Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନିର୍ବାଚନରେ ଯାଦବ ବହୁଳ ଅଞ୍ଚଳରେ ଯାଦବଙ୍କୁ ପ୍ରାର୍ଥୀ କରାଯାଉ, ମହାସଂଘ ସମ୍ମିଳନୀରେ ଉଠିଲା ବଡ ଦାବୀ

ଭୁବନେଶ୍ୱର: ରାଜ୍ୟର ମୋଟ ଜନସଂଖ୍ୟାର ଏକ ପଞ୍ଚମାଂଶ ଅର୍ଥାତ ପ୍ରାୟ ୯୦ ଲକ୍ଷ ମତଦାତା ଥିବା ଯାଦବମାନଙ୍କୁ ଅନ୍ୟାନ୍ୟ ଜାତିମାନଙ୍କ ଭଳି ସେମାନଙ୍କର ଅଧିକାର ଦିଆଯାଉ।

ରାଜ୍ୟରେ ପଛୁଆ ବର୍ଗର ବିଭିନ୍ନ ଜାତି ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଯେପରି ସହାୟତା ଯୋଗାଇ ହେଉଛନ୍ତି ସେହିପରି ସହାୟତା ରାଜ୍ୟର ଯାଦବମାନଙ୍କୁ ଯୋଗାଇ ଦେବା ପାଇଁ ଯାଦବ ମହାସଂଘ, ଓଡ଼ିଶା ପକ୍ଷରୁ ଦାବି କରାଯାଇଛି।

ଯାଦବ ମହାସଂଘର ରାଜ୍ୟ ସମ୍ମିଳନୀରେ ପାରିତ ପ୍ରସ୍ତାବ ଅନୁସାରେ ଲୋକକଳାର ମାନ୍ୟତା ପାଇଥିବା ଲଉଡ଼ି ଖେଳର ବିକାଶ ତଥା ଏହା ଉପରେ ଗବେଷଣା ପାଇଁ ସରକାର ଭୁବନେଶ୍ୱରରେ ଏକ ଗବେଷଣା କେନ୍ଦ୍ର ସ୍ଥାପନ କରିବାକୁ ଦାବି କରାଯାଇଛି।

ଅନ୍ୟ ଜାତିମାନଙ୍କୁ ସରକାର ଯେପରି ପୁରୀଠାରେ ଭବନ ନିର୍ମାଣ ଉଦ୍ଦେଶ୍ୟରେ ମାଗଣା ଜମି ଓ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ସେହିଭଳି ଯାଦବମାନଙ୍କର ଏକ ଭବନ ନିର୍ମାଣ କ୍ଷେତ୍ରରେ ପଦକ୍ଷେପ ନେବାକୁ ସଂଘର ସାଧାରଣ ସମ୍ପାଦକ ଆଲେକଗାଣ୍ଡାର ଦାସ ଦାବି କରିଛନ୍ତି।

ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରାଯିବା ସହିତ ଓବିସିମାନଙ୍କ ମଣ୍ଡଳ କମିଶନଙ୍କ ସୁପାରିଶ ଅନୁସାରେ ୨୭ ପ୍ରତିଶତ ସଂକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ପ୍ରସ୍ତାବ ପାରିତ ହୋଇଛି। ରାଜ୍ୟରେ ଦୁଗ୍ଧଚାଷୀମାନେ ଉଚିତ ମୂଲ୍ୟ ପାଉନଥିବାରୁ ବହୁକ୍ଷତିର ସମ୍ମୁଖୀନ ହେଉଛନ୍ତି।

ତେଣୁ ସେମାନଙ୍କ ପାଇଁ ପ୍ରତିବର୍ଷ ଦୁଗ୍ଧର ସହାୟକ ମୂଲ୍ୟ ବୃଦ୍ଧି କରାଯାଉ। ଯାଦବ ମହିଳାମାନଙ୍କ ନେଇ ସ୍ୱତନ୍ତ୍ର ଏସଏଚଜି ଗଠନ କରାଯାଇ ଡାଏରୀ ଫାର୍ମ ଓ ଅନ୍ୟାନ୍ୟ ଆର୍ଥିକ ସ୍ୱାବଲମ୍ବନ ପନ୍ଥା ଯୋଗାଇ ଦେବାକୁ ରାଜ୍ୟ ସଭାପତି ଦଶରଥ ପରୁଆ ଦାବି କରିଛନ୍ତି।

ରାଜ୍ୟର ସମସ୍ତ ରାଜନୈତିକ ଦଳମାନେ ଯାଦବ ଜନସଂଖ୍ୟା ଯେଉଁ ନର୍ବାଚନ ମଣ୍ଡଳୀରେ ଅଧିକ ଅଛନ୍ତି ସେ ସବୁ ଅଞ୍ଚଳରେ ଯାଦବ ପ୍ରାର୍ଥୀ ରାଜ୍ୟ ଶାସନରେ ଅଂଶୀଦାର କରିବାକୁ ସମ୍ମିଳନୀରେ ଦାବି କରାଯାଇଛ।

ଏହି ସମ୍ମିଳନୀରେ ସାମ୍ବାଦିକ ରବି ଦାସ ଉଦ୍‍ଘାଟକ ଭାବରେ ଯୋଗ ଦେଇଥିବା ବେଳେ, ମହାସଂଘର କାର୍ଯ୍ୟକାରୀ ସଭାପତି ଶିଶିରକାନ୍ତ ବେହେରା, ସଂଗଠନ ସମ୍ପାଦକ ରାମଚନ୍ଦ୍ର ବେହେରା, ଦିଲ୍ଲିପ ବେହେରା, ନିଶିଥ ବାରିକ, ରାଜେଶ ମହାଖୁଡ଼ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ରାଜ୍ୟରେ ଯାଦବମାନଙ୍କର ନେତୃତ୍ୱ ବିକାଶ ପାଇଁ କାମ କରିବ ଯାଦବ ମହାସଂଘ

ଭୁବନେଶ୍ୱର: ରାଜ୍ୟରେ ଯାଦବମାନେ ପଛୁଆ ବର୍ଗର ହୋଇଥିବାରୁ ସ୍ୱାଧୀନତାର ୭୫ ବର୍ଷ ପରେ ବି ସେମାନେ ପଛୁଆ ହୋଇ ରହିଯାଇଛନ୍ତି। ତେଣୁ ସେମାନେ ଶିକ୍ଷା, ନିଯୁକ୍ତି ଓ ନେତୃତ୍ୱ ନେବା କ୍ଷେତ୍ରରେ ଅବହେଳିତ ହୋଇପଡ଼ିଛନ୍ତି। ଏପରି କ୍ଷେତ୍ରରେ ପଛରେ ପଡ଼ିଥିବା ଯାଦବ ଜାତିର ଶିକ୍ଷା, ଅର୍ଥନୀତି ତଥା ନେତୃତ୍ୱର ବିକାଶ କିପରି ହୋଇପାରିବ ସେଦିଗରେ ଯାଦବ ମହାସଂଘ, ଓଡ଼ିଶା କାମ କରିବ ବୋଲି ଏହାର ସଭାପତି ଦଶରଥ ପରୁଆ କହିଛନ୍ତି।

ରାଜ୍ୟର ମୋଟ ଜନସଂଖ୍ୟାର ୨୦ ପ୍ରତିଶତରୁ ଅଧିକ ଜନସଂଖ୍ୟା ହେଉଛି ଯାଦବମାନଙ୍କର। ସଂଖ୍ୟାନୁପାତରେ ଯାଦବବମାନେ ଶିକ୍ଷା, ନିଯୁକ୍ତି, ଅର୍ଥନୈତିକ ସ୍ୱଚ୍ଛଳତା ଓ ନିଯୁକ୍ତି କ୍ଷେତ୍ରରେ ବହୁପଛରେ ପଡ଼ିଯାଇଛନ୍ତି। ଅଲଗା ରାଜ୍ୟ ତୁଳନାରେ ଆମ ରାଜ୍ୟରେ ଯାଦବ ନେତୃତ୍ୱ ବହୁତ କମ୍ ଥିବାରୁ ଯାଦବ ମାନଙ୍କ ବିକାଶ ପାଇଁ କେହି କହିବାକୁ ନାହିଁ। ଯାହାଫଳରେ ସ୍ୱାଧୀନତାର ୭୫ ବର୍ଷ ପରେ ବି ଯାଦବ ଜାତିରୁ ମାତ୍ର ୧୫ ଜଣରୁ ଅଧିକ ବିଧାୟକ ହୋଇନଥିବାବେଳେ କେହି ଲୋକସଭା ଲଢ଼ିବା ପାଇଁ ମୁଖ୍ୟଧାରାର ଦଳଗୁଡ଼ିକ ପକ୍ଷରୁ ଟିକଟ ପାଇନାହାନ୍ତି। ରାଜ୍ୟର ୨୪ଟି ବିଧାନସଭା କ୍ଷେତ୍ରରେ ଯାଦବ ମତଦାତାଙ୍କ ସଂଖ୍ୟା ୪୦ ପ୍ରତିଶତରୁ ୭୦ ପ୍ରତିଶତ ରହିଥିବା ସଂଗଠନ ପକ୍ଷରୁ ଆକଳନ କରାଯାଇଛି। ଏହାଛଡ଼ା ୨୦ ପ୍ରତିଶତରୁ ୪୦ ପ୍ରତିଶତ ଯାଦବ ମତଦାତା ଥିବା ୧୯ଟି ବିଧାନସଭା କ୍ଷେତ୍ର ରହିଛି। କିନ୍ତୁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଅନ୍ୟ ଜାତି ଭଳି ଯାଦବମାନଙ୍କୁ ପ୍ରାର୍ଥୀ କରିବା ପାଇଁ ପଛଘୁଞ୍ଚା ଦେଉଛନ୍ତି।

କେବଳ ସେତିକି ନୁହେଁ ଯାଦବମାନଙ୍କୁ ସମ୍ବିଧାନ ପ୍ରଦତ୍ତ ଅଧିକାରରୁ ମଧ୍ୟ ବଞ୍ଚିତ କରାଯାଉଛି। ସେମାନଙ୍କୁ ରାଜ୍ୟରେ ଉପଯୁକ୍ତ ସଂରକ୍ଷଣ ବ୍ୟବସ୍ଥା ପ୍ରଦାନ କରାଯାଉନଥିଲାବେଳେ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଅବଦେଳା କରାଯାଉଛି। ରାଜ୍ୟର ଅନ୍ୟାନ୍ୟ ବୃତ୍ତିଧାରୀଙ୍କମାନଙ୍କ ପାଇଁ ସରକାର ଅନେକ ଯୋଜନା ପ୍ରସ୍ତୁତ କରୁଥିବାବେଳେ ଯାଦବମାନଙ୍କର ଅର୍ଥନୈତିକ ବିକାଶ ପାଇଁ କୌଣସି ଯୋଜନା କିମ୍ବା ପ୍ରୋତ୍ସାହନ ନାହିଁ।

ଏହିସବୁ ସମସ୍ୟା ନେଇ ସଂଗଠନ ପକ୍ଷରୁ ଯାଦବ ଜାଗରଣ କାର୍ଯ୍ୟକ୍ରମ ହାତକୁ ନେବା ସହିତ ଶିକ୍ଷା, ଅର୍ଥନୈତିକ, ନେତୃତ୍ୱ ବିକାଶ ଦିଗରେ କାମ କରିବ ବୋଲି ସାଧାରଣ ସମ୍ପାଦକ ଆଲେକଜାଣ୍ଡାର ଦାସ କହିଛନ୍ତି। ଏହି ଅବସରରେ ମହାସଂଘର କାର୍ଯ୍ୟକାରୀ ସଭାପତି ଶିଶିରକାନ୍ତ ବେହେରା, ଉପସଭାପତି ସୁବାଷ ଦାସ, ସଂଗଠନ ସମ୍ପାଦକ ରାମଚନ୍ଦ୍ର ବେହେରା, ସମ୍ପାଦକ ଦିଲ୍ଲିପ ବେହେରା, କୋଷାଧ୍ୟକ୍ଷ ହିମାଂଶୁ ଶେଖର ଦାସ ପ୍ରମୁଖ ପଦାଧିକାରୀମାନେ ଉପସ୍ଥିତ ଥିଲେ।