Categories
ବିଶେଷ ଖବର

ଅଗ୍ନିପଥ ଯୋଜନାକୁ ନେଇ ରାଜନାଥ ସିଂଙ୍କ ଆସିଲା ବୟାନ: ଯୁବପିଢୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଆଯାଇଛି ଏହି ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଗ୍ନିପଥ ଯୋଜନା ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, “ଗତ ୨ ବର୍ଷ ଧରି ଯୁବକମାନେ ସଶସ୍ତ୍ର ବାହିନୀରେ ଯୋଗଦେବା ପାଇଁ ସୁଯୋଗ ପାଇ ନଥିଲେ। ତେଣୁ ସରକାର ଉପର ବୟସ ସୀମାକୁ ୨୧ ବର୍ଷରୁ ୨୩ ବର୍ଷକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।” ଯୁବବର୍ଗଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ରାଜନାଥ ସିଂ କହିଛନ୍ତି ଏବଂ ନୂତନ ଯୋଜନା ଅଧୀନରେ ଅଧିକ ଲୋକ ଚାକିରି ପାଇବେ।

ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ବିରୋଧ କରି ଆଜି ଉତ୍ତର ପ୍ରଦେଶର ବାଲିଆରେ ଯୁବକମାନଙ୍କ ଭିଡ଼ ଜମିବା ସହ ଅନେକ ଟ୍ରେନ୍ ଭଙ୍ଗାରୁଜା କରିଛନ୍ତି।

ଲଗାତାର ତୃତୀୟ ଦିନ ପାଇଁ ସେନାରେ ନୂତନ ନିଯୁକ୍ତି ଯୋଜନା ‘ଅଗ୍ନିପଥ’ ବିରୋଧରେ ତୀବ୍ର ପ୍ରଦର୍ଶନ କରାଯାଇଛି। ଆଜି ସକାଳେ ବିହାରର ସମସ୍ତିପୁରରେ ଜମ୍ମୁତୱି-ଗୁଆହାଟି ଏକ୍ସପ୍ରେସ ଟ୍ରେନରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଟ୍ରେନର ଦୁଇଟି ବଗି ପୋଡି ପାଉଁଶ ହୋଇଯାଇଛି। ହାଜିପୁର-ବରୋନି ରେଳ ବିଭାଗର ମୋହିଉଦ୍ଦିନଗର ଷ୍ଟେସନର ଏହି ଘଟଣା ଘଟିଛି। ଅନ୍ୟ ପଟେ ଦୁର୍ବୃତ୍ତମାନେ ଦରଭଙ୍ଗା ଠାରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି।