Categories
ଆଜିର ଖବର

ବିଜୟ ମଶାଲକୁ ସମ୍ମାନ ଜଣାଇ ଗୋପାଳପୁର ସାମରିକ ଷ୍ଟେସନ ଠାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ

ଗୋପାଳପୁର: ୧୯୭୧ ଯୁଦ୍ଧରେ ପାକିସ୍ତାନ ବିପକ୍ଷରେ ଭାରତର ଐତିହାସିକ ବିଜୟକୁ ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳନ କରାଯାଉଛି। ଏହି ଉପଲକ୍ଷେ ସାରା ଦେଶରେ ପରିକ୍ରମା କରୁଥିବା ସ୍ବର୍ଣ୍ଣିମ ବିଜୟ ମଶାଲ ବର୍ତ୍ତମାନ ଗୋପାଳପୁରସ୍ଥିତ ଭାରତୀୟ  ସେନା ଷ୍ଟେସନରେ ରହିଛି। ୧୯୭୧ ଯୁଦ୍ଧରେ ଅଦମ୍ୟ ସାହସ ଓ ଦେଶପ୍ରେମର ପ୍ରଦର୍ଶନ କରିଥିବା ସେନାବାହିନୀର ଯବାନମାନଙ୍କ ସ୍ମୃତିରେ ତଥା ବିଜୟ ମଶାଲକୁ ସମ୍ମାନ ଜଣାଇ ଆଜି ମିଲିଟାରୀ ଷ୍ଟେସନ ଠାରେ ଏକ ‘ରନ୍ ଫର ଫନ – ଭିକ୍ଟରୀ ରନ୍’ ଆୟୋଜନ କରାଯାଇଥିଲା। ଗୋପାଳପୁର ସେନା ଷ୍ଟେସନର ବାୟୁ ପ୍ରତିରକ୍ଷା ବେଳାଭୂମିର ସୁଦୃଶ୍ୟ ପ୍ରାଙ୍ଗଣରେ ଏହି ବିଜୟ ଦୌଡ଼କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୧୯୭୧ ଯୁଦ୍ଧରେ ଭାଗ ନେଇଥିବା ପୂର୍ବତନ ସେନା ଯବାନ ଏବଂ ତାଙ୍କର ପରିବାରବର୍ଗ ସାମିଲ ହୋଇଥିଲେ। ଏକବର୍ଷ ବ୍ୟାପୀ ପାଳନ କରାଯାଉଥିବା ସ୍ବର୍ଣ୍ଣିମ ବିଜୟ ବର୍ଷ ସମ୍ପର୍କରେ ଜନସାଧାରଣଙ୍କୁ ସାମିଲ କରିବା ଲାଗି କାର୍ଯ୍ୟକ୍ରମରେ ସଚେତନତା ସୃଷ୍ଟି କରାଯାଇଥିଲା।

ବିଜୟ ମଶାଲର ସମ୍ମାନରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ବ୍ରହ୍ମପୁରସ୍ଥିତ ପୁଲିସ ଗ୍ରାଉଣ୍ଡରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରାଜ୍ୟ ପୁଲିସ ପକ୍ଷରୁ ବିଜୟ ମଶାଲକୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ଏହାଛଡ଼ା ସ୍କୁଲ ଛାତ୍ରଛାତ୍ରୀମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ। ସ୍ଥଳସେନା ବାୟୁ ପ୍ରତିରକ୍ଷା କେନ୍ଦ୍ରର ସାମରିକ ସାଂସ୍କୃତିକ ଦଳ ଦେଶାତ୍ମବୋଧ ସଙ୍ଗୀତ ଧ୍ବନି ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ଗୋପାଳପୁର ସାମରିକ ଷ୍ଟେସନର କମାଣ୍ଡର ବ୍ରିଗେଡିୟର ସୁମିତ ମାଥୁର, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ମହାନଗର ନିଗମ କମିଶନର ଶିଦ୍ଧେଶ୍ବର ବଳିରାମ ବୋନ୍ଦାରଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ। ସେନାବାହିନୀର ବରିଷ୍ଠ ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ସମରଶିକ୍ଷାର୍ଥୀ ବାହିନୀର ଛାତ୍ରଛାତ୍ରୀ ବିପୁଳ ଉତ୍ସାହ, ଉଦ୍ଦୀପନା ଓ ରାଷ୍ଟ୍ରଭକ୍ତି ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।