Categories
ଆଜିର ଖବର ଜାତୀୟ ଖବର

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଉଛି- ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଉଛି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ୍‌. ସିନ୍ଧିଆ କହିଛନ୍ତି । ଯାତ୍ରୀଙ୍କ ସୁରକ୍ଷା ପାଇଁ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (ବିସିଏଏସ୍) ସମସ୍ତ ବିମାନବନ୍ଦରରେ ସତର୍କତା ଅବଲମ୍ବନ କରୁଥିବା ବେଳେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଡିଜିସିଏ ବେସାମରିକ ବିମାନ ଚଳାଚଳ ଆବଶ୍ୟକତା (ସିଏଆର) ଜାରି କରିଥିବା ସେ ସୂଚନା ଦେଇଛନ୍ତି ।

କୌଣସି ଯାତ୍ରୀଙ୍କ ସହ ଜଡ଼ିତ ଘଟଣାରେ ନିୟମରୁ ବିଚ୍ୟୁତି ସମ୍ପର୍କରେ ମନ୍ତ୍ରଣାଳୟକୁ କୌଣସି ସୂଚନା ମିଳିବା ମାତ୍ରେ ସମ୍ପୃକ୍ତ ଏୟାରଲାଇନ୍ସ କିମ୍ବା ବିମାନବନ୍ଦରକୁ ଏହାର ଜବାବ ତଲବ କରାଯାଇଥାଏ । ଯଦି ବିମାନ ବନ୍ଦର କିମ୍ବା ଏୟାରଲାଇନ୍ସ ଦ୍ୱାରା କୌଣସି ଭୁଲ ରହିଥିବା ପ୍ରମାଣିତ ହୁଏ, ତେବେ ମନ୍ତ୍ରଣାଳୟ ସେମାନଙ୍କ ବିରୋଧରେ ଜରିମାନା ଲାଗୁ କରାଯାଏ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି ।

ଗତକାଲି ରାଜ୍ୟସଭାରେ ପଚରାଯାଇଥିବା ଏକ ତାରକା ପ୍ରଶ୍ନର ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସିନ୍ଧିଆ ଏହା କହିଛନ୍ତି । ସେ ଆହୁରି ସୂଚନା ଦେଇଛନ୍ତି ଯେ, ସ୍ୱାଧୀନତା ପରେ ୬୫ ବର୍ଷ ପର୍ଯ୍ୟନ୍ତ ଦେଶରେ ମାତ୍ର ୭୪ଟି ବିମାନ ବନ୍ଦର କାର୍ଯ୍ୟକ୍ଷମ ରହିଥିଲା, କିନ୍ତୁ ଏବେ ୧୪୯ଟି ବିମାନବନ୍ଦର/ହେଲିପୋର୍ଟ/ୱାଟର ଏରୋଡ୍ରମ୍ କାର୍ଯ୍ୟକ୍ଷମ ରହିଛି ।  ଉଡ଼ାନ ଯୋଜନା ପାଇଁ ପ୍ରଦାନ କରାଯାଇଥିବା ଭୟାବିଲିଟି ଗ୍ୟାପ୍ ପାଣ୍ଠି ୧.୩ କୋଟି ଲୋକଙ୍କୁ ବିମାନରେ ଯାତ୍ରା କରିବାରେ ସାହାଯ୍ୟ କରିଛି। ୨୦୩୦ ସୁଦ୍ଧା ଭାରତରେ ୪୨ କୋଟି ଲୋକ ବିମାନରେ ଯାତ୍ରା କରିବେ ବୋଲି ଆଶା କରାଯାଉଛି ଏବଂ ଏଥିପାଇଁ ସମସ୍ତ ସୁବିଧା ଯୋଗାଇ ଦେବାକୁ କେନ୍ଦ୍ର ସରକାର ପ୍ରୟାସ କରୁଥିବା ସେ କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ କଠୋର ହେଲା ଜିଲ୍ଲା ପ୍ରଶାସନ: ନିଆଗଲା ଏଭଳି ନିଷ୍ପତ୍ତି

ସୀତାରାମ ଅଗ୍ରୱାଲ

ଚିଲିକା: ଅତିଥି ଦେବୋ ଭବ। ପ୍ରତି ମୁହୂର୍ତ୍ତରେ ଚିଲିକା ହ୍ରଦକୁ ଆଗତ ପର୍ଯ୍ୟଟକଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଦେବା ସହ ନୌଯାତ୍ରାରେ ସୁରକ୍ଷା ଯୋଗାଇଦେବାକୁ ପ୍ରଶାସନ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ସହିତ ବୋଟ ଆସୋସିଏସନ ତତ୍ପର ହୋଇଥିବା ଦେଖିବାକୁ ମିଳୁଛି। ଏହିପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୂର୍ବାହ୍ନରେ ଚିଲିକା ହ୍ରଦରେ ଯାତ୍ରୀ ସୁରକ୍ଷା ଓ କୋଭିଡ ସଚେତନତା ନେଇ ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଚିଲିକା ତହସିଲଦାର ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ଆଇଏନଏସ ଚିଲିକା ଲିଉଟନାଣ୍ଟ କମାଣ୍ଡର ଶିବନାରାୟଣ ସିଂ, ବାଲୁଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋପୀନାଥ ସ୍ୱାଇଁଙ୍କ ସମେତ ବିଭିନ୍ନ ପ୍ରାଇଭେଟ ମୋଟର ବୋଟ ଆସୋସିଏସନର ସଭାପତି ଓ ସମ୍ପାଦକ, ମତ୍ସ୍ୟଜୀବୀ ସଙ୍ଘର ସଭାପତି, ଅଗ୍ନିଶମ ବିଭାଗ, ଜଳପଥ ପରିବହନ ବିଭାଗ, ମତ୍ସ୍ୟ ବିଭାଗ, ରାଜସ୍ୱ ବିଭାଗ, ବନ୍ୟ ବିଭାଗ, ଶାନ୍ତି କମିଟି ସଦସ୍ୟ, ବ୍ୟବସାୟିକ ସଂଘ, ଗଣମାଧ୍ୟମ ପ୍ରତିନିଧିଗଣ, ନାଭାଲ ଫାଣ୍ଡି ଅଧିକାରୀ, ନାଚୁଣି ଥାନା ଅଧିକାରୀ, ବାଲୁଗାଁ ଅତିରିକ୍ତ ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଦୀର୍ଘ ସମୟ ଧରି ଆଲୋଚନାରେ ଯାତ୍ରୀ ସୁରକ୍ଷା ପାଇଁ ଲାଇଫ ଜ୍ୟାକେଟ ବାଧ୍ୟତାମୂଳକ, ନିୟମ ସଂଖ୍ୟକ ଯାତ୍ରୀ ନେବା, ଡଙ୍ଗାର ଫିଟନେସ, ଲାଇସେନ୍ସ ଉପରେ ଗୁରୁତ୍ୱ ଦିଆଯାଇଛି।

ପ୍ରତି ଡଙ୍ଗାରେ ଲାଇଫ ବୟ ଓ ଲାଇଫ ଜ୍ୟାକେଟ ପର୍ଯ୍ୟାପ୍ତ ପରିମାଣର ଗଚ୍ଛିତ ରହିବା ନିହାତି ଜରୁରୀ ହୋଇଥିବା ବେଳେ ଅପରାହ୍ନ ୪ ଘଟିକା ପରେ ଯାତ୍ରୀବାହି ଡ଼ଙ୍ଗା ପର୍ଯ୍ୟଟକଙ୍କୁ ନେଇ ଭ୍ରମଣ ପାଇଁ ଯାଇପାରିବ ନାହିଁ ଏବଂ ସନ୍ଧ୍ୟା ୬ଟା ପୁର୍ବରୁ ପର୍ଯ୍ୟଟକଙ୍କୁ ନେଇ ଯାଇଥିବା ଯାତ୍ରୀବାହି ଡ଼ଙ୍ଗା ଚିଲିକା କୂଳରେ ପହଂଚିବା ଲାଗି ପ୍ରଶାସନର ନିର୍ଦ୍ଦେଶ ରହିଛି। ଏପରିକି ପ୍ରତ୍ୟେକ ଡଙ୍ଗାରେ ସବିଶେଷ ବିବରଣୀ ତଥା ଚାଳକ ସମ୍ବନ୍ଧୀୟ ସୂଚନା, ଡଙ୍ଗାର ଫିଟନେସ, ଲାଇସେନ୍ସ ଅବଧି, ଜରୁରୀକାଳୀନ ମୋବାଇଲ ନମ୍ବର ସାର୍ବଜନୀନ କରିବା ସହ ବିଭିନ୍ନ ମୋଟର ବୋଟ ଆସୋସିଏସନ ଠାରେ ପର୍ଯ୍ୟଟକଙ୍କ ଅବଗତି ନିମନ୍ତେ ଗୃହୀତ ସମସ୍ତ ତଥ୍ୟ ଫଳକ ମାଧ୍ୟମରେ ଉଲ୍ଲେଖ ରହିବ। ଯେପରି କୌଣସି ମାଛମରା ଡଙ୍ଗାରେ ଯାତ୍ରୀମାନେ ନୌଯାତ୍ରା ନକରିବେ, ତାହା ଉପରେ ତୀକ୍ଷ୍ଣ ନଜର ରଖିବାସହ ଏହା ଉପରେ ଅଙ୍କୁଶ ଲଗାଯିବ।

ଏଥିସହିତ ଅକସ୍ମାତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଚାଳକ ଏବଂ ଆସୋସିଏସନ ସଜାଗ ରହିବାସହ ବୋଟ ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ସର୍ବସହମତି କ୍ରମେ ପ୍ରକାଶ ପାଇଛି। ଉକ୍ତ ନିୟମ ସବୁ ଯାତ୍ରୀବାହି ଡ଼ଙ୍ଗା ପାଳନ କରୁଛନ୍ତି ନାଇଁ ଜାଣିବା ପାଇଁ ଏକ ଫ୍ଲାଇଂ ସ୍କ୍ୱାର୍ଡ ଟିମ ଗଠନ କରାଯାଇ ନିୟମିତ ଚଢ଼ାଉ ଜାରି ରହିବା ନେଇ ତହସିଲଦାର ଶ୍ରୀ ସାହୁ କହିଛନ୍ତି।