥିଲେ। ସେହି ସମସ୍ୟା ଗୁଡିକର କିପରି ସମାଧାନ ହୋଇ ପାରିବ ସେ ନେଇ ଆମ ସରକାର କାର୍ଯ୍ୟ କରୁଛନ୍ତି। ଆମ ସରକାର ଶାସନକୁ ଆସିବା ପରେ ପ୍ରାଥମିକ ଶିକ୍ଷା ଭିତ୍ତିଭୂମି ଓ ଶିକ୍ଷା ବାତାବରଣକୁ ସୁଦୃଢ କରିବା ପାଇଁ 16,009 ଜଣ ପ୍ରାଥମିକ ଶିକ୍ଷକ ନିଯୁକ୍ତ କରିଛନ୍ତି। ରାଜ୍ୟରେ ଡ୍ରପ ଆଉଟ୍ ହାର ରୋକିବା ଏବଂ ଗୁଣାତ୍ମକ ଶିକ୍ଷା ପାଇଁ ଆମ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଦେଶ ତଥା ରାଜ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ 125 ତମ ଜନ୍ମ ଶତ ବାର୍ଷିକୀ ପାଳନ କରୁଥିବା ବେଳେ, ଏହି ଐତିହାସିକ ଅନୁଷ୍ଠାନ ମଧ୍ୟ ତା’ର 75 ତମ ସ୍ବନକ୍ଷେତ୍ର ପାଳନ କରୁଛି। ଏହି ବିଦ୍ୟାଳୟ ନିରନ୍ତର ଭାବେ ଚମ୍ପୁଆ ଉପଖଣ୍ଡ, ସୀମନ୍ତ ଝାଡଖଣ୍ଡ ଓ ମୟୂରଭଞ୍ଜ ଜିଲ୍ଲାର ବହୁ ଛାତ୍ରଛାତ୍ରୀଙ୍କୁ ପାଇଁ ଗଢି ତୋଳିବା ସହିତ ଶିକ୍ଷାର ଆଲୋକବର୍ତ୍ତିକା ହୋଇ କାର୍ଯ୍ୟ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପ୍ରାକୃତିକ ସମ୍ପଦରେ ଭରପୁର କେନ୍ଦୁଝର ଜିଲ୍ଲାର ସାମଗ୍ରୀକ ବିକାଶ ଉପରେ ମତଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ସମସ୍ତ ଖଣିଜ ସମ୍ପଦ ଥିଲେ ମଧ୍ୟ କେନ୍ଦୁଝର ଜିଲ୍ଲା ଅବହେଳିତ ହୋଇ ରହିଥିଲା। ଏବେ ଏହାର ବିକାଶ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି । କେନ୍ଦୁଝରର ବିକାଶ କିପରି ହେବ ସେ ନେଇ ଆମେ ସମସ୍ତେ ପ୍ରତିବଦ୍ଧ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଏଥି ସହିତ ଜିଲ୍ଲାରେ ରହିଥିବା ଅନ୍ୟାନ୍ୟ ସମସ୍ୟାର ସମାଧାନ ହୋଇ ପାରିବ ସେ ନେଇ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ ଲୋଡିଥିଲେ।

କେନ୍ଦୁଝର ଏକ ଦୁର୍ଘଟଣା ପ୍ରବଣ ଅଞ୍ଚଳ ହୋଇଥିବାରୁ କେନ୍ଦୁଝର ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଏକ ଟ୍ରମା କେୟାର ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କେନ୍ଦୁଝରରେ ଏକ ବାଇପାସ୍ ନିର୍ମାଣ କରାଯିବା ସହିତ ବୈତରଣୀ ନଦୀରେ ନିର୍ମିତ ହେଉଥିବା ବୃହତ୍ତ ଜଳ ସେଚନ ପ୍ରକଳ୍ପ ଜୁନ୍ ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଉତ୍ତର ଓଡିଶାର ବିକାଶ ପାଇଁ ଖୁବଶୀଘ୍ର ଉତ୍ତର ଓଡିଶା ବିକାଶ ପରିଷଦ ନିର୍ମାଣ କରାଯିବ। ଏଥିନେଇ ଏକ ଟାସ୍କଫୋର୍ସ ମଧ୍ୟ ଗଠନ କରାଯାଇଛି। ଏହା ନିର୍ମାଣ ହେବା ଦ୍ବାରା ସମ୍ପୂର୍ଣ୍ଣ ଉତ୍ତର ଓଡିଶାର ବିକାଶ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ଅନେକ ଉତ୍ଥାନ ପତନ ପରେ ଏହି ବିଦ୍ୟାଳୟ ଆଜି ହୀରକ ଜୟନ୍ତୀ ପାଳନ କରୁଛି। ଶିକ୍ଷାନୁଷ୍ଠାନକୁ ଆଗକୁ ବଢିବାରେ ଯେଉଁମାନେ ସହଯୋଗ କରିଥିଲେ ସେମାନଙ୍କୁ ଆଜି ସ୍ମରଣ କରିବାର ପ୍ରକୃଷ୍ଟ ସମୟ। ଶିକ୍ଷାର ବିକାଶ ହେଲେ ଦେଶର ବିକାଶ ହୋଇପାରିବ। କେବଳ ଶିକ୍ଷା ଗ୍ରହଣ କଲେ ହେବ ନାହିଁ, ଚରିତ୍ର ଗଠନ ମଧ୍ୟ ଆବଶ୍ୟକ ବୋଲି ସେ ମତଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଚମ୍ପୁଆ ବିଧାୟକ ଶ୍ରୀ ସନାତନ ମହାକୁଡ, ତେଲକୋଇ ବିଧାୟକ ଶ୍ରୀ ଫକୀର ମୋହନ ନାୟକ, ପାଟଣା ବିଧାୟକ ଶ୍ରୀ ଅଖିଲ ଚନ୍ଦ୍ର ନାୟକ, ଶିକ୍ଷାବିତ୍ ସତ୍ୟବ୍ରତ ପଣ୍ଡା, ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପ୍ରକାଶ ସାହୁ ଏବଂ ହୀରକ ଜୟନ୍ତୀ କମିଟିର ସଭାପତି ଶ୍ରୀ ଗଙ୍ଗାଧର କର ଏବଂ ସମ୍ପାଦକ ଶ୍ରୀ ସୁଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମହତାବ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି କେନ୍ଦୁଝର ଜିଲ୍ଲା ଚମ୍ପୁଆର ମହତାବ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦିନ ପ୍ରାୟ ୧ଟା ସମୟରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ପରିସରରେ ଆୟୋଜିତ ସମାରୋହର ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ତେଲକୋଇ ବିଧାୟକ ଡ. ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ବୋର୍ଡ ଅଫ୍ ଗଭମେଣ୍ଟ ଆଇଆଇଟି ସଦସ୍ୟ ସତ୍ୟବ୍ରତ ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିବା ବେଳେ, ବଡ଼ବିଲ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. ମାଧବ ଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।

୧୯୪୮ ମସିହାରେ ସ୍ଥାପିତ ଡ. ହରେକୃଷ୍ଣ ମହତାବଙ୍କ ନାମରେ ନାମିତ ଏହି ବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ହୀରକ ଜୟନ୍ତୀ ଉତ୍ସବ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମେ ବିଦ୍ୟାଳୟ ପରିସରରେ ଡ. ହରେକୃଷ୍ଣ ମହତାବ ଏବଂ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ବିଦ୍ୟାଳୟ ପରିଦର୍ଶନ କରିଥିଲେ।

ଏହାପରେ ବର୍ଣ୍ଣାଢ଼୍ୟ ପରିବେଶରେ କେକ୍ କାଟି ହୀରକ ଜୟନ୍ତୀ ସମାରୋହର ଶୁଭ ଉଦଘାଟନ କରିଥିଲେ। ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥିଲା। ବିଦ୍ୟାଳୟର ପୁରାତନ ଛାତ୍ର, ଅବସର ପ୍ରାପ୍ତ ଶିକ୍ଷକଙ୍କ ସମେତ ଚମ୍ପୁଆ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ଓ ଜନସାଧାରଣ ସମାରୋହରେ ଯୋଗ ଦେଇଥିଲେ। ଚମ୍ପୁଅ ର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ଚେଷ୍ଟା କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦୁଝରରେ ଗୋନାସିକା ମହୋତ୍ସବ ଓ ସରସ ମେଳା ଉଦ୍‍ଘାଟିତ

