Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଏଣିକି ଚାଉଳ,ଗହମ,ଆଖୁ ଆଦିରୁ ଉତ୍ପାଦନ ହେବ ପେଟ୍ରୋଲରେ ମିଶିବାକୁ ଥିବା ଇଥାନଲ ଇନ୍ଧନ

ନୂଆଦିଲ୍ଲୀ, ଚାଷୀମାନଙ୍କ ପାଇଁ ଏକ ଖୁସି ଖବର। କାରଣ ବର୍ତ୍ତମାନ ଚାଉଳ, ଗହମ, ଯବ, ବାଜରା, ଜୱାର, ବିଭିନ୍ନ ଶସ୍ୟ, ଆଖୁ ଆଦିରୁ ଇଥାନଲ ଉତ୍ପାଦନ କରାଯିବ। ଏ ନେଇ କ୍ୟାବିନେଟର ମଂଜୁରୀ ମିଳିଛି। ଫଳରେ ଏହା ଚାଷୀଙ୍କ ଆୟ ବଢାଇବାରେ ବେଶ୍ ସସହାୟକ ହେବ ବୋଲି ଆଶା କରାଯାଉଛି।

୨୦୨୨ ସୁଦ୍ଧା ପେଟ୍ରୋଲରେ ୧୦ ଶତାଂଶ ଇନ୍ଧନଯୋଗ୍ୟ ଇଥାନଲ ମିଶାଇବାକୁ ସରକାର ଲକ୍ଷ୍ୟଧାର‌୍ୟ୍ୟ କରିଛନ୍ତି । ସେହିଭଳି ଏହି ଅନୁପାତକୁ ୨୦୨୬ ସୁଦ୍ଧା ୧୫ ଶତାଂଶ ଏବଂ ୨୦୩୦ ସୁଦ୍ଧା ୨୦ ଶତାଂଶକୁ ବଢାଇବାକୁ ଲକ୍ଷ୍ୟ ରଖାଯାଇଛି । ଚିନିଶିଳ୍ପକୁ ସମର୍ଥନ ଦେବା ସହ ଆଖୁଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାର ମଧ୍ୟ ଗୁଡ, ଦୋରୁଅ, ପାଣିଆଗୁଡ ଏବଂ ଚିନିରୁ ଇଥାନଲ ଉତ୍ପାଦନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଏହିସବୁ ଉତ୍ପାଦିତ ଇଥାନଲର ଲାଭଜନକ ବିକ୍ରୟ ମୂଲ୍ୟ ମଧ୍ୟ ସରକାର ଧାର‌୍ୟ୍ୟ କରିଛନ୍ତି । ଇଥାନଲ ଯୋଗାଣ ପାଇଁ ମଧ୍ୟ ସରକାର ଏକ ନୀତି ପ୍ରସ୍ତୁତ କରିଛନ୍ତି।

ଚଳିତ ଋତୁରେ ଇଥାନଲର ସହାୟକ ମୂଲ୍ୟକୁ ବୃଦ୍ଧି କରାଯାଇଛି। ଉତ୍ତମ ଇନ୍ଧନ ମାନର ଅଧିକ ଇଥାନଲ ଉତ୍ପାଦନ ପାଇଁ ସରକାର ବିଭିନ୍ନ ଡିଷ୍ଟିଲାରୀକୁ ଏଫ୍‍ସିଆଇରେ ବଳକା ଥିବା ମକା ଓ ଚାଉଳକୁ ନେଇ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି । ଏଥିପାଇଁ ମଧ୍ୟ ଇଥାନଲର ଲାଭଜନକ ମୂଲ୍ୟ ଘୋଷଣା କରାଯାଇଛି । ସରକାର ୨୦୩୦ ସୁଦ୍ଧା ପେଟ୍ରୋଲରେ ୨୦ ଶତାଂଶ ଇଥାନଲ ମିଶାଇବାକୁ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାର ୫ ବର୍ଷ ପୂର୍ବରୁ ଏହି ଲକ୍ଷ୍ୟ ହାସଲ କରିବାକୁ ଯୋଜନା କରୁଛନ୍ତି।

