Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆସୁଛି କରୋନାର ତୃତୀୟ ଲହର!: ଯୁବପିଢୀ ଓ ଶିଶୁମାନଙ୍କୁ ଯଥାଶୀଘ୍ର ଟୀକାକରଣରେ କରାଯାଉ ସାମିଲ

ସୁବାସ କୁମାର ତାରଣିଆଁ

ବର୍ତ୍ତମାନ ସାରା ବିଶ୍ୱ କରୋନାର ଦ୍ୱିତୀୟ ଲହର ସହ ସଂଘର୍ଷ ଜାରି ରଖିଛି। କରୋନାର ଦ୍ୱିତୀୟ ଲହର ପ୍ରଥମ ଲହର ଅପେକ୍ଷା ଅଧିକ ଘାତକ ସାବ୍ୟସ୍ତ ହୋଇଛି। ସଂକ୍ରମଣ ଶୀର୍ଷ ସ୍ଥାନରେ ପହଞ୍ôଚଛି। ଏହି ଭୟବହତା ଲୋକଙ୍କ ମନରୁ ଦୂର ନହେଉଣୁ, କରୋନାର ତୃତୀୟ ଲହର ପ୍ରବେଶ ଅବଶ୍ୟମ୍ଭାବୀ ବୋଲି କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ଡ. କେ. ବିଜୟ ରାଘବନ ସତର୍କ କରାଇ ଦେଇଛନ୍ତି।

କରୋନାର ତୃତୀୟ ଲହର କେବେ ପ୍ରବେଶ କରିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ତେବେ ଏଥିଲାଗି ଏବେଠାରୁ ପ୍ରସ୍ତୁତ ଓ ସତର୍କ ରହିବାକୁ ପରାମର୍ଶ ଦେବା ସହିତ ଏଥିରେ ଅବହେଳା କଲେ ଘାତକ ସାବ୍ୟସ୍ତ ହୋଇପାରେ ବୋଲି ରାଘବନ ଚେତାବନୀ ଦେଇଛନ୍ତି। କରୋନା ମୁକାବିଲା ନିମନ୍ତେ ବର୍ତ୍ତମାନ ଚାଲିଥିବା ଅନୁସନ୍ଧାନ ଜାରି ରହିବା ଉଚିତ।

ଏଥିସହିତ ନୂଆ ଷ୍ଟ୍ରେନ୍ ବିରୋଧରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଲାଗି ଟୀକାର ନବୀକରଣ ନିତାନ୍ତ ଜରୁରୀ। ନଚେତ ଏଥିପାଇଁ ବହୁ ମୂଲ୍ୟ ଦେବାକୁ ପଡ଼ିପାରେ। ବର୍ତ୍ତମାନ କୋଭିଡ଼ର ଦ୍ୱିତୀୟ ଲହରରେ ଭାରତରେ ସଂକ୍ରମଣ ସଂଖ୍ୟା ଶୀର୍ଷରେ ପହଞ୍ଚିଛି। ଦୈନିକ ପାଖାପାଖି ୪ ଲକ୍ଷରୁ ଉର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହେଉଥିଲା ବେଳେ ୩ ହଜାରରୁ ଉର୍ଦ୍ଧ୍ୱ ମୃତ୍ୟୁବରଣ କରୁଥିଲେ। ଏବେ ବିଶ୍ୱରେ ଦୈନିକ ସଂକ୍ରମିତଙ୍କ ମଧ୍ୟରୁ ହାରାହାରି ୫୦ ପ୍ରତିଶତ କେବଳ ଭାରତରେ ଚିହ୍ନଟ ହେଉଥିଲେ। କିନ୍ତୁ ବର୍ତ୍ତମାନ ଏହାର ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି। ଏବେ ଦେଶରେ ଦୈନିକ ୫୦ ହଜାର ଲୋକ ଆକ୍ରାନ୍ତ ହେଉଥିବା ସରକାରୀ ତଥ୍ୟରୁ ସୂଚନା ମିଳୁଛି।

ତେବେ ସରକାରଙ୍କ ଦ୍ୱାରା ସଂଗୃହିତ ତଥ୍ୟ ଠାରୁ ବାସ୍ତବ ସଂଖ୍ୟା ତା’ଠାରୁ ଢେର ଅଧିକ ବୋଲି ଶୁଣିବାକୁ ମିଳୁଛି। ଯଦିଓ ଦେଶରେ ଏବେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି, କିନ୍ତୁ ମୃତୁୃ୍ୟ ସଂଖ୍ୟାରେ ରୋକ ଲଗାଯାଇ ପାରିନାହିଁ ଏବଂ ବିପଦ ସମ୍ପୂର୍ଣ୍ଣ ଟଳିନି। ହୁଏତ ପୁଣି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ, ଏହାକୁ ଏଡ଼ାଇ ହେବନାହିଁ। କରୋନାର ତୃତୀୟ ଲହର ଆସନ୍ତା ସେପ୍ଟେମ୍ବର କିମ୍ବା ଅକ୍ଟୋବର ମାସରେ ପ୍ରବେଶ କରିପାରେ ବୋଲି ଆଶଙ୍କା କରାଯାଉଛି। ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ, ମାସ୍କ ପିନ୍ଧି, ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ସଚେତନ ହେବାକୁ ପଡ଼ିବ।

କରୋନା ମହାମାରୀ ଦ୍ୱିତୀୟ ଲହର ଆଗକୁ ଆହୁରି ଘାତକ ରୂପ ଧାରଣ କରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟସଂଗଠନ ‘ହୁ’ ସତର୍କ କରାଇ ଦେଇଥିଲେ ଯାହା ବାସ୍ତବରେ ପରିଣତ ହୋଇସାରିଛି। ଚଳିତବର୍ଷ କରୋନାର ଦ୍ୱିତୀୟ ବର୍ଷ ଚାଲିଥିବାରୁ ଏବର୍ଷ ଆହୁରି ଅନେକ ଲୋକ ବିଶ୍ୱବ୍ୟାପୀ ପ୍ରାଣ ହରାଇବାର ସମ୍ଭାବନା ରହିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୧ ଲକ୍ଷ ୮୨ ହଜାର ୧୭୩ କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୪ ହଜାର ୪୯୩ କୁ ବୃଦ୍ଧି ପାଇଛି।

ସେହିପରି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୯୭ ହଜାର ୬୨କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ହଜାର ୮୪୭ କୁ ବୃଦ୍ଧି ପାଇଛି। କରୋନାର ଏହି ସଙ୍କଟମୟ ପରିସ୍ଥିତିରେ ଏ ସମ୍ପର୍କିତ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରି ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା କରିବା ଲାଗି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ହସ୍ପିଟାଲରେ ଅମ୍ଲଜାନ ଏବଂ ଅଗ୍ନି ସୁରକ୍ଷା ଉପରେ ଗୁରୁତ୍ୱ ଦେବା ସହିତ ସ୍ୱାଭାବିକ ଅବସ୍ଥା ଫେରିବା ଯାଏ ଟୀକାକରଣ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ଼ ସ୍ଥିତି ସମୀକ୍ଷା କରିବା ଅବସରରେ କହିଛନ୍ତି। ଟୀକାକରଣ କାର୍ଯ୍ୟକ୍ରମ ସବୁଠାରୁ ଗୁରତ୍ୱପୂର୍ଣ୍ଣ ବୋଲି କହିବା ସହ ଏଥିରେ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା କରିବା, ବୟସ୍କ, ମହିଳା ଓ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ଯତ୍ନ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

କରୋନାର ଦ୍ୱିତୀୟ ଲହରରେ ଦେଶବ୍ୟାପୀ ଡ଼ାକ୍ତରଖାନାରେ ଶଯ୍ୟାର ଘୋର ଅଭାବ, ଆବଶ୍ୟକ ସଂଖ୍ୟକ ଆଇସିୟୁର ସଙ୍କଟ ଏବଂ ଅମ୍ଲଜାନର ଘୋର ସଙ୍କଟ ଦେଖା ଦେଇଥିବାରୁ ଡ଼ାକ୍ତରଖାନା ଗୁଡ଼ିକରେ ଚିକିତ୍ସାଧୀନ ରୋଗୀ ପ୍ରାଣ ହରାଉଛନ୍ତି। ଏପରି ଅମ୍ଲଜାନର ଅଭାବ ହେତୁ ବହୁ ଡ଼ାକ୍ତରଖାନା ସଂକ୍ରମିତଙ୍କୁ ଚିକିତ୍ସା କରିବାକୁ ମନା କରିଦେଉଛନ୍ତି। ଫଳରେ ଚିକିତ୍ସା ନ ପାଇ ମୃତସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ମୃତ୍ୟୁ ସଂଖ୍ୟା ଏତେ ପରିମାଣରେ ବୃଦ୍ଧି ପାଉଛି ଯେ, ଶ୍ମଶାନର ଅଭାବ ପରିଲକ୍ଷିତ ହୋଇଛି। ଶ୍ମଶାନ ଅଭାବରୁ କରୋନା ମୃତକଙ୍କୁ ନଦୀରେ ଭସାଇ ଦିଆଯାଉଛି।

ଅପରପକ୍ଷରେ କରୋନାର ଦ୍ୱିତୀୟ ଲହର ଯୁବପିଢିଙ୍କୁ ଅଧିକ ପରିମାଣରେ ସଂକ୍ରମିତ କରୁଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ପ୍ରତିଶତ ହେଉଛନ୍ତି ଯୁବଗୋଷ୍ଠୀ। ସାଧାରଣତଃ ବୟସ୍କଙ୍କ ତୁଳନାରେ ଯୁବପିଢିଙ୍କଠାରେ କରୋନାର ପ୍ରବଣତା କମ୍ ଥିବାର ଜଣାପଡ଼ିଛି। କିନ୍ତୁ କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ଯୁବପିଢିଙ୍କ ଠାରେ ୫ ସପ୍ତାହ ପର୍ଯ୍ୟନ୍ତ ଶାରୀରିକ ଜଟିଳତା ଦେଖାଦେଉଥିବା ଜଣାପଡ଼ିଛି। ଶ୍ୱାସକ୍ରିୟା, ଯକୃତ, ଫୁସ୍‌ଫୁସ୍ ଗୁରୁତର ଭାବେ ପ୍ରଭାବିତ ହେଉଛି ଏବଂ ସେମାନେ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହେଉଛନ୍ତି। କରୋନା ଭୂତାଣୁ ବାରମ୍ବାର ରୂପ ପରିବର୍ତ୍ତନ କରୁଛି। ଏଥିପାଇଁ ବିଶ୍ୱର ସମସ୍ତ ବୈଜ୍ଞାନିକମାନେ ଏହି ଭୂତାଣୁର ପ୍ରକରଣକୁ ନେଇ ତର୍ଜମା କରିବା ସହିତ ଏହାକୁ ସଠିକ୍ ଭାବେ ଚିହ୍ନଟ କରିବା ପାଇଁ ପ୍ରୟାସ ଦରକାର ଏବଂ ଏହାକୁ ମୁକାବିଲା କରିବା ପାଇଁ ଗବେଷଣା ଏବେଠୁ ଜାରି ରଖିବାକୁ ପଡ଼ିବ।

ଏବେ ଦେଖାଯାଉଛି ଯେ, ଶିଶୁମାନେ ଅଧିକ କରୋନାରେ ସଂକ୍ରମିତ ହେଉଛନ୍ତି। ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ନିଶ୍ଚିତଭାବେ ସଂକ୍ରମଣ ବହୁତ ଅଧିକ ରହିଛି। କାରଣ ପ୍ରଥମ ଲହରରେ ଶିଶୁମାନଙ୍କ ସଂକ୍ରମଣ ୨ରୁ ୩ ପ୍ରତିଶତ ରହିଥିବା ବେଳେ ଦ୍ୱିତୀୟ ଲହରରେ ଏହା ୧୦ରୁ ୧୫ ପ୍ରତିଶତକୁ ବୃଦ୍ଧି ପାଇଛି। ପ୍ର୍ରାୟତଃ ୧୦ ବର୍ଷରୁ କମ୍ ଶିଶୁମାନଙ୍କ ଭିତରେ ସମୁଦାୟ ସଂକ୍ରମିତ ହାର ତୁଳନାରେ ୫ ପ୍ରତିଶତରୁ କମ୍ ଥିଲା ଯାହା ବର୍ତ୍ତମାନ୧୦ରୁ ୧୫ ପ୍ରତିଶତରେ ପହଞ୍ଚିଛି। ଫଳରେ ଶିଶୁମାନଙ୍କ ପ୍ରତି ବିପଦ ଘନେଇବାରେ ଲାଗିଛି।