ଭୁବନେଶ୍ୱର: ଗୋନାସିକା ମହୋତ୍ସବ ହେଉଛି ଆମ କଳା, ସଂସ୍କୃତି, ପରମ୍ପରା ଓ ମାନବବାଦର ଏକ ଅପୂର୍ବ ସଂଗମ। ଗୋନାସିକା ପର୍ବତମାଳା ଓ ବୈତରଣୀ ନଦୀ ଏ ମାଟିକୁ ପବିତ୍ର କରିଛି। ଗୋନାସିକା ମହୋତ୍ସବ ଆମ ସମୃଦ୍ଧ ସଂସ୍କୃତିର ପ୍ରକୃତ ନିଦର୍ଶନ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ସଂଧ୍ୟାରେ କେନ୍ଦୁଝର ଠାରେ ଗୋନାସିକା ମହୋତ୍ସବ ଉଦ୍‌ଘାଟନ କରିବା ଅବସରରେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ଦେଶର ସଂସ୍କୃତି ଓ ପରମ୍ପରା ଅନନ୍ୟ। ଏହାକୁ ବଞ୍ଚାଇ ରଖିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ବ। ଆଗାମୀ ଜାନୁଆରୀ ମାସରେ ଓଡିଶାରେ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବ। ସାରା ବିଶ୍ବରୁ ହଜାର ହଜାର ପ୍ରବାସୀ ଭାରତୀୟ ଏଥିରେ ଯୋଗ ଦେବେ। ଏହି ଅବସରରେ ଆମ ରାଜ୍ୟର ଲୋକକଳା, ସଂସ୍କୃତି ଓ ପରମ୍ପରା ବିଶ୍ବ ବିଦିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ କହିଥିଲେ ଯେ ଗୋନାସିକା ମହୋତ୍ସବ ଯେବେ ଠାରୁ ଆରମ୍ଭ ହୋଲାଣି, ମୁଁ ଏହାର ଅଂଶବିଶେଷ ଭାବେ ରହିଆସିଛି। ପଦପଦବୀ ଆସିବ ଯିବ। କେନ୍ଦୁଝରର ଜଣେ ସାଧାରଣବାସୀ ଭାବେ ମୁଁ ଏହି ମହୋତ୍ସବରେ ଯୋଡି ହୋଇ ରହିଛି ଓ ରହିବି। କେନ୍ଦୁଝରର ସଂସ୍କୃତି, ଏଠାକାର ଆଦିବାସୀ ସଂସ୍କୃତି ବିନା କଳ୍ପନା କରିବା ଅସମ୍ଭବ। ଜିଲ୍ଲାର ୪୫ ପ୍ରତିଶତରୁ ଅଧିକ ଅଧିବାସୀ ହେଉଛନ୍ତି ଆଦିବାସୀ ସଂପ୍ରଦାୟର। ଜୁଆଙ୍ଗ, କୋଲ୍ହ, ଭୂୟାଁ, ସାନ୍ତାଳ, ଗୋଣ୍ଡୋ, ବାଥୁଡି, ଲୋଧା, ଭୂମିଜ ଇତ୍ୟାଦି ସଂପ୍ରଦାୟ ଜିଲ୍ଲାକୁ ସମୃଦ୍ଧ କରିଛନ୍ତି। ଏହି ମାଟିର ପରମ୍ପରା ଅନନ୍ୟ। କେନ୍ଦୁଝରର ଇଷ୍ଟଦେବୀ ଘଟଗାଁ ମା ତାରିଣୀଙ୍କ କରୁଣାରୁ ସମସ୍ତଙ୍କ ଦୁଃଖକଷ୍ଟ ଓ ବିପଦ ତାରଣ ହେଉଛି। ଏହି ମହୋତ୍ସବ ମାଧ୍ୟମରେ କେନ୍ଦୁଝର ମାଟିର କଥା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଜାଣିବାର ଅବସର ଆସିଛି ଏବଂ ଲୋପ ପାଇଯାଉଥିବା କଳା ଓ ସଂସ୍କୃତିକୁ ଉଜ୍ଜିବୀତ କରିବାର ଅବସର ଆଣିଛି।

ସେ ପୁଣି କହିଥିଲେ ଯେ କେନ୍ଦୁଝରର ଗମନାଗମନ ବ୍ୟବସ୍ଥାକୁ ଆହୁରି ସୁଗମ କରିବା ପାଇଁ ବାଦାମପାହାଡରୁ କେନ୍ଦୁଝର ପର୍ଯ୍ୟନ୍ତ ନୂଆ ଟ୍ରେନ ଚାଲିବ ଏବଂ ବଡବିଲ୍‌ରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ରାସ୍ତାକୁ ପ୍ରଶସ୍ତିକରଣ କରାଯାଇ ୬-ଲେନ୍‌ ବିଶିଷ୍ଟ କରାଯିବ। ଏହାଦ୍ବାରା ଗମନାଗମନ ସୁଗମ ହେବା ସହିତ ପର୍ଯ୍ୟଟନ ଓ ଶିଳ୍ପାୟନ ପାଇଁ ବିରାଟ ପଥ ଉନ୍ମୁକ୍ତ ହେବ। କେନ୍ଦୁଝରର ଖଣିଜ ସଂପଦର ସଦୁପୋଯୋଗ ପାଇଁ ଆଗାମୀ ଦିନରେ କେନ୍ଦୁଝରରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପନ କରାଯିବ। ଜିଲ୍ଲାର ହଜାର ହଜାର ଯୁବଗୋଷ୍ଠୀ ଏହା ମାଧ୍ୟମରେ ନିଯୁକ୍ତି ପାଇବେ। ସେ ପୁଣି କହିଥିଲେ ଯେ ଆଗାମୀ ଜାନୁଆରୀ ମାସରେ ଭୁବନେଶ୍ବରରେ ଆୟୋଜିତ ହେବ ଉତ୍କର୍ଷ ଓଡିଶା । ଏଥିରେ ରେକର୍ଡ ସଂଖ୍ୟକ ଶିଳ୍ପାନୁଷ୍ଠାନ ଅଂଶଗ୍ରହଣ କରିବେ। ଏହା ମାଧ୍ୟମରେ ରାଜ୍ୟର ଲକ୍ଷ ଲକ୍ଷ ଯୁବବର୍ଗ ରୋଜଗାର ପାଇବେ।

ଉପସ୍ଥିତ କେନ୍ଦୁଝରବାସୀଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ମହିଳା ଓ କୃଷକଙ୍କ ସଶକ୍ତିକରଣ ପ୍ରତି ଆମ ସରକାର ପ୍ରାଧାନ୍ୟ ଦେଉଛନ୍ତି। ରାଜ୍ୟରେ ସୁଭଦ୍ରା ଯୋଜନାରେ ଏବେ ୮୦ ଲକ୍ଷରୁ ଅଧିକ ମହିଳା ଉପକୃତ ହେଉଛନ୍ତି । ଆଗାମୀ ଦିନରେ ୧ କୋଟିରୁ ଅଧିକ ମହିଳା ଏଥିରେ ସାମିଲ ହୋଇ ସଶକ୍ତ ହେବେ। ସେହିଭଳି ଆମ ସରକାରଙ୍କ ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ ହେଉଛି ଧାନ ବିକ୍ରୀ ବାବଦକୁ କ୍ବିଣ୍ଟାଲ ପିଚ୍ଛା ୮୦୦ ଟଙ୍କା ଇନ୍‌ପୁଟ ସହାୟତା ପ୍ରଦାନ। ଏଥିରେ ରାଜ୍ୟର ୧୭ ଲକ୍ଷ ଚାଷୀ ଉପକୃତ ହେବେ।

କେନ୍ଦୁଝର ମାଟିର ଇତିହାସକୁ ସ୍ମରଣ କରି କହିଥିଲେ ଯେ ଏ ମାଟି ହେଉଛି ବୀରଙ୍କ ମାଟି । ଏ ମାଟିର ବୀରତ୍ବର ଗାଥା ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛି । ବିପ୍ଳବୀ ଧରଣୀଧର ନାୟକଙ୍କ ନେତୃତ୍ବରେ ଏ ମାଟିରେ ଯେଉଁ ପ୍ରଜାମୁକ୍ତି ଆନ୍ଦୋଳନ ତେଜିଆନ ହୋଇଥିଲା, ତାହା କେବଳ ଓଡିଶାରେ ନୁହେଁ, ବରଂ ଭାରତବର୍ଷର ଗଡଜାତ ଇତିହାସରେ ରାଜତନ୍ତ୍ର ବିଲୋପ ସାଧନ ଦିଗରେ ସର୍ବପ୍ରଥମ ପ୍ରଜା ଆନ୍ଦୋଳନ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ପାଖରେ ପର୍ଯ୍ୟାପ୍ତ ସୁଯୋଗ ଅଛି ଆମ ଜିଲ୍ଲାର ଥିବା ସମସ୍ତ ସମ୍ଭାବନାକୁ ଉଚିତ ମାର୍ଗରେ ନେଇ ସ୍ବପ୍ନ ପୂରଣ କରିବାକୁ । ଏଥିପାଇଁ ମୁଁ ଦିନରାତି କାମ କରିବି।
ଉଦ୍‍ଘାଟନୀ ସମାରୋହକୁ ଜିଲାପାଳ ବିଶାଲ ସିଂହ ଅଧ୍ୟକ୍ଷତା କରି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, ଚମ୍ପୁଆ ବିଧାୟକ ସନାତନ ମହାକୁଡ, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଜିଲାପରିଷଦ ସଭାପତି ସାଗରିକା ସାହୁ, ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର, କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ୫ ଦିନବ୍ୟାପୀ ଏହି ମହୋତ୍ସବର ସଫଳତା କାମନା କରିଥିଲେ । ଏହି ଅବସରରେ ‘ପ୍ରଜାପତିର ହସ’ କବିତା ସଙ୍କଳନକୁ ମଞ୍ଚାସୀନ ଅତିଥିଗଣ ଉନ୍ମୋଚନ କରିଥିଲେ । ସୁବ୍ରତ ସ୍ୱାଇଁଙ୍କ ଦ୍ୱାରା ଲିଖିତ କେନ୍ଦୁଝର ଉପରେ ପର୍ଯ୍ୟବେସିତ ଥିମ ସଙ୍ଗ ଉଦଘାଟିତ ହୋଇଥିଲା। ଶେଷରେ ଜିଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ମହୋତ୍ସବ ପ୍ରଥମ ସନ୍ଧ୍ୟାରେ ଡ୍ରୋନ ଓ ଲେଜର ସୋ’ ମୁଖ୍ୟ ଆକର୍ଷଣ ସାଜିଥିବା ବେଳେ ଦାମାହୁଦାର ଲୋକକଳା ସାନ୍ତାଳି ନୃତ୍ୟ, କଟକର ଶାଶ୍ୱତ ଯୋଶୀଙ୍କ ଓଡିଶୀ ନୃତ୍ୟ, ଶଶାଙ୍କ ଓ ବର୍ଣ୍ଣାଳୀ ହୋତାଙ୍କ ଓଲହିଉଡ ନାଇଟ୍‍ ଏବଂ ସମ୍ବଲପୁରର ଦୁର୍ଗା ଦାସ ଓ ସାଥୀ କଳାକାରଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷଣ ସାଙ୍ଗକୁ ଡ୍ରୋନ ସୋ ଓ ଲେଜର ସୋ ପ୍ରବଳ ଶୀତ ସତ୍ତ୍ବେ ଦର୍ଶକଙ୍କୁ ରୋମାଂଚିତ କରି ଶେଷ ଯାଏଁ ବାନ୍ଧି ରଖିଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ସପ୍ତମ ବାର୍ଷିକ ସମ୍ମିଳନୀ, ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: KG ରୁ PG ପର୍ଯ୍ୟନ୍ତ ସାନ୍ତାଳୀ ଭାଷାରେ ଶିକ୍ଷା ପ୍ରଦାନ ନିମନ୍ତେ ସରକାର ଚିନ୍ତା କରୁଛନ୍ତି। ଆଜି କେଉଁଝର’ର ଅଶୋକ ବାଟିକା ଠାରେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଓଡିଶା ଶାଖାର ସପ୍ତମ ବାର୍ଷିକ ସମ୍ମିଳନୀ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୧୯୨୫ ମସିହାରେ ଅଲ୍‌ଚିକି ଲିପିର ସୃଷ୍ଟି ହୋଇଥିଲା। ଅଲ୍‌ଚିକି ଲିପିର ସ୍ରଷ୍ଟା ଗୁରୁ ଗମ୍‌କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଏହି ଅବସରରେ ସ୍ମରଣ କରିବା ସଙ୍ଗେସଙ୍ଗେ ୨୦୨୫ରେ ଏହି ଲିପି ସୃଷ୍ଟି ହେବାର ଶତ ବାର୍ଷିକୀକୁ ଏକ ମିଶନ ଭାବରେ ନେଇ “Mission Ol-Chiki 2025” କୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

୨୦୨୫ ସୁଦ୍ଧା ଯଦି ସମସ୍ତେ ଅଲ୍‌ଚିକି ଲିପି ତଥା ସାନ୍ତାଳୀ ଭାଷାରେ ଶିକ୍ଷା ଗ୍ରହଣ କରିପାରିଲେ ତେବେ, ପଣ୍ଡିତ ମୁର୍ମୁଙ୍କ ପ୍ରତି ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ସେ କହିଥିଲେ। ଏହି କ୍ରମରେ ଓଡିଶାରେ ସାନ୍ତାଳୀ ଭାଷାରେ ପ୍ରାଥମିକ ସ୍ତରରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାର ପ୍ରଚଳନ ପାଇଁ ସରକାର ଚିନ୍ତା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗୋଟେ ଜାତିର ଉନ୍ନତି ତଥା ପରିଚୟ ପାଇଁ ମାତୃଭାଷା ହିଁ ସର୍ବଶ୍ରେଷ୍ଠ ଅଟେ। ସାନ୍ତାଳୀ ଭାଷା ୨୦୦୩ ମସିହାରେ ତତ୍‌କାଳୀନ କେନ୍ଦ୍ର ସରକାର ତଥା ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଯୋଗୁଁ ଭାରତର ସମ୍ବିଧାନର ଅଷ୍ଟମ ଅନୁଛେଦରେ ସ୍ଥାନୀତ ହୋଇ ଆମର ଗୌରବ ବୃଦ୍ଧି କରିଛି। ତେଣୁ, ତାଙ୍କୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ।

ସାନ୍ତାଳୀ ଲେଖକ ମାନେ ନିଜର ଲେଖନୀ ବଳରେ ଜାତିର ଭାଷା, ସଂସ୍କୃତି, ପରମ୍ପରା ଓ ଶିକ୍ଷାର ବହୁଳ ପ୍ରଚାର ପ୍ରସାର ପାଇଁ ନିସ୍ବାର୍ଥପର ଓ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ବିଭିନ୍ନ ଭାଷାରେ ଲିଖିତ ପ୍ରସିଦ୍ଧ ପୁସ୍ତକକୁ ସାନ୍ତାଳୀରେ ଓ ସାନ୍ତାଳୀ ଭାଷାରେ ଲିଖିତ ବିଭିନ୍ନ ଶିକ୍ଷଣୀୟ ପୁସ୍ତକକୁ କିପରି ଅନ୍ୟ ଭାଷାକୁ ଅନୁବାଦ ହୋଇ ପାରିବ ସେଥି ନିମନ୍ତେ ଉଦ୍ୟମ କରିବାକୁ ଲେଖକ ମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। କାରଣ ଭାଷାର ବହୁଳ ପ୍ରଚାର ପ୍ରସାର ପାଇଁ ଅନୁବାଦ ସାହିତ୍ୟ ଏବଂ ଯୁଗୋପଯୋଗୀ ସାହିତ୍ୟ ସୃଷ୍ଟି କରିବା ପ୍ରତ୍ୟେକ ଲେଖକଙ୍କର ପ୍ରାଥମିକତା ହେବା ଆବଶ୍ୟକ।

