Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନ ନିକଟରେ ଅଘଟଣ: ଚଳନ୍ତା ଯାତ୍ରୀବାହି ଟ୍ରେନରୁ ପଡି ଯୁବକ ଗୁରୁତର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ରୋଡ଼ ରେଳବାଇ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଚଳନ୍ତା ଯାତ୍ରୀବାହି ଟ୍ରେନରୁ ଜଣେ ଯୁବକ ପଡ଼ିଯାଇ ଗୁରୁତର ହୋଇଥିବା ଜଣାପଡିଛି।

ଖବର ମୁତାବକ ଆଜି ଅପରାହ୍ନରେ ସୋଲରି ଏବଂ ଗଙ୍ଗାଧରପୁର ଷ୍ଟେସନ ମଧ୍ୟରେ ଜଣେ ଯୁବକ ରେଳ ଟ୍ରାକ ପାର୍ଶ୍ଵରେ ଗୁରୁତର ଅବସ୍ଥାରେ ପଡିଥିବାର ଦେଖିବାକୁ ପାଇଥିଲେ ଜଣେ ଲୋକୋ ପାଇଲଟ। ସଙ୍ଗେସଙ୍ଗେ ଏ ନେଇ ବାଲୁଗାଁ ଷ୍ଟେସନ ମାଷ୍ଟରଙ୍କୁ ଜଣାଇବା ପରେ ଷ୍ଟେସନ ମାଷ୍ଟର ଆରପିଏଫକୁ ମେମୋ ଦେଇଥିଲେ। ଆରପିଏଫ ଘଟଣାସ୍ଥଳକୁ ଯାଇ ଆହତ ଯୁବକଙ୍କୁ ଅଗ୍ନିଶମ ବାହିନୀର ସହଯୋଗରେ ଉଦ୍ଧାର କରି ଟାଙ୍ଗୀ ଏବଂ ପରବର୍ତ୍ତୀ ସମୟରେ ଖୋର୍ଦ୍ଧା ମେଡିକାଲକୁ ନେଇଥିବାର ଜଣାପଡିଛି।

ଯୁବକଙ୍କ ନାମ ଶିବଶଙ୍କର ସାହୁ (୨୫) ଏବଂ ସେ ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅନ୍ତର୍ଗତ ବିକ୍ରମପୁର ଗ୍ରାମ ମୋଚିରାମ ସାହୁଙ୍କ ପୁତ୍ର। ବର୍ତ୍ତମାନ ଯୁବକଙ୍କ ନିକଟରେ ତାଙ୍କ ପରିବାରବର୍ଗ ଉପସ୍ଥିତ ଥିବା ବାଲୁଗାଁ ଆରପିଏଫ କର୍ମଚାରୀ ସୂଚନା ଦେଇଛନ୍ତି।