ତେଣୁ ବର୍ତ୍ତମାନ ସରକାର ଶିଶୁମାନଙ୍କ ସୁରକ୍ଷା ପାଇଁ ଅଧିକ ଯତ୍ନବାନ ହେବା ଦରକାର। ରାଜ୍ୟରେ ଶିଶୁମାନଙ୍କୁ କରୋନାରୁ ବିପଦମୁକ୍ତ କରିବା ପାଇଁ ଏବେଠୁ ବଳିଷ୍ଠ ପଦକ୍ଷେପ ନେବା ଦରକାର। ଶିଶୁ ବିଶେଷଜ୍ଞମାନଙ୍କୁ ନେଇ ସୁଚିନ୍ତିତ ଯୋଜନା ପ୍ରଣୟନ କରିବା ଜରୁରୀ ହୋଇପଡ଼ିଛି। ଏଥିପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯଥେଷ୍ଟ ଗୁରୁତ୍ୱ ଦେବା ଦରକାର।

କରୋନାର ଏଭଳି ତାଣ୍ଡବ ସମୟରେ ସାମାଜିକ ଦୂରତ୍ୱ ନୁହେଁ, ବରଂ ଶରୀରିକ ଦୂରତ୍ୱ ରଖିବା ଦରକାର। ପ୍ରଥମ ଲହରରେ ଶିଶୁମାନଙ୍କ କ୍ଷେତ୍ରରେ ଘାତକ କରୋନା ହେବା ବା ଡ଼ାକ୍ତରଖାନାରେ ଭର୍ତ୍ତି ହେବା କମ୍ ଦେଖା ଦେଇଥିଲା, ହେଲେ ଏଥର କିନ୍ତୁ ଦ୍ୱିତୀୟ ଲହରରେ ଶିଶୁ ଅଧିକ ଆକ୍ରାନ୍ତ ହେଉଛନ୍ତି। ବୟସ୍କ ଓ ଶିଶୁ ଆକ୍ରାନ୍ତଙ୍କ କ୍ଷେତ୍ରରେ ଲକ୍ଷଣ କିନ୍ତୁ ଭିନ୍ନ ଭିନ୍ନ ରହିଛି। ଯେମିତି ଜ୍ୱର, ଗଳା ଦରଜ ହେବା, ମୁଣ୍ଡ ବିନ୍ଧିବା, ଗୋଡ଼ହାତ ଘୋଳାବିନ୍ଧା ହେବାର ନଜିର ରହିଛି।

ପୂର୍ବରୁ ସାରା ବିଶ୍ୱରେ ଯେତେସବୁ ଅସାଧ୍ୟ ରୋଗ ଦେଖାଦେଇଥିଲା, ସେ ସମୟରେ ଏଭଳି ପରିବେଶ ଓ ପରିସ୍ଥିତି କେବେ ସୃଷ୍ଟି ହୋଇନଥିଲା, ଯେମିତି ବର୍ତ୍ତମାନ ମହାମାରୀ କରୋନା ସମୟରେ ଘଟୁଛି। ସମୟ ଏପରି ହୋଇଛି କରୋନା ପାଇଁ ଛୁଆଁ ଅଛୁଆଁ ଭେଦଭାବ ସୃଷ୍ଟି ହୋଇଛି। କରୋନା ରୋଗୀଟିଏ ମୃତ୍ୟୁବରଣ କଲେ ତାକୁ କାନ୍ଧ ଦେବାକୁ କେହି ରାଜି ହେଉନାହାଁନ୍ତି। ସାହି ପଡ଼ିଶାଙ୍କ କଥା ତ ଛାଡ଼, ଖୋଦ ରକ୍ତ ସମ୍ପର୍କର ଭାଇ, ବନ୍ଧୁ କୁଟମ୍ବ ମଧ୍ୟ ମୁହଁ ଫେରାଇ ନେଉଛନ୍ତି। ଫଳରେ କରୋନା ରୋଗୀଟିର ଅନ୍ତିମ ସଂସ୍କାର ପାଇଁ ଘଣ୍ଟା ଘଣ୍ଟା, ଦିନ, ଦିନ ଶବ ପଡ଼ିରହୁଛି। କରୋନାର କରୁଣ ଦୃଶ୍ୟ ଏବଂ ଏଥିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ଡ଼ାକ୍ତର, ସାମ୍ବାଦିକ, ସ୍ତମ୍ଭକାର, ସମାଜସେବୀ କରୋନା ଯୋଦ୍ଧା ଏବଂ ସମାଜରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କ ଶୋକ ଖବର ପ୍ରତିଦିନ ଶୁଣି ଶୁଣି ଜୀବନ ପ୍ରତି ବିତୁଷ୍ଣାଭାବ ଆସିଲାଣି।