ଆଦିବାସୀ ମାନଙ୍କ ସାମୂହିକ ବିକାଶ ପାଇଁ ସମସ୍ତଙ୍କୁ ଏକ ହୋଇ ନିଜର ଭାଷା, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ଶିକ୍ଷାର ସ୍ରୋତରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ଏହାଦ୍ବାରା “ବିକଶିତ ଓଡିଶା ୨୦୩୬”ରେ ଆଦିବାସୀ ସମାଜ ଏକ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିପାରିବ ବୋଲି ସେ କହିଥିଲେ। ଏକ ବିକଶିତ ଓଡିଶା ତଥା ବିକଶିତ ଭାରତ ଗଠନରେ ଆଦିବାସୀ ସମ୍ପ୍ରଦାୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ସଂଘର ଉପଦେଷ୍ଟା ସ୍ବର୍ଗତ କାନ୍ଦ୍ରା ମୁର୍ମୁ ଏବଂ ସଂଘର ପୂର୍ବତନ ସଭାପତି ସ୍ବର୍ଗତ ରୂପଚାନ୍ଦ ହାଁସଦାଃଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସଙ୍ଗେସଙ୍ଗେ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସଂଘର ସାହିତ୍ୟ ପତ୍ରିକା ତଥା ସ୍ମରଣିକା ଉନ୍ମୋଚନ କରିଥିଲେ।

ସାନ୍ତାଳୀ ସାହିତ୍ୟରେ ବିଶେଷ ଅବଦାନ ନିମନ୍ତେ ଶ୍ରୀ ସୁରେଶ କୁମାର ହେମ୍ବ୍ରମ ତାଙ୍କର ପୁସ୍ତକ “ ସୋନାଲି ଘାରଂଜ୍” ପାଇଁ ଶ୍ୟାମ ସୁନ୍ଦର ହେମ୍ବ୍ରମ ସମ୍ମାନ ୨୦୨୪, ଶ୍ରୀ ଦୁର୍ଗା ସୋରେନଙ୍କୁ ତାଙ୍କ କ୍ଷୁଦ୍ର ଗଳ୍ପ- “ଉନି କୁଳିଦ ଅକୟ?” ପାଇଁ ଯୁବ ପୁରସ୍କାର, ଶ୍ରୀମତୀ ଆର୍ସୁ ହାଁସଦାଃ ଙ୍କୁ ତାଙ୍କ କବିତା ପୁସ୍ତକ “ଆର୍‌ସି” ପାଇଁ ଯଦୁମଣି ବେଶ୍ରା ସମ୍ମାନ ଏବଂ ଜୀବନ ବ୍ୟାପୀ ସାହିତ୍ୟ ସାଧନା ପାଇଁ ବିଶିଷ୍ଟ ଲେଖକ ତଥା ସମାଜସେବୀ ଶ୍ରୀ ଲକ୍ଷ୍ମଣ ମାର୍ଣ୍ଡିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ।

ଏଥି ସହିତ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତୃଣମୂଳ ସ୍ତରରେ ସାନ୍ତାଳୀ ଲେଖକ ମାନଙ୍କୁ ଉତ୍ସାହିତ କରିବା ପାଇଁ ଶ୍ରୀ ଭାଗବତ ହେମ୍ବ୍ରମ, ଶ୍ରୀ ଗୋବିନ୍ଦ ହାଁସାଦାଃ, ଶ୍ରୀ ମୋହନ ସୋରେନ୍‌, ଶ୍ରୀ ମଧୁସୂଦନ ମୁର୍ମୁ ଓ ଶ୍ରୀ ଜ୍ୟୋତିଲାଲ୍ ହେମ୍ବ୍ରମ ପ୍ରମୁଖଙ୍କୁ ସମ୍ମାନୀତ କରିଥିଲେ। ଏହି ଅବସରରେ ମନ୍‌ କି ବାତ୍‌ ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ବାରା ପ୍ରଶଂସିତ ସାନ୍ତାଳୀ ଲିପିର ଟାଇପ୍‌ ବୋର୍ଡର ପ୍ରଚଳନ ପାଇଁ ଶ୍ରୀ ରାମଜିତ୍‌ ଟୁଡୁ ଏବଂ ୟୁଟ୍ୟୁବର ଶ୍ରୀ ଲବ ହାଁସଦାଃଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ମାନୀତ କରିଥିଲେ।

ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସାରଶକଣା ବିଧାୟକ ଶ୍ରୀ ଭାଦବ ହାଁସଦାଃ, ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ୍‌, ସାନ୍ତାଳୀ ସାହିତ୍ୟ ଏକାଡେମୀ ନୂଆ ଦିଲ୍ଲୀର ପୂର୍ବତନ ସଂଯୋଜକ ଶ୍ରୀ ମଦନ ମୋହନ ସୋରେନ୍‌ ଏବଂ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ପ୍ରମୁଖ ଯୋଗଦେଇ ନିଜର ମତାମତ ରଖିଥିଲେ।

ଶ୍ରୀ ସରୋଜ କୁମାର ସୋରେନ୍‌ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ଅଧ୍ୟକ୍ଷ ଶ୍ରୀ ସୁନାରାମ୍‌ ମାର୍ଣ୍ଡି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ ସମ୍ପାଦକ ଶ୍ରୀ ଅର୍ଜୁନ ମାର୍ଣ୍ଡି ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମକୁ ସହସମ୍ପାଦକ ଶ୍ରୀ ମହେଶ୍ବର ସୋରେନ୍‌ ସଂଯୋଜନା କରିଥିଲେ ଓ ଶେଷରେ ସଂଘର ଉପସଭାପତି ଶ୍ରୀ ସିଙ୍ଗ୍ରାୟ ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ। କେଉଁଝର ସାନ୍ତାଳୀ ସାହିତ୍ୟ ଓ ସାଂସ୍କୃତିକ ସଂଘ ଦ୍ବାରା ବିଭିନ୍ନ ସାନ୍ତାଳୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ହାବିଲଦାର, କନଷ୍ଟେବଳ ଓ ସିପାହୀ ମହାସଂଘର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା

ଭୁବନେଶ୍ୱର: ହାବିଲଦାର, କନଷ୍ଟେବଳ ଓ ସିପାହୀମାନେ ଏଣିକି ପୂର୍ବରୁ ମିଳୁଥିବା ଏକ ମାସର ଅଧିକ ଦରମା ନୂତନ ବେତନ ହାରରେ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।

ଏହା ସହ ହାବିଲଦାର ଓ କନଷ୍ଟେବଳମାନେ ପୂର୍ଵରୁ ସାଇକେଲ ଭତ୍ତା ବାବଦରେ ମାତ୍ର ୩ ଶହ ଟଙ୍କା ପାଉଥିଲେ ଏବେ ମୋଟର ସାଇକେଲ ଭତ୍ତା ବାବଦରେ ଏକ ହଜାର ଟଙ୍କା ପାଇବେ ବୋଲି ମୁଖ୍ୟମନ୍ତ୍ରୀ କଟକରେ ଆୟୋଜିତ ଓଡିଶା ପୋଲିସ,  ଓ. ଏସ. ଏ. ପି. ହାବିଲଦାର, କନଷ୍ଟେବଳ ଓ ସିପାହୀ ମହାସଂଘର ବାର୍ଷିକ ଉତ୍ସବ ଅବସରରେ ଘୋଷଣା କରିଛନ୍ତି।

ଏହା ସହ ପୂର୍ବରୁ ପୋଷାକ, ଜୋତା ଇତ୍ୟାଦି ବାବଦ ରେ ପାଉଥିବା ୫ ହଜାର ଟଙ୍କା ବଦଳରେ ଏଣିକି ୧୦ ହଜାର ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଭୁବନେଶ୍ୱର ଠାରେ ମହାସଂଘର ନୂତନ ଗୃହ ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ରାଜ୍ୟର ପ୍ରଗତି ପାଇଁ ସବୁଠାରୁ ମହତ୍ଵପୂର୍ଣ୍ଣ ଭୂମିକା ରାଜ୍ୟର ପୋଲିସ ବଳ ତୁଲାଇଥାନ୍ତି। ଏହି ପୋଲିସ ବିଭାଗରେ କନଷ୍ଟେବଳ ଏବଂ ସିପାହୀମାନେ ସବୁଠାରୁ ଗୁରୁ ଦାୟିତ୍ଵ ତୁଲାଉଛନ୍ତି। ତୃଣମୂଳ ସ୍ତରରେ ଆଇନ ଶୃଙ୍ଖଳାଠାରୁ ଆରମ୍ଭ କରି ଗୁଇନ୍ଦା ପାଇଁ ଖବର ସଂଗ୍ରହ କରିବା ପରି ଦାୟିତ୍ଵ ତୁଲାଉଛନ୍ତି। କନଷ୍ଟେବଳ ଏବଂ  ସିପାହୀମାନେ ପୋଲିସ ବିଭାଗର  ମେରୁଦଣ୍ଡ ସଦୃଶ ବୋଲି  ମହାସଂଘର  ବାର୍ଷିକ ଉତ୍ସବ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଛନ୍ତି।

ଖରା, ବର୍ଷା, ଶୀତ କାକରକୁ ଭୃକ୍ଷେପ ନକରି କନଷ୍ଟେବଳ ଓ ସିପାହୀମାନେ ନିଜର ଦାୟିତ୍ଵ ସମ୍ପାଦନ କରୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ସେମାନଙ୍କ ପ୍ରତି ଆମ ସରକାରଙ୍କର ଯଥେଷ୍ଟ ସଂବେଦନଶୀଳତା ଓ ଦାୟିତ୍ୱବୋଧ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ପୋଲିସ ସେବାକୁ ଆହୁରି ପ୍ରଭାବୀ କରିବା ପାଇଁ ଭିତ୍ତିଭୂମି ଏବଂ ମାନବ ସମ୍ବଳ ଯୋଗାଇ ଦେବାକୁ ଆମ ସରକାର ପ୍ରତିଶୃତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପୋଲିସ ବଳ ହେଉଛି ଅତ୍ୟନ୍ତ ଶୃଙ୍ଖଳିତ। ବିଶୃଙ୍ଖଳାକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ। କିନ୍ତୁ ବିଶୃଙ୍ଖଳିତ କିମ୍ବା ଦୁର୍ନୀତିଗ୍ରସ୍ତଙ୍କୁ କୌଣସି ପ୍ରକାରେ କ୍ଷମା କରାଯିବ ନାହିଁ ବୋଲି ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଓଡିଶା ପୋଲିସର ମୂଳ ମନ୍ତ୍ର ହେଉଛି, ‘ସେବା ଓ ସୁରକ୍ଷା। ପ୍ରତ୍ୟେକ କାର୍ଯ୍ୟରେ ଦାୟିତ୍ୱବୋଧ ଓ ସମ୍ବେଦନଶୀଳ ହୋଇ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ  ସଂଘର କର୍ମକର୍ତ୍ତା ଏବଂ ଅନ୍ୟ ସଦସ୍ୟ ମାନଙ୍କୁ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ଏକକାଳୀନ ଲୋକସଭା ଓ ବିଧାନସଭା ସାଧାରଣ ନିର୍ବାଚନ ସମୟରେ  ରାଜ୍ୟ ପୋଲିସର ଭୂମିକାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ କନଷ୍ଟେବଳ ମାନଙ୍କ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କହିଥିଲେ।

ଏହାସହ ଖୁବଶୀଘ୍ର ରାଜ୍ୟର ପ୍ରତି ଥାନାକୁ ମୋଟର ସାଇକେଲ ଯୋଗାଇ ଦେବାସହ ଏହି ବାବଦରେ ଅତିରିକ୍ତ ବଜେଟରେ ୩୫ କୋଟି ଟଙ୍କାର ପ୍ରାବଧାନ କରାଯାଇଛି ବୋଲି ସେ କହିଥିଲେ।

ସେହିପରି ରାଜ୍ୟରେ ଅତିରିକ୍ତ CAPF ପ୍ରତିଷ୍ଠା ପାଇଁ ୨୯୯ କୋଟି ଟଙ୍କା ଏବଂ ପୋଲିସର ତ୍ଵରିତ ଗମନାଗମନ ପାଇଁ ୧୬ କୋଟି ଟଙ୍କା ପ୍ରବଧାନ କରାଯାଇଛି, ଯେଉଁଥିରେ ୬୪୯ ଗୋଟି ଉତ୍କୃଷ୍ଟ ଯାନ ପୋଲିସକୁ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କାର୍ଯ୍ୟକ୍ରମରେ ବିଧାୟକ ପ୍ରକାଶ ସେଠୀ ଯୋଗ ଦେଇ ପୋଲିସର ଉତ୍ସର୍ଗୀକୃତ ମନୋଭାବ, ଲୋକଙ୍କ ପ୍ରତି ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତାକୁ ସାଲୁଟ କରୁଛି ବୋଲି ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ କନଷ୍ଟେବଳ ଏବଂ ସିପାହୀ  ମାନଙ୍କ ସହଯୋଗ ବିନା ପୋଲିସ କେବେ ସଶକ୍ତ କିମ୍ବା ସମୃଦ୍ଧ ହୋଇ ପାରିବ ନାହିଁ ବୋଲି କହିଥିଲେ। ପ୍ରତିକୂଳ ପରିସ୍ଥିତିରେ ଥାଇ ମଧ୍ୟ ଜନସାଧାରଣଙ୍କୁ ସୁରକ୍ଷା ଦେବା ସହ ଗୁଣାତ୍ମକ ପୋଲିସ ସେବା ଯୋଗାଇ ଦେବା ଆମର ପ୍ରାଥମିକ କର୍ତ୍ତବ୍ୟ ହେବା ଉଚିତ ବୋଲି ଡିଜିପି ଶ୍ରୀ ଖୁରାନିଆ ମତବ୍ୟକ୍ତ କରିଥିଲେ। “ସେବା ଓ ସୁରକ୍ଷା” ସ୍ଲୋଗାନ କୁ ପାଥେୟ କରି ସମସ୍ତେ  ମିଳିମିଶି , ଓଡିଶା  ପୋଲିସ କୁ ସଶକ୍ତ, ସମୃଦ୍ଧ ଏବଂ ଜନସାଧାରଣଙ୍କ  ପ୍ରତି ଉତ୍ସର୍ଗୀକୃତ ହେବା ନିମନ୍ତେ ଡିଜିପି ଶ୍ରୀ ଖୁରାନିଆ ଆହ୍ଵାନ ଦେଇଥିଲେ।

ଏହି ବାର୍ଷିକ ଉତ୍ସବରେ ଓଡ଼ିଶା ପୋଲିସ ହାବିଲଦାର, କନେଷ୍ଟବଳ ଏବଂ ସିପାହୀ ମହାସଂଘ ର ସଭାପତି, ଅନିଲ କୁମାର ଷଣ୍ଢ, ଉପସଭାପତି, ସନ୍ତୋଷ କୁମାର ମହାନ୍ତି, ସାଧାରଣ ସମ୍ପାଦକ, କିଶୋର କୁମାର ମହାନ୍ତି ସମେତ ଅନ୍ଯାନ୍ଯ ସଦସ୍ୟମାନେ ଉପସ୍ଥିତ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମହିଳା ବିରୋଧୀ ଅପରାଧ ଓ ସାଇବର କ୍ରାଇମ ଉପରେ ଦୃଢ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର: ଆଜିକାଲି ଅପରାଧୀମାନେ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି। ତେଣୁ, ପୋଲିସକୁ ମଧ୍ୟ ଅପରାଧୀଙ୍କ ଠାରୁ ପାଦେ ଆଗରେ ରହିବାକୁ ହେବ। ଆଜି କଟକରେ ୬୯ତମ ପୋଲିସ ଡ୍ୟୁଟି ମିଟ୍‌ ୨୦୨୪ର ଉଦଯାପନୀ ସମାରୋହରେ ପୋଲିସ ବାହିନୀକୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ପୋଲିସ ବଳର ଆଧୁନିକୀକରଣ, ପୋଲିସ ବ୍ୟବସ୍ଥାରେ ସଂସ୍କାର, ପୋଲିସ ଅନୁସନ୍ଧାନ ପାଇଁ ଭିତ୍ତିଭୂମି ଏବଂ ପ୍ରଶିକ୍ଷିତ ମାନବ ସମ୍ବଳର ନିତାନ୍ତ ଜରୁରୀ। ନହେଲେ, ଏକ ଅର୍ଦ୍ଧ-ପ୍ରସ୍ତୁତ ପୋଲିସ ବଳ ଅପରାଧୀଙ୍କୁ ଧରି ଦଣ୍ଡବିଧାନ କରିବା କାଠିକର ପାଠ ହୋଇଯିବ ବୋଲି ସେ କହିଥିଲେ।

ପୁଲିସ ବିଭାଗର ଆଧୁନିକୀକରଣକୁ ସରକାର ସର୍ବୋଚ୍ଚ ପ୍ରାଧାନ୍ୟ ଦେଇ ଆସୁଛନ୍ତି ବୋଲି ପ୍ରକାଶ କରି କହିଥିଲେ ଯେ, ଆଗାମୀ ଦିନରେ ପୋଲିସ୍‌ର ବ୍ୟବହାର ପାଇଁ ସମଗ୍ର ରାଜ୍ୟରେ ଗାଡ଼ି ସଂଖ୍ୟା ବଢ଼ାଯିବ ଯାହାଦ୍ୱାରା ପୋଲିସ ପେଟ୍ରୋଲିଙ୍ଗ୍, ତଦନ୍ତ, Victim ପାଖରେ ପହଁଞ୍ଚିବା, ଅପରାଧୀ ଧରିବା ଆହୁରି ସୁଦୃଢ଼ ହେବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାରେ ଥିବା ଅସ୍ତରଙ୍ଗ, ବଳଙ୍ଗା ଏବଂ ଡେଲାଙ୍ଗ ପୋଲିସ ଷ୍ଟେସନର ନୂତନ ଗୃହର ଉଦଘାଟନ କରିଥିଲେ।

ସେ କହିଥିଲେ ଯେ, ପୋଲିସ ବାହିନୀକୁ ସଶକ୍ତ କରିବା ପାଇଁ ଗୃହ ବିଭାଗରେ ପ୍ରାୟ ୧୦ ହଜାର ପଦବୀ ଖୁବ ଶୀଘ୍ର ପୂରଣ କରାଯିବ। ପୋଲିସ ବାହିନୀର କାର୍ଯ୍ୟକ୍ଷମତାକୁ ବୃଦ୍ଧି କରିବା ପାଇଁ ପୋଲିସ ଥାନା ଗୁଡିକୁ ୯ ହଜାର ବାଇକ୍‌ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଉଛି। ପ୍ରତ୍ୟେକ ଥାନାକୁ ୬ଟି ଲେଖାଏଁ ବାଇକ୍‌ ଦିଆଯିବ। ଏଇ ନିକଟରେ ଗୃହରେ ପାରିତ ହୋଇଥିବା ଅତିରିକ୍ତ ବଜେଟରେ ଏଥିପାଇଁ ୩୫ କୋଟି ଟଙ୍କାର ବିଶେଷ ପ୍ରାବଧାନ କରାଯାଇଛି। ପୋଲିସ ବାହିନୀକୁ ସହଯୋଗ କରିବା ପାଇଁ ଗୃହରକ୍ଷୀ ପଦବୀ ପୂରଣ କରାଯିବ। ଖାଲି ଥିବା ଓ ନୂଆ ପଦବୀକୁ ମିଶାଇ ପ୍ରାୟ ୫ ହଜାର ପଦବୀ ପୂରଣ କରିବା ପାଇଁ ନିଷ୍ପତ୍ତି କରାଯାଇଛି ବୋଲି ମଧ୍ୟ ସେ କହିଥିଲେ।

ଦେଶରେ ଚାଲିଥିବା ସାଇବର କ୍ରାଇମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜିକାଲି ପୁରା ଦେଶରେ ଅନେକ ଲୋକ ସାଇବର ଅପରାଧର ଶିକାର ହୋଇ ଅର୍ଥ ହରାଉଛନ୍ତି। ସାଇବର ଠକେଇ, ଡିଜିଟାଲ ଆରେଷ୍ଟ, ଇନଭେଷ୍ଟମେଣ୍ଟ ଠକେଇ ଆଦି ଅପରାଧ ବଢି ଚାଲିଛି। ସାଇବର ଅପରାଧ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ଵାନ। ଏହାକୁ ଦୃଷ୍ଟିରେ ରଖି ଆମ ସରକାର ପୋଲିସ ବିଭାଗର ସାଇବର ସେଲକୁ ସୁଦୃଢ ଓ ଆଧୁନିକୀକରଣ କରିବା ପାଇଁ ସଂକଳ୍ପବଦ୍ଧ। ଏଥି ପାଇଁ ଆଗାମୀ ଦିନରେ ଯେଉଁ ଜିଲ୍ଲାରେ ସାଇବର ଥାନା ନାହିଁ ସେଠାରେ ସାଇବର ଥାନା ପ୍ରତିଷ୍ଠା କରାଯିବାର ଲକ୍ଷ୍ୟ ରଖାଯାଇଛି। ଏତଦବ୍ୟତୀତ ଭୁବନେଶ୍ବରରେ ସାଇବର ଅପରାଧର ଉଚ୍ଚକୋଟୀର ତଦନ୍ତ ଓ ତଦାରଖ ପାଇଁ ରାଜ୍ୟସ୍ତରରେ ଏକ ସାଇବର ଅପରାଧ ଶାଖା ସୃଷ୍ଟି କରାଯିବ, ଯାହାର ଦାୟିତ୍ଵରେ ଜଣେ ବରିଷ୍ଠ ଅଧିକାରୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମହିଳା ହିଂସା ବିରୁଦ୍ଧରେ ଆମ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି ବୋଲି ମତ ଦେଇ ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀ ମଧ୍ୟ ମହିଳାମାନଙ୍କ ସୁରକ୍ଷାକୁ ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି। ଦୁର୍ଭାଗ୍ୟ ବଶତଃ ମୋଟ ଦଣ୍ଡବିଧାନ ହାର ଏବଂ ମହିଳା ହିଂସା ବିରୁଦ୍ଧରେ ଦଣ୍ଡବିଧାନ ହାର ସର୍ବ ଭାରତୀୟ ସ୍ତରରେ ଓଡିଶାର ସ୍ଥିତି ନୈରାଶ୍ୟ ଜନକ ଥିଲା ।

ସେ କହିଲେ ଯେ, ଏହାର ପ୍ରମୁଖ କାରଣ ହେଉଛି ବୃତ୍ତିଗତ ଢଙ୍ଗରେ ଅନୁସନ୍ଧାନ ନ ହେବା ଏବଂ ପୂର୍ବବର୍ତ୍ତୀ ସମୟରେ ରାଜନୈତିକ ଇଚ୍ଛାଶକ୍ତିର ଘୋର ଅଭାବ। ତେଣୁ, ସେ କହିଥିଲେ ଯେ, ଏହି ଦଣ୍ଡହାରକୁ ଜାତୀୟ ସ୍ତରକୁ ନେବାକୁ ହେବ। ଏଥିପାଇଁ ସରକାର ନିଜ ସ୍ତରରେ ଅଧିକ ମହିଳା କୋର୍ଟ ପ୍ରତିଷ୍ଠା କରୁଛନ୍ତି। ଚାରିଗୋଟି ଜିଲ୍ଲାରେ ମହିଳା କୋର୍ଟ ସ୍ଥାପନା ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇ ସରିଛି। ବର୍ତ୍ତମାନ, ପୋଲିସ କାନ୍ଧରେ ବୃତ୍ତିଗତ ଢଙ୍ଗରେ ଏବଂ ବୈଜ୍ଞାନିକ ପଦ୍ଧତିରେ ଅନୁସନ୍ଧାନ କରି, ଅକାଟ୍ୟ ସାକ୍ଷ୍ୟ ପ୍ରମାଣ ସହିତ କୋର୍ଟରେ ଅଭିଯୋଗ ପତ୍ର ଠିକ ସମୟରେ ଦାଖିଲ କରିବା।

ନିକଟରେ ରାଜ୍ୟ ପୁଲିସ ବଳ କିଛି blind କେସର ସଫଳତାର ସହିତ ସମାଧାନ କରିବାରେ ସଫଳ ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବଣାଇ ଏବଂ କଟକ କନ୍ଦରପୁର ହତ୍ୟାକାଣ୍ଡକୁ ପୋଲିସ ଖୁବ୍ ଶୀଘ୍ର ସଫଳତାର ସହ ସମାଧାନ କରିଛି। ସେ କହିଥିଲେ ଯେ, ସବୁ କେସରେ ଏପରି ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ହେବା ଉଚିତ, ଯାହା ଫଳରେ ପୋଲିସ ପ୍ରତି ସାଧାରଣ ଜନତାଙ୍କ ଆସ୍ଥା ବୃଦ୍ଧି ପାଇବ।

ଆଗାମୀ ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ମାଓ ବାଦୀ ଏବଂ ନକ୍ସଲ ହିଂସାକୁ ସମୂଳେ ନିପାତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ, ଓଡିଶାର କିଛି ଅଞ୍ଚଳ ଏହି ଆକ୍ସନ ପ୍ଲାନରେ ସାମିଲ ହୋଇଛି। ଏହି ହିଂସାକୁ ଦମନ କରିବା ପାଇଁ ପୋଲିସ ବଳ ସହିତ ବିଶେଷ ଜ୍ଞାନ, ନୂତନ ବୈଷୟିକ ଜ୍ଞାନକୌଶଳର ଆବଶ୍ୟକତା ରହିଛି, ଯାହା ଆଜି ପରି ଡ୍ୟୁଟି ମିଟ୍‌ରୁ ମିଳିପାରିବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯୋଜନାବଦ୍ଧ ଭାବେ ସମାଜରେ ଉନ୍ମାଦ କରିବା ପାଇଁ ଚେଷ୍ଟା କରୁଥିବା ଅପରାଧୀଙ୍କ ବିରୁଦ୍ଧରେ ଏମିତି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ, ଯାହାଫଳରେ ପ୍ରତି ମୂହୁର୍ତ୍ତରେ ସେମାଙ୍କ ମନରେ ଭୟର ସଂଚାର ହେବ।

ଏଭଳି ଅପରାଧୀଙ୍କୁ ପୂର୍ବରୁ ଯେଉଁ ସୁରକ୍ଷା ଦିଆଯାଉଥିଲା ସେପରି ଆଉ ହେବ ନାହିଁ। ଆଇନର ଗଣ୍ଡି ଭିତରେ ରହି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କ୍ରାଇମବ୍ରାଞ୍ଚ ପକ୍ଷରୁ ନିୟମିତ ବ୍ୟବଧାନରେ ସ୍ୱତନ୍ତ୍ର ଅଭିଯାନ ଚଳାଇ ନିଶା କାରବାର ଜନିତ ସଂଗଠିତ ଅପରାଧ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଓଡ଼ିଶା ପୋଲିସ ପ୍ରମୁଖ ସଫଳତା ହାସଲ କରିଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସରକାର ପୋଲିସ ବଳ ସହିତ ଦୃଢ ଭାବେ ଛିଡା ହୋଇଛନ୍ତି। ସର୍ବ ଭାରତୀୟ DG/IG ସମ୍ମିଳନୀରେ, କେନ୍ଦ୍ର ସରକାର ଗଞ୍ଜାମ ଜିଲ୍ଲାର ପାଟପୁର ଥାନାକୁ ଦେଶର ଦ୍ୱିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ କରିଥିବାରୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।

ପୋଲିସ ଡ୍ୟୁଟି ମିଟ୍‌ ରେ ଅଂଶଗ୍ରହଣ କରି ସଫଳତା ହାସଲ କରିଥିବା ସମସ୍ତ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ବିଜେତାମାନେ ଆଗାମୀ ଜାନୁଆରୀ ମାସରେ ଝାଡଖଣ୍ଡର ରାଞ୍ଚି ଠାରେ ହେବାକୁ ଥିବା All India Police Duty Meet ରେ ଭାଗ ନେବେ। ମନୋନୀତ ହୋଇଥିବା ଦଳର ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ। ପରିଶେଷରେ ପୋଲିସ ନିଜର ‘ସେବା ଓ ସୁରକ୍ଷା’ ସ୍ଲୋଗାନକୁ କାୟ ମନୋବାକ୍ୟରେ ପାଳନ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।

ଏହି ଅବସରରେ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ, ସି.ଆଇ.ଡି, କ୍ରାଇମ ବ୍ରାଞ୍ଚ ଶ୍ରୀ ବିନୟ ତୋଷ ମିଶ୍ର ଧନ୍ୟବାଦ୍ ଅର୍ପଣ କରି ପୋଲିସ ବାହିନୀର କାର୍ଯ୍ୟକ୍ରମ, ସଫଳତା ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସ୍ଥାନୀୟ ସର୍କିଟ ହାଉସଠାରେ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତ ଅବସରରେ ଆଜି ସ୍ଥାନୀୟ ସର୍କିଟ ହାଉସଠାରେ ଅଭିଯୋଗ ଶୁଣାଣି କରିଛନ୍ତି। ଏଥିରେ ବିଭିନ୍ନ ବର୍ଗର ଲୋକେ ଓ ସଂଘର ସଦସ୍ୟମାନେ ନିଜ ନିଜର ଅଭିଯୋଗ ପତ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝିଙ୍କୁ ପ୍ରଦାନ କରିଥିଲେ।

ଏହି ସମୟରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସମସ୍ୟା ମଧ୍ୟ ଶୁଣିଥିଲେ। ପ୍ରାୟ ଶତାଧିକ ଲୋକ ନିଜ ନିଜର ଅଭିଯୋଗ ପ୍ରଦାନ କରିଥିଲେ। ଏହି ସମୟରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

୮୫ ଜଣ ହୋମିଓପାଥିକ ଚିକିତ୍ସକ, ୨୩୯ ଜଣ ରେଡିଓଗ୍ରାଫର ଓ ୫୨ ଜଣ ଅଧ୍ୟାପକ ନିଯୁକ୍ତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ବାରା ଆୟୋଜିତ ନିଯୁକ୍ତି ମେଳାରେ ୩୭୬ ଜଣ ନିଯୁକ୍ତି ପାଇଛନ୍ତି। ଏଥିରେ ସ୍ବାସ୍ଥ୍ୟ ବିଭାଗର ୮୫ ଜଣ ହୋମିଓପାଥିକ ଚିକିତ୍ସକ ଓ ୨୩୯ ଜଣ ରେଡିଓଗ୍ରାଫର ଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗର ୫୨ ଜଣ ଅଧ୍ୟାପକ ଅଛନ୍ତି।

ଏହି ଅବସରରେ ଲୋକସେବା ଭବନ ସ୍ଥିତ କନ୍‌ଭେନ୍‌ସନ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବ ନିଯୁକ୍ତ ଡାକ୍ତର, ଅଧ୍ୟାପକ ଓ ରେଡିଓଗ୍ରାଫର ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ବୃତ୍ତିଗତ ଦକ୍ଷତା ଓ ସେବା ମନୋବୃତ୍ତି ନେଇ କାମ କରିବାକୁ ପରାମର୍ଶ ଦେଇଛନ୍ତି। ସରକାରୀ ଚାକିରିକୁ ଅର୍ଥ ଉପାର୍ଜନ ସର୍ବସ୍ବ ନକରି ନିଜ ନିଜର କର୍ତ୍ତବ୍ୟ ପ୍ରତି ଅନୁରକ୍ତ ରହିବାକୁ ଓ ଦୁର୍ନୀତିକୁ ପ୍ରଶୟ ନଦେବାକୁ ସେ ପରାମର୍ଶ ଦେଇଥିଲେ।

ସେ କହିଥିଲେ ଯେ, ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଓଡିଶା ଯେତେ ପାରଦର୍ଶୀତା ହାସଲ କରିବା କଥା, କରିପାରି ନାହିଁ। ଆମେ ଆମର ପ୍ରକୃତ ସାମର୍ଥ୍ୟ ହାସଲ କରି ପାରିନାହୁଁ। ନୀତି ଆୟୋଗ ଦ୍ବାରା ସଦ୍ୟ ପ୍ରକାଶିତ ସ୍ବାସ୍ଥ୍ୟ Ranking ରେ ଓଡିଶା ୨୮ ଟି ରାଜ୍ୟ ମଧ୍ୟରେ ତଳଆଡୁ ତୃତୀୟ। ଶହେ ନମ୍ବରରୁ ଓଡିଶା ପାଇଛି ମାତ୍ର ୪୦.୧୯। କିନ୍ତୁ ପୂର୍ବରୁ ବିଶ୍ବ ସ୍ତରୀୟ ସ୍ବାସ୍ଥ୍ୟ ସେବା ନାମରେ ବ୍ୟାପକ ପ୍ରଚାର କରାଯାଉଥିଲା। ବର୍ତ୍ତମାନ ଏ ପରିସ୍ଥିତିକୁ ପରିବର୍ତ୍ତନ କରିବାକୁ ପଡିବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, Health Ranking ରେ ଆମକୁ ଅତି କମ୍‌ରେ ୬୦ ନମ୍ବର ରଖିବାକୁ ପଡିବ। ଦେଶର ପ୍ରଥମ ଦଶଟି ଶ୍ରଷ୍ଠ ସେବା ପ୍ରଦାନକାରୀ ରାଜ୍ୟ ମଧ୍ୟରେ ରହିବାକୁ ପଡିବ। ଏ ଦିଗରେ ସରକାରଙ୍କ ଆଭିମୁଖ୍ୟରେ ନବ ନିଯୁକ୍ତ ମାନଙ୍କୁ ସହଯୋଗ କରିବା ପାଇଁ ସଂକଳ୍ପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ଭିତ୍ତିଭୂମି ଓ ପ୍ରଶିକ୍ଷିତ ମାନବ ସମ୍ବଳର ଆବଶ୍ୟକତା ରହିଛି। ଏ ଉଭୟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଯୋଜନାବଦ୍ଧ ଭାବେ କାମ କରୁଛନ୍ତି। ଏହା ସରକାରଙ୍କ ଭିଜନର ଏକ ଅଂଶ ବିଶେଷ ବୋଲି ସେ କହିଥିଲେ। ଚଳିତ ବର୍ଷ ସ୍ବାସ୍ଥ୍ୟ ବଜେଟ୍‌ରେ ପୂର୍ବ ବର୍ଷ ତୁଳନାରେ ୩୨ ପ୍ରତିଶତ ଅଧିକ ବ୍ୟୟ ବରାଦ ବୋଲି ପ୍ରକାଶ କରି ସେ କହିଥିଲେ ଯେ, ଏହାର ସିଂହଭାଗ ଭିତ୍ତିଭୂମି ନିର୍ମାଣରେ ଖର୍ଚ୍ଚ ହେବ। ଆଗାମୀ ପାଞ୍ଚବର୍ଷରେ ରାଜ୍ୟର ସମସ୍ତ ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରାଯିବ ବୋଲି ସେ କହିଥିଲେ। ଭାରତ ସରକାରଙ୍କ ଆୟୁଷ୍ମାନ ଯୋଜନା ସହିତ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନୂଆ ସରକାର ରାଜ୍ୟର ସରକାରୀ କ୍ଷେତ୍ରରେ ଖାଲି ପଦବୀ ପୂରଣ କରିବା ଉପରେ ଗୁରୁତ୍ବ ଦେଇଛନ୍ତି। ଗତ ଛଅ ମାସ ମଧ୍ୟରେ ଛଅ ଥର ନିଯୁକ୍ତି ମେଳା ହୋଇ ୨୦ ହଜାରରୁ ଅଧିକ ଶିକ୍ଷିତ ଯୁବକ ଯୁବତୀଙ୍କ ନିଯୁକ୍ତି ପ୍ରକ୍ରିୟାକୁ ଆଗେଇ ନିଆଯାଉଛି ବୋଲି ସେ କହିଥିଲେ।

ସ୍ବାସ୍ଥ୍ୟ କ୍ଷେତ୍ରରେ ହୋମିଓପାଥି ଚିକିତ୍ସକ ଓ ରେଡିଓଗ୍ରାଫର ନିଯୁକ୍ତି ସହିତ ଖୁବଶୀଘ୍ର ସରକାରୀ ଡାକ୍ତରଖାନା ମାନଙ୍କରେ ‘ଫାର୍ମାସୀ ଅଫିସର’ ନିଯୁକ୍ତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହା ସହିତ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜାତୀୟ ଆୟୁଷ ମିଶନରେ ଓଡିଶାରେ ୪୨୨ଟି ହୋମିଓପାଥି ଓ ଆୟୁର୍ବେଦିକ୍‌ ଡାକ୍ତରଖାନର ‘ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’ ଭାବରେ ଉନ୍ନତି କରଣ କରାଯାଇଛି। ସେ କହିଥିଲେ ଯେ, ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ବରରେ ଆଉ ତିନୋଟି ୫୦ ଶର୍ଯ୍ୟା ବିଶିଷ୍ଟ ସମନ୍ବିତ ଆୟୁଷ ଚିକିତ୍ସାଳୟ ପ୍ରତିଷ୍ଠା କରାଯାଉଛି।

ଅଧ୍ୟାପକ ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣ ମାନେ ନିଜେ ଯୁବ ବର୍ଗରୁ ଆସିଛନ୍ତି। ତେଣୁ, ପିଲାମାନଙ୍କୁ ଦାୟିତ୍ବବାନ୍‌ ହେବା ପାଇଁ ମାର୍ଗଦର୍ଶନ କରିବାକୁ ସେ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡିଶା ପାଇଁ ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରୁଛନ୍ତି। ତେଣୁ, ସେମାନେ ଯେପରି ଦକ୍ଷ ଓ ଦାୟିତ୍ବବାନ୍ ହେବେ ତାହା ସୁନିଶ୍ଚିତ କରିବା ଆପଣ ମାନଙ୍କ ଦାୟିତ୍ବ। ଆପମ ମାନେ ଯୁବ ସମାଜର ଉଚିତ୍‌ ପଥ ପ୍ରଦର୍ଶନ କରିପାରିଲେ ସମୃଦ୍ଧ ଓଡିଶାର ଲକ୍ଷ୍ୟ ନିଶ୍ଟୟ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କରିଲେ ଯେ, ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ, ଏବେ ପ୍ରାୟ ପ୍ରତ୍ୟେକ ମାସରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇ ଯୁବ ବର୍ଗଙ୍କୁ ସରକାରୀ ନିଯୁକ୍ତି ଦିଆଯାଉଛି। ତେଣୁ, ୨୦୩୬ ଓ ୨୦୪୭ ର ଲକ୍ଷ ହାସଲ କରିବା ପାଇଁ ସମସ୍ତେ ସେବା ଓ ସମର୍ପଣ ମନୋଭାବ ନେଇ କାମ କରିବାକୁ ସେ ଆହ୍ବାନ ଦେଇଥିଲେ।

ଉନ୍ନୟନ କମିଶନର ଅନୁ ଗର୍ଗ କହିଲେ ଯେ, ମହିଳା କର୍ମଚାରୀ ମାନେ ନିଜର କମ୍ଫର୍ଟ ଜୋନ୍‌ରୁ ବାହାରି ନିଜର ଦକ୍ଷତା ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି। ସେମାନେ କୌଣସି ପରିସ୍ଥିତିରେ ପୁରୁଷ ମାନଙ୍କ ଠାରୁ କମ୍ ବୋଲି ମନେ କରିବା ଉଚିତ୍‌ ନୁହେଁ। କାମ ସହିତ ବ୍ୟକ୍ତିଗତ ଭାବେ ନିଜର ଜ୍ଞାନ ଓ ଦକ୍ଷତାକୁ ବୃଦ୍ଧି କରିବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ।

କାର୍ଯ୍ୟକ୍ରମରେ ନବ ନିଯୁକ୍ତ ଅଧ୍ୟାପିକା ଶୁଭଲକ୍ଷ୍ମୀ ସ୍ବାଇଁ, ଡାକ୍ତର କଲ୍ୟାଣୀ ମଞ୍ଜରୀ ନାୟକ ଓ ରେଡିଓଗ୍ରାଫର ସ୍ବତନ୍ତ୍ର ପଟ୍ଟନାୟକ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନାକରି କହିଲେ ଯେ, ମୁଖ୍ୟମନ୍ତ୍ରୀ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ସହିତ ଏଥିରେ ସ୍ବଚ୍ଛତା ମଧ୍ୟ ଆସିଛି। ସମସ୍ତେ ନିଷ୍ଠା ଓ ସେବା ମନୋବୃତ୍ତି ନେଇ କାମ କରିବେ ବୋଲି କହିଥିଲେ।

ସ୍ବାସ୍ଥ୍ୟ ବିଭାଗ ଶାସନ ସଚିବ ଅଶ୍ବତୀ ଏସ୍‌. ସ୍ବାଗତ ଭାଷଣ ଦେଇଥିଲେ।