Categories
ଆଜିର ଖବର ରାଜ୍ୟ ଖବର

ଘୁଞ୍ଚିଲା ଯୁକ୍ତ-୨ ପାଇଁ ନାମଲେଖା ଆବେଦନ ତାରିଖ, ଜାଣନ୍ତୁ କେବେ

ଭୁବନେଶ୍ୱର: ନୂତନ ଭାବେ ସ୍ୱୀକୃତି ପାଇଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ିବାର ସୁଯୋଗ ଦେବା ନିମନ୍ତେ ତଥା ଅଭିଭାବକମାନଙ୍କ ଅନୁରୋଧ ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏକାଦଶ ଶ୍ରେଣୀ ପାଇଁ ସାମସ୍‌ (SAMS) ପୋର୍ଟାଲ www.samsodisha.gov.in ଜରିଆରେ ଆବେଦନ ତାରିଖକୁ ୨୦୨୩ ଜୁନ ୨୬ ତାରିଖ ପରିବର୍ତ୍ତୋ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ପରିବର୍ତ୍ତିତ ସୂଚୀ ଅନୁଯାୟୀ ପ୍ରଥମ ମେଧା ତାଲିକା ୨୦୨୩ ଜୁଲାଇ ୬ ତାରିଖ ଦିନ ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟ ଆଡ୍‌ମିଶନ୍‌ ଯଥାକ୍ରମେ ୨୦୨୩ ଜୁଲାଇ ୭ରୁ ଆରମ୍ଭ ହୋଇ ଜୁଲାଇ ୧୩ ତାରିଖ ମଧ୍ୟରେ ସଂପାଦନ କରାଯିବ। ଦ୍ୱିତୀୟ ମେଧା ତାଲିକା ୨୦୨୩ ଜୁଲାଇ ୧୯ ତାରିଖରେ ପ୍ରକାଶ କରାଯିବା ସହିତ ଏହାର ଆଡ୍‌ମିଶନ୍‌ ପ୍ରକ୍ରିୟା ଜୁଲାଇ ୨୨ ତାରିଖ ସୁଦ୍ଧା ସଂପାଦନ କରାଯିବ।

ସେହିପରି ଅନ୍‌ଲାଇନ୍‌ ସ୍ପଟ୍‌ (SPOT) ଆଡ୍‌ମିଶନ ପ୍ରକ୍ରିୟା ୨୦୨୩ ଜୁଲାଇ ୨୧ରୁ ଆରମ୍ଭ ହୋଇ ଜୁଲାଇ ୨୭ ତାରିଖ ସୁଦ୍ଧା ସଂପାଦନ କରାଯିବ। ପରିବର୍ତ୍ତିତ ସୂଚୀ ଅନୁଯାୟୀ ୨୦୨୩ ଅଗଷ୍ଟ ୧ ତାରିଖରେ ଏକାଦଶ ଶ୍ରେଣୀର ପାଠପଢ଼ା ଆରମ୍ଭ କରାଯିବ।

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡ଼ିଶାଙ୍କ ତଥ୍ୟ ଅନୁସାରେ ଅଦ୍ୟାବଧି SAMS ପୋର୍ଟାଲ ଜରିଆରେ ୪ ଲକ୍ଷ ୬୩ ହଜାର ୫୦୦ ଜଣ ଆବେଦନକାରୀ ଯୁକ୍ତ-୨/ଏକାଦଶ ଶ୍ରେଣୀରେ ନାମ ଲେଖାଇବା ନିମନ୍ତେ ଆବେଦନ ପତ୍ର ଦାଖଲ କରିଛନ୍ତି।