Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କଲେ ନବ ଗଠିତ ମ୍ୟୁନିସିପାଲିଟି, ବିଜ୍ଞପିତ ଅଞ୍ଚଳ ପରିଷଦର ଜନସାଧାରଣ

ଭୁବନେଶ୍ବର: ଆଜି ରାଜ୍ୟର ୨ଟି ନବ ଗଠିତ ମ୍ୟୁନିସିପାଲିଟି, ୮ଟି ବିଜ୍ଞପିତ ଅଞ୍ଚଳ ପରିଷଦର ଜନସାଧାରଣ ଓ ୪ଟି ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ନବୀନ ନିବାସଠାରେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ପାଇଁ ସେମାନେ କୃତଜ୍ଞତା ପ୍ରକାଶ କରିଥିଲେ।

୫-ଟି ଅଧ୍ୟକ୍ଷ ସେମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଓଡିଶାର ବିକାଶ ପାଇଁ ଦିନରାତି କାମ କରୁଛନ୍ତି। ସମସ୍ତଙ୍କୁ ସେ ନିଜ ପରିବାରର ସଦସ୍ୟ ବୋଲି ଭାବନ୍ତି। ସମସ୍ତେ ମିଳି ମିଶି ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ନୂଆ ଓଡିଶା ଗଠନ ପାଇଁ କାମ କରିବାକୁ ସେ ପରାମର୍ଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ ଗତ ୨୪ ତାରିଖରେ ରାଜ୍ୟରେ ୩୫ଟି ନୂଆ ବିଜ୍ଞପିତ ଅଞ୍ଚଳ ପରିଷଦ ଓ ୩ଟି ବିଜ୍ଞପିତ ଅଞ୍ଚଳ ପରିଷଦକୁ ମ୍ୟୁନିସିପାଲିଟି ଭାବେ ଉନ୍ନୀତ କରିଥିଲେ ମୁଖ୍ୟମନ୍ତ୍ରୀ। ଆଜି ନବଗଠିତ ବିଭିନ୍ନ ବିଜ୍ଞପିତ ଅଞ୍ଚଳ ପରିଷଦ ଓ ମ୍ୟୁନିସିପାଲିଟିର ଜନସାଧାରଣ ନବୀନ ନିବାସଠାରେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷଙ୍କୁ ଭେଟି ଧନ୍ୟବାଦ ଓ କୃତଜ୍ଞତା ପ୍ରକାଶ କରିଥିଲେ। ସେମାନଙ୍କ ସହିତ କୃଷକସାଥୀ ସଂଘ, ଓମଫେଡ ରିଟେଲର ସଂଘ, ନିଖିଳ ଓଡିଶା ଲେଫ୍ଟ ଆଉଟ ଗଣ ଶିକ୍ଷକ ମହାସଂଘ ଏବଂ ଓଡିଶା ପ୍ରଦେଶ ଲକ୍ଷେ ଘର ଦଳିତ ଜାତି ସମାଜ ମହାସଂଘର କର୍ମକର୍ତ୍ତାମାନେ ମଧ୍ୟ ୫-ଟି ଅଧ୍ୟକ୍ଷଙ୍କୁ ଭେଟି କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ ଯେ, ନବ ଗଠିତ ବୌଦ୍ଧଗଡ ମ୍ୟୁନିସିପାଲିଟି, କରଞ୍ଜିଆ ମ୍ୟୁନିସିପାଲିଟି, ବେତନଟି, ପାଣିକୋଇଲି, ଜାରକା, ବସ୍ତା, ସିମୁଳିଆ, କଣ୍ଟାମାଳ, ଶେରଗଡ ଓ ରାଇକିଆ ବିଜ୍ଞପିତ ଅଞ୍ଚଳ ପରିଷଦର ଜନସାଧାରଣଙ୍କ ସହିତ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବିଧାୟକ ଅଶୋକ କୁମାର ବଳ, ବିଧାୟକ ପ୍ରଣବ ବଳବନ୍ତରାୟ, ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଧାୟକ ମହିଧର ରଣା ପୂର୍ବତନ ଏମପି ରବିନ୍ଦ୍ର ଜେନା .ବିହନ ନିଗମ ଅଧ୍ୟକ୍ଷ ବିଜଯ ନାୟକ ଏବଂ ଅନ୍ୟ ନେତୃବୃନ୍ଦ ଆଜି ନବୀନ ନିବାସଠାରେ ୫-ଟି ଅଧ୍ୟକ୍ଷଙ୍କୁ ଭେଟିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପଛୁଆବର୍ଗ ଜନଗଣନା ପରେ ପୌର ନିର୍ବାଚନ କରିବା ଦାବିରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର: ୨୦୧୮ ମସିହାରେ ହେବାକୁ ଥିବା ୧୦୭ ମ୍ୟୁନିସିପାଲିଟି ଓ ଏନ୍‌.ଏ.ସି. ଓ ୩ଟି ମ୍ୟୁନିିିସିପାଲ କର୍ପୋରେସନର ୧୭୫୬ଟି ୱାର୍ଡ଼ର ନିର୍ବାଚନ କରିବା ପାଇଁ ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବା ସହିତ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ୪ ବର୍ଷ ପରେ ଏହି ନିର୍ବାଚନ ଅନୁଷ୍ଠିତ ହେବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।

