Categories
ଆଞ୍ଚଳିକ

ବାଣପୁର ବ୍ଲକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପ ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତରାୟ ଆଦି ଉପସ୍ଥିତ ଥିଲେ।

ଶିବିରରେ ସମୁଦାୟ ୭୯୨ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ତନ୍ମଧ୍ୟରୁ ୭୮୭ ଗୋଟି ବ୍ୟକ୍ତିଗତ ଓ ୫ ଗୋଟି ଗୋଷ୍ଠୀ ଅଭିଯୋଗ ଅଟେ। ୪ ଗୋଟି ଅଭିଯୋଗର ତ୍ୱରିତ ସମାଧାନ କରାଯାଇଥିବା ବେଳେ ଦୁଇ ଜଣ ହିତାଧିକାରୀଙ୍କୁ ରେଡକ୍ରସ ପାଣ୍ଠିରୁ ୮ ହଜାର ୪ ଶହ ଟଙ୍କା ଜିଲ୍ଲାପାଳ ଅନୁମୋଦନ କରିଛନ୍ତି ଏବଂ ଜଣେ ଭିନ୍ନକ୍ଷମ ହିତାଧିକାରୀଙ୍କୁ ହୁଇଲଚେୟାର ପ୍ରଦାନ କରିଥିବା ଜଣାପଡିଛି।

ଉକ୍ତ ଶିବିରରେ ବାଣପୁର ବିଡ଼ିଓ ବୁଲବୁଲ ବେହେରା, ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତିଙ୍କ ସମେତ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିବା ବେଳେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ହିତାଧିକାରୀଙ୍କୁ ଅଭିଯୋଗ ଶୁଣାଣି ପ୍ରକ୍ରିୟାରେ ସହଯୋଗ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏବଂ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ତତ୍ୱାବଧାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।