ତେବେ ଏବେ ଏହି ଲକ୍ଷ୍ୟ ପୂରଣ ପାଇଁ ଦେଶରେ ଯଥେଷ୍ଟ ଇଥାନଲ ଦକ୍ଷତା ନାହିଁ । ଏହି ଉତ୍ପାଦନ ଦକ୍ଷତା ବଢାଇବାକୁ ସରକାର ଉଦ୍ୟମ କରୁଛନ୍ତି। ସେହିଭଳି ଉତ୍ପାଦିତ ଇଥାନଲକୁ ଦେଶର ବିଭିନ୍ନ ତୈଳ କଂପାନୀ ସରକାରୀ ନୀତିନିୟମରେ ଉତ୍ପାଦକଙ୍କଠାରୁ କିଣୁଛନ୍ତି ।

କେବଳ ଅଧିକ ଇଥାନଲ ଉତ୍ପାଦନ କରିଦେଲେ ଯଥେଷ୍ଟ ନୁହେଁ । ପେଟ୍ରୋଲରେ ମିଶିବା ପାଇଁ ଯେଉଁ ମାନର ଇଥାନଲ ଦରକାର ତାହାର ଉତ୍ପାଦନ ଉପରେ ଗୁରୁତ୍ୱ ଦେବାକୁ ପଡିବ। ଆଖୁରୁ କେବଳ ଏହା ସମ୍ଭବ ନୁହେଁ । ଏଥିପାଇଁ ପ୍ରଥମ ପିଢି ବା ୧ଜି ଇଥାନଲର ଆବଶ୍ୟକତା ରହିଛି । କନ୍ଦମୂଳ ଜାତୀୟ ପଦାର୍ଥ, ବିଭିନ୍ନ ପ୍ରକାର ଶସ୍ୟରୁ ମଧ୍ୟ ଏହା ଉତ୍ପାଦିତ ହୋଇପାରିବ । ତାହାକୁ ଦୃଷ୍ଟିରେ ରଖି ଧାନଚାଉଳ, ଗହମ, ଜବ, ବିଭିନ୍ନ ପ୍ରକାର ଶସ୍ୟ ଓ ବାଜରା ଜୱାର ଆଦି ସହିତ ଆଖୁ ଓ କନ୍ଦମୂଳ ଜାତୀୟ ଫସଲ ଉତ୍ପାଦନକୁ ବଢାଇବାକୁ ହେବ ।

ଏଥିପାଇଁ ସରକାର ଯେଉଁ ନିଷ୍ପତ୍ତିମାନ ଗ୍ରହଣ କରିଛନ୍ତି ତାହା ହେଲା

(୧) ଇଥାନଲ ଉତ୍ପାଦନ ଦକ୍ଷତା ବୃଦ୍ଧି ପାଇଁ ସରକାର ନିମ୍ନଲିଖିତ ବର୍ଗ ଓ ଶ୍ରେଣୀକୁ ସୁଧ ରିଆତି ପ୍ରଦାନ କରିବାକୁ ସଂଶୋଧିତ ବ୍ୟବସ୍ଥାରେ ସୁବିଧା ଯୋଗାଇ ଦେଇଛନ୍ତି ।

(କ) ଶସ୍ୟଭିତ୍ତିକ ଡିଷ୍ଟିଲାରୀ ସ୍ଥାପନ ଓ ଏହିଭଳି ସୁରାସାର ଉତ୍ପାଦନ କାରଖାନାର ସଂପ୍ରସାରଣ ପାଇଁ ଋଣ ଉପରେ ସୁଧ ରିଆତି ମିଳିବ। ତେବେ ଯେଉଁ ଡିଷ୍ଟିଲାରୀଗୁଡିକ ଡ୍ରାଏ ମିଲିଂ ପ୍ରକ୍ରିୟାରେ ଇଥାନଲ ଉତ୍ପାଦନ କରୁଛନ୍ତି ସେମାନେ କେବଳ ଏହି ସୁଧ ରିଆତି ସୁବିଧା ପାଇବେ।

(ଖ) ମୋଲାସେସଭିତ୍ତିକ ନୂଆ ଡିଷ୍ଟିଲାରୀ ସ୍ଥାପନ ବା ପୁରୁଣା ଡିଷ୍ଟିଲାରୀର ସଂପ୍ରସାରଣ ପାଇଁ ଏହି ଋଣଛାଡ ସୁବିଧା ମିଳିବ । କେନ୍ଦ୍ର ପରିବେଶ ନିୟନ୍ତ୍ରଣ ବୋର୍ଡର ନୀତିନିୟମ ଭିତ୍ତିରେ ଯେଉଁସବୁ ଉଦ୍ୟୋଗ ଏହି ଇଥାନଲ ଉତ୍ପାଦନ କରୁଛନ୍ତି ସେମାନେ ମଧ୍ୟ ଏହି ସୁବିଧା ପାଇପାରିବେ।