ପଞ୍ଚାୟତ ନିର୍ବାଚନ ଭଳି ପଛୁଆବର୍ଗ ଜନଗଣନା ହୋଇନଥିବା ଯୋଗୁଁ ରାଜ୍ୟର ୫୨ଭାଗ ଓବିସି ୧୭୫୬ଟି ୱାର୍ଡ଼ ମଧ୍ୟରୁ ୪୭୪ଟି ୱାର୍ଡ଼ କାଉନ୍‌ସିଲାର ପଦବୀ ହରାଇବେ ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରି ଏହାର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଏକ ୩ ଜଣିଆ ପ୍ରତିନିଧି ଦଳ ଆଜି ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଏହି ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ରାଜ୍ୟର ନଗର ଉନ୍ନୟନ ବିଭାଗର ବିକାଶ ପ୍ରକ୍ରିୟାରୁ ୫୨ ଭାଗ ପଛୁଆବର୍ଗ ବାଦ ପଡ଼ିବାକୁ ଯାଉଛନ୍ତି। ୨୦୧୮ ମସିହାର ନିର୍ବାଚନ ୪ ବର୍ଷ ପରେ ୨୦୨୨ ଏପ୍ରିଲ ମାସରେ ଅନୁଷ୍ଠିତ ହେବ। ଏହାକୁ ଆଉ ୬ ମାସ ଘୁଞ୍ଚାଇ ଦିଆଯାଇ ପଛୁଆବର୍ଗ ଜନଗଣନା ସମ୍ପୂର୍ଣ୍ଣ କରିବା ପରେ ଏହିସବୁ ମ୍ୟୁନିସିପାଲିଟି ଓ ଏନ୍‌.ଏ.ସି. ଓ ମ୍ୟୁନିିିସିପାଲ କର୍ପୋରେସନର ନିର୍ବାଚନ କରାଇଲେ ରଜ୍ୟର ପଛୁଆବର୍ଗ ତାଙ୍କର ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇପାରନ୍ତେ। ଏହାକୁ ଆଖି ଆଗରେ ରଖି ମାନ୍ୟବର ରାଜ୍ୟପାଳ ମୁଖ୍ୟ ଶାସନ ସଚିବଙ୍କୁ ଡ଼ାକି ଏ ଦିଗରେ ଦୃଢ ପଦକ୍ଷେପ ନେବାକୁ ଏହି ପ୍ରତିନିଧି ଦଳ ଦାବି କରିଛନ୍ତି।

ଏଠାରେ ଉଲ୍ଲେଖଥାଉକି, ରାଜ୍ୟରେ ପଛୁଆବର୍ଗ ଜନଗଣନା ହୋଇନଥିବା ଯୋଗୁଁ ମାନ୍ୟବର ସୁପ୍ରିମକୋର୍ଟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗଙ୍କର ପ୍ରତିନିଧିତ୍ୱ ଦିଗରେ ପ୍ରତବନ୍ଧକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୁନଶ୍ଚ ମ୍ୟୁନିସିପାଲିଟି ନିର୍ବାଚନରେ ମଧ୍ୟ ଏହି ବର୍ଗ କ୍ଷତିଗ୍ରସ୍ତ ହେବାକୁ ଯାଉଛନ୍ତି। ତେଣୁ ୬ମାସ ନିର୍ବାଚନକୁ ଘୁଞ୍ଚାଇ ରାଜ୍ୟରେ ପଛୁଆବର୍ଗ ଜନଗଣନା କରିସାରିଲା ପରେ ମ୍ୟୁନିସିପାଲିଟି ଓ ଏନ୍‌.ଏ.ସି. ନିର୍ବାଚନ କରିବାକୁ ଏହି ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳଙ୍କୁ ସ୍ମାରକପତ୍ର ଜରିଆରେ ନିବେଦନ କରିଛନ୍ତି। ରାଜ୍ୟର ପଛୁଆବର୍ଗ କମିଶନ ପକ୍ଷରୁ ଗତ ୨୦୨୧ ମସିହା ମେ ମାସ ୧ ତାରିଖରୁ ଜୁନ୍ ୧୫ ତାରିଖ ମଧ୍ୟରେ ପଛୁଆବର୍ଗ ଜନଗଣନା କରିବା ପାଇଁ ପଦକ୍ଷେପ ନିଆଯାଇଥିଲା। କିନ୍ତୁ ସେହି ସମୟରେ କରୋନା ସଂକ୍ରମଣ ଶୀର୍ଷରେ ଥିବା ଯୋଗୁଁ ରାଜ୍ୟ ସରକାର ଘର ଘର ବୁଲି ପଛୁଆବର୍ଗ ଜନଗଣନାକୁ ବନ୍ଦ ରଖିଥିଲେ।

ଆଜି ଯେତେବେଳେ ସ୍କୁଲ୍‌, କଲେଜ ଖୋଲୁଛି, ବାଣିଜ୍ୟ ବ୍ୟବସାୟ ଓ ଜୀବନ ଜୀବିକା ସ୍ୱାଭାବିକ ହେବାରେ ଲାଗିଛି, ସେହି ସମୟରେ ପଛୁଆବର୍ଗ ଜନଗଣନା କରାଗଲେ କୌଣସି ଅସୁବିଧା ନାହିଁ। ତେଣୁ ରାଜ୍ୟ ସରକାର ଏ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଏହି ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି। ସମ୍ବିଧାନର ସଂରକ୍ଷକ ଓ ନାଗରିକ ଅଧିକାରର ମଙ୍ଗୁଆଳ ଭାବରେ ମାନ୍ୟବର ରାଜ୍ୟପାଳ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ଏ ଦିଗରେ ପଦକ୍ଷେପ ନେବା ପାଇଁ ପ୍ରତିନିଧି ଦଳ ଦାବି କରିଛନ୍ତି।

ରାଜ୍ୟପାଳ ପ୍ରତିନିଧି ଦଳର ସ୍ମାରକ ପତ୍ର ପାଇଲା ପରେ ଏ ବିଷୟରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିନିଧି ଦଳଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିନିଧି ଦଳରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ଓ ଯୁବ ଜନସଭାର ଜାତୀୟ ସମ୍ପାଦକ ସୁନିଲ ମିଶ୍ର ପ୍ରମୁଖ ସାମିଲ୍ ହୋଇ ମାନ୍ୟବର ରାଜ୍ୟପାଳଙ୍କୁ ସାକ୍ଷାତ୍ କରି ସ୍ମାରକପତ୍ର ପ୍ରଦାନ କରିଥିଲେ।