ଆସନ୍ତା ସେପ୍ଟେମ୍ବର, ଅକ୍ଟୋବର ସୁଦ୍ଧା କରୋନାର ତୃତୀୟ ଲହର ପ୍ରବେଶ କରିବାର ଯଥେଷ୍ଟ ଯମ୍ଭାବନା ରହିଛି ବୋଲି ପୂର୍ବରୁ ଉଲ୍ଲେଖ କରାଯାଇଛି। କରୋନାର ତୃତୀୟ ଲହରରେ ଶିଶୁ ଓ କିଶୋରମାନେ ଅଧିକ ପ୍ରଭାବିତ ହେବେ ବୋଲି ସୂଚନା ଦିଆଯାଇଛି। କାରଣ ଶିଶୁ ଓ କିଶୋରମାନେ ପ୍ରଭାବିତ ହେଲେ ସେମାନଙ୍କ ପରିବାର ପ୍ରଭାବିତ ହେବାର ଆଶଙ୍କା ରହିଛି। ଶିଶୁମାନଙ୍କୁ ସଂକ୍ରମିତ ହେଲେ ସେମାନଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରିବାକୁ ହେବ ଏବଂ ସେମାନଙ୍କ ସହିତ ପିତାମାତା ମଧ୍ୟ ଡ଼ାକ୍ତରଖାନା ଯିବେ। ଯାହାଫଳରେ ପୁରା ପରିବାରକୁ ପ୍ରଭାବିତ ବେହାର ଆଶଙ୍କାକୁ ଏଡ଼ାଇ ହେବ ନାହିଁ। ତେଣୁ ତୃତୀୟ ଲହର ଆସିବା ପୂର୍ବରୁ ଯୁବପିଢୀ ଓ ଶିଶୁମାନଙ୍କୁ ଯଥାଶୀଘ୍ର ଟୀକାକରଣରେ ସାମିଲ କରାଯିବା ଆବଶ୍ୟକ।

ଏଥିପାଇଁ ବୈଜ୍ଞାନିକ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଯୋଜନା ପ୍ରସ୍ତୁତ କରି ଉପଯୁକ୍ତ ବ୍ୟବସ୍ଥା କରିବା ଦରକାର, ଡ଼ାକ୍ତରଖାନାରେ ଆବଶ୍ୟକୀୟ ଶଯ୍ୟା ବୃଦ୍ଧି କରିବା, ପର୍ଯ୍ୟାପ୍ତ ପରିମାଣରେ ଅମ୍ଲଜାନ ସଂରକ୍ଷିତ ରଖିବା, ଆଇସିୟୁ ସଂଖ୍ୟାକୁ ବଢାଇବା ସହିତ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ସହ ଅଧିକ ସଂଖ୍ୟକ ଡ଼ାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରିବା ଲାଗି ପଦକ୍ଷେପ ଦେବାକୁ ପଡ଼ିବ। ବର୍ତ୍ତମାନ ଠାରୁ ଏସବୁ କ୍ଷେତ୍ରରେ ପ୍ରସ୍ତୁତ ରହିଲେ, ତେବେ ଯାଇ କରୋନାର ତୃତୀୟ ଲହରକୁ ସଫଳତାର ସହ ମୁକାବିଲା କରିହେବ।