(ଗ) ନୂଆ ଡୁଆଲଫିଡ୍‍ ଡିଷ୍ଟିଲାରୀ ସ୍ଥାପନ ବା ଏଭଳି ଡିଷ୍ଟିଲାରୀର ସଂପ୍ରସାରଣ ପାଇଁ ସୁବିଧା ମିଳିବ ।

(ଘ) ବର୍ତ୍ତମାନର ମୋଲାସେସ୍‍ ଭିତ୍ତିକ ଡିଷ୍ଟିଲାରୀର ପରିବର୍ତ୍ତନ କରି ଏହାକୁ ଡୁଆଲ ଫିଡ୍‍ରେ ପରିଣତ କରିବା ପାଇଁ ମଧ୍ୟ ଏହି ସରକାରୀ ସୁବିଧା ଯୋଗାଣ ପ୍ରଯୁଜ୍ୟ ହେବ। ଡୁଆଲ ଫିଡ୍‍ର ଅର୍ଥ ହେଲା ଉଭୟ ମୋଲାସେସ ଓ ଶସ୍ୟକୁ ବ୍ୟବହାର କରି ସେଥିରୁ ଇଥାନଲ ଉତ୍ପାଦନ କରିବା ।

(ଙ) ଜୱାର, ବାଜରା, ସୁଗାରବିଟ୍‍ ଓ ଅନ୍ୟାନ୍ୟ ଶସ୍ୟକୁ ବ୍ୟବହାର କରି ନୂଆ ଡିଷ୍ଟିଲାରୀ ସ୍ଥାପନ ପାଇଁ ମଧ୍ୟ ଏହି ରିଆତି ବ୍ୟବସ୍ଥା ମିଳିବ। ଏହାଛଡା ଯେଉଁ ଡିଷ୍ଟିଲାରୀ ଏମ୍‍ଏସ୍‍ଡିଏଚ୍‍ ବ୍ୟବହାର କରି ରେକ୍ଟିଫାଏଡ ସ୍ପିରିଟକୁ ଇଥାନଲରେ ପରିବର୍ତ୍ତନ କରିବାକୁ ଚାହିଁବେ ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ସୁଧଛାଡ ମିଳିବ।

(୨) ସରକାର ଏ କ୍ଷେତ୍ରରେ ଋଣଛାଡ ଜନିତ ଖର୍ଚ୍ଚ ୫ବର୍ଷ ପର‌୍ୟ୍ୟନ୍ତ ବହନ କରିବେ । ସେହିଭଳି ଋଣଗ୍ରହୀତାଙ୍କ ପାଇଁ ୧ ବର୍ଷର ସ୍ଥଗନାଦେଶ ସୁବିଧା ରହିଛି; ଯଦ୍ଦ୍ୱାରା ସେମାନଙ୍କୁ ତତ୍କାଳ ଋଣ ଶୁଝିବାକୁ ପଡିବ ନାହିଁ।

(୩) ଯେଉଁସବୁ ଉଦ୍ୟୋଗ ବା ସଂସ୍ଥା ଅତିରିକ୍ତ ଡିଷ୍ଟିଲେସନ ଦକ୍ଷତାର ଉପଯୋଗ କରି ୭୫ ଶତାଂଶ ଇଥାନଲ ଉତ୍ପାଦନ କରୁଥିବେ କେବଳ ସେହି ସଂସ୍ଥାମାନେ ଋଣଛାଡ ସୁବିଧା ପାଇବେ।

ସରକାରଙ୍କ ଏହିସବୁ ପ୍ରୋତ୍ସାହନ ଫଳରେ ଦେଶରେ ୧ଜି ଇଥାନଲ ଉତ୍ପାଦନ ପରିମାଣ ବଢିବ ଏବଂ ସରକାର ଧାର‌୍ୟ୍ୟମତେ ପେଟ୍ରୋଲରେ ଇଥାନଲ ମିଶ୍ରଣ କାର‌୍ୟ୍ୟ ସୁରୁଖୁରୁରେ ସଂପନ୍ନ କରିପାରିବେ। ଏହାଦ୍ୱାରା ମଧ୍ୟ ଦେଶରେ ନିଜସ୍ୱ ଉତ୍ସରୁ ଇଥାନଲ ସଂଗୃହୀତ ହୋଇପାରିବ; ଯାହା ଏକ ଇନ୍ଧନ ହିସାବରେ ପ୍ରଦୂଷଣମୁକ୍ତ ଏବଂ ବାସ୍ତବରେ ଅସରନ୍ତି। ଏହାଦ୍ୱାରା ଆମ ପରିବେଶ ଉପରେ ଅନୁକୂଳ ପ୍ରଭାବ ପଡିବ ଏବଂ ସର୍ବୋପରି ଦେଶ ତୈଳ ଆମଦାନୀ ନିମନ୍ତେ ଯେଉଁ ବିପୁଳ ଅର୍ଥ ବ୍ୟୟ କରୁଛି ତାହା ହ୍ରାସ ପାଇବ। ଆହୁରି ମଧ୍ୟ ଏହାଦ୍ୱାରା ଚାଷୀମାନେ ଠିକ୍‍ ସମୟରେ ସେମାନଙ୍କର ପ୍ରାପ୍ୟ ପାଇବେ।

୬ ବର୍ଷ ମଧ୍ୟରେ ଡିଷ୍ଟିଲେସନ କ୍ଷମତା ବୃଦ୍ଧି ଓ ବ୍ଳେଣ୍ଡିଂରେ ସରକାରଙ୍କ ଉପଲବ୍‍ଧି

୨୦୨୨ ସୁଦ୍ଧା ସରକାର ମୋଟର ଇନ୍ଧନରେ ୧୦ ଶତାଂଶ ଇଥାନଲ ମିଶାଇବାକୁ ଲକ୍ଷ୍ୟ ରଖିଛନ୍ତି। ୨୦୩୦ ସୁଦ୍ଧା ଏହାକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ରହିଛି । ୨୦୧୪ ପର‌୍ୟ୍ୟନ୍ତ ଦେଶରେ ମୋଲାସେସଭିତ୍ତିକ ଇଥାନଲ ଡିଷ୍ଟିଲେସନ କ୍ଷମତା ୨୦୦ କୋଟି ଲିଟରରୁ କମ୍‍ ଥିଲା। ତେବେ ଗତ ୬ ବର୍ଷ ମଧ୍ୟରେ ଏହିସବୁ ଡିଷ୍ଟିଲେସନର କ୍ଷମତା ଦ୍ୱିଗୁଣିତ ହୋଇ ବାର୍ଷିକ ୪୨୬ କୋଟି ଲିଟରରେ ପହଞ୍ଚିଛି। ୨୦୨୪ ସୁଦ୍ଧା ଦେଶରେ ଡିଷ୍ଟିଲେସନ ଦକ୍ଷତାକୁ ଦ୍ୱିଗୁଣିତ କରିବା ପାଇଁ ସରକାର ସମ୍ମିଳିତ ଉଦ୍ୟମ ଆରମ୍ଭ କରିଛନ୍ତି।

୨୦୧୩-୧୪ ଇଥାନଲ ଯୋଗାଣ ବର୍ଷରେ ଦେଶର ତୈଳ ବିପଣନକାରୀ କଂପାନୀଗୁଡିକୁ ୪୦ କୋଟି ଲିଟରରୁ କମ୍‍ ଇଥାନଲ ଯୋଗାଇ ଦିଆଯାଇଥିଲା। ଏହି ଇଥାନଲକୁ ୧.୫୩ ଶତାଂଶ ହାରରେ ପେଟ୍ରୋଲ ସହ ମିଶାଯାଉଥିଲା। ତେବେ ସେ ଯାହାହେଉ, କେନ୍ଦ୍ର ସରକାରଙ୍କ ସମନ୍ୱିତ ଉଦ୍ୟମ ଫଳରେ ଦେଶରେ ଉତ୍ତମ ଇନ୍ଧନମାନର ଇଥାନଲ ବୃଦ୍ଧି ପାଇଛି ଏବଂ ତୈଳ କଂପାନୀଗୁଡିକୁ ଏହାର ଯୋଗାଣ ଗତ ୬ ବର୍ଷ ମଧ୍ୟରେ ୪ ଗୁଣ ବଢିଛି। ୨୦୧୮-୧୯ ଯୋଗାଣ ବର୍ଷରେ ୧୮୯ କୋଟି ଲିଟର ଇଥାନଲ ଯୋଗାଇ ଦିଆଯାଇ ୫ ଶତାଂଶ ବ୍ଳେଣ୍ଡିଂ କରାଯାଇଥିଲା।