Categories
ବିଶେଷ ଖବର ରାଜ୍ୟ ଖବର

ବିଶ୍ଵ ଦେଶଜ ଅଧିବାସୀ ଦିବସ ଅବସରରେ ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଶ୍ଵ ଦେଶଜ ଅଧିବାସୀ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କରିଛନ୍ତି। ସମସ୍ତଙ୍କ ସହଯୋଗରେ ଜନଜାତି ମାନଙ୍କ ବିକାଶ କ୍ଷେତ୍ରରେ ଏହି ଯୋଜନା ଦ୍ବାରା ଏକ ମାଇଲଷ୍ଟୋନ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

ଜଙ୍ଗଲ ଜମି ଉପରେ ସମସ୍ତ ଯୋଗ୍ୟ ବ୍ୟକ୍ତିଗତ ଓ ଗୋଷ୍ଠିଗତ ଅଧିକାରକୁ ସୁନିଶ୍ଟିତ କରିବା ଏହି ଯୋଜନାର ଲକ୍ଷ୍ୟ। ଏହାସହିତ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଗୁଡିକୁ ଏହି ଯୋଜନା ସହିତ ଯୋଡି ଜନଜାତି ମାନଙ୍କ ଜୀବିକାରେ ସ୍ଥାୟିତ୍ବ ସୃଷ୍ଟି କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ସର୍ଭେ ହୋଇ ନ ଥିବା ଜଙ୍ଗଲ ଗାଁ ଗୁଡିକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରାଯିବ।

ଏହି ଅବସରରେ ଉପସ୍ଥିତ ଅଧିକାରୀ ଓ ଜନଜାତି ଭାଇଭଉଣୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚିବା ଆମର ଲକ୍ଷ୍ୟ। କେହି ଜଣେ ବି ଯୋଗ୍ୟ ବ୍ୟକ୍ତି ଯେପରି ବଞ୍ଚିତ ନ ହେବ, ତାକୁ ସୁନିଶ୍ଟିତ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ।

ଏହି ଯୋଜନା ଏକ ଭଲ ଯୋଜନା ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଜଙ୍ଗଲ ସଂପଦର ନିରନ୍ତର ବିକାଶ ଦିଗରେ ଜନଜାତି ମାନଙ୍କର ଅବଦାନକୁ ସ୍ବୀକୃତି ପ୍ରଦାନ କରିବା ଏହି ଯୋଜନାର ଲକ୍ଷ୍ୟ। ଜଳବାୟୁ ପରିବର୍ତ୍ତନ ଓ ଜନଜାତି ମାନଙ୍କ ଅର୍ଥନୀତି ଓ ଜୀବିକାରେ ସ୍ଥାୟିତ୍ବ ଆଣିବାରେ ମଧ୍ୟ ଏହା ସହାୟକ ହେବ ବୋଲି ସେ କହିଥିଲେ।

ଜଙ୍ଗଲ ଜମି ଅଧିକାର ପ୍ରଦାନରେ ଓଡିଶା ଏକ ଆଗୁଆ ରାଜ୍ୟ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏପର୍ଯ୍ୟନ୍ତ ୪ ଲକ୍ଷ ୫୦ ହଜାର ଜନଜାତି ଓ ବନବାସୀ ପରିବାରକୁ ଜଙ୍ଗଲ ଜମି ଉପରେ ସତ୍ତ୍ବ ପ୍ରଦାନ କରାଯାଇଛି। ସେହିପରି ୪ ହଜାରରୁ ଅଧିକ ଗ୍ରାମସଭାକୁ ଗୋଷ୍ଠି ଅଧିକାର ଦିଆଯାଇଛି ବୋଲି ସେ କହିଥିଲେ। ଏହାସହିତ ସର୍ଭେ ହୋଇ ନଥିବା ଜଙ୍ଗଲ ଗାଁ ଗୁଡିକୁ ମଧ୍ୟ ରାଜସ୍ବ ଗ୍ରାମର ମାନ୍ୟତା ଦେବା ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ସେ କହିଥିଲେ।

ପ୍ରଥମରୁ ତାଙ୍କ ସରକାର ଜନଜାତି ମାନଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ ବୋଲି ପ୍ରକାଶ କରି ସେ କହିଥିଲେ ଯେ ୨୦୦୦ ମସିହାରେ ତାଙ୍କ ସରକାର ଯେତେବେଳେ ପ୍ରଥମେ ଓଡିଶାରେ ସେବାର ଦାୟିତ୍ବ ଗ୍ରହଣ କଲା, ସେତେବେଳେ ତାଙ୍କ ସରକାରର ପ୍ରଥମ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଥିଲା ପଞ୍ଚାୟତ ମାନଙ୍କୁ ଲଘୁ ବନଜାତ ଦ୍ରବ୍ୟର ସଂଗ୍ରହ ଅଧିକାର ପ୍ରଦାନ। ଆଜି ଏ ଦିଗରେ ଅନେକ କାମ ହୋଇଛି। ଜନଜାତି ମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ବିଭିନ୍ନ କ୍ଷେତ୍ରରେ ଉନ୍ନତି ହେବା ସହିତ ସେମାନେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ମଧ୍ୟ ଅର୍ଜନ କରିପାରିଛନ୍ତି।

ଅନୁସୂଚିତ ଜାତି ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା କହିଲେ ଯେ ଏହି ଯୋଜନା ଦ୍ବାରା ଜଙ୍ଗଲ ଜମିର ପରିଚାଳକ ଭାବରେ ଜନଜାତି ମାନଙ୍କ ଅଧିକାରକୁ ସ୍ବୀକୃତି ଦେବା ଏହି ଯୋଜନାର ଲକ୍ଷ୍ୟ । ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରକ୍ରିୟା ତ୍ବରାନ୍ବିତ କରାଯାଇ ଯୋଗ୍ୟ ବ୍ୟକ୍ତି ମାନଙ୍କୁ ଅଧିକାର ପ୍ରଦାନ କରିବା ପଦକ୍ଷେପ ନିଆଯାଇଛି।

ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ କହିଲେ ଯେ ଜଙ୍ଗଲ ଜମି ଉପରେ ଅଧିକାର ପ୍ରଦାନ ଓଡିଶା ସରକାରଙ୍କ ଏକ ପ୍ରମୁଖ ସଫଳତା। ଏହି ନୂଆ ଯୋଜନା ଦ୍ବାରା ସେମାନଙ୍କ ସାଂସ୍କୃତିକ ବିବିଧତାର ସୁରକ୍ଷା ସହିତ ସବୁ ବିକାଶମୂଳକ ଯୋଜନାରେ ଜନଜାତି ମାନଙ୍କୁ ସାମିଲ କରିବା ପାଇଁ ଏହି ଯୋଜନାରେ ବ୍ୟବସ୍ଥା କରାଯାଇଛି।

ଏହି ଯୋଜନାରେ ସାମିଲ ହୋଇଥିବା ବିଭିନ୍ନ ହିତାଧିକାରୀଙ୍କ ମଧ୍ୟରେ ମୟୁରଭଞ୍ଜର ଶ୍ର କପୁର ମାର୍ଣ୍ଡି, କନ୍ଧମାଳର ଶ୍ରୀ ନରେନ୍ଦ୍ର ମଲ୍ଲିକ ଓ ରାୟଗଡାର ଶ୍ରୀ ସୁରେଶ ଚନ୍ଦ୍ର ୱାଡାକା ପ୍ରମୁଖ ୩ ଜଣ ହିତାଧିକାରୀ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଡି ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଜଙ୍ଗଲ ଜମି ଉପରେ ଅଧିକାର ପାଇବା ଦ୍ବାରା ସେମାନେ କିପରି ପନିପରିବା, ଫଳଚାଷ ଓ ଅନ୍ୟାନ୍ୟ ଜୀବିକା କାର୍ଯ୍ୟକ୍ରମରେ ସାମିଲ ହୋଇ ସେମାନଙ୍କର ପରିବାରର ପ୍ରତିପୋଷଣ କରିବା ସହିତ ପିଲାମାନଙ୍କୁ ମଧ୍ୟ ଶିକ୍ଷା ଦେଇପାରୁଛନ୍ତି ବୋଲି ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ, ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, UNDP, ବେସରକାରୀ ଅନୁଷ୍ଠାନ ବସୁନ୍ଧରା, ପ୍ରଦାନ ଆଦି ସଂସ୍ଥାର ପ୍ରତିନିଧି ଏବଂ ବିଭିନ୍ନ ଜିଲ୍ଲାର ଜନଜାତି ହିତାଧିକାରୀମାନେ ଉପସ୍ଥିତ ଥିଲେ ।

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ରୂପାରୋଶନ ସାହୁ ସ୍ବାଗତ ଭାଷଣ ଦେଇଥିଲେ ଓ ଅନୁସୂଚିତ ଜନଜାତି ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବସିଲା ଜନଜାତି ଉପଦେଷ୍ଟା ପରିଷଦ ବୈଠକ, ନିଆଗଲା ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତି, ଜାଣନ୍ତୁ କଣ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଜନଜାତି ଉପଦେଷ୍ଟା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ତଥା ଆଇନ ମନ୍ତ୍ରୀ, ୧୫ ଜଣ ବିଧାୟକ, ଦୁଇ ଜଣ ସାଂସଦ ଓ ଅନ୍ୟାନ୍ୟ ବିଶିଷ୍ଟ ସଦସ୍ୟ ଯୋଗଦାନ କରିଥିଲେ।

ଏହି ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବ ଏବଂ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ରାଜ୍ୟର ଜନଜାତି ସମୂହର ଅର୍ଥନୈତିକ ସଶକ୍ତିକରଣ, ଜୀବିକାନିର୍ବାହ ସୁଯୋଗର ଅଭିବୃଦ୍ଧି, ଶିକ୍ଷା ଓ ଦକ୍ଷତା ବିକାଶ ନିମନ୍ତେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଗୁରୁତ୍ୱ ଆରୋପ କରିଥିଲେ।

ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଜଙ୍ଗଲ ଅଧିକାର ଆଇନ ମାଧ୍ୟମରେ ଆମ ରାଜ୍ୟରେ ୨୦୨୩ ମସିହା ଅପ୍ରେଲ ମାସ ଶେଷ ସୁଦ୍ଧା ୬.୪୭ ଲକ୍ଷ ଅବେଦନକାରୀଙ୍କ ମଧ୍ୟରୁ ୧୦.୪୨ ଲକ୍ଷ ଏକର ଜଙ୍ଗଲ ଜମି ଉପରେ ପ୍ରାୟ ୪.୬୪ ଲକ୍ଷ ଜମିପଟ୍ଟା ବଣ୍ଟନ କରାଯାଇଛି ବୋଲି ଜନଜାତି ଉପଦେଷ୍ଟା ପରିଷଦକୁ ଅବଗତ କରାଯାଇଥିଲା। ସମଗ୍ର ଦେଶରେ ଜଙ୍ଗଲ ଜମିପଟ୍ଟା ବଣ୍ଟନରେ ଓଡ଼ିଶାର ଭୂମିକା ଉଲ୍ଲେଖନୀୟ।

ରାଜ୍ୟ ସରକାର ‘ମୋ ଜଙ୍ଗଲ ଜମି’ ନାମରେ ଏକ ରାଜ୍ୟସ୍ତରୀୟ ଯୋଜନାକୁ ଅନୁମୋଦନ କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ଜଙ୍ଗଲ ଅଧିକାର ଆଇନ-୨୦୦୬କୁ କାର୍ଯ୍ୟକାରୀ କରିବା ନିମନ୍ତେ ଏକ ସ୍ୱତନ୍ତ୍ର ବଜେଟ୍‌ ଆବଣ୍ଟନ କରାଯାଇଛି। ଏତଦ୍‌ଦ୍ୱାରା ଦୁଇବର୍ଷ ମଧ୍ୟରେ ଜଙ୍ଗଲ ଜମି ଚିହ୍ନଟ ଓ ପ୍ରଦାନ ପ୍ର୍ରକି୍ରୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଜିଲ୍ଲାସ୍ତରରେ କାର୍ଯ୍ୟରତ NGO/CSO (ଏନ୍‌ଜିଓ/ସିଏସ୍‌ଓ)ଙ୍କୁ ଗ୍ରାମସ୍ତରୀୟ ସେ୍ୱଚ୍ଛାସେବୀମାନେ ସହାୟତା ଯୋଗାଇଦେବେ।

ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ‘ହୋ’, ‘ସଉରା’ ଓ ‘କୁଇ’ ଭାଷାକୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ପ୍ରସ୍ତାବ ଦେବାକୁ ଜନଜାତି ଉପଦେଷ୍ଟା ପରିଷଦ ସୁପାରିଶ କରିଥିଲେ । ଭାରତ ସରକାରଙ୍କର ଅନୁସୂଚିତ ଜନଜାତି ତାଲିକାରେ ଓଡ଼ିଶାର RANA/RONA, BONDO PVTG, MALI H KULI ସଂପ୍ରଦାୟକୁ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ଦେବା ନିମନ୍ତେ ଜନଜାତି ଉପଦେଷ୍ଟା ପରିଷଦ ସୁପାରିଶ କରିଥିଲେ।

ସଂପ୍ରତି ତିନିଗୋଟି ଅଣୁପ୍ରକଳ୍ପ ପ୍ରତିଷ୍ଠା କରାଯିବା ସଂପର୍କରେ ଜନଜାତି ଉପଦେଷ୍ଟା ପରିଷଦକୁ ବୈଠକରେ ଅବଗତ କରାଯାଇଥିଲା। ସେଗୁଡ଼ିକ ହେଉଛି, ଯାଜପୁର ଜିଲ୍ଲାର ବିର୍‌ହୋର୍‌ ଓ ଜୁଆଙ୍ଗ ଉନ୍ନୟନ ସଂସ୍ଥା, ଢେଙ୍କାନାଳ ଜିଲ୍ଲାର ଜୁଆଙ୍ଗ ଉନ୍ନୟନ ସଂସ୍ଥା, ପ୍ରାଚୀନ ଜନଜାତି ବସବାସ କରୁଥିବା କେଉଁଝର ଜିଲ୍ଲାର ପାଉଡ଼ିଭୂୟାଁ ଉନ୍ନୟନ ସଂସ୍ଥା।

ପ୍ରାଚୀନ ଜନଜାତି ବସବାସ କରୁଥିବା ୧୧୩୮ ଗୋଟି ନୂତନ ଭାବେ ଚିହ୍ନଟ ହୋଇଥିବା ବସତିକୁ ପିଭିଟିଜି ଗ୍ରାମ ଭାବେ ଘୋଷଣା କରାଯାଇଛି। ୧୧୩୮ ଗୋଟି ଗ୍ରାମ ମଧ୍ୟରୁ ୮୮୮ଟି ଗ୍ରାମ ୧୫ଟି ଅଣୁପ୍ରକଳ୍ପରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଅଣୁପ୍ରକଳ୍ପ ଅଞ୍ଚଳ ବାହାରେ ରହିଥିବା ୨୫୦ ଗୋଟିି ଗ୍ରାମକୁ ପିଭିଟିଜି ଗ୍ରାମ ଭାବେ ଘୋଷଣା କରାଯାଇଅଛି ଏବଂ ତିନିଗୋଯି ଅଣୁପ୍ରକଳ୍ପ ପ୍ରତିଷ୍ଠା ହୋଇଛି।

ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାର ଲାଇକେରା ଓ କିରିମେରା ବ୍ଲକ୍‌କୁ ନେଇ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ((ITDA)) ଗଠନ କରାଯିବା ସଂପର୍କରେ ଆଜି ଟିଏସିକୁ ମଧ୍ୟ ଅବଗତ କରାଯାଇଥିଲା । ଅନୁସୂଚିତ ଜନଜାତି ତାଲିକାରେ ‘ମିର୍ଦ୍ଧାସ’ ସହ ‘ମିର୍ଦ୍ଧା’ଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ସୁପାରିଶ କରାଗଲା।

ଜନଜାତି ଉପଦେଷ୍ଟା ପରିଷଦ ରାଜ୍ୟରେ ବସବାସ କରୁଥିବା ଜନଜାତିଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ୧୯୫୬ରେ ରେଗୁଲେସନ୍‌ ୨ର ଧାରା ୩ର ଉପବିଭାଗ (୧)କୁ ନିମ୍ନମତେ ବଦଳାଇବା ନିମନ୍ତେ ପ୍ରସ୍ତାବକୁ ସୁପାରିଶ କରିଛନ୍ତି। ଅନୁସୂଚିତ ଅଞ୍ଚଳରେ କୃଷି, ଆବାସିକ ଗୃହ ନିର୍ମାଣ, ପିଲାମାନଙ୍କର ଉଚ୍ଚ ଅଧ୍ୟୟନ, ସ୍ୱନିଯୁକ୍ତି, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ସରକାରୀ ଆର୍ଥିକ ପ୍ରତିଷ୍ଠାନ ଦ୍ୱାରା ପ୍ରଦାନ କରାଯାଇଥିବା ଋଣ ନିମନ୍ତେ ବନ୍ଧକ କିମ୍ବା ଲିଜ୍‌ ଅଥବା ଅନୁସୂଚିତ ଜନଜାତିର ବ୍ୟକ୍ତିଙ୍କଠୁ ଅନୁସୂଚିତ ଜନଜାତିର ବ୍ୟକ୍ତିଙ୍କୁ ଅସ୍ଥାବର ସମ୍ପତ୍ତିର ହସ୍ତାନ୍ତରଣ ବ୍ୟତୀତ ଅନ୍ୟ ସମସ୍ତ ଅସ୍ଥାବର ସମ୍ପତ୍ତିର ହସ୍ତାନ୍ତର ଉପଜିଲ୍ଲାପାଳଙ୍କ ଲିଖିତ ଅନୁମତି ଦ୍ୱାରା ହିଁ ଆଇନସମ୍ମତ ହେବ।

ସର୍ତ୍ତ ଅନୁଯାୟୀ ଅନୁସୂଚିତ ଜନଜାତିର ସଦସ୍ୟ ସମ୍ପତ୍ତି ହସ୍ତାନ୍ତର କରିବେ ନାହିଁ ଯଦି ଏହିପରି ଜମି ହସ୍ତାନ୍ତର ପରେ ସେ ଭୂମିହୀନ କିମ୍ବା ଗୃହହୀନ ହୋଇଯାଆନ୍ତି। ଯଦି ଉପଜିଲ୍ଲାପାଳ ଅନୁମତି ଦେବାକୁ ମନା କରନ୍ତି, ତେବେ ଅସନ୍ତୁଷ୍ଟ ଥିବା ବ୍ୟକ୍ତି ଛଅ ମାସ ମଧ୍ୟରେ କଲେକଫରଙ୍କ ନିକଟରେ ଏକ ଆବେଦନ କରିପାରନ୍ତି ଯାହାର ନିଷ୍ପତ୍ତି ଚୂଡ଼ାନ୍ତ ହେବ।