ନୂଆଦିଲ୍ଲୀ: ଅମୃତ ପିଢ଼ି ଅର୍ଥାତ୍ ଦେଶର ଯୁବବର୍ଗଙ୍କ ସ୍ୱପ୍ନକୁ ସାକାର କରିବା ସହିତ ସେମାନଙ୍କ ପାଇଁ ଅପାର ସୁଯୋଗ ସୃଷ୍ଟି କରିବା ଏବଂ ସେମାନଙ୍କ ମାର୍ଗରେ ଆସୁଥିବା ସବୁ ବାଧା ଦୂର କରିବା ସରକାରଙ୍କ ସଂକଳ୍ପ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ। ଏହାକୁ ସାକାର କରିବା ଲାଗି ଗତ ଏଗାର ବର୍ଷ ମଧ୍ୟରେ ଭାରତ ସରକାର ଯୁବବର୍ଗଙ୍କ ସଶକ୍ତିକରଣ ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିଛନ୍ତି। ଭାରତରେ ବିଶ୍ୱର ସର୍ବାଧିକ ଯୁବ ଜନସଂଖ୍ୟା ରହିଛି, ଯେଉଁଥିରେ ୩୫ ବର୍ଷରୁ କମ୍ ବୟସର ପ୍ରାୟ ୬୫ ପ୍ରତିଶତ ଲୋକ ଅଛନ୍ତି। ଦେଶର ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ଦୀର୍ଘକାଳୀନ ରଣନୀତିକ ଅଭିବୃଦ୍ଧି ହାସଲ କରିବା ଲାଗି ସରକାର ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଭାବେ ବିବେଚନା କରନ୍ତି। ମୋଦୀ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଯୁବବର୍ଗଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିବା, ସେମାନଙ୍କ ଲକ୍ଷ୍ୟ ହାସଲ କରିବା ଏବଂ ଭାରତକୁ ଭବିଷ୍ୟତରେ ଆଗେଇ ନେବା। ଯୁବ ଭାରତୀୟମାନେ ଯେପରି ଗୁଣାତ୍ମକ ଶିକ୍ଷା, ଆଧୁନିକ କୌଶଳ, ଭଲ ଚାକିରି ପାଇବେ ଏବଂ ସଫଳ ଉଦ୍ୟୋଗୀ ହେବା ପାଇଁ ସହାୟତା ଆବଶ୍ୟକ କରିବେ ତାହା ସରକାର ଏହା ସୁନିଶ୍ଚିତ କରୁଛନ୍ତି।
ଗତ ଦଶନ୍ଧି ମଧ୍ୟରେ, ଭାରତ ବିଦ୍ୟାଳୟଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଏହାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଦ୍ରୁତ ପ୍ରଗତି କରିଛି। ଆଇଆଇଟି, ଆଇଆଇଏମ୍ ଏବଂ ଏମ୍ସ ଭଳି ପ୍ରତିଷ୍ଠାନର ପ୍ରମୁଖ ସଂସ୍କାର ଓ ପ୍ରସାର ସମସ୍ତଙ୍କ ପାଇଁ ଗୁଣାତ୍ମକ ଓ ଭବିଷ୍ୟ ଉନ୍ମୁଖି ଶିକ୍ଷା ପ୍ରଦାନ କରିବା ପାଇଁ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏଆଇଏସଏଚଇ ପୋର୍ଟାଲର ତଥ୍ୟ ଅନୁଯାୟୀ ୨୦୧୪-୧୫ରେ ଦେଶରେ ୫୧,୫୩୪ଟି ଉଚ୍ଚ ଶିକ୍ଷାନୁଷ୍ଠାନ ଥିବା ବେଳେ ମେ ୨୦୨୫ ସୁଦ୍ଧା ଏଗୁଡ଼ିକର ସଂଖ୍ୟା ୭୦,୬୮୩କୁ ବୃଦ୍ଧି ପାଇଛି। ଏସବୁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅନେକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ରହିଛି । ବିଶ୍ୱ ବିଦ୍ୟାଳୟ ସଂଖ୍ୟା ୭୬୦ରୁ ୧୩୩୪କୁ ବୃଦ୍ଧି ପାଇଥିବା ବେଳେ ମହାବିଦ୍ୟାଳୟଗୁଡ଼ିକର ସଂଖ୍ୟା ୩୮,୪୯୮ରୁ ୫୧,୯୫୯କୁ ବୃଦ୍ଧି ପାଇଛି। ୨୦୧୪ରେ ଦେଶରେ ୧୬ଟି ଆଇଆଇଟି ଥିଲା। ଏବେ ଆଉ ୭ଟି ଆଇଆଇଟି ଯୋଡ଼ି ହେବା ସହ ୨୦୨୫ ମେ ସୁଦ୍ଧା ଆଇଆଇଟିଗୁଡ଼ିକର ସଂଖ୍ୟା ୨୩ରେ ପହଞ୍ଚିଛି। ସରକାର ଗତ ତିରୁପତି, ପଲକ୍କଡ, ଭିଲାଇ, ଜାମ୍ମୁ, ଧରୱାଡ ଆଇଆଇଟିରେ ଭିତ୍ତିଭୂମି ସମ୍ପ୍ରସାରଣ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ୨୦୨୫ରୁ ୨୦୨୯ ପର୍ଯ୍ୟନ୍ତ ଆଇଆଇଟିଗୁଡ଼ିକର ଉନ୍ନତିକରଣ ପାଇଁ ୧୧ ହଜାର ୮୨୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। କାମ ସମ୍ପୂର୍ଣ୍ଣ ହେଲେ ଏସବୁ ଆଇଆଇଟିର ମୋଟ୍ ୧୩ ହଜାର ୬୮୭ ଜଣ ପିଲା ପାଠ ପଢ଼ିପାରିବେ।
୨୦୧୪ ମସିହାରୁ, ଏମ୍ସ ପ୍ରତିଷ୍ଠାନ ସଂଖ୍ୟା ୭ ରୁ ୨୩ କୁ ବୃଦ୍ଧି ପାଇଛି, ଯାହା ପ୍ରଭାବଶାଳୀ ଭାବରେ ତିନିଗୁଣ ବୃଦ୍ଧି ପାଇଛି। ଏହା ସହିତ, ମେଡିକାଲ କଲେଜ ସଂଖ୍ୟା ୩୮୭ ରୁ ୨୦୪୫କୁ ବୃଦ୍ଧି ପାଇଛି, ଯାହା ୨୦୨୪ ସୁଦ୍ଧା ୧.୯ ଲକ୍ଷରୁ ଅଧିକ ମେଡିକାଲ ସିଟ୍ ପ୍ରଦାନ କରିଛି। ପିଏମଶ୍ରୀ (ପ୍ରଧାନମନ୍ତ୍ରୀ ଉଦୀୟମାନ ଭାରତ ବିଦ୍ୟାଳୟ) ଯୋଜନା ଅଧୀନରେ ୧୪,୫୦୦ ବିଦ୍ୟାଳୟର ଉନ୍ନତିକରଣ କରାଯାଉଛି।
ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୨୦୧୫ ପରଠାରୁ ୧.୬୩ କୋଟିରୁ ଅଧିକ ଯୁବକଙ୍କୁ ବିଭିନ୍ନ କୌଶଳ କ୍ଷେତ୍ରରେ ତାଲିମ ଦିଆଯାଇଛି। ଯୁବବର୍ଗଙ୍କୁ ସ୍ୱଳ୍ପକାଳୀନ ତାଲିମ ଦେବାକୁ ଆରମ୍ଭ ହୋଇଥିବା ଏହି ଯୋଜନା ଏବେ ସୁଦ୍ଧା ୪ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହୋଇଛି। ପ୍ରଥମ ତିନୋଟି ପର୍ଯ୍ୟାୟରେ ଯଥାକ୍ରମେ ୧୯ ଲକ୍ଷ, ୧.୧୦ କୋଟି ଏବଂ ୭.୩୭ ଲକ୍ଷ କୋଟି ଯୁବବର୍ଗଙ୍କୁ ଦକ୍ଷତା ତାମିଲ ଦିଆଯାଇଛି । ଏବେସୁଦ୍ଧା ଯୋଜନାରେ ୧.୬୩ କୋଟି ଯୁବବର୍ଗ ଦକ୍ଷତା ତାଲିମ ନେଇଛନ୍ତି । ସେହିପରି ସ୍କିଲ ଇଣ୍ଡିଆ ମିଶନ ଜରିଆରେ ୩୬ଟି କ୍ଷେତ୍ରୀୟ ଦକ୍ଷତା ପରିଷଦ ଗଠନକୁ ମଞ୍ଜୁରି ମିଳିଛି । ଏହି ମିଶନ ଯୁବବର୍ଗଙ୍କୁ ନିଯୁକ୍ତି ଆଧାରିତ ପ୍ରଶିକ୍ଷଣ ପ୍ରଦାନ କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ।
୨୨ ଅକ୍ଟୋବର ୨୦୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ରୋଜଗାର ମେଳା କାର୍ଯ୍ୟକ୍ରମ। ଏବେ ସୁଦ୍ଧା ୧୫ଟି ରୋଜଗାର ମେଳା ଜରିଆରେ ୧୦ ଲକ୍ଷରୁ ଅଧିକ ସରକାରୀ ଚାକିରି ନିଯୁକ୍ତିପତ୍ର ପ୍ରଦାନ କରାଯାଇସାରିଛି । ଇପିଏଫଓରେ ୮ କୋଟି ୫୯ ଲକ୍ଷ ନୂଆ ଉପଭୋକ୍ତା ଯୋଡ଼ି ହୋଇଛନ୍ତି । ଏପ୍ରିଲ ୨୦୨୦ ପରଠାରୁ ଏଥିରେ ୩.୪୫ କୋଟି ୧୮-୨୮ ବର୍ଷ ବୟସ୍କ ଯୁବକଯୁବତୀ ଯୋଡ଼ି ହେବା ଏକ ଉଲ୍ଲେଖନୀୟ ଉପଲବ୍ଧି ଯାହାକି ଯୁବବର୍ଗଙ୍କ ନିଯୁକ୍ତିକୁ ଦର୍ଶାଉଛି।
ଷ୍ଟାର୍ଟଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ଯୁବବର୍ଗଙ୍କୁ ଚାକିରି ଆଶାୟୀ ପରିବର୍ତ୍ତେ ନିଯୁକ୍ତିସୃଷ୍ଟିକାରୀ ରୂପେ ପରିଣତ କରିଛି। ଏହି କାର୍ଯ୍ୟକ୍ରମ ଅଧୀନରେ ୧.୬ ଲକ୍ଷ ଷ୍ଟାର୍ଟଅପ୍କୁ ମାନ୍ୟତା ମିଳିଛି, ଏଥିମଧ୍ୟରେ ୭୫ ହଜାର ଷ୍ଟାର୍ଟଅପରେ ମହିଳାମାନେ ନେତୃତ୍ୱ ନେଉଛନ୍ତି । ଏସବୁ ଷ୍ଟାର୍ଟଅପରେ ୧୭ ଲକ୍ଷ ୬୦ ହଜାରରୁ ଅଧିକ ରୋଜଗାର ସୃଷ୍ଟି ହୋଇଛି । ଶିଳ୍ପ ଓ ଅନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ୧.୫୭ ଲକ୍ଷ ଷ୍ଟାର୍ଟଅପକୁ ମାନ୍ୟତା ଦେଇଛି । ୨୦୧୭ରୁ ୨୦୨୪ ମଧ୍ୟରେ ଏସବୁ ଷ୍ଟାର୍ଟଅପ୍ ମିଳିତ ଭାବେ ୪.୮ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିଛନ୍ତି।
ଏପ୍ରିଲ ୨୦୨୫ରେ ଆରମ୍ଭ ହୋଇଥିବା ମୁଦ୍ରା ଯୋଜନା ଲକ୍ଷ ଲକ୍ଷ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସହଜ ଋଣ ପ୍ରଦାନ କରୁଛି। ୨୩ ଜୁଲାଇ, ୨୦୨୪ରେ, ଆକାଂକ୍ଷୀ ଉଦ୍ୟୋଗୀଙ୍କୁ ଆହୁରି ସମର୍ଥନ କରିବା ପାଇଁ ଋଣ ସୀମା ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଗତ ଦଶନ୍ଧି ମଧ୍ୟରେ ଉଦ୍ୟୋଗୀମାନଙ୍କୁ ମଞ୍ଜୁର କରାଯାଇଥିବା ଋଣ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୨୦୧୫-୧୬ରେ ୩.୪୯ କୋଟି ଋଣ ମଞ୍ଜୁର କରାଯାଇଥିଲା, ଯାହା ୨୦୨୩-୨୪ରେ ୬.୬୭ କୋଟିକୁ ବୃଦ୍ଧି ପାଇଛି। ୨୧ ମାର୍ଚ୍ଚ, ୨୦୨୫ ସୁଦ୍ଧା, ୨୦୨୪-୨୫ ପାଇଁ ଅସ୍ଥାୟୀ ସଂଖ୍ୟା ୪.୫୩ କୋଟି ଋଣ ରହିଛି। ୨୦୧୫-୧୬ରେ ମୋଟ ଋଣ ପରିମାଣ ୧.୩୭ ଲକ୍ଷ କୋଟି ଟଙ୍କାରୁ ୨୦୨୪-୨୫ରେ ୩୩.୬୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।
ସରକାର ସାରା ଦେଶରେ କ୍ରୀଡାକୁ ପ୍ରୋତ୍ସାହିତ କରିବା ଏବଂ ଯୁବ ପ୍ରତିଭାକୁ ସମର୍ଥନ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଉତ୍ତମ ତାଲିମ, ସୁବିଧା ଏବଂ ଆର୍ଥିକ ସହାୟତା ସହିତ, ଭାରତ ଏକ ଶକ୍ତିଶାଳୀ କ୍ରୀଡା ରାଷ୍ଟ୍ର ହେବାକୁ ଯାଉଛି। ଟାର୍ଗେଟ୍ ଅଲିମ୍ପିକ୍ସ ପୋଡିୟମ ଯୋଜନାରେ ୯୪ କୋର୍ ଗ୍ରୁପ୍ ଏବଂ ୧୧୨ ଡେଭଲପମେଣ୍ଟ ଗ୍ରୁପ୍ ଖୋଳୀଙ୍କୁ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଦିଆଯାଇଛି। ଏହି ଯୋଜନା ଫଳରେ ଅଲିମ୍ପିକ୍ସ, ପାରା ଅଲିମ୍ପିକ୍ସ ଭଳି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତୀୟ ଖେଳାଳୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ଖେଲୋ ଇଣ୍ଡିଆ ଅଭିଯାନରେ ତୃଣମୂଳ ସ୍ତରର ପ୍ରତିଭାକୁ ପ୍ରୋତ୍ସାହିତ କରିବା ପାଇଁ ୧୦୪୮ କେନ୍ଦ୍ର ଖୋଲାଯାଇଛି। ଖେଲୋ ଇଣ୍ଡିଆ ଅଧୀନରେ ୩ ହଜାର ଖେଳାଳିଙ୍କୁ ବାର୍ଷିକ ୬.୨୮ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ‘ଖେଲୋ ଇଣ୍ଡିଆ ଜାତୀୟ କ୍ରୀଡ଼ା ବିକାଶ କାର୍ଯ୍ୟକ୍ରମ’ ୨୦୧୬-୧୭ ମସିହାରେ ଆରମ୍ଭ ହୋଇଥିଲା ଏବଂ ଏହାର ଦୁଇଟି ଉଦ୍ଦେଶ୍ୟ ଥିଲା ସାରା ଦେଶରେ କ୍ରୀଡାରେ ବ୍ୟାପକ ଅଂଶଗ୍ରହଣ ଏବଂ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା। ଏହି ଯୋଜନାକୁ ୨୦୨୧-୨୨ ରୁ ୨୦୨୫-୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ଏବଂ ଏହାର ଆର୍ଥିକ ବ୍ୟୟ ୩୭୯୦.୫୦ କୋଟି ଟଙ୍କା ରହିଛି।
୨୦୨୫ରେ ଉତ୍ତରାଖଣ୍ଡରେ ଅନୁଷ୍ଠିତ ଜାତୀୟ କ୍ରୀଡ଼ାରେ ୧୦ ହଜାର ଖେଳାଳୀ ଅଂଶଗ୍ରହଣ କରିଥିଲେ। କ୍ରୀଡ଼ାକୁ ପ୍ରୋତ୍ସାହନ ପାଇଁ ସରକାରଙ୍କ ପଦକ୍ଷେପ ଯୋଗୁ ଭାରତ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଏବଂ ୪ଟି କାଂସ୍ୟ ପଦକ ସହିତ ମୋଟ୍ ୭ଟି ପଦକ ହାସଲ କରିଥିଲା। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତକୁ ମିଳିଥିଲା ୬ଟି ପଦକ। ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତ ନିଜ ପାଇଁ ସବୁଠାରୁ ଭଲ ପ୍ରଦର୍ଶନ କରି ୨୯ଟି ପଦକ ହାସଲ କରିଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତ ୨୨ଟି ସ୍ୱର୍ଣ୍ଣ ପଦକ ସହିତ ମୋଟ୍ ୬୧ଟି ପଦକ ହାସଲ କରିଥିଲା।
ସରକାର ଯୁବବର୍ଗଙ୍କୁ ସେନାବାହିନୀରେ ନିଯୁକ୍ତି ଦେବା ଲାଗି ଅଗ୍ନିପଥ ଯୋଜନା ଆଣିଛନ୍ତି। ଏହି ଯୋଜନାରେ ସାଢ଼େ ୧୭ରୁ ୨୧ ବର୍ଷ ବୟସର ଯୁବକଯୁବତୀ ଆବେଦନ କରିପାରିବେ। ଅଗ୍ନିବୀରମାନଙ୍କୁ ଚାରି ବର୍ଷ ସେନାବାହିନୀର ସେବା କରିବାର ସୁଯୋଗ ମିଳିବ। ଏମାନଙ୍କୁ ପରବର୍ତ୍ତୀ ସମୟରେ ଅନ୍ୟ ସେବାଗୁଡ଼ିକରେ ନିଯୁକ୍ତିର ସଂରକ୍ଷଣ ଦିଆଯିବ। ଏହିପରି ଭାବେ ଗତ ୧୧ ବର୍ଷ ମଧ୍ୟରେ ଯୁବବର୍ଗଙ୍କ ସଶକ୍ତିକରଣ ପାଇଁ ମୋଦୀ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି।