Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କାଳୁପଡ଼ା ଜଗାବଳିଆ ଲଜ୍ ରେ ଯୁବକଙ୍କୁ ଆକ୍ରମଣ: ତୃତୀୟ ମହଲାରୁ ଠେଲି ହତ୍ୟା ଉଦ୍ୟମ ଅଭିଯୋଗ

ସୀତାରାମ ଅଗ୍ରୱାଲ
ଚିଲିକା: କାଳୁପଡ଼ା ଜଗାବଳିଆ ଲଜ୍ ରେ ଯୁବକଙ୍କୁ ଆକ୍ରମଣ ପରେ ତୃତୀୟ ମହଲାରୁ ଠେଲି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଯୁବକଙ୍କ ଦଦା ଅର୍ଜ୍ଜୁନ ବିଶ୍ଵାଳଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପୁତୁରା ନିରଞ୍ଜନ ଗତକାଲି ରାତି ୧୦ ଟା ସମୟରେ ଜଗବଳିଆ ଲଜ୍ ରେ ରହୁଥିବା ଜଣେ ସମ୍ପର୍କୀୟଙ୍କୁ ଦେଖା କରିବାକୁ ଯାଇଥିଲେ। ହେଲେ ଲଜ୍ ମାଲିକ ଏବଂ ତାଙ୍କର ସହଯୋଗୀ ଲଜ୍ ଭିତରକୁ ଯିବା ପାଇଁ ମନା କରିଥିଲେ। କିନ୍ତୁ ନିରଞ୍ଜନ ଏହି ଲଜ୍ ରେ ଦୁଇ ନମ୍ବର ଧନ୍ଦା ଚାଲୁଛି କି, ସେଥିପାଇଁ ମତେ ବାରଣ କରୁଛ ବୋଲି ସେମାନଙ୍କୁ ପ୍ରଶ୍ନ କରିଥିଲେ। ଫଳରେ ସେମାନେ ରାଗି ଯାଇ ତାଙ୍କୁ ଗୋଟିଏ ଘରେ ବାନ୍ଧି ନିରଞ୍ଜନଙ୍କୁ ମାଡ ମାରିଥିଲେ।

ପରିବାର ଲୋକ ସୂଚନା ପାଇ ପହଞ୍ଚିବାରୁ ଲଜ୍ ର ମାଲିକ ଏବଂ ସହଯୋଗୀ ହଠାତ୍ ତାଙ୍କୁ ଜୀବନରୁ ମାରିଦେବା ପାଇଁ ତିନି ମହଲାରୁ ଠେଲି ଦେଇଥିଲେ। ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଖୋର୍ଦ୍ଧା ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ସେ ଜୀବନ ସହ ସଂଗ୍ରାମ କରୁଛି ବୋଲି ନିରଞ୍ଜନଙ୍କ ଦଦା ଥାନାରେ ଅଭିଯୋଗ କରିଛନ୍